ନୂଆଦିଲ୍ଲୀ ୦୯/୦୫: ଭାରତ ସହ ଯୁଦ୍ଧ ମଧ୍ୟରେ ପାକିସ୍ତାନର ସମସ୍ୟା  ବଢ଼ିଚାଲିଛି । ପାଖରେ ସମ୍ବଳ ନାହିଁ ।  ଖାଦ୍ୟ ତଥା ଅର୍ଥନୀତିକୁ ଚଳାଇବା ପାଇଁ  ଆଇଏମ୍‌ଏଫ୍‌ଠାରୁ ଭିକ୍ଷା ମାଗିଚାଲିଛି ପାକ୍‌ । ବର୍ତ୍ତମାନ ଏ ଦିଗରେ ହୁଏତ୍‌ ପାକିସ୍ତାନକୁ ମିଳିପାରେ ଆଉ ଏକ ବଡ଼ ଝଟ୍‌କା। 

ପହଲ୍‌ଗାମ ଆତଙ୍କବାଦ ହମ୍‌ଲାର ପ୍ରତିଶୋଧ କ୍ରମେ ମେ’ ୭ରୁ ଭାରତ  ପକ୍ଷରୁ ଆରମ୍ଭ ‘ଅପରେଶନ ସିନ୍ଦୂର’ର  ଭୟରୁ ବାହାରି ନ ଥିବା ପାକ୍‌ ପାଇଁ  ମେ’ ୯ ଆଉ ଏକ ନିର୍ଣ୍ଣାୟକ ଦିନ । ଯଦି ପାକିସ୍ତାନ ଏଥିରେ ହାରିଯାଏ ତେବେ  ପାକ୍‌ ଅର୍ଥବ୍ୟବସ୍ଥାର ଅଣ୍ଟା ଭାଙ୍ଗିଯିବା  ଥୟ । ଏହା ‘ଅପରେଶନ ସିନ୍ଦୂର’ଠାରୁ ବି ବଡ଼ ଝଟ୍‌କା ସାବ୍ୟସ୍ତ ହେବ । ଏହା ଆର୍ଥିକ ସଂକଟରେ ଗତି କରୁଥିବା ପ୍ରତ୍ୟକ ପାକିସ୍ତାନୀ ଏବଂ ଦେଶର ଅର୍ଥବ୍ୟବସ୍ଥା ଉପରେ ପଡ଼ିବା ସୁନିଶ୍ଚିତ ।  

ଭୋକରେ ଡହଳ ବିକଳ ଅବସ୍ଥାରେ ଥିବା ପାକିସ୍ତାନ ପାଇଁ ଶେଷ ଭରସା  ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)  । ଆର୍ଥିକ ସଂକଟରେ ଫସିଥିବା ଅର୍ଥନୀତି ପାଇଁ ବର୍ତ୍ତମାନ ଆଇଏମ୍‌ଏଫ୍‌ ଋଣ ଅର୍ଥାତ୍‌ ବେଲ୍‌ଆଉଟ୍‌ ପ୍ୟାକେଜ୍‌ ନେବା ଜିଇଁବା ମରିବା ସହ ସମାନ । ଏପଟେ ଭାରତ  ସହ ବିବାଦ ଯୋଗୁ ଏହାର ସମସ୍ୟା ଆହୁରି ବଢ଼ିଯାଇଛି । ଆଇଏମ୍‌ଏଫ୍‌  ମେ’ ୯ରେ ପାକିସ୍ତାନର ଏକ୍ସଟେଣ୍ଡେଡ୍‌  ଫଣ୍ଡିଂ ଫ୍ୟାସିଲିଟି(ଇଏଫ୍‌ଏଫ୍‌)ର ସମୀକ୍ଷା  କରିବ । ଏହା ପରେ ସ୍ଥିର ହେବ ଯେ, ପାକିସ୍ତାନକୁ ୧.୩ ବିଲିୟନ ଡଲାର ବା  ପ୍ରାୟ ୧୧୦୦୦ କୋଟି ଟଙ୍କାର ଋଣ  ଦିଆଯିବ ଅବା ନୁହେଁ ।  

ପାକିସ୍ତାନକୁ ଆଇଏମ୍‌ଏଫ୍‌ଠାରୁ ମିଳିବାକୁ ଥିବା ଋଣକୁ ନେଇ ଭାରତ ନିଜର ବିରୋଧ ଜଣାଇଛି । ଏ ଋଣ ଉପରେ ସମୀକ୍ଷା କରିବା ପାଇଁ ଏହା ଆଇଏମ୍‌ଏଫ୍‌  ପାଖରେ ଅନୁରୋଧ କରିଛି । ଏହା ଉପରେ ଆପତ୍ତି ଦର୍ଶାଇ ଭାରତ କହିଛି ଯେ,  ପାକିସ୍ତାନ ଏହି ଋଣରାଶିର ବ୍ୟବହାର ନିଜର ଅଭିବୃଦ୍ଧି ପାଇଁ ନୁହେଁ ବରଂ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ  ଭଳି ଆତଙ୍କବାଦୀ ସଂଗଠନଗୁଡ଼ିକୁ  ସାହାଯ୍ୟ କରିବାରେ ଖର୍ଚ୍ଚ କରିବ । ଏହାର  ସିଧାସଳଖ ପ୍ରଭାବ ଭାରତ ଉପରେ ବି  ପଡୁଛି । ଏଭଳି କୌଣସି ପ୍ରକାର ଫଣ୍ଡିଂକୁ ମଞ୍ଜୁରି ଦିଆ ନ ଯାଉ ବୋଲି ଭାରତ  ଅନୁରୋଧ କରିଛି । ଏହା ପୂର୍ବରୁ ବି ଆଇଏମ୍‌ଏଫ୍‌  ଅର୍ଥନୈତିକ ସ୍ଥିରତା ପାଇଁ ପାକିସ୍ତାନକୁ ଏଭଳି ଆର୍ଥିକ ପ୍ୟାକେଜ୍‌ ଦେଇଛି ।

ମେ’୯ରେ ହେବାକୁ ଥିବା ସମୀକ୍ଷା ବୈଠକରେ  ଦେଖାଯିବ ଯେ, ଆଗାମୀ କିସ୍ତି ପାଇବା  ପାଇଁ ଆବଶ୍ୟକ ମାନକଗୁଡ଼ିକରେ  ପାକିସ୍ତାନ ସୁଧାର ଆଣିଛି ଅବା ନୁହେଁ । ୨୦୨୩ରେ ଆଇଏମ୍‌ଏଫ୍‌ ପାକିସ୍ତାନକୁ  ୭୦୦ କୋଟି ଡଲାର ବା ୬୦ ହଜାର  କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ପ୍ରଦାନ  କରିଥିଲା । ଏହାପରେ ୨୦୨୪ ମାର୍ଚ୍ଚରେ  ଜଳବାୟୁ ସମର୍ଥନ ପାଇଁ ଆଉ ୧୧,୦୦୦  କୋଟି ଟଙ୍କା ଦିଆଯାଇଥିଲା । ଏହି  ଅର୍ଥରାଶି ଏଭଳି ଦେଶଗୁଡ଼ିକ ପାଇଁ  ମହତ୍ୱପୂର୍ଣ୍ଣ ଗଣନା କରାଯାଇଥାଏ, ଯାହାର  ଅର୍ଥବ୍ୟବସ୍ଥା ୩୫୦୦୦ କୋଟି ଡଲାରରୁ  ଅଧିକ। 

ଭାରତର ବିରୋଧ ପରେ ଯଦି  ପାକିସ୍ତାନକୁ ଆର୍ଥିକ ପ୍ୟାକେଜ୍‌ ମିଳେ  ନାହିଁ ତେବେ ଏହା ଭୟଙ୍କର ଆର୍ଥିକ  ସଂକଟ ମଧ୍ୟରେ ଫସିଯିବ । ଏବେ ଏହାକୁ  ନିଜର ଜରୁରୀ ଖର୍ଚ୍ଚ ପାଇଁ ସହାୟତାର  ଢେର ଆବଶ୍ୟକତା ରହିଛି । ମୁଦ୍ରାସ୍ଫୀତି ଏବଂ ଖାଦ୍ୟ ସଂକଟ ମଧ୍ୟରେ ଫସିଥିବା ପାକିସ୍ତାନକୁ ନିଜର ମୋଟା ଋଣର ସୁଧ ମଧ୍ୟ ପରିଶୋଧ କରିବାକୁ ପଡ଼ିବ ଏବଂ  ଏଥିପାଇଁ ଟଙ୍କା ଦରକାର । ଯଦି ଏହାକୁ  ଆଇଏମ୍‌ଏଫ୍‌ରୁ ସହାୟତା ନ ମିଳେ  ତେବେ ଏହା ଋଣ ଖିଲାପ କରିବାକୁ ବାଧ୍ୟ  ହେବ । ଖାଲି ସେତିକି ନୁହେଁ, ପାକିସ୍ତାନକୁ  ଭାରତ ସହ ସୈନ୍ୟ ସଂଘର୍ଷ ପାଇଁ ବି ଟଙ୍କା  ଲୋଡ଼ା ଏବଂ ଏହାର ଖାଲି ଭଣ୍ଡାର ପାଇଁ ବର୍ତ୍ତମାନ ଆଇଏମ୍‌ଏଫ୍‌ ଋଣ ହିଁ ଭରସା ।