ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମେଦ ହ୍ରାସ ଲାଗି ଖାଦ୍ୟ, ବ୍ୟାୟାମ

Published By : Rasmita Pradhan | March 11, 2025 11:49 AM

ଭୁବନେଶ୍ଵର : ମେଦ ବହୁଳତା ଏବେ ବଡ଼ ସମସ୍ୟା । ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ, ଖଞ୍ଜା ଜନିତ ସମସ୍ୟା ଓ ଅନେକ ପ୍ରକାର କର୍କଟ ରୋଗର ମୂଳ କାରଣ ମେଦ ବହୁଳତା । ବୟସ ବୃଦ୍ଧି ସହ ଶରୀରର ଦହନ ପ୍ରକ୍ରିୟା (ମେଟାବଲିଜିମ୍‌) କମୁଛି । ତା ସହିତ ଚଳପ୍ରଚଳ କମିବା, ଆଧୁନିକ ଯୁଗର ସୁବିଧା ସୁଯୋଗ ଏବଂ ଅଧିକା ଖାଦ୍ୟ ଖାଇବା ଯୋଗୁ ଅଧିକରୁ ଅଧିକ ଲୋକ ମେଦ ବହୁଳତା ରୋଗର ଶିକାର ହେଉଛନ୍ତି । ମେଦ ବୃଦ୍ଧି ବନ୍ଦ ଏବଂ ମେଦ ହ୍ରାସ ନିମନ୍ତେ ଖାଦ୍ୟ ପାନୀୟର ନିୟନ୍ତ୍ରଣ ଏବଂ ବ୍ୟାୟମ ଜରୁରି । କେବଳ ବ୍ୟାୟାମ ଦ୍ୱାରା ମେଦ ହ୍ରାସ କରିବା ସହଜ ନୁହେଁ । ବ୍ୟାୟାମ ଶରୀରର ଶକ୍ତି ଓ ସୁନ୍ଦର ଗଠନରେ ସାହାଯ୍ୟ କରେ ଏବଂ ମେଦ ହ୍ରାସରେ ସହାୟକ ହୋଇଥାଏ । ପ୍ରକୃତ ପକ୍ଷେ ଖାଦ୍ୟ, ପାନୀୟର ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଣେ ୭୦ କିଗ୍ରା ଓଜନର ବ୍ୟକ୍ତି ଏକ ଘଣ୍ଟା ଧୀର ଗତିରେ ଦୌଡ଼ିଲେ ପ୍ରାୟ ୪୦୦ କ୍ୟାଲୋରି ଖର୍ଚ୍ଚ ହୋଇଥାଏ । କିନ୍ତୁ ୨ ଗୋଟି ବଡ ସିଙ୍ଗଡ଼ା ବା ତିନୋଟି ମଧ୍ୟମ ଧରଣର ସିଙ୍ଗଡ଼ାରୁ ଶରୀରକୁ ୪୦୦ କ୍ୟାଲୋରି ମିଳିଥାଏ । 

