ନୂଆଦିଲ୍ଲୀ, ୧୨/୦୫: ଚଳିତ ଆର୍ଥିକ ବର୍ଷ  ଘରୋଇ ବଜାରର ଅଭିବୃଦ୍ଧି ୬.୫% ଛୁଇଁବାର ସମ୍ଭାବନା ରହିଛି । ଯୁଦ୍ଧ ଯୋଗୁ ଦେଶର ଅର୍ଥନୀତି ଉପରେ ସ୍ୱଳ୍ପମିଆଦି ପ୍ରଭାବ ରହିବ ବୋଲି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଅଧ୍ୟକ୍ଷ  ସଞ୍ଜୀବ ପୁରୀ କହିଛନ୍ତି । 

ଶ୍ରୀ ପୁରୀ କହିଛନ୍ତି, ବ୍ୟବସାୟ କ୍ଷେତ୍ରରେ ରହିଥିବା ବିଭିନ୍ନ ପ୍ରତିବନ୍ଧକ ସତ୍ତେ୍ୱ ଦେଶର ରାଷ୍ଟ୍ରୀୟ ହିତକୁ ନଜରରେ ରଖି  ବାଣିଜ୍ୟିକ ଅଂଶୀଦାରଙ୍କ ସହ ଚୁକ୍ତି କରିବା  ଆବଶ୍ୟକତା ରହିଛି ।  ଶକ୍ତି, ପରିବହନ, ଧାତବ, ରସାୟନ ଏବଂ  ହସ୍ପିଟାଲିଟି ଭଳି ବିଭିନ୍ନ କ୍ଷେତ୍ରରେ ଘରୋଇ  ନିବେଶକୁ ଧ୍ୟାନ ରଖିବାକୁ ହେବ । ଯୁଦ୍ଧ ଯୋଗୁ  ଅନିଶ୍ଚିତତା ଲାଗି ରହିଥିବାରୁ ନିବେଶ କ୍ଷେତ୍ରରେ  କିଛି ସମସ୍ୟା ଆସିପାରେ । ଦେଶ ୬.୫% ଜିଡିପି  ଲକ୍ଷ୍ୟ ହାସଲ କରିବାର ଢ଼େର ସମ୍ଭାବନା ରହିଛି ।  

କାରଣ ଭାରତ ଆର୍ଥିକ ଢ଼ାଞ୍ଚା ବେଶ ଦୃଢ଼ ରହିଛି । ଶ୍ରୀ ପୁରୀ କହିଛନ୍ତି, ନିକଟରେ ଆର୍‌ବିଆଇ  ସୁଧହାର ହ୍ରାସ କରିଛି । ମୁଦ୍ରାସ୍ଫୀତି ଏତେଟା ଚିନ୍ତାଜନକ ନୁହେଁ । ଏଥିରେ ସମୟ ସହ ହ୍ରାସ  ହୋଇଛି । ଏପ୍ରିଲ ପହିଲାରୁ ଲୋକଙ୍କୁ ବ୍ୟକ୍ତିଗତ  ଆୟକର କ୍ଷେତ୍ରରେ ରିହାତି ମିଳିଛି । ଗତ ବର୍ଷକୁ  ଦେଖିଲେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ  କ୍ଷେତ୍ରରେ ନିବେଶ ବୃଦ୍ଧି ହେଉଛି । ଟ୍ରମ୍ପଙ୍କ ଟାରିଫ ଏବଂ ବିଶ୍ୱ ସ୍ତରର ବାଣିଜ୍ୟିକ କଟକଣା ଯୋଗୁ ବ୍ୟବସାୟ ପାଇଁ ବିଭିନ୍ନ ବାଧା  ରହୁଛି । ଏଭଳି ସ୍ଥିତିରେ ଦେଶର ସ୍ୱାର୍ଥକୁ  ନଜରରେ ରଖି ଦ୍ୱିପାକ୍ଷିକ କାରବାରକୁ ଦେଶ  ଆହୁରି ଦୃଢ଼ କରିବାର ଆବଶ୍ୟକତା ରହିଛି ।  ଆମେରିକା ଏବଂ ୟୁରୋପୀୟ ସଂଘ ଭଳି ଦେଶ  ଗୁଡ଼ିକ ସହ କାରବାର ବେଶ ଗୁରୁତ୍ୱ ରଖେ।  ଏ କ୍ଷେତ୍ରରେ ଦ୍ୱିପାକ୍ଷୀକ ବାଣିଜ୍ୟ ଚୁକ୍ତି ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ । 

