ୱାଶିଂଟନ ଡିସି, ୧୦/୦୩: ବିଶ୍ୱବ୍ୟାପୀ ବାଣିଜ୍ୟ ଯୁଦ୍ଧକୁ ଇନ୍ଧନ ଦେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଆଉ ଏକ ବଡ଼ ପଦକ୍ଷେପ ନେବା ଲାଗି ବିଚାର କରୁଛନ୍ତି । ଚୀନ୍, କାନାଡା, ମେକ୍ସିକୋ ଓ ଭାରତ ଭଳି ଦେଶ ଉପରେ ଅଧିକ ଟାରିଫ୍ ଘୋଷଣା ପରେ ତାଙ୍କ ନଜର ୟୁରୋପ ଉପରେ ପଡ଼ିଛି । ୟୁରୋପ ସହ କାନ୍ଧକୁ କାନ୍ଧ ମିଳାଇ ଚାଲୁଥିବା ଆମେରିକା ଏହାଠାରୁ ନିଜକୁ ଦୂରେଇନେବା ପାଇଁ ଚିନ୍ତା କରୁଛି ।
ଏବେ ୟୁରୋପୀୟ ରାଷ୍ଟ୍ରଙ୍କ ରାଜନୈତିକ ତଥା ସାମରିକ ମେଣ୍ଟ ‘ନାଟୋ (ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ)’ର ହାତ ଆମେରିକା ଛାଡ଼ିପାରେ ବୋଲି ଚର୍ଚ୍ଚା ହେଲାଣି । ନାଟୋ ପାଇଁ ସର୍ବାଧିକ ସାମରିକ ତଥା ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଆମେରିକା ଯଦି ଏଭଳି ନିଷ୍ପତ୍ତି ନିଏ, ତେବେ ଏହାର ଭବିଷ୍ୟତ କ’ଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମେରିକାର ନୂଆ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ର ମୁଖ୍ୟ ଏଲନ୍ ମସ୍କ ରବିବାର ନାଟୋ ଛାଡ଼ିବାକୁ ଆହ୍ୱାନ ଦେଇଛନ୍ତି ।
ମସ୍କ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନାଟୋରୁ ଆମେରିକା ପ୍ରସ୍ଥାନ ନେବା ଉଚିତ ବୋଲି ମତ ଦେଇଛନ୍ତି । କହିଛନ୍ତି, ଆମେ ଏହା କରିବା ନିହାତି ଆବଶ୍ୟକ । ୟୁରୋପର ପ୍ରତିରକ୍ଷା ଲାଗି ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବା ଆମେରିକା ପାଇଁ କୌଣସି ଆବଶ୍ୟକତା ନାହିଁ । ମସ୍କଙ୍କ ଏହି ‘ଏକ୍ସ’ ପୋଷ୍ଟ ପରେ ୟୁରୋପର ଚିନ୍ତା ବଢ଼ିଯାଇଛି ।
ମସ୍କଙ୍କ ଏହି ବୟାନ ଏଥିପାଇଁ ଗୁରୁତ୍ୱ ବହନ କରୁଛି, କାରଣ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ କଥାକୁ ଅଧିକ ଗ୍ରହଣ କରୁଛନ୍ତି । ନିଜ ଦ୍ୱିତୀୟ ପାଳିରେ ଟ୍ରମ୍ପ୍ ମସ୍କଙ୍କୁ ନିଜର ଘନିଷ୍ଠ ସହଯୋଗୀ ବିବେଚନା କରୁଛନ୍ତି। ଏମିତି କି ସରକାରୀ ଖର୍ଚ୍ଚ କାଟ୍ ଲାଗି ତାଙ୍କୁ ଗୁରୁଦାୟିତ୍ୱ ବି ଦେଇଛନ୍ତି । ଟ୍ରମ୍ପ୍ଙ୍କ ବଳରେ ବଳୀୟାନ ହୋଇ ମସ୍କ ବିଭିନ୍ନ ସରକାରୀ ବିଭାଗରେ ଛଟେଇ କରି ଖର୍ଚ୍ଚ କାଟ୍ ପଦକ୍ଷେପ ନେଉଛନ୍ତି ।