ବିଜ୍ଞାନ ଅନୁଯାୟୀ, ଜଣେ ବ୍ୟକ୍ତି ଦୈନିକ ଖର୍ଚ୍ଚ କରୁଥିବା କ୍ୟାଲୋରି ଠାରୁ କମ କ୍ୟାଲୋରି ଯୁକ୍ତ ଖାଦ୍ୟ ଗ୍ରହଣ କଲେ ଆବଶ୍ୟକ କ୍ୟାଲୋରି ଶରୀର ତାର ଗଚ୍ଛିତ ମେଦ ଓ ମାଂସପେଶୀରୁ ଆହରଣ କରିନିଏ । ଫଳରେ ମେଦ ହ୍ରାସ ହେବା ସହ ଓଜନ କମ ହୁଏ  । ୮୦୦୦ କ୍ୟାଲୋରିର ଅଭାବ ଶରୀରରୁ ଏକ କେଜି ଓଜନ ହ୍ରାସ କରିଥାଏ । ତେଣୁ ଶରୀରରେ କ୍ୟାଲୋରି ଅଭାବ ସୃଷ୍ଟି କରିବା ମେଦ ହ୍ରାସ ନିମନ୍ତେ ଏକାନ୍ତ ଆବଶ୍ୟକ । ଏହି କ୍ୟାଲୋରି ଅଭାବ ଶାରୀରିକ ବ୍ୟାୟାମ ଓ ଶାରୀରିକ କାର୍ଯ୍ୟକ୍ରମ ବୃଦ୍ଧି ଏବଂ ଖାଦ୍ୟର ବିଭିନ୍ନ ପ୍ରକାର ପରିବର୍ତ୍ତନ ଦ୍ୱାରା ସମ୍ଭବ ହୋଇପାରିବ । ମେଦ ହ୍ରାସ ପ୍ରକ୍ରିୟା ବେଳେ ଶରୀରରୁ ଅତ୍ୟଧିକ ମାଂସପେଶୀ, ଅସ୍ଥି ଓ ଅସ୍ଥି ସଂଲଗ୍ନ ଉପାଦାନଗୁଡିକର ହ୍ରାସକୁ କମ କରିବା ନିମନ୍ତେ ଖାଦ୍ୟ ଓ ବ୍ୟାୟମରେ କିଛି ପରିବର୍ତ୍ତନ କରାଯିବା ମଧ୍ୟ ଦରକାର । ପେଟ ଚାରିପଟେ ଜମୁଥିବା ମେଦ ଓ ଚର୍ବି ଅନ୍ୟାନ୍ୟ ଅଙ୍ଗରେ ଜମୁଥିବା ମେଦ ଠାରୁ ଅଧିକ ବିପଜ୍ଜନକ । ଏକ ସାଧାରଣ ପରୀକ୍ଷାରୁ ଏହା ନିର୍ଣ୍ଣୟ କରାଯାଇପାରିବ । 

ଏକ ମାପ ଫିତା ଦ୍ୱାରା ନାଭି ସିଧାରେ ପେଟ ଗୋଲେଇର ମାପ ନିଅନ୍ତୁ ଏବଂ ନିତମ୍ବ ଗୋଲେଇର ମାପ ନିଅନ୍ତୁ । ନିତମ୍ବ ଗୋଲେଇର ମାପରେ ପେଟ ଗୋଲେଇର ମାପକୁ ହରନ୍ତୁ । ପୁରୁଷଙ୍କ ନିମନ୍ତେ ଏହା ୦.୯ରୁ କମ ଏବଂ ମହିଳାଙ୍କ ନିମନ୍ତେ ଏହା ୦.୮ରୁ କମ୍‌ ରହିବା ଉଚିତ । ସେହିପରି ପୁରୁଷଙ୍କ ଶରୀରରେ ମେଦ ପରିମାଣ ୨୫% ରୁ କମ ଏବଂ ମହିଳାଙ୍କର ୩୦% ରୁ କମ ରହିବା ଆବଶ୍ୟକ । ଶରୀରରେ କେତେ ପରିମାଣର ମେଦ ଏବଂ କେତେ ପରିମାଣର ମାଂସପେଶୀ ରହିଛି ତାହା ଓଜନ ଆକଳନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ମାଂସପେଶୀ ଓ ହାଡ଼ର ସାନ୍ଦ୍ରତା ଅଧିକ ରହିବା ସ୍ୱାସ୍ଥ୍ୟ ଲାଗି ଜରୁରି । ମାଂସପେଶୀ ମେଦଠାରୁ ଅଧିକ ଓଜନ । ତେଣୁ ଜଣେ ବ୍ୟକ୍ତିର ମାଂସପେଶୀ ପରିମାଣ ଓ ହାଡ଼ର ସାନ୍ଦ୍ରତା ଅଧିକ ଥିଲେ ଶରୀରର ଓଜନ ଅଧିକ ରହିବ । ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଉତ୍ତମ ସ୍ୱାସ୍ଥ୍ୟ, କାର୍ଯ୍ୟଦକ୍ଷତା, ସୌନ୍ଦର୍ଯ୍ୟ ଓ ଦୀର୍ଘ ଜୀବନ ନିମନ୍ତେ ମେଦ ହ୍ରାସ ସହ ମାଂସପେଶୀର ବୃଦ୍ଧି ଦରକାର ।

ଡ. ହରି ପ୍ରସାଦ ପଟ୍ଟନାୟକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.