ସେହିଭଳି ବିଭିନ୍ନ କ୍ଷେତ୍ରରେ ପ୍ରତିସ୍ଫର୍ଦ୍ଧା  ବଢ଼ାଇବା ଲାଗି ତ୍ରିସ୍ତରୀୟ ସଂରଚନା ନିର୍ମାଣ  କରିବା ଲାଗି ଶ୍ରୀ ପୁରୀ ପରାମର୍ଶ ଦେଇଛନ୍ତି ।  କୃଷି,ଜଳବାୟୁ, ପରିବର୍ତ୍ତନ ଏବଂ ଶିଳ୍ପ ଅନୁକୂଳ  ବାତାବରଣ ଉପରେ ଆହୁରି ଅନେକ କାମ  କରିବାକୁ ହେବ । ସେହିଭଳି ଅଭିବୃଦ୍ଧି ଏବଂ  ପ୍ରତିସ୍ପର୍ଦ୍ଧା ଘରୋଇ ବଜାର ଲାଗି ଅତ୍ୟନ୍ତ  ଗୁରୁତ୍ୱ ବହନ କରୁଥିବାରୁ ଏହା ଉପରେ ଅଧିକ  ପଦକ୍ଷେପ ଲୋଡ଼ା ।  ଆଗାମୀ ଦିନରେ ସୁଧହାର ଆହୁରି ହ୍ରାସ  ହୋଇପାରେ । ଏବେ ଗ୍ରାମୀଣ ଚାହିଦା ବଢ଼ୁଛି ।  ସହରୀ ଚାହିଦା ସାମାନ୍ୟ ସ୍ଥିର ରହିଛି । ଆଗାମୀ  କିଛି ମାସରରେ ଏଥିରେ ବୃଦ୍ଧି ପରିଲକ୍ଷିତ ହେବ । 

ଉଲ୍ଲେଖଯୋଗ୍ୟ, ଭାରତ ଏବେ ବିଶ୍ୱର  ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବେ ଉଭା  ହୋଇଛି । ଏହି ଧାରାକୁ ଦେଶ ବଜାୟ ରଖିବ  ବୋଲି ବିଶ୍ୱ ବ୍ୟାଙ୍କ ସହ ବିଶ୍ୱର ଅନ୍ୟ ପ୍ରମୁଖ  ଏଜେନ୍ସି ଗୁଡ଼ିକ ଅନୁମାନ କରିଛନ୍ତି । ଘରୋଇ  ବଜାରର ଦ୍ରୁଢ଼ ଚାହିଦା, ନିବେଶରେ ବୃଦ୍ଧି ଏବଂ ସେବା କ୍ଷେତ୍ରର ଉଲ୍ଲେଖନୀୟ ଯୋଗଦାନ ଯୋଗୁ  ଏହା ଅର୍ଥନୀତିକୁ ଉଦ୍ଧ୍ୱର୍ମୁଖୀ କରିବାରେ ସହାୟକ  ହେଉଛି ।  ସେହିଭଳି ଘରୋଇ ବଜାର ୨୦୨୫ରେ  ବିଶ୍ୱର ୪ର୍ଥ ବୃହତ୍ତ ଅର୍ଥନୀତି ହେବ ବୋଲି  ଆକଳନ କରାଯାଇଛି । ଜାପାନକୁ ଭାରତ ଟପିବ ।  ଦେଶର ନୋମିନାଲ ଜିଡିପି ୪.୧୮୭ ଟ୍ରିଲିୟନ  ଡଲାର ଛୁଇଁବ ବୋଲି ଆକଳନ କରାଯାଇଛି ।