ଏହି ପରିପ୍ରେକ୍ଷୀରେ ନାଟୋ ପାଇଁ ଦିଆଯାଉଥିବା ପାଣ୍ଠି ରୋକିବା ଲାଗି ମସ୍କ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ଆମେରିକା ମୋଟା ଅଙ୍କର ସଞ୍ଚୟ କରିପାରିବ । ଏହା ପୂର୍ବରୁ ଟେସ୍ଲା ସିଇଓ ତଥା ସହ ପ୍ରତିଷ୍ଠାତା ମସ୍କ ମାର୍ଚ୍ଚ ୩ରେ ‘ଏକ୍ସ’ରେ ଏକ ପୋଷ୍ଟ କରି ଜଣେ ନେତାଙ୍କ ମନ୍ତବ୍ୟକୁ ସମର୍ଥନ ଜଣାଇଥିଲେ । ନେତା ଜଣକ କହିଥିଲେ କି ଆମେରିକା ଉଭୟ ନାଟୋ ଏବଂ ଜାତିସଂଘକୁ ଛାଡ଼ିଦେବା ଆବଶ୍ୟକ । ଚଳିତବର୍ଷ ଏପ୍ରିଲରେ ନାଟୋ ଏହାର ୭୬ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଥିବା ବେଳେ ଆମେରିକା ଏହାର ହାତ ଛାଡ଼ିବା ନେଇ ଆଶଙ୍କା ଉପୁଜିଛି ।
ମାର୍ଚ୍ଚ ୬ରେ ପ୍ରକାଶିତ ଏନ୍ବିସି ରିପୋର୍ଟ ମୁତାବକ, ଟ୍ରମ୍ପ୍ ତାଙ୍କ ସହଯୋଗୀଙ୍କ ସହ ନାଟୋ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ ବାବଦରେ ଚର୍ଚ୍ଚା କରିଥିଲେ । ଆମେରିକା ନିଜ ଜିଡିପିର ଏକ ବଡ଼ ପ୍ରତିଶତ ନାଟୋ ପାଇଁ ଖର୍ଚ୍ଚ କରୁଥିବା ସଦସ୍ୟମାନେ କହିଥିଲେ । ଏହି ଦିନ ଟ୍ରମ୍ପ୍ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ସେ ନାଟୋ ସହଯୋଗୀଙ୍କୁ ସେମାନଙ୍କ ବିଲ୍ ପୈଠ ପାଇଁ କହିଛନ୍ତି । ବକେୟା ପାଉଣା ପୈଠ ନ କଲେ ସେମାନଙ୍କୁ ସାମରିକ ସହାୟତା ଯୋଗାଇବା ସମ୍ଭବ ହେବନାହିଁ । ମୁଁ ସେମାନଙ୍କୁ ସୁରକ୍ଷା ଦେଇପାରିବି ନାହିଁ ।
ଉଲ୍ଲେଖଯୋଗ୍ୟ, ନାଟୋରେ ଥିବା ୟୁରୋପ ଶୀତଳ ଯୁଦ୍ଧ ପରେ ଅସ୍ତ୍ରଶସ୍ତ୍ରବିହୀନ ହୋଇଯାଇଥିଲା । ଏହା ସାମରିକ ଯୋଗାଯୋଗ, ଗୁଇନ୍ଦା, ଲଜିଷ୍ଟିକ୍ସ ଏବଂ ରଣନୀତିକ ସାମରିକ ନେତୃତ୍ୱ ଲାଗି ଆମେରିକା ଉପରେ ନିର୍ଭରଶୀଳ ହେଉଛି ।
ଟ୍ରମ୍ପ୍ଙ୍କ ସଦ୍ୟ ବୟାନ ପରେ ୟୁରୋପୀୟ ନେତାମାନେ ଗତ ସପ୍ତାହରେ ବ୍ରସେଲ୍ସଠାରେ ବୈଠକ କରି ପ୍ରତିରକ୍ଷା ବ୍ୟୟ ଆଶାତୀତ ବଢ଼ାଇବାକୁ ଚର୍ଚ୍ଚା କରିଥିଲ । ଏମିତି କି ପ୍ରତିରକ୍ଷା ଲାଗି ସଦସ୍ୟ ରାଷ୍ଟ୍ରଙ୍କୁ ୧୬୨.୫ ବିଲିୟନ ଡଲାର ଋଣ ଦେବା ପାଇଁ ୟୁରୋପୀୟ ସଂଘର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।