ନୂଆଦିଲ୍ଲୀ, ୨୯/୦୩: ଆୟକର ବିଭାଗ ପୁଣି ଥରେ କଂଗ୍ରେସକୁ ନୋଟିସ୍ ପଠାଇଛି । ଉକ୍ତ ନୋଟିସରେ କଂଗ୍ରେସକୁ ୧୭୦୦ କୋଟି ଟଙ୍କା ମାଗିଛି ଆୟକର ବିଭାଗ । ମିଳିଥିବା ସୂତ୍ର ଅନୁସାରେ, ୨୦୧୭-୧୮ରୁ ୨୦୨୦-୨୧ ବର୍ଷ ଲାଗି ଆୟକର ବିଭାଗ ଏହି ଡିମାଣ୍ଡ ନୋଟିସ୍ ଦେଇଛି । ୧୭୦୦ କୋଟି ଟଙ୍କା ଜରିମାନା ରାଶିରେ ସୁଧ ବି ସାମିଲ୍ ରହିଛି ।
୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ଆୟକର ବିଭାଗର ଏ ନୋଟିସ୍ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି । କଂଗ୍ରେସ, ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ କହିଛି ୨୦୧୭-୨୦୨୧ ପର୍ଯ୍ୟନ୍ତ ଆୟକର ବିଭାଗ ଲଗାଇଥିବା ଜରିମାନାକୁ ଆଉ ଥରେ ଯାଞ୍ଚ କରୁ । ତେବେ କଂଗ୍ରେସର ଆବେଦନକୁ ଖାରଜ କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହା ପରେ ଦଳକୁ ନୋଟିସ୍ ମିଳିଛି ।
ଏବେ କଂଗ୍ରେସ ଦଳ ଅନ୍ୟ ୩ ବର୍ଷରେ ହୋଇଥିବା ଆୟର ଯାଞ୍ଚକୁ ଅପେକ୍ଷା କରିଛି । ଏହି ଯାଞ୍ଚ ରବିବାର ସୁଦ୍ଧା ସରିବ ।
କଂଗ୍ରେସ ଓକିଲ ତଥା ରାଜ୍ୟସଭା ସାଂସଦ ବିବେକ ତନ୍ଖା ହାଇକୋର୍ଟରେ ଶୁଣାଣି ବେଳେ ଆୟକର ବିଭାଗର ପଦକ୍ଷେପ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ । କହିଥିଲେ, ନିଆ ଯାଉଥିବା ପଦକ୍ଷେପ ବେଆଇନ୍ ଓ ଗଣତନ୍ତ୍ର ବିରୋଧୀ । କଂଗ୍ରେସର ଅଭିଯୋଗ, ଲୋକସଭା ନିର୍ବାଚନ ସମୟରେ ପ୍ରମୁଖ ବିରୋଧୀ ଦଳକୁ ଜାଣିଶୁଣି ହଇରାଣ କରାଯାଉଛି ।
ପୂର୍ବରୁ ହିଁ ଆୟକର ବିଭାଗ କଂଗ୍ରେସ ଦଳର ଦିଲ୍ଲୀସ୍ଥିତ ବ୍ୟାଙ୍କ ଆକାଉଣ୍ଟରୁ କୋଟି ଟଙ୍କା ଜରିମାନା ବାବଦକୁ ନେଇଛି । ୨୦୧୮-୧୯ ବର୍ଷରେ କଂଗ୍ରେସ ଆବଶ୍ୟକ ସର୍ତ୍ତ ପୂରଣ କରି ପାରି ନଥିଲା । କୋର୍ଟରେ ଆୟକର ବିଭାଗ କହିଥିଲା, ୫୨୦ କୋଟି ଟଙ୍କା ଆସେସମେଣ୍ଟରେ ସାମିଲ୍ ହୋଇ ନଥିଲା । ଏହା ପରେ ଆୟକର ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ନଗଦ ଜରିଆରେ କାରବାର ହୋଇଥିବା ଜଣା ପଡ଼ିଥିଲା । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିଶ୍ୱସ୍ତ ବି ଏଥିରେ ସାମିଲ୍ ଥିଲେ ।