ନୂଆଦିଲ୍ଲୀ, ୦୫/୦୫: ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୧୫ ବର୍ଷ ବୟସରେ ଅତି ନିର୍ଭୟ ଭାବେ ବିଶ୍ୱର ଆଗ ଧାଡ଼ିର ପ୍ରମୁଖ ବୋଲରମାନଙ୍କୁ ପ୍ରହାର କରୁଛନ୍ତି । ମାତ୍ର ୩୬ ବଲରେ ସେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଶତକ ହାସଲ କରିଥିଲେ । ସବୁଠି ତାଙ୍କର ଚର୍ଚ୍ଚା । କିନ୍ତୁ ବୈଭବଙ୍କ ଉପରେ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି ପୂର୍ବତନ ବିଶ୍ୱ ଚାମ୍ପିଅନ ଅଧିନାୟକ କପିଳ ଦେବ ।
ସେ କହିଛନ୍ତି, ‘ବୈଭବଙ୍କ ଖେଳ ବିଷୟରେ ମୋତେ ବିଶେଷ କିଛି ଜଣା ନାହିଁ, କାରଣ ପ୍ରତ୍ୟକ୍ଷ ଭାବେ ତାଙ୍କ ଖେଳ ଦେଖି ନାହିଁ । ଆପଣମାନଙ୍କ ଭଳି ମୁଁ ମଧ୍ୟ ଟିଭିରେ ଯାହା ଦିଶୁଛି ତାହା ଦେଖୁଛି । ଘରେ ଟିଭିରେ ଖେଳ ଦେଖି କୌଣସି ବିଷୟରେ ମତାମତ ଦେବା ଠିକ ହେବ ନାହିଁ । ଯେଉଁମାନେ ତାଙ୍କର ଖେଳ ଦେଖୁଛନ୍ତି ଏବଂ କହୁଛନ୍ତି ସେମାନେ ଭଲ କହି ପାରିବେ । ଯେମିତି କି ସୁନୀଲ ଗାଭାସ୍କର, ରବି ଶାସ୍ତ୍ରୀ ଓ ହର୍ଷ ଭୋଗଲେ । ସେମାନେ ହିଁ ପ୍ରକୃତ କଥା କହିବେ ।’ ଯଶପ୍ରୀତ ବୁମରା, ପାଟ କମିନ୍ସ ଓ ଜୋସ ହାଜେଲଉଡ୍ଙ୍କ ଭଳି ବୋଲରଙ୍କ ବିରୋଧରେ ବୈଭବଙ୍କ ଆତ୍ମବିଶ୍ୱାସ ଅତି ଦୃଢ଼ ରହିଛି । ତାଙ୍କର ଫର୍ମ ହିଁ ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସକୁ ଆଗକୁ ଆଗେଇ ନେବାରେ ସହାୟକ ହେଉଛି ।
ଅଧିକ ପଢ଼ନ୍ତୁ :- IPL 2026 : ଆଜି କ୍ୟାପିଟାଲ୍ସକୁ ଭେଟିବ ସୁପରକିଙ୍ଗସ, ଉଭୟଙ୍କ ପାଇଁ ବିଜୟ ଜରୁରି