ମନେ ମନେ ଖୋଜି ହେଉଥିବା ବୁଢ଼ାଟି ହେଉ  ବା ହୁଅନ୍ତୁ ତା କଳାଧଳା ଛେଳି ହଳକ ମୋ  ନଜରରେ ଆସୁନାହାଁନ୍ତି ବେଶ୍‌ କିଛିଦିନ ହେଲା। ଅଙ୍କାବଙ୍କା ସେଇ ଅଦ୍ଭୁତ ଚାଲିରେ ତା’ ଦେହର କଷ୍ଟ  ବି ବାରି ହୋଇପଡୁଥାଏ ଦେଖୁଥିବା ଲୋକଟି ଆଖିରେ ।  ସିଏ ଯେବେ ଆସେ କିଛି ପଇସା ତ ନିଏ ନିଶ୍ଚୟ,  ହେଲେ ଖାଇବାକୁ ଦେଲେ ସିଧା ସିଧା ମନା କରିଦିଏ  ମୁହଁ ଉପରେ । କିଏ ରାଗିଲେ କି କିଛି କହିଲେ ପରବାୟ  ନଥାଏ ତା'ର  । ଏଇ ଗଳିକୁ ଆସିଲେ ଆମ ଘର କି  ପଡ଼ିଶାଘର ବାହାରେ କିଛି ସମୟ ବସିବାକୁ ଯେମିତି  କଣ୍ଟ କରିଥାଏ ବୁଢ଼ାଟି । ସେଠି ବସିଥିବାବେଳେ ଫୁଲି  ଫୁଲି ଥିବା ତେଢ଼ା ମେଢ଼ା ମେଞ୍ଚା ଶିରାରେ  ଭର୍ତ୍ତି ତା’ ଆଣ୍ଠୁରୁ ତଳକୁ ଗୋଡ଼ ଦୁଇଟି  ଉପରେ ମୋର ନଜର ପଡ଼ିଯାଏ ଅନେକ  ଥର । ବାବାରେ କି ଭୟଙ୍କର ସତରେ!  ‘ଭେରିକୋଷ ଭେନ୍‌ସ୍‌' ନାମକ ରୋଗର  ଚଳନ୍ତି ପ୍ରତିମା ସେଇ ବୁଢ଼ା ଜଣକୁ ମନର  ଆଖିରେ ରଖି କଥାଟିକୁ ଆରମ୍ଭ କରୁଛି ବୋଲି  କହିବାରେ ମୋର ତିଳେମାତ୍ର ଦ୍ୱିଧା ନାହିଁ । 

ଆମ ସମସ୍ତଙ୍କ ଶରୀରରେ ସବୁବେଳେ ଚଳଚଞ୍ଚଳ ରହି ଜୀବନର ଚକକୁ ଆଗକୁ ଗଡ଼ାଇ ନେଉଥିବା  ତରଳଟି କିଏ ବୋଲି ପଚାରିଲେ ପିଲାଠୁ ବୁଢ଼ା ଯେ ଏକ  ସ୍ୱରରେ କହି ଉଠିବେ ‘ରକ୍ତ' ବୋଲି, ଏଥିରେ ଦ୍ୱିମତ  ନାହିଁ । ଆଉ ଗୋଟିଏ କଥା ବି କାହାଠୁ ଅଛପା ନୁହେଁ ଯେ ଏହି ଅଦ୍ଭୁତ ତରଳ-ସଂଯୋଗକାରୀ-ଟିସୁ ସଂସ୍ଥାନଟି  ଶରୀରର କୋଣ-ଅନୁକୋଣକୁ ଖାଦ୍ୟ ତଥା ଅମ୍ଳଜାନ  ଆଦି ପହଞ୍ଚାଇବା ସହ ସବୁ ସ୍ଥାନରୁ ଅଙ୍ଗାରକାମ୍ଳ ଆଦି  ବର୍ଜ୍ୟବସ୍ତୁ ଗୁଡିକୁ ଆଣି ଏହାର ସୁଚାରୁ ନିଷ୍କାସନରେ  ମୁଖ୍ୟ ଭୂମିକା ତୁଲାଇଥାଏ ‘ହୃଦୟ' ନାମକ ଏକ  ଅନବରତ ଧକ୍‌ଧକ୍‌ କରୁଥିବା ମାଂସପେଶୀୟ ଯନ୍ତ୍ରର  ସାହାଯ୍ୟ ନେଇ । ଶରୀରତତ୍ତ୍ୱ ଭାଷାରେ ଏହା ହିଁ  ‘ରକ୍ତ ପରିସଂଚରଣ ତନ୍ତ୍ର' । ରାଶି ରାଶି ସୂକ୍ଷ୍ମାତିସୂକ୍ଷ୍ମ  ମାଂସପେଶୀ, କପାଟିକା ନାମକ ଏକଦିଶା କବାଟ  ଆଉ ଅଳିନ୍ଦ-ନିଳୟ ପରି ଛୋଟ ବଡ଼ କୋଠରି  ସନ୍ନିବେଶିତ ଏବଂ ବିବର୍ତ୍ତନର କଷଟିରେ ଘଷିମାଜି  ହୋଇ ସମୟକ୍ରମେ ତିଆରି ହୋଇଥିବା ଏ ଛୋଟିଆ  ହୃତପିଣ୍ଡଟି ଏହି ପରିସଂଚରଣ ତନ୍ତ୍ରର ପୁରୋଧା ସାଜି,  ଧମନୀ ଓ ଶିରା ନାମକ ଦୁଇ ଅନ୍ତରଙ୍ଗ ସଖା ସହ  ମିଶି ଗୁରୁ ଦାୟିତ୍ୱଟିକୁ ତୁଲାଇ ଚାଲିଥାଏ ଅନବରତ । 

 ଏଠାରେ କହିବାର କଥା, ବ୍ୟବସ୍ଥାଟି ବିଶେଷତଃ ଦୁଇଟି  ପର୍ଯ୍ୟାୟରେ କାର୍ଯ୍ୟ କରିଥାଏ । ଗୋଟିଏ ସ୍ତରରେ ଯହିଁ  ଆମ ହୃଦୟଟି ଫୁସଫୁସରୁ ଆସୁଥିବା ଅମ୍ଳଜାନଯୁକ୍ତ  ବିଶୁଦ୍ଧ ରକ୍ତକୁ ଧମନୀ ମାଧ୍ୟମରେ ଶରୀରର ବିଭିନ୍ନ  ଅଙ୍ଗପ୍ରତ୍ୟଙ୍ଗ ମଧ୍ୟକୁ ପଠାଇଥାଏ, ଆନୁପାତିକ ହାରରେ  ହାଲିଆ ଅଙ୍ଗସଂସ୍ଥାନରୁ ଅଣାଯାଇଥିବା ଅମ୍ଳଜାନରହିତ  ବା ଅଙ୍ଗାରକାମ୍ଳଯୁକ୍ତ ଦୂଷିତ ରକ୍ତ କିନ୍ତୁ ଭିନ୍ନ ଏକ  ସ୍ତରରେ ଶିରା ମଧ୍ୟଦେଇ ପୁଣି ଫେରି ଆସିଥାଏ ପ୍ରଥମେ  ହୃଦୟକୁ, ଆଉ ତାପରେ ସେଠାରୁ ଫୁସ୍‌ଫୁସ୍‌ ମଧ୍ୟକୁ  ଏହାର ପୁନଃଚକ୍ରଣ ପାଇଁ । କହିବା ବାହୁଲ୍ୟ, ଏ ଉଭୟ  ସ୍ତରର ସାଙ୍ଗ ହୋଇ କାମ କରିବା ନିହାତି ଦରକାର  ହୋଇଥାଏ ମନୁଷ୍ୟ ଜଣକୁ ସୁସ୍ଥ ହୋଇ ରହିବା ପାଇଁ ।  