ନୂଆଦିଲ୍ଲୀ,୧୩।୪: ଏଲନ୍ ମସ୍କଙ୍କ ମହାକାଶ କମ୍ପାନୀ ସ୍ପେସ୍‌ ଏକ୍ସ ଶନିବାର ରାତି( ଭାରତୀୟ ସମୟ ଅନୁସାରେ ୧୩ ଅପ୍ରେଲ ରବିବାର ସକାଳ ୬ଟା ୨୩ ମିନିଟ୍‌)ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୯ ରକେଟର ସଫଳ ଉତ୍‌କ୍ଷେପଣ କରିଛନ୍ତି। ଏହି ଲଞ୍ଚ ଏଥିପାଇଁ ଖାସ୍ ରହିଛି, କାରଣ ଏହା ପୂର୍ଣ୍ଣିମା ରାତିରେ ହୋଇଥିଲା। ଯାହାଫଳରେ ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏହି ମିଶନ୍‌ରେ ଫାଲକୋନ୍ ୯ ମୋଟ୍‌ ୨୧ ଷ୍ଟାରଲିଙ୍କ ସାଟେଲାଇଟ୍‌କୁ ପୃଥିବିର ନିମ୍ନ କକ୍ଷ(ଲିଓ)ରେ ସ୍ଥାପିତ କରାଯାଇଛି। ଏଥିରେ ୧୩ ସାଟେଲାଇଟ୍ ‘ଡାଇରେକ୍ଟ ଟୁ ସେଲ୍’ ଟେକ୍ନୋଲୋଜି ରହିଛି। ଏହି ଟେକ୍ନୋଲୋଜି ବିନା ମୋବାଇଲ ଟାଓ୍ବାରର ମୋବାଇଲ ଫୋନ୍‌ରୁ ସିଧା ସାଟେଲାଇଟ୍ କନେକ୍ଟିଭିଟି ସମ୍ଭବ ହେବ। ଯାହାଫଳରେ ଦୂରଦାରାନ୍ତ ଓ ନେଟଓ୍ବର୍କ ବିହୀନ ଅଞ୍ଚଳରେ ମଧ୍ୟ ମୋବାଇଲ ସିଗନାଲ ମିଳିପାରିବ।

ଡାଇରେକ୍ଟ ଟୁ ସେଲ୍ ସୁବିଧାର ଆରମ୍ଭ ଆମେରିକାରେ T-Mobile ସହ ସେୟାରିଂରେ କରାଯିବ। ଏହାର ଉଦେଶ୍ୟ ହେଉଛି ସମୁଦ୍ର, ପାହାଡ ଓ ଅନ୍ୟ ଦୂରଦୂରାନ୍ତ ଅଞ୍ଚଳରେ ନେଟଓ୍ବର୍କ ଉପଲବ୍ଧ କରିବା। ଏହି ଉତ୍‌କ୍ଷେପଣ ସ୍ପେସ୍‌ଏକ୍ସ ପାଇଁ ଐତିହାସିକ ରହିଛି। କାରଣ ଏହା କମ୍ପାନୀର ଏପର୍ଯ୍ୟନ୍ତ ୪୦୦ ତମ ଉଡାଣ ଥିଲା। ୨୦୨୫ ରେ ଏହା ୪୨ ତମ ଫାଲକନ୍ ୯ ଲଞ୍ଚିଂ, ଯାହାକି ୨୮ ଷ୍ଟାରଲିଙ୍କ ମିଶନ୍ ପାଇଁ ହୋଇଥିଲା। ଫାଲକୋନ୍ ୯ ଉପର ପର୍ଯ୍ୟାୟରେ ସବୁ ୨୧ ସାଟେଲାଇଟ୍‌କୁ ପ୍ରାୟ ୧ ଘଣ୍ଟାରେ ତା’ର କକ୍ଷ ପଥରେ ସ୍ଥାପିତ କରି ଦିଆଯିବ। ଏବେ ଏହି ସାଟେଲାଇଟ୍‌ ନିଜର ଅପରେସନାଲ ଅର୍ବିଟରେ ଯିବ ଓ ଷ୍ଟାରଲିଙ୍କର ୭୦୦୦ରୁ ଅଧିକ ସାଟେଲାଇଟ୍‌ ଥିବା ନେଟଓ୍ବର୍କକୁ ସଶକ୍ତ କରିବ। ଏହି ନେଟଓ୍ବର୍କ ସାରା ଦୁନିଆରେ ଲୋ ଲାଟେନ୍ସ ହାଇସ୍ପିଡ୍‌ ଇଣ୍ଟରନେଟ୍ ସେବା ଦେଉଛି।