କୋଲକାତା, ୨୨।୬: ଭାରତ-ବାଂଲାଦେଶ ସୀମାରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଅନୁପ୍ରବେଶକାରୀଙ୍କ ବିରୋଧରେ ଭାରତ ସରକାର ଓ ସୁରକ୍ଷା ବଳ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ଦୁଇ ଦେଶର ସୀମାନ୍ତରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ବାଂଲାଦେଶ ପଟୁ ଶହ ଶହ ଅନୁପ୍ରବେଶକାରୀ ବେଆଇନ ଭାବେ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ବିଏସଏଫ୍ ଏହାକୁ ପଣ୍ଡ କରିଦେଇଛି । ଏହାକୁ କେନ୍ଦ୍ର କରି ସୀମାରେ ପ୍ରବଳ ହଙ୍ଗାମା ଓ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ସ୍ଥିତ ଭାରତ-ବାଂଲାଦେଶ ସୀମାରେ ଏହି ବଡ଼ ଧରଣର ଉତ୍ତେଜନା ସୃଷ୍ଟି ହୋଇଥିଲା । ବୈଷ୍ଣବନଗରର ସୁକଦେବପୁର ଚୌକି ଅଞ୍ଚଳରେ ଏହି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସୀମାର ଏହି ନିର୍ଦ୍ଦିଷ୍ଟ ଅଂଶରେ ଏପର୍ଯ୍ୟନ୍ତ କୌଣସି କଣ୍ଟାବାଡ଼ ଲାଗିନାହିଁ, ଯାହାର ସୁଯୋଗ ନେବାକୁ ଅନୁପ୍ରବେଶକାରୀ ଚେଷ୍ଟା କରିଥିଲେ ।
ରିପୋର୍ଟ ମୁତାବକ, ଶନିବାର ସକାଳୁ ସକାଳୁ ବାଂଲାଦେଶ ପଟୁ ଶହ ଶହ ଲୋକ ହାତରେ ଲାଠି ଓ ମାରଣାସ୍ତ୍ର ଧରି ସୀମା ନିକଟରେ ରୁଣ୍ଡ ହେବାକୁ ଲାଗିଥିଲେ । ସେମାନେ ଜୋରଜବରଦସ୍ତ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ସୀମାରେ ମୁତୟନ ଥିବା ବିଏସଏଫ୍ ଯବାନମାନେ ସଙ୍ଗେ ସଙ୍ଗେ ସତର୍କ ହୋଇ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଘଉଡ଼ାଇଥିଲେ ଏବଂ ଅନୁପ୍ରବେଶ ଉଦ୍ୟମକୁ ସମ୍ପୂର୍ଣ୍ଣ ବିଫଳ କରିଦେଇଥିଲେ । ବିଏସଏଫ୍ ଯବାନମାନେ ବାଂଲାଦେଶୀମାନଙ୍କୁ ଘଉଡ଼ାଇବା ପରେ ସୀମାର ଅପରପାର୍ଶ୍ୱରେ ଅର୍ଥାତ୍ ଭାରତୀୟ ସୀମା ଭିତରେ ମଧ୍ୟ ସ୍ଥାନୀୟ ଲୋକଙ୍କର ଏକ ବିରାଟ ଭିଡ଼ ଜମା ହୋଇଯାଇଥିଲା, ଯାହାଫଳରେ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲା । ତେବେ ବିଏସଏଫ୍ ଅଧିକାରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇଛି ଏବଂ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।
ବିବାଦର ଅସଲ କାରଣ କ’ଣ ?
ଏହି ସୀମାନ୍ତ ବିବାଦ ପଛରେ ଅନୁପ୍ରବେଶକାରୀଙ୍କୁ ହସ୍ତାନ୍ତର କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ରହିଛି । ଭାରତ ପକ୍ଷରୁ କେତେକ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସୀମା ପାର କରାଇ ବାଂଲାଦେଶକୁ ଫେରାଇ ଦିଆଯାଇଥିଲା । ବାଂଲାଦେଶର ସୀମା ରକ୍ଷା ବାହିନୀ ସେହି ଲୋକମାନଙ୍କୁ ନିଜ ଦେଶକୁ ନେବାକୁ ସାଫ୍ ମନା କରିଦେଇଛି । ବିନା କୌଣସି ଆଇନଗତ କିମ୍ବା ଅଧିକାରୀକ ପ୍ରକ୍ରିୟାରେ ପଠାଯାଉଥିବା କୌଣସି ବି ବ୍ୟକ୍ତିଙ୍କୁ ଗ୍ରହଣ କରାଯିବ ନାହିଁ ବୋଲି ବାଂଲାଦେଶ ଜିଦ୍ ଧରିଛି । ଓଲଟା ସେମାନଙ୍କୁ ଭାରତ ପଠାଇବା ପାଇଁ ବାଂଲାଦେଶ ପଟୁ ଚାପ ପକାଯାଉଛି ।
ଏହା ବି ପଢ଼ନ୍ତୁ... India Agriculture: ଚୀନ୍ ବ୍ୟାନ୍ କଲା ଲଙ୍କା, ଜାପାନ ରୋକିଲା ଆମ୍ବ; ବିଦେଶୀ ବଜାରରେ ଭାରତୀୟ କୃଷି ରପ୍ତାନିକୁ ଶକ୍ତ ଧକ୍କା !
ପଶ୍ଚିମବଙ୍ଗର ରାଜନୈତିକ ପରିବର୍ତ୍ତନ ଓ ଅନୁପ୍ରବେଶ ଉପରେ ରୋକ୍:
ପଶ୍ଚିମବଙ୍ଗରେ ନିକଟରେ ବିଜେପି ସରକାର ଗଠନ ହେବା ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦାୟିତ୍ୱ ନେବା ପରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ଥିବା ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିବା ସହ ସେମାନଙ୍କୁ ବାଂଲାଦେଶ ଫେରସ୍ତ ପଠାଇବାକୁ ବଡ଼ ଘୋଷଣା କରିଛନ୍ତି । ଭାରତର ଏହି କଡ଼ା ଆଭିମୁଖ୍ୟକୁ ବାଂଲାଦେଶ ଏବେ ଜୋରଦାର ବିରୋଧ କରୁଛି, ଯାହାର ପ୍ରତିଫଳନ ସୀମାରେ ହିଂସାତ୍ମକ ରୂପରେ ଦେଖିବାକୁ ମିଳୁଛି ।