ଏକଥା ମଧ୍ୟ ସତ ଯେ ଆମ ହୃତପିଣ୍ଡରୁ ଛାଟି ହୋଇ  ବାହାରୁଥିବା ରକ୍ତଟି ଧମନୀଗୁଡିକ ମଧ୍ୟରେ ମୁଖ୍ୟତଃ  ପୃଥିବୀର ମାଧ୍ୟକର୍ଷଣ ଶକ୍ତି ଦିଗରେ ଉପରୁ ତଳକୁ  ଧାଉଁଥିବାବେଳେ ଶିରାରେ ହୃତପିଣ୍ଡକୁ ଫେରିଆସୁଥିବା  ରକ୍ତ କିନ୍ତୁ ଏହି ଶକ୍ତିର ବିପରୀତ ଦିଗରେ ତଳୁ  ଉପରକୁ ଉଠିଥାଏ । ଏଣୁ ଏହି ଶିରା ଭିତର ରକ୍ତପ୍ରବାହ  ବେଶ୍‌ କାଠିକର ହୋଇପଡ଼େ ଆମ ସଭିଙ୍କ ପାଇଁ ।  ଏହି ପ୍ରକ୍ରିୟାକୁ ବ୍ୟବସ୍ଥିତ ଢଙ୍ଗରେ ସଂପାଦନ କରିବା  ପାଇଁ ଆଉ ଏକ ରକ୍ତକୁ ଉପରକୁ ପଠାଇପାରୁଥିବା  ପମ୍ପ ପରିକା ସଂସ୍ଥାନର ସାହାଯ୍ୟ ନେବାକୁ ହୁଏ  ଆମ ଶରୀରକୁ । ଏ ହେଉଛି ପ୍ରାୟ ତିନିଶହ ବର୍ଷ  ତଳର କଥା ଯେତେବେଳେ ଏମିତି ଖୋଜୁ ଖୋଜୁ  ୱିଲିଆମ ହାର୍ଭେ ପ୍ରଥମେ ହୃଦୟ ଭିନ୍ନ ଆମ ଶିରା  ମଧ୍ୟମରେ ମଧ୍ୟ ଏକ ପମ୍ପ କାର୍ଯ୍ୟ କରୁଥିବାର ସୂଚନା  ଦେଇଥିଲେ ସଭିଙ୍କୁ ଚକିତ କରିଦେଇ । ସମୟର ଚକ  ସହ ତାଳଦେଇ କେତେ ଯେ ଏ ସମ୍ପର୍କିତ ଗବେଷଣା  ଏଯାବତ୍‌ ହୋଇସାରିଲାଣି ତା'ର ହିସାବ ବା କିଏ  ରଖିଛି? ହେଲେ କଥାଟି ଆଜି ବି ଅଧିକାଂଶ ସାଧାରଣ  ଲୋକଙ୍କ ଅଗୋଚରରେ ଥିବାର ମନେ ହେଉଥିବାରୁ  ସମୟ ଆସିଛି, ଏବେ ଶବ୍ଦର ଚଉହଦୀ ଭିତରେ ରହି  କିଛି ଜାଣିନେବା ଏ ବିସ୍ମୟକାରୀ ‘କାଫ୍‌ ମସଲ୍‌ ପମ୍ପ'  ବା ଦ୍ୱିତୀୟ ହୃଦୟର ସମର୍ପିତ କାର୍ଯ୍ୟଧାରା ସମ୍ପର୍କରେ । 

ମାନବର ଗୋଡ଼ ଦୁଇଟି ତା’ପାଇଁ ଏଣେତେଣେ  ବିଚରଣ କରିବାର ମାଧ୍ୟମ । ମାତ୍ର ଏହା ଆମ ଦ୍ୱିତୀୟ  ହୃଦୟର ବି ଘର । ଗୋଡ଼ ଆଣ୍ଠୁର ଠିକ୍‌ ତଳକୁ ଯେଉଁ  ଓସାରିଆ ପେଶୀୟ ଅଂଶଟି ରହିଥାଏ ତାକୁ କହନ୍ତି  ପେଣ୍ଡା ବା ଇଂରାଜୀରେ କାଫ୍‌ ବୋଲି । ବଡ଼ ବିଚିତ୍ର  ଏ ଅଂଶଟିର ସଂରଚନା । ଶରୀର ବା ଚିକିତ୍ସା ବିଜ୍ଞାନ  ଭାଷାରେ ଏହାର ଦୁଇଟି ମୁଖ୍ୟ ମାଂସପେଶୀକୁ କହନ୍ତି  ସୋଲିଅସ୍‌ ଓ ଗେଷ୍ଟ୍ରୋକ୍‌ନିମିଅସ୍‌ ବୋଲି । ଏହାର  ତଳକୁ ରହିଥାଏ ଛିଡାହେବା ଅବସ୍ଥାରେ ଆମ ଶରୀରକୁ  ସ୍ଥିରତା ଦେଉଥିବା ତଥା ଫ୍ଲେକ୍ସର, ଏବ୍‌ଡକ୍ଟର ଆଦି  ମାଂସପେଶୀଯୁକ୍ତ ପାଦ ଏବଂ ଉପର ପଟକୁ ରହିଥାଏ  ରେକ୍ଟସ୍‌ ଓ ଭେଷ୍ଟସ୍‌ ମାଂସପେଶୀ ସହ ଜଙ୍ଘ ବୋଲି  ଅଂଶଟି । ଏସବୁ ବିଷୟ ଟିକିଏ ବିସୃତ ଭାବରେ ବର୍ଣ୍ଣନା  କରିବା ନିହାତି ଦରକାର । କାହିଁକିନା ପେଣ୍ଡା, ପାଦ  ଆଦିର ମାଂସପେଶୀ, ସେ ଅଞ୍ଚଳର ସରୁ ଆବରଣ  ବିଶିଷ୍ଟ ଶିରା, ଶିରା ମଧ୍ୟସ୍ଥ ଭାଲ୍‌ଭ୍‌ ଏବଂ ବାଧାହୀନ  ରକ୍ତର ଧାରା ସେଇ କାଫ୍‌ ମସଲ୍‌ ପମ୍ପର ଉପାଦାନଗୁଡ଼ିକ  ରୂପରେ କାର୍ଯ୍ୟ କରିଥାନ୍ତି ବୋଲି ୱିଲିଏମ୍‌ସ, ମିସ୍ନର୍‌,  ଏଭର୍‌ହାର୍ଡ, ଷ୍ଟ୍ରାନ୍‌ଡେନ୍‌ ଆଦି ଅନେକ ଗବେଷକ  ତାଙ୍କ ଗବେଷଣା ପ୍ରବନ୍ଧ ସବୁରେ ବର୍ଣ୍ଣନା କରିଛନ୍ତି ।

 ଏ  ଜିନିଷଟିକୁ ହେତୁ କଲାବେଳକୁ ଏସବୁ ଶିରାର ଭିତର  ସଂରଚନାକୁ ଅଣଦେଖା କରିପାରିବା ନାହିଁ, ବିଶେଷତଃ  ପ୍ରକରଣଟିରେ ପ୍ରମୁଖ ଦାୟିତ୍ୱ ବହନ କରିଥିବା ପେଣ୍ଡାର  ମାଂସପେଶୀ ମଝିରେ ଜାଲ ପରି ପରିବ୍ୟାପ୍ତ ହୋଇଥିବା  ଶିରାଗଡ଼ିକୁ ମଗଜରେ ରଖି । କାହିଁକି ଏକଥାଟି ମୁଁ  କହୁଛି, ଏହାର କାରଣ ଭାବରେ ମୁଁ ଆପଣମାନଙ୍କୁ  ପ୍ରତିଟି ଶିରାର ଭିତର ପଟେ ରହିଥିବା ଭାଲ୍‌ଭ୍‌ କଥା  କହିଦେବାକୁ ଚାହେଁ। ଏହି ଭାଲ୍‌ଭଗୁଡିକ ଟିକିଏ ଛାଡ଼ି  ଗୋଟିଏ କ୍ରମରେ ଶିରା ମଧ୍ୟରେ ତିଆରି ତ ହୋଇଥାନ୍ତି,  ହେଲେ ସବୁଠୁ ନିଆରା କଥା ହେଲା ଏମାନେ ସମସ୍ତେ  କେବଳ ଗୋଟିଏ ଦିଗରେ ମାନେ ଗୋଡ଼ରୁ ହୃଦୟ  ଦିଗକୁ ଖୋଲିବାର ସାମର୍ଥ୍ୟ ରଖନ୍ତି । ସେଥିପାଇଁ ଏହି  ଶିରାଗୁଡିକରେ ରକ୍ତର ପ୍ରବାହ ମଧ୍ୟ ସଦାବେଳେ  ମଧ୍ୟାକର୍ଷଣ ଶକ୍ତିର ବିପରୀତ ଦିଗରେ ସମ୍ଭବ ହୋଇଥାଏ  ଯଦି ସେମାନଙ୍କ ଉପରେ ମାଂସପେଶୀୟ ବାହ୍ୟଚାପ  ହେତୁ ସଂକୁଚିତ ହେବାର କଥା ଉଠେ । କଥାଟିକୁ ଆଉ  ଟିକିଏ ସହଜ କରିଦେବାକୁ ମତେ କହିବାକୁ ହୁଏ ଯେ ଯେତେବେଳେ ପେଣ୍ଡା ମାଂସପେଶୀଟି କୌଣସି କାର୍ଯ୍ୟ  ନକରି ଶିଥିଳ ଅବସ୍ଥାରେ ଥାଏ ତା’ ଭିତରର ଶିରା  ସବୁ ପ୍ରସାରିତ ହୋଇ ରହିଥାନ୍ତି । ଫଳତଃ ତନ୍ମଧ୍ୟସ୍ଥ  ଭାଲ୍‌ଭଗୁଡିକ ବନ୍ଦ ହେବା ହେତୁ ରକ୍ତ ପ୍ରବାହିତ  ହୋଇପାରେ ନାହିଁ । କିନ୍ତୁ ଏହି ମାଂସପେଶୀଟି କାମ  କରିବା ଆରମ୍ଭ କରି ପ୍ରସାରିତ ହେଲେ ତତ୍‌ସଂଲଗ୍ନ  ଶିରାଗୁଡ଼ିକ ଚାପି ହୋଇଯାଏ । 

ଏହି ପରିସ୍ଥିତିରେ  ଶିରା ଭିତର ଭାଲ୍‌ଭ୍‌ ସବୁ ଉପର ଦିଗରେ ଖୋଲିଯିବା  ଫଳରେ ତଡ଼ିତ୍‌ ବେଗରେ ରକ୍ତର ପ୍ରବାହ ଉପର  ଦିଗକୁ ହୋଇଥାଏ । ସେହିପରି ଭାସ୍କୁଲାର୍‌ ମେଡିସିନ୍‌  ନାମକ ଏକ ପତ୍ରିକାରେ ୨୦୨୦ ମସିହାରେ ପ୍ରକାଶିତ  ହାଲ୍‌କର୍‌ ଏବଂ ସାଥୀଙ୍କ ଏକ ପ୍ରବନ୍ଧରୁ ଜଣାଯାଏ ଯେ  ସାଧାରଣ ଭାବରେ କାର୍ଯ୍ୟକ୍ଷମ ଏକ କାଫ୍‌ ମସଲ୍‌ ପମ୍ପ୍‌  ସ୍ଥଳବିଶେଷରେ ଶିରା ମଧ୍ୟରେ ୨୫୦ମିମି. ପାରଦ ଚାପ  ସୃଷ୍ଟି କରିପାରେ । ସଂପୂର୍ଣ୍ଣ ପ୍ରକରଣଟିରେ ଏହି ମୂଳ  ଉପାୟକୁ ଭିତ୍ତିକରି ରକ୍ତ ପାଦରୁ ପେଣ୍ଡା ଆଉ ତାପରେ  ଜଙ୍ଘ, କଚଟି ଓ ପେଟ ଦେଇ ଆମ ହୃତପିଣ୍ଡରେ  କେତେବେଳେ ପହଞ୍ଚିଯାଏ ସେକଥା ଜଣାପଡେ ନାହିଁ ।  ଭାବି ବସିଲେ କେତେ ବିଚିତ୍ର କାର୍ଯ୍ୟ ପ୍ରଣାଳୀ, ନୁହଁ? 

‘ଦ୍ୱିତୀୟ ହୃଦୟ'ର କାର୍ଯ୍ୟଧାରା ଉପରେ ଏତେକଥା  ଜାଣିସାରିବା ପରେ ଏବେ ସମୟ ଆସିଛି ଏ ବ୍ୟବସ୍ଥାଟି  ବିଗିଡ଼ି ଯିବାର କାରଣ ତଥା ଏହା ଠିକ୍‌ଭାବରେ କାର୍ଯ୍ୟ  ନକଲେ ଆମର କି ହାନି ହୋଇଥାଏ, ସେକଥା ଟିକିଏ  ଜାଣିନେବାକୁ । ‘ଫ୍ଲେବୋଲିମ୍ଫୋଲୋଜି'ରେ ପ୍ରକାଶିତ  ମାରିଏମ ସିମ୍‌କାଙ୍କ ଆଲେଖ୍ୟରୁ ବୁଝାପଡେ ଯେ  ଶରୀର ତଳପଟେ ଥିବା ଶିରାଗୁଡିକରୁ ସୁବ୍ୟବସ୍ଥିତ  ଢଙ୍ଗରେ ରକ୍ତ ନିଷ୍କାସନ ବସ୍ତୁତଃ ତିନୋଟି ଜିନିଷ  ଯେପରିକି ଶିରା ମଧ୍ୟସ୍ଥ ବାଧା, ସଂଲଗ୍ନ ଭାଲ୍‌ଭମାନଙ୍କ  କାର୍ଯ୍ୟକ୍ଷମତା ଏବଂ ପେଣ୍ଡା ମାଂସପେଶୀର ଉପଯୁକ୍ତ ଚାଳନା ଉପରେ ନିର୍ଭରଶୀଳ ହୋଇଥାଏ । ପୁନଶ୍ଚ,  ସେଟିନ୍‌ ଏବଂ ସାଥୀ ଗବେଷକଙ୍କ ୨୦୧୬ ମସିହାର  ଏକ ଲେଖା ସ୍ନାୟୁ-ମାଂସପେଶୀୟ ରୋଗ, ଗଣ୍ଠିର  ସମସ୍ୟା ଏବଂ ଶରୀରର ଦୁର୍ବଳତା ଆଦି ଏହି ପମ୍ପଟିର  ସୁପରିଚାଳନାରେ ବାଧା ଦେଉଥିବା ମତ ଦେଇଥିବା  ବେଳେ, ୨୦୨୧ ମସିହାରେ ‘ବିଏମ୍‌ସି ଜେରିଏଟ୍ରିକ୍ସ'  ନାମକ ଏକ ପ୍ରତିଷ୍ଠିତ ପତ୍ରିକାରେ ସିନିକୁମ୍ପୁ ଏବଂ  ସାଥୀଙ୍କ ଦ୍ୱାରା ପ୍ରକାଶିତ ଭିନ୍ନ ଏକ ପ୍ରବନ୍ଧ ଆମ ବୟସ  ବଢ଼ିବା ବିଷୟକୁ ଏଥିସହ ଯୋଡ଼ିଦେଇଛି । 

ଏଠାରେ  କିନ୍ତୁ କଥା ଉଠେ, କାରଣ ବା ଯାହା ହେଉନା କାହିଁକି, ପ୍ରକରଣଟି ଯଦି ଅସଜ ହୋଇପଡ଼େ ତେବେ ଏହା  ଆମକୁ କିଛି ଅସୁବିଧାରେ ପକାଇଥାଏ କି? ପ୍ରଶ୍ନଟିର  ସିଧା ସିଧା ଉତ୍ତର ଆମକୁ ଏ ସମ୍ବନ୍ଧୀୟ ଗବେଷଣାତ୍ମକ  ଲେଖାରୁ ମିଳିଯାଏ ବୋଲି କହିବାକୁ ହେବ । ଏହି  କ୍ରମରେ, ଦ ହାର୍ଟ ସ୍ପେସାଲିଷ୍ଟ ଗ୍ରୁପ୍‌ରେ ଲିଖିତ ଡ. ମଧୁ  ସାଲ୍‌ଭାଜିଙ୍କ ଲେଖାଟି ଭେରିକୋଷ ଭେନ୍‌ସ୍‌, ସ୍ପାଇଡର୍‌  ଭେନ୍‌ସ୍‌, କ୍ରୋନିକ୍‌ ଭେନ୍‌ସ୍‌ ଇନ୍‌ସଫିସିଏନ୍‌ସି ଭଳି  ଗୋଡ ଶିରା ଫୁଲିଯାଉଥିବା ରୋଗ ଯେତିକକୁ ଏହାର  ପ୍ରତିଫଳନ ଭାବରେ ସୂଚନା ଦେଇଥିବା ବେଳେ  ଅନ୍ୟାନ୍ୟ ଲେଖା ସବୁରେ ମଧ୍ୟ ଏଇଭଳି ଶିରାର ଘାଆ  ବା ଅଲସରରୁ ଆରମ୍ଭ କରି ହୃଦୟ ଉପରେ ଏହାର  ପ୍ରତିକୂଳ ପ୍ରଭାବ ତଥା ସଅଳ ମରଣକୁ ଡାକିଆଣିବା  ପର୍ଯ୍ୟନ୍ତ କଥା ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଅଛି । 

ଏ ପରିସ୍ଥିତିରେ ଆମ ହୃଦୟତନ୍ତ୍ର ମଧ୍ୟକୁ ରକ୍ତ  ପ୍ରବାହକୁ ସୁନିଶ୍ଚିତ କରିବାକୁ ହେଲେ ଆମ ପାଇଁ  ଉପଦେଶଟି ଯେ କ'ଣ? ଏ କଥା ଭାବି ବସିଲା  ବେଳକୁ ସର୍ବପ୍ରଥମେ ମନକୁ ଆସିଥାଏ ଗୋଡ଼ର  ମାଂସପେଶୀଗୁଡିକୁ ଯେତେ ହେଇପାରେ ଚଳଚଞ୍ଚଳ  ରଖିବା କଥାଟି । ସଙ୍ଗେ ସଙ୍ଗେ ମନେ ପଡ଼ିଯାଏ  ୱିଲିଏମସ୍‌, ପେଡବର୍ଗ, ୟାଙ୍ଗ୍‌, ସିଲ୍‌ଭା ପରି କେତେ  ଗବେଷକଙ୍କ କାମ ଯେତେକ । ଯହିଁ, ଏ ଦ୍ୱିତୀୟ  ହୃଦୟର କାମଟି କୌଣସି କାରଣରୁ ଧିମେଇ ଯାଇ  ତତ୍‌ସମ୍ବନ୍ଧୀୟ ଲକ୍ଷଣ ପ୍ରକାଶ ପାଇଲେ ଏକ ସମୟ  ନିର୍ଘଣ୍ଟ ସହ ନିର୍ଦ୍ଧାରିତ ବ୍ୟାୟାମ ଧାରା ମାଧ୍ୟମରେ  ଏହାର ପୁନଃଉତ୍‌ଥାନ କରିବା ଦିଗରେ ଯଥେଷ୍ଟ  ସୁଫଳ ମିଳିଥିବା କଥା ଗୋଟିକ ସ୍ପଷ୍ଟଭାବରେ ବର୍ଣ୍ଣନା  କରାଯାଇଅଛି । ଆମ ଦୈନନ୍ଦିନ ଜୀବନରେ ଉଭୟ  ଶାରୀରିକ ପରିଶ୍ରମ ଏବଂ ତା’ ପରର ବିଶ୍ରାମ ଯଦିଓ  ଦରକାର ହୋଇଥାଏ, ଏ ଦୁଇଟିଯାକ କ୍ରିୟାର ସମନ୍ୱୟ ନିହାତି ଅପରିହାର୍ଯ୍ୟ ହୋଇଉଠେ ଏକ ସୁସ୍ଥ ଜୀବନର  ବୀଜ ବୁଣିଦେବା ପାଇଁ । ବିଶେଷକରି ପ୍ରୌଢ଼ାବସ୍ଥା  ବା ବୃଦ୍ଧାବସ୍ଥାରେ ହୃଦୟକୁ ଚାପରହିତ କରିବାକୁ  ହେଲେ ଯୋଗ (ପବନମୁକ୍ତାସନ, ସୂର୍ଯ୍ୟନମସ୍କାର,  ଆସନ ଆଦି), ବ୍ୟାୟାମ (ଏରୋବିକ୍ସ, ଷ୍ଟ୍ରେଚିଙ୍ଗ୍‌  ପରିକା), ବହିଃ-ଖେଳକୁଦ, ଚାଲିବା-ଦୌଡ଼ିବା,  ସାଇକେଲଚାଳନା କି ନୃତ୍ୟ ଭଳି ପ୍ରାକୃତିକ ମାଂସପେଶୀ  ମାଲିସକାରୀ ବ୍ୟବସ୍ଥାକୁ ସାମର୍ଥ୍ୟମତେ ଏବଂ ଉପଯୁକ୍ତ  ତତ୍ତ୍ୱାବଧାନରେ ଯେତେଶୀଘ୍ର ହୋଇପାରେ ଆପଣେଇ  ନେଲେ ବଞ୍ଚିଥିବା ଯାଏଁ ଜୀବନକୁ ଯେ ଉପଭୋଗ  କରିହେବ ଏଥିରେ କିଞ୍ଚିତମାତ୍ର ସନ୍ଦେହ ନାହିଁ ।