ଭୁବନେଶ୍ୱର ୦୭/୦୩: ମନୁଷ୍ୟ ଶରୀର ପାଇଁ ଜଳ ଅତି ଗୁରୁତ୍ୱପୂର୍ଣ୍ଣ। ଶରୀରରେ ଜଳୀୟଅଂଶ କମିଗଲେ ଡିହାଇଡ୍ରେସନ୍‌ ଦେଖାଦିଏ। ବିଭିନ୍ନ କାରଣରୁ ଡିହାଇଡ୍ରେସନ୍‌ ବା ଜଳଶୁଷ୍କତା ହୋଇଥାଏ। ଏହାଦ୍ୱାରା ରକ୍ତସଞ୍ଚାଳନ ଠିକ୍‌ ଭାବେ ହୋଇପାରେନି। ସାଧାରଣତଃ ଖରାଦିନେ ଏହି ସମସ୍ୟା ଅଧିକ ଦେଖାଯାଏ। ତେଣୁ ଡିହାଇଡ୍ରେସନ୍‌ ହେବା ଦ୍ୱାରା ଶରୀରରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ।

ଜଣେ ସୁସ୍ଥ ଲୋକ ଦିନକୁ ପାଖାପାଖି ୪ ରୁ ୫ ଲିଟର ପାଣି ପିଇବା ଜରୁରୀ। ହେଲେ ଅଧିକାଂଶ ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତିନି। ଯାହାଫଳରେ ଖରାଦିନେ ଶରୀରର ଜଳୀୟଅଂଶ କମିଯାଇ ଡିହାଇଡ୍ରେସନ୍‌ ହୋଇଥାଏ। ଅଂଶୁଘାତ, ତରଳଝାଡା, ଅତ୍ୟଧିକ ଝାଳ ବୋହିବା ଆଦି କାରଣରୁ ମଧ୍ୟ ଡିହାଇଡ୍ରେସନ୍‌ ଦେଖାଦେଇଥାଏ। ଏହାର ପ୍ରାରମ୍ଭିକ ଅବସ୍ଥାରେ ପରିସ୍ରାରେ ରଙ୍ଗ ପରିବର୍ତ୍ତନ ହୋଇଥାଏ। ଶୋଷ ଲାଗିଥାଏ, ପରିସ୍ରାର ବେଗ କମ୍‌ ହୁଏ। ଓଠ ଓ ମୁହଁ ଶୁଷ୍କ ଲାଗିବା, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଥକାପଣ, ରକ୍ତଚାପ କମ୍‌ ହେବା, ବାନ୍ତି,ଡାଇରିଆ, ମାଂସପେଶୀ ଯନ୍ତ୍ରଣା, ତ୍ୱଚା ଲାଲ୍‌ ପଡିଯିବା ଆଦି ଲକ୍ଷଣ ଦେଖାଯାଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଯଥେଷ୍ଟ ମାତ୍ରାରେ ତରଳ ପଦାର୍ଥ ପିଇବା ଆବଶ୍ୟକ।

ଖରାଦିନେ ଦୈନିକ ନିର୍ଦ୍ଦିଷ୍ଟ ପରିମାଣର ପାଣି ପିଅନ୍ତୁ। ବାହାରକୁ ଯିବା ବେଳେ ଓଆରଏସ୍‌ ପିଇବା, ସାଲାଡ, ଫଳ ତରଭୁଜ, ଆଦି ସେବନ କରିବା ଉଚିତ। ଏସବୁ ବାଦ୍‌ ଯଦି ସ୍ଥିତି ଗମ୍ଭୀର ହେଉଛି, ସେ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସାରେ ରୁହନ୍ତୁ। ଦିନକୁ ଅଳ୍ପ ଅଳ୍ପ କରି ପାଣି ପିଇପାରିବେ। ହାତ ଏବଂ ତ୍ୱଚାରେ ପାଣିର ଅଭାବ ବିଷୟରେ ଜାଣିବାକୁ ସ୍କିନ୍‌ ଟର୍ଗର ଟେଷ୍ଟ, ପରିସ୍ରା ପରୀକ୍ଷା କରିପାରିବେ। ପ୍ରତିଦିନ ଏକ ଗ୍ଲାସ୍‌ ବେଲପଣା, ପଇଡପାଣି, ଓଆର୍‌ଏସ୍‌ ପାଣି ଆଦି ପିଇପାରିବେ।