କରାଚି: ପାକିସ୍ତାନର କରାଚିରେ ଥିବା ଏକ ବିଦ୍ୟାଳୟ ବର୍ତ୍ତମାନ ଖବରର ଶିରୋନାମ ପାଲଟିଛି। ଏହି ବିଦ୍ୟାଳୟ ଏହାର ଅନନ୍ୟ ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରସିଦ୍ଧ ହେଉଛି। ଏହି ବିଦ୍ୟାଳୟର ନାମ ହେଉଛି 'ମଦର ଚାଇଲ୍ଡ ଟ୍ରମା ଇନଫର୍ମଡ ସ୍କୁଲ'। ଏଠାରେ ଆଡମିଶନ ପାଇଁ ପ୍ରଥମ ସର୍ତ୍ତ ହେଉଛି ପିଲାଙ୍କ ସହିତ ତାଙ୍କ ମା'ଙ୍କୁ ମଧ୍ୟ ଆଡମିଶନ ନେବାକୁ ପଡିବ। ଏହି ବିଦ୍ୟାଳୟରେ କେବଳ ସେହି ଶିଶୁ ଏବଂ ମା'ମାନଙ୍କୁ ଆଡ଼ମିଶନ ଦିଆଯାଏ ଯେଉଁମାନେ କିଛି ମାନସିକ ଆଘାତ ଦେଇ ଗତି କରିଥାନ୍ତି। ଏହା ଅଜବ ଲାଗୁଥାଇପାରେ କିନ୍ତୁ ଏହି ବିଦ୍ୟାଳୟ ଏବଂ ଏହାର କାହାଣୀ ସତରେ ବହୁତ ଆକର୍ଷଣୀୟ |
ବିଦ୍ୟାଳୟର ଅନନ୍ୟ ଧାରଣା;
ଏହି ବିଦ୍ୟାଳୟର ପ୍ରତିଷ୍ଠାତା ହେଉଛନ୍ତି ସବିନା ଖତ୍ରି। ସେ ପିଲାଦିନର ନିଜର ଅନୁଭୂତିରୁ ପ୍ରେରଣା ନେଇ ଏହି ବିଦ୍ୟାଳୟ ଆରମ୍ଭ କରିଥିଲେ। ଆଠ ବର୍ଷ ବୟସରେ ଏକ ହି଼ଂସାରେ ମା’ଙ୍କଠାରୁ ଅଲଗା ହୋଇଯାଇଥିଲେ ସବିନା। ଏହି ଦୁଃଖକୁ ଛାତିରେ ଚାପିଧରି ୨୦୦୬ ମସିହାରେ ପାକିସ୍ତାନର ଲିଆରିରେ ଏକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସବିନାଙ୍କ ଅନୁଯାୟୀ, ଲିଆରିର ପିଲାମାନେ ପ୍ରକୃତରେ ନିଜ ଆଖିରେ ଆତଙ୍କବାଦ ଓ ହିଂସା ଦେଖିଛନ୍ତି। ଏସବୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ | ତେଣୁ, ସେ ସ୍ଥିର କଲେ ଯେ ଯେପରି ସେ ତାଙ୍କ ପିଲାଦିନର ଏହି ମାନସିକ ଆଘାତକୁ ସେ ଯେଉଁଭଳି ଭାବେ ଅତିକ୍ରମ କରିଥିଲେ, ସେ କଷ୍ଟ ଆଉ କାହାକୁ ନହେଉ। ତେଣୁ ସେ ଲିଆରୀର ପିଲାମାନଙ୍କୁ ଏବଂ ସେମାନଙ୍କ ମା’ମାନଙ୍କୁ ମାନସିକ ଆଘାତରୁ ଦୂର କରିବାରେ ସାହାଯ୍ୟ କରିବେ।
ଶିଶୁ ଏବଂ ମା'ମାନଙ୍କ ପାଇଁ ଅଲଗା ପାଠ୍ୟକ୍ରମ;
ଏହି ବିଦ୍ୟାଳୟରେ ଉଭୟ ଶିଶୁ ଏବଂ ସେମାନଙ୍କ ମା'ମାନଙ୍କ ପାଇଁ ଏକ ପୃଥକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ପିଲାମାନେ ସପ୍ତାହରେ ପାଞ୍ଚ ଦିନ କ୍ଲାସରେ ପଢୁଥିବାବେଳେ ମା ମାନଙ୍କୁ ତିନି ଦିନ କ୍ଲାସ ଆସିବାକୁ ପଡିଥାଏ। ପିଲାମାନଙ୍କର ଶିକ୍ଷା ସହିତ, ମା'ମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଏବଂ ଜୀବନ କୈଶଳର ଶିକ୍ଷା ଦିଆଯାଇଥାଏ। ଏହି ବିଦ୍ୟାଳୟ ସାଧାରଣ ବିଦ୍ୟାଳୟଠାରୁ ଅତ୍ୟନ୍ତ ଭିନ୍ନ। ଏଠାରେ, ଶ୍ରେଣୀଗୃହରେ ବ୍ଲାକବୋର୍ଡ ପରିବର୍ତ୍ତେ, ବାର୍ତ୍ତାଳାପ, ପରାମର୍ଶ ଏବଂ ଖେଳ ମାଧ୍ୟମରେ ଶିଶୁ ଏବଂ ମା'ମାନଙ୍କ ପାଇଁ ଏକ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇଛି।
ଏହି ବିଦ୍ୟାଳୟ କିପରି ତେହମିନାଙ୍କ ଜୀବନକୁ ବଦଳାଇଲା;
ମାତ୍ର ୧୬ ବର୍ଷ ବୟସରେ ବିବାହ କରିଥିବା ତେହମିନାଙ୍କ ଜୀବନକୁ ବଦଳାଇ ଦେଇଥିଲା ଏହି ବିଦ୍ୟାଳୟ। ବିବାହର ଏକ ବର୍ଷ ପରେ ସେ ମା ହୋଇଥିଲେ, କିନ୍ତୁ ତିନି ବର୍ଷ ମଧ୍ୟରେ ତେହମିନାଙ୍କର ବିବାହ ବିଚ୍ଛେଦ ହୋଇଯଇଥିଲା। ଛାଡପତ୍ର ପରେ ଉଭୟ ତେହମିନା ଏବଂ ତାଙ୍କ ପୁଅ ଗଭୀର ଭାବେ ମାନସିକ ଆଘାତ ପାଇଥିଲେ। ଦିନେ ତେହମିନା ଏହି ବିଦ୍ୟାଳୟ ବିଷୟରେ ଜାଣିବାକୁ ପାଇଲେ। ସେ ଏହି ବିଦ୍ୟାଳୟରେ ତାଙ୍କ ପୁଅଙ୍କ ଆଡ଼ମିଶନ କରିବାକୁ ଚିନ୍ତା କରିଥିଲେ। କିନ୍ତୁ ଏଠାରେ ପହଞ୍ଚିବା ପରେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କୁ ମଧ୍ୟ ତାଙ୍କ ପୁଅ ସହିତ ଆଡମିଶନ କରିବାକୁ ପଡିବ। ତେହମିନା ଭାବିଥିଲେ ବୋଧହୁଏ ଏଠାରେ ସିଲେଇ ଏବଂ ଏମ୍ବ୍ରୋଡୋରୀ ଶିକ୍ଷା ଦିଆଯିବ, କିନ୍ତୁ ସେ ଶୀଘ୍ର ଅନୁଭବ କଲେ ଯେ ଏହି ବିଦ୍ୟାଳୟ ତାଙ୍କୁ ଏବଂ ପୁଅର ଜୀବନକୁ ବଦଳାଇବାକୁ ଯାଉଛି।
ତେହମିନା ଏବଂ ତାଙ୍କ ପୁଅ କେବଳଜେ ଏହି ବିଦ୍ୟାଳୟରେ ପଢିବାର ସୁଯୋଗ ପାଇଲେ ତାହା ନୁହେଁ। ଅନେକ ଥେରାପି ଅଧିବେଶନ ଦ୍ବାରା ସେମାନଙ୍କର ମାନସିକ ସ୍ବାସ୍ଥ୍ୟ କୁ ମଧ୍ୟ ଠିକ୍ କରାଯାଇପାରିଲା। ତେହମିନା କହିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ପୁଅଙ୍କୁ ଏହି ପରିସ୍ଥିତିରୁ ବାହାରିବାକୁ ଚାରି ବର୍ଷ ଲାଗିଗଲା| ଏହି ସମୟ ମଧ୍ୟରେ ସେ କେବଳ ଅଧ୍ୟୟନ କରିନାହାଁନ୍ତି ବରଂ ତାଙ୍କ ଜୀବନକୁ ଏକ ନୂତନ ଦିଗ ମଧ୍ୟ ଦେଇଥିଲେ | ଆଜି ତେହମିନା ଏହି ବିଦ୍ୟାଳୟରୁ ମାଟ୍ରିକ୍, ଇଣ୍ଟର ମିଡିଏଟ ଏବଂ ସ୍ନାତକ ସମାପ୍ତ କରିଛନ୍ତି | ବର୍ତ୍ତମାନ ସେ ଏହି ବିଦ୍ୟାଳୟରେ କାମ କରୁଥିବାବେଳେ ତାଙ୍କ ପୁଅ ଏଠାରେ ପଢୁଛନ୍ତି।
ଭବିଷ୍ୟତର ଯୋଜନା;
ସବିନା ଖତ୍ରିଙ୍କ ସ୍ୱପ୍ନ ହେଉଛି ଏହି ମଡେଲ ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ପାକିସ୍ତାନରେ ବିସ୍ତାର କରିବା। ନିକଟରେ କରାଚିରେ ଏହି ବିଦ୍ୟାଳୟର ଦ୍ୱିତୀୟ ଶାଖା ମଧ୍ୟ ଖୋଲାଯାଇଛି| 'ମଦର ଚାଇଲ୍ଡ ଟ୍ରମା ଇନଫର୍ମଡ ସ୍କୁଲ' କେବଳ ଏକ ବିଦ୍ୟାଳୟ ନୁହେଁ ବରଂ ପୁନର୍ବାର ଜୀବନ ବଞ୍ଚିବାର ଆଶା। ସେହି ମା ଏବଂ ପିଲାମାନଙ୍କ ପାଇଁ ଏହା ଏକ ନୂତନ ଆରମ୍ଭ, ଯେଉଁମାନେ ସେମାନଙ୍କର ଯନ୍ତ୍ରଣାଦାୟକ ଅତୀତରୁ ବାହାରକୁ ଆସି ଏକ ଭଲ ଭବିଷ୍ୟତ ଆଡକୁ ଯିବାକୁ ଚାହାଁନ୍ତି ବୋଲି କହିଛନ୍ତି ସବିନା।