ନୂଆଦିଲ୍ଲୀ, ୨।୪: ଭାରତ ଓ ରୁଷ୍ ମଧ୍ୟରେ ରହିଥିବା ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ରୁଷ୍‌ର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ ମଣ୍ଟୁରୋଭ ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ସୂଚନାଯୋଗ୍ୟ ଯେ, ମଣ୍ଟୁରୋଭ ଭାରତ-ରୁଷ୍ ଆନ୍ତଃ-ସରକାରୀ କମିଶନର ସହ-ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲଙ୍କ ସୂଚନା ଅନୁଯାୟୀ, ମଣ୍ଟୁରୋଭ ତାଙ୍କ ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଏକ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହା ବ୍ୟତୀତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବାଣିଜ୍ୟିକ କାରବାର ବୃଦ୍ଧି ଉପରେ ଆଲୋଚନା ହେବ । ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ସହ ରଣନୈତିକ ଓ ପ୍ରତିରକ୍ଷା ସମ୍ପର୍କିତ ସମୀକ୍ଷା କରାଯିବ ।

ଏହା ବି ପଢ଼ନ୍ତୁ... ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆକ୍ସନରେ କେନ୍ଦ୍ର ସରକାର, ଏହି ସବୁ ଦିଗରେ ଧ୍ୟାନ ଦେବାକୁ ପିଏମ ମୋଦିଙ୍କ ନିର୍ଦ୍ଦେଶ…

ଆମେରିକୀୟ ଚାପକୁ ଖାତିର କରେନି ଭାରତ: ରୁଷ୍ ରାଷ୍ଟ୍ରଦୂତ

ଏହି ଗସ୍ତର ଠିକ୍ ପୂର୍ବରୁ ଭାରତରେ ଅବସ୍ଥାପିତ ରୁଷ୍ ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ ରାଜନୀତିରେ ଆମେରିକାର କୌଣସି ପ୍ରକାରର ଚାପକୁ ରୁଷ୍ ଗ୍ରହଣ କରେନାହିଁ । ଭାରତ ନିଜର ସ୍ୱାଧୀନ ବୈଦେଶିକ ନୀତି ଉପରେ କାଏମ ରହିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଆମେରିକା ଭାରତୀୟ ବଜାରରେ ରୁଷ ପାଇଁ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ବିଶେଷ କରି ତୈଳ ଆମଦାନୀ କ୍ଷେତ୍ରରେ ଭାରତ ଉପରେ ଚାପ ପକାଯାଉଛି, କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରି ନିଜ ହିତରେ ନିଷ୍ପତ୍ତି ନେଉଛି । ବୋଲି ରୁଷ ରାଷ୍ଟ୍ରଦୂତ ଡେନିସ ଅଲିପୋଭ କହିଛନ୍ତି ।

ବଢ଼ୁଛି ବାଣିଜ୍ୟିକ ସମ୍ପର୍କ:

ଶକ୍ତି କ୍ଷେତ୍ରରେ ବିଶେଷ କରି ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଭାରତ ଓ ରୁଷର ସମ୍ପର୍କ ନୂଆ ଉଚ୍ଚତା ଛୁଇଁଛି । ଆଗାମୀ ଦିନରେ ବାଣିଜ୍ୟ, ବିଜ୍ଞାନ, ବୈଷୟିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଏହି ବୈଠକଗୁଡ଼ିକ ଅତ୍ୟନ୍ତ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ।