ନୂଆଦିଲ୍ଲୀ,୦୧/୦୪ : ଭାରତୀୟ ମହିଳା ହକି ଦଳର ଦମ୍‌ଦାର ଲିଜେଣ୍ଡ ପ୍ଲେୟାର ବନ୍ଦନା କଟାରିୟା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ୧୫ ବର୍ଷର କ୍ୟାରିୟର, ୩୨୦ରୁ ଅଧିକ ମ୍ୟାଚ ୧୫୮ଟି ଗୋଲ କରି ହକି ଟିମ୍ ପାଇଁ ସୁନାମ ଆଣିଥିବା ବନ୍ଦନା ହକିକୁ ବାଏ ବାଏ କହିଛନ୍ତି । ଭାରତୀୟ ହକି ଇତିହାସରେ ୩୨ ବର୍ଷୀୟ ବନ୍ଦନା ସର୍ବାଧିକ ମ୍ୟାଚ ଖେଳିଛନ୍ତି । ୧୫ ବର୍ଷରେ ସ୍ବର୍ଣ୍ଣିମ କ୍ୟାରିୟରର ଅନ୍ତ ହୋଇଛି ।

୨୦୦୯ରେ ସିନିୟର ହକି ଟିମ୍ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ ବନ୍ଦନା କଟାରିୟା । ୨୦୨୦ ଅଲମ୍ପିକରେ ଚତୁର୍ଥ ସ୍ଥାନରେ ଥିବା ଭାରତୀୟ ଦଳରେ ସାମିଲ ଥିଲେ । ଅଲମ୍ପିକ୍ସରେ ହ୍ୟାଟ୍ରିକ ଗୋଲ୍ କରିଥିଲେ ବନ୍ଦନା । ଏମିତି କରିବାରେ ସେ ପ୍ରଥମ ଏବଂ ଏକମାତ୍ର ଭାରତୀୟ ମହିଳା ହକି ଖେଳାଳି ହୋଇଥିଲେ । ହରିଦ୍ବାରର ରୋଶନାବାଦର ୩୨ ବର୍ଷୀୟା ଏହି ଫରୱାର୍ଡ ବନ୍ଦନା କଟାରିୟା ଗତ ଫେବୃଆରୀରେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏଫଆଇଏଚ ପ୍ରୋ ଲିଗରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ବନ୍ଦନା ତାଙ୍କ କ୍ୟାରିୟରେ ୩୨୦ରୁ ଅଧିକ ମ୍ୟାଚ ଖେଳିଛନ୍ତି । ୧୫୮ ଗୋଲ ନିଜ ନାମରେ କରିଛନ୍ତି ।  ସେ ୨୦୧୩ ଜୁନିୟର ହକି ବିଶ୍ୱକପ୍‌ ଦଳର ସଦସ୍ୟ ଥିଲେ । ଦଳକୁ ବ୍ରୋଞ୍ଜ ଜିତାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । କ୍ୟାରିୟରରେ ବହୁ ସଫଳତା ସେ ପାଇଛନ୍ତି । ୨୦୧୬ ଓ ୨୦୨୦ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ । ଟୋକିଓରେ ଦଳକୁ ସେମି ଫାଇନାଲରେ ପହଞ୍ଚାଇବାରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା । ସେହିପରି ୨ ଥର ସିନିୟର ହକି ବିଶ୍ୱକପ୍‌, ୩ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ୩ ଥର ଏସୀୟ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । 

ଅଧିକ ପଢନ୍ତୁ...Miami Open: ଅର୍ନ୍ୟା ସାବାଲେଙ୍କା ଚାମ୍ପିଅନ୍, ପ୍ରଥମ ଥର ଜିତି‌ଲେ ଟାଇଟଲ୍

ଅବସର ନେଇ ଘୋଷଣା କରି, ବନ୍ଦନା କଟାରିୟା କହିଛନ୍ତି, ମନ କଷ୍ଟ ଅଛି । ମାତ୍ର କୃତଜ୍ଞ ମନରେ ଅନ୍ତର୍ଜାତୀୟ ହକିରୁ ବିଦାୟ ନେଉଛି । ଏହି ନିଷ୍ପତ୍ତି ଅନ୍ତର୍ଜାତୀୟ ମ୍ୟାଚକୁ ତା ବାଟରେ ଛାଡ଼ିବାର ଏକ ବିକଳ୍ପ । କ୍ୟାରିୟର ଶିଖରରେ ପହଞ୍