ନୂଆଦିଲ୍ଲୀ,୦୬/୦୩: ନ୍ୟୁଜିଲାଣ୍ଡରେ ଭୂକମ୍ପ ଝଟକା । ଆଜି ସକାଳେ ଭୂମିକମ୍ପ ଝଟକା ଥରିଲା ନ୍ୟୁଜିଲାଣ୍ଡର ୩ଟି ସହର । ଏହାର ରିକ୍ଟର ସ୍କେଲରେ ତୀବ୍ରତା ୪.୫  ରେକର୍ଡ଼ କରାଯାଇଛି । କ୍ରାଇଷ୍ଟଚର୍ଚ୍ଚ, ରଙ୍ଗିଓରା ଏବଂ ଲୋବର୍ଣ୍ଣରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀର ଥିଲା । 

ସୂଚନା ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡ ଅଷ୍ଟ୍ରେଲିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଟେକ୍ଟୋନିକ୍ ପ୍ଲେଟର ସୀମାରେ ଅବସ୍ଥିତ।  ଯାହା ଦେଶର ଭୂକମ୍ପ ଗତିବିଧି ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ । ଲର୍ଣ୍ଣ ଏନଜେଡ୍ ଅନୁଯାୟୀ, ଦେଶରେ ପ୍ରତିବର୍ଷ ହଜାର ହଜାର ଭୂମିକମ୍ପ ହୋଇଥାଏ। ,ଯାହା ମଧ୍ୟରୁ ଅଧିକାଂଶ ଏତେ ଛୋଟ ଯେ ଏହାକୁ ଅନୁଭବ କରାଯାଇପାରେ ନାହିଁ। ଗତ ୧୦ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ୨୦୧୬ରେ କାଇକୌରାର ଉପକୂଳବର୍ତ୍ତୀ ସହରରେ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ଥିଲା। ଏହି ଭୂମିକମ୍ପ ଯୋଗୁଁ ୬.୯ ମିଟର ଉଚ୍ଚ ସୁନାମି ଆସିଥିଲା। ୱେଲିଂଟନ୍ ଏବଂ ଲୋୟରରେ କୋଠାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ହୋଇଥିବା ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନଥିଲେ ମଧ୍ୟ ଲୋକମାନେ ଭୟଭୀତ ଥିବା ଜଣାପଡ଼ିଛି ।  



ସେହିପରି ଗତକାଲି ମଧ୍ୟ ମଣିପୁର ଓ ମିଆଁମାରରେ ଭୂକମ୍ପ  ହୋଇଥିଲା।  ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୫.୬ ଓ  ୪.୭ ରେକର୍ଡ କରାଯାଇଥିଲା । ଏଥିରେ ମଧ୍ୟ କ୍ଷୟକ୍ଷତି ହେବା ନେଇ କୌଣସି ସୂଚନା ନାହିଁ । ନିକଟ ଅତୀତରେ ଭାରତ ଏବଂ ବିଶ୍ବରେ ଅନେକ ଛୋଟ ବଡ଼ ଭୂମିକମ୍ପ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି ।  ଗତ ଦୁଇ ମାସରେ ଦିଲ୍ଲୀ-ଏନସିଆର, ହରିଆଣା, ଫରିଦାବାଦ,ଆଫଗାନିସ୍ତାନ, ପାକିସ୍ତାନ, ତିବ୍ବତ, ବିହାର ଓ ନେପାଳରେ ଭୂକମ୍ପ ହୋଇଛି ।