ୱାଶିଂଟନ,୧୯/୧୦: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଗୁରପତୱନ୍ତ ସିଂହ ପନ୍ନୁଙ୍କ  ହତ୍ୟା ମାମଲାରେ ଆମେରିକାର ଆଇନ ବିଭାଗ ଭାରତୀୟ ନାଗରିକ ତଥା ପୂର୍ବତନ ଗୁଇନ୍ଦା  ଅଫିସର ବିକାଶ ଯାଦବଙ୍କ ନାମରେ ଚାର୍ଜସିଟ୍‌  ପ୍ରସ୍ତୁତ କରିଛି । ତାଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଓ ମନିଲଣ୍ଡରିଂ ଦଫା ଲାଗିଛି । ଏଥିସହ  ଆମେରିକାର ସଂଘୀୟ ତଦନ୍ତ ସଂସ୍ଥା ଏଫବିଆଇ  ତାଙ୍କୁ ମୋଷ୍ଟ ୱାଣ୍ଟେଡ ତାଲିକାରେ ସାମିଲ କରିଛି ।  ଏଫବିଆଇ କହିଛି ବିକାଶ ଯାଦବ ଭାରତର  ବିଦେଶୀ ଗୁଇନ୍ଦା ସଂସ୍ଥା ର (ଆରଏଡବ୍ଲ୍ୟୁ-ରିସର୍ଚ୍ଚ  ଆଣ୍ଡ ଆନାଲିସିସ୍‌ ୱିଙ୍ଗ) ସହ ଜଡିତ ।

ଆମେରିକା ବିଦେଶ ବିଭାଗ କହିଛି କି  ୩୯ ବର୍ଷୀୟ ବିକାଶଙ୍କୁ ଭାରତ ସରକାର ପଦରୁ  ହଟାଇବା ସହ ଗିରଫ କରିଛନ୍ତି । ବିକାଶ ପୂର୍ବରୁ ଆମେରିକାରେ ଥିଲେ । କିଛି ଦିନ ତଳୁ ସେ ଭାରତ  ଚାଲିଆସିଛନ୍ତି । ତାଙ୍କ ଘର ହରିଆଣାର ରେୱାଡି  ଜିଲ୍ଲା ପ୍ରାଣପୁରା ଗାଁରେ । ଅକ୍ଟୋବର ୧୦ ତାରିଖରେ  ତାଙ୍କୁ ଗିରଫ କରାଯାଇଥିବା ଖବର ଆସିଛି । ପନ୍ନୁ  ହତ୍ୟା ମାମଲାରେ ନ୍ୟୁୟର୍କର ସଦର୍ଣ୍ଣ ଡିଷ୍ଟ୍ରିକ୍ଟ  କୋର୍ଟ ଦୁଇଜଣ ଭାରତୀୟଙ୍କ ନାମରେ ଚାର୍ଜଫ୍ରେମ  କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୫୩ ବର୍ଷୀୟ  ନିଖିଲ ଗୁପ୍ତା ହୋଇଥିଲା ବେଳେ ଅନ୍ୟ ଜଣଙ୍କ ନାମ  ସିସି-୧ ଉଲ୍ଲେଖ କରାଯାଇଥିଲା । ସେହି ସିସି୧ ବିକାଶ ଯାଦବ ବୋଲି ଏଫବିଆଇ ଦର୍ଶାଇଛି ।  ୨୦୨୩ ଜୁନ ୩୦ରେ ନିଖିଲ ଗୁପ୍ତାଙ୍କୁ ଚେକ୍‌  ଗଣରାଜ୍ୟରୁ ଗିରଫ କରାଯାଇଥିଲା । ଗତ ଜୁନ  ୧୪ରେ ତାଙ୍କୁ ଆମେରିକା ପ୍ରତ୍ୟର୍ପଣ କରାଯାଇଛି ।  ଏବେ ସେ ଆମେରିକା ଜେଲ୍‌ରେ ଅଛନ୍ତି । 

ଚାର୍ଜସିଟ୍‌ରେ ଏଫବିଆଇ ଦର୍ଶାଇଛି କି ବିକାଶ  ହିଁ ଏହି ହତ୍ୟା ମାମଲାରେ ନିଖିଲଙ୍କୁ ସାମିଲ  କରିଛନ୍ତି । ନିଖିଲଙ୍କୁ ସେ ପନ୍ନୁଙ୍କ ସମ୍ପର୍କରେ  ସବିଶେଷ ତଥ୍ୟ ପ୍ରଦାନ କରିବା ସହ ହତ୍ୟା  କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପନ୍ନୁଙ୍କ ଠିକଣା,  ମୋବାଇଲ ନମ୍ବର ଓ ନିୟମିତ ଯିବା ଆସିବା  କରୁଥିବା ସ୍ଥାନ ସମ୍ପର୍କରେ ସବିଶେଷ ତଥ୍ୟ ସେ  ନିଖିଲଙ୍କୁ ଦେଇଥିଲେ । ଏହା ପରେ ପନ୍ନୁଙ୍କୁ ହତ୍ୟା  କରିବା ଲାଗି ନିଖିଲ ଜଣେ ସୁପାରି କିଲରଙ୍କ  ସହ ଯୋଗାଯୋଗ କରିଥିଲେ । ପ୍ରକୃତରେ ଏହି  ସୁପାରି କିଲର ଜଣକ ଆମେରିକାର ଡିଇଏ (ଡ୍ରଗ  ଏନ୍‌ଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନ)ରେ ଗୁପ୍ତ  ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ବିକାଶ ଏହି  ହତ୍ୟା ଲାଗି ୧ ଲକ୍ଷ ଡଲାର (ପ୍ରାୟ ୮୩ ଲକ୍ଷ  ଟଙ୍କା) ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲେ ।  ଅଗ୍ରୀମ ୧୫ ହଜାର ଡଲାର ଦିଆଯାଇଥିଲା ।  କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ  କରିଥିଲେ କି ତାଙ୍କ ଦେଶରେ ହୋଇଥିବା ହରଦିପ  ସିଂହ ନିଜ୍ଜର ହତ୍ୟା ଘଟଣାରେ ବିକାଶଙ୍କ ସମ୍ପୃକ୍ତି  ରହିଛି । କିନ୍ତୁ ଆମେରିକା ଏହାକୁ ଖଣ୍ଡନ କରିଛି । ଇତିମଧ୍ୟରେ ଭାରତ କହିଛି କି ବିକାଶ ଯାଦବ  ଭାରତ ସରକାରଙ୍କ ଅଧିକାରୀ ନୁହନ୍ତି । ଏକଥା  ଆମେରିକା ପ୍ରଶାସନକୁ ଜଣାଇ ଦିଆଯାଇଛି ।  ଏହି ମାମଲାରେ ଆମେରିକା ସହ ନିୟମିତ  ଯୋଗାଯୋଗ କରାଯାଉଛି ।