ଭୁବନେଶ୍ଵର, ୧୧/୦୭ : ପେସାରେ ଥିଲେ ବୈଜ୍ଞାନିକ... କିନ୍ତୁ ଏବେ ସଜନା ସାମ୍ରାଜ୍ୟର ସାମ୍ରାଜ୍ଞୀ । ପରୀକ୍ଷାଗାରକୁ ପଛରେ ପକାଇ ପାଲଟିଯାଇଛନ୍ତି ଜୈବିକ ସଜନା ଚାଷୀ । ୯ ଲକ୍ଷ ଟଙ୍କା ନିବେଶ କରି ୧.୭୫ କୋଟିର ମାଲିକାଣୀ। ଏକ ହଜାର ଚାଷୀଙ୍କୁ କରିଛନ୍ତି ସଶକ୍ତ। ସେ ହେଉଛନ୍ତି ଲକ୍ଷ୍ନୌର କାମିନୀ ସିଂହ।
ପିଏଚ୍ଡି ସରିବା ପରେ କାମିନୀ ଜଣେ ବୈଜ୍ଞାନିକ ଭାବରେ ଜୈବିକ କୃଷିରେ ବୁଡି ରହୁଥିଲେ। ହଠାତ୍ କାମିନୀ ଅନୁଭବ କଲେ ତାଙ୍କ ଗବେଷଣା କେବଳ କାଗଜପତ୍ରରେ ସୀମିତ। ତାହା ଏବେବି ଚାଷୀମାନଙ୍କ ପାଖରେ ପହଞ୍ଚି ପାରିନି। ତେଣୁ ସେ ୧୭ ବର୍ଷର ଅଭିଜ୍ଞତା ଛାଡି ଗବେଷଣାରୁ ଚାଷ ଆଡକୁ ମୁହାଁଇଥିଲେ। କୃଷକମାନଙ୍କ ଜୀବନରେ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ମିଶନ୍ ଆରମ୍ଭ କରିଥିଲେ। ୨୦୧୬-୧୭ରେ ସେ ଉତ୍ତର ପ୍ରଦେଶରେ ଜୈବିକ ପଦ୍ଧତିରେ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ତାଲିମ୍ ଦେଲେ । ‘ପ୍ରଥମ ଦୁଇ/ତିନି ବର୍ଷରେ ଭଲ ଅମଳ କରିବା ସହଜ ହୋଇନଥିଲା । ଯଦିଓ ଅନେକ ଚାଷୀ ସରକାରୀ ସବ୍ସିଡିର ଲାଭ ଉଠାଇବା ପାଇଁ ପଞ୍ଜିକୃତ ହୋଇଥିଲେ । କିନ୍ତୁ ପ୍ରକୃତ ଜୈବିକ ପଦ୍ଧତି ଅନୁସରଣ କରି ନଥିଲେ । ଫଳରେ ଉତ୍ପାଦରୁ ଭଲ ଲାଭ ହୋଇ ନଥିଲା’।
୨୦୧୭ରେ କାମିନୀ ଏକ ଦୁଃସାହାସିକ ପଦକ୍ଷେପ ନେଲେ। ସଜନା ଚାଷ ପରୀକ୍ଷଣ ପାଇଁ ଲକ୍ଷ୍ନୌରେ ୭ ଏକର ଜମି ଲିଜ୍ରେ ନେଲେ । ସର୍ବନିମ୍ନ ଜଳସେଚନ ସହ ଜଳବାୟୁ ପରିସ୍ଥିତି ସହ ତାଳ ଦେଇ ସଜନା ଖୁବ୍ ଭଲ ବଢିଥିଲା । ଶେଷରେ ଆଶାଠାରୁ ଅଧିକ ଲାଭ ହୋଇଥିଲା। କାମିନୀ ପାରମ୍ପରିକ ଫସଲ ସହ ସଜନା ଚାଷ କରି ଏକ ଅଭିନବ ରଣନୀତି କରିଥିଲେ । କ୍ଷେତରେ ମୁଖ୍ୟ ଚାଷ କରିବା ସହ କ୍ଷେତ ସୀମାରେ ସଜନା ଲଗାଇଥିଲେ । ଏହାର ପ୍ରଭାବ ତୁରନ୍ତ ଦେଖିବାକୁ ମିଳିଥିଲା । ବାର୍ଷିକ ପ୍ରାୟ ୩୦,୦୦୦ ଟଙ୍କା ସଞ୍ଚୟ ହୋଇଥିଲା, ଯାହା ଚାଷୀଙ୍କ କୌତୁହଳକୁ ବହୁଗୁଣା ବଢାଇଥିଲା । ଏହି ସଫଳତା ବହୁ ଛାଷୀଙ୍କୁ ଆକୃଷ୍ଠ କରିଥିଲା ।
ଏକ ଛୋଟ ଗୋଷ୍ଠୀଙ୍କୁ ନେଇ ଆରମ୍ଭ ହୋଇଥିବା ମିଶନ୍ କ୍ରମଶଃ ୧୦୫୦ ଚାଷୀଙ୍କୁ ନେଇ ଏକ ନେଟ୍ୱାର୍କରେ ପରିଣତ ହେଲା । ଉତ୍ପାଦ ବଢିବା ସହ ମାର୍କେଟିଂକୁ ନେଇ ଚ୍ୟାଲେଞ୍ଜ ଆରମ୍ଭ ହେଲା। ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଯାଇ କାମିନୀ ଉଦ୍ୟୋଗ ଆରମ୍ଭ କଲେ। ଏଠାରେ ସଜନାପତ୍ରକୁ ନେଇ ପାଉଡର, ସାବୁନ୍, ଗ୍ରିନ୍ ଟି’, ଫେସ୍ ସେରମ୍, ତେଲ ଓ କ୍ୟାପସୁଲ ପରି ୨୨ଟି ପ୍ରଡକ୍ଟ ତିଆରି କଲେ। ୨୦୧୯ରେ ସାମୂହିକ ପ୍ରୟାସରେ 'ଡକ୍ଟର ମୋରିଙ୍ଗା ପ୍ରାଇଭେଟ୍ ଲିମିଟେଡ୍' ଆରମ୍ଭ ହେଲା । ୯ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଋଣରୁ ଆରମ୍ଭ ହୋଇଥିବା ବ୍ୟାବସାୟ ଏବେ ୧.୭୫ କୋଟିରେ ପହଞ୍ଚିପାରିଛି । କାମିନୀ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।