ଭୁବନେଶ୍ୱର ୨୧/୦୩: ଋତୁ ପରିବର୍ତ୍ତନ ପ୍ରକୃତିର ଏକ ସ୍ୱାଭାବିକ ପ୍ରକ୍ରିୟା । ଶୀତ, ବର୍ଷା ଓ ଗ୍ରୀଷ୍ମ ଋତୁ ବର୍ଷର ବିଭିନ୍ନ ସମୟରେ ପରିବର୍ତ୍ତନ ନେଇ ଆସିଥାଏ, ଯାହାର ପ୍ରଭାବ ମଣିଷ ଶରୀର ଉପରେ ମଧ୍ୟ ଦେଖିବାକୁ ମିଳିଥାଏ । ମଣିଷ ଶରୀର ପାଇଁ ୨୪ ଡିଗ୍ରୀ ସେଣ୍ଟିଗ୍ରେଟେଡ୍‌ରୁ ୨୮ ଡିଗ୍ରୀ ସେଣ୍ଟିଗ୍ରେଟେଡ୍‌ ପରିବେଶିକ ତାପ ସ୍ପୃହଣୀୟ ଏବଂ ଆରାମଦାୟକ । ମଣିଷ ଶରୀରର ତାପ ୩୬.୧ ଡିଗ୍ରୀ ସେଣ୍ଟିଗ୍ରେଟେଡ୍‌ (୯୭ ଡିଗ୍ରୀ ଫାରେନ୍‌ହାଇଟ୍‌)ରୁ ୩୭ ଡିଗ୍ରୀ ସେଣ୍ଟିଗ୍ରେଟେଡ୍‌ (୯୯ ଡିଗ୍ରୀ ଫାରେନ୍‌ହାଇଟ୍‌) ମଧ୍ୟରେ ରହେ । ବାହାରର ତାପ କମ୍‌ ବା ବେଶୀ ହେଲେ ମଧ୍ୟ ଶରୀରର ତାପ ୩୬.୧ ଡିଗ୍ରୀରୁ ୩୭.୨ ଡିଗ୍ରୀ ସେଣ୍ଟିଗ୍ରେଟେଡ୍‌ ମଧ୍ୟରେ ରହେ । 

ଖରାଦିନେ ପରିବେଶର ତାପ ଦିନ ବେଳେ ୩୯ ଡିଗ୍ରୀ ସେଣ୍ଟିଗ୍ରେଟେଡ୍‌ ୪୮ ଡିଗ୍ରୀ ସେଣ୍ଟିଗ୍ରେଟେଡ୍‌ ପର୍ଯ୍ୟନ୍ତ ବଢିଥାଏ । ଏହି ଅଧିକ ତାପରୁ ଶରୀରକୁ ରକ୍ଷା କରିବା ପାଇଁ ଦେହରୁ ଯଥେଷ୍ଟ ଝାଳ ବାହାରିଥାଏ ଏବଂ ଏହା ଦେହକୁ ଥଣ୍ଡା ରଖି ୩୬ ଡିଗ୍ରୀ ସେଣ୍ଟିଗ୍ରେଟେଡ୍‌ରୁ ୩୭ ଡିଗ୍ରୀ ମଧ୍ୟରେ ରହେ । ଅଧିକ ଝାଳ ବାହାରିବା ଯୋଗୁଁ ଶରୀରରୁ ଜଳୀୟ ଅଂଶ ଓ ଲବଣ ଅଂଶ କମିଯାଇଥାଏ । ପ୍ରତି ଲିଟର ଝାଳରେ ୧୧୫୦ ମି.ଗ୍ରା ସୋଡିୟମ୍‌ ରହିଥାଏ । ପ୍ରତି ଘଣ୍ଟାରେ ୧.୫ରୁ ୨ ଲିଟର ଝାଳ ବାହାରିଥାଏ ଏବଂ ପ୍ରାୟ ୧୭୦୦ରୁ ୨୦୦୦ ମି.ଗ୍ରା ଲବଣ କ୍ଷୟ ହୋଇଥାଏ । 

ଖରାରେ ୨/୩ ଘଣ୍ଟା କାମ କଲେ ଦେହରୁ ୩/୪ ଲିଟର ଜଳୀୟ ଅଂଶ ଏବଂ ୫/୬ ଗ୍ରାମ୍‌ ଲବଣ ଅଂଶ କ୍ଷୟ ହୋଇଥାଏ । ଜଳହୀନତା ଏବଂ ଲବଣହୀନତା ଉଭୟ ସାଧାରଣ ଲୋକଙ୍କ ପାଇଁ ଗୁରୁତର ଅବସ୍ଥା । ଜଳ ଓ ଲବଣ କ୍ଷୟ ହେଲେ ଅବଶ ଓ ଦୁର୍ବଳ ଲାଗିଥାଏ । ଅବସ୍ଥା ଗୁରୁତର ହେଲେ ଚେତା ମଧ୍ୟ ହରାଇପାରନ୍ତି । ଏହାକୁ ଅଂଶୁଘାତ କୁହାଯାଏ । ହୃଦ୍‌ରୋଗୀମାନେ ଏହି ଜଳକ୍ଷୟ, ଲବଣକ୍ଷୟ ମଧ୍ୟ ଦେଇ ଗତି କଲେ, ଅଧିକ ଗୁରୁତର ହୋଇପାରନ୍ତି । ଏପରିକି ଜୀବନଘାତକ ମଧ୍ୟ ହୋଇପାରେ । ଜଳହୀନତା ହେଲେ ରକ୍ତର ଘନତ୍ୱ ବଢିଥାଏ । ଫଳରେ ରକ୍ତ ଓ ରକ୍ତନଳୀ ମଧ୍ୟରେ ଜମାଟ ବାନ୍ଧିବାର ଆଶଙ୍କା ବଢିଥାଏ । ରକ୍ତନଳୀରେ ଜମାଟ ବାନ୍ଧିଲେ ହାର୍ଟଆଟାକ୍‌, ବ୍ରେନ୍‌ ଆଟାକ୍‌, କିଡ୍‌ନୀ ଫେଲିୟୋର୍‌ ଆଦି ଗୁରୁତର ରୋଗ ଦେଖିବାକୁ ମିଳିଥାଏ ।

ଅଧିକ ପରିବେଶିକ ତାପ, ଅଧିକ ଆର୍ଦ୍ରତା ହୃଦ୍‌ରୋଗୀଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ହାର୍ଟଆଟାକ୍‌ ବା ହୃଦ୍‌ଘାତ ରୋଗୀମାନେ ରକ୍ତ ତରଳ କରିବା ଔଷଧ ଖାଆନ୍ତି । କିନ୍ତୁ ଜଳହୀନତା ଏହି ଔଷଧଗୁଡିକର ପ୍ରଭାବକୁ ଏବଂ ସୁରକ୍ଷା ଶକ୍ତିକୁ କମ୍‌ କରିଥାଏ । ଉଚ୍ଚ ରକ୍ତଚାପ ରୋଗୀ, ଦୁର୍ବଳ ହୃତ୍‌କ୍ରିୟା ରୋଗୀମାନଙ୍କୁ ପରିସ୍ରା ବଢାଇବା ଔଷଧ ଦିଆଯାଇଥାଏ । ଏହି ଔଷଧ ଖାଉଥିବା ରୋଗୀମାନେ ଡାକ୍ତରୀ ପରାମର୍ଶ କ୍ରମେ ଔଷଧର ଉପଯୁକ୍ତ ମାତ୍ରା ନେବା ଉଚିତ୍‌ ।

ଏହାସହିତ ଜଳହୀନତା ଓ ଲବଣହୀନତାଠାରୁ ଦୂରେଇ ରହିବା ଉଚିତ୍‌ । ଏହି ରୋଗୀମାନଙ୍କୁ କମ୍‌ ଲୁଣ ଖାଇବାକୁ କୁହାଯାଇଥାଏ । ଯଦି ପରିବେଶରେ ଅଧିକ ଉତ୍ତାପ ରହିଥାଏ, ତେବେ ଡାକ୍ତର ପରାମର୍ଶ କ୍ରମେ ଅଧିକ ଲୁଣ ଓ ପାଣି ନେଇପାରିବେ । ହୃଦ୍‌ଘାତ ରୋଗୀ ଆଞ୍ଜିଓପ୍ଲାଷ୍ଟି, ବାଇପାସ୍‌ ସର୍ଜରୀ ହୋଇଥିଲେ, ସେମାନଙ୍କୁ ରକ୍ତ ତରଳ ରଖିବା ଔଷଧକୁ ଠିକ୍‌ ଭାବେ ଖାଇବା ଉଚିତ୍‌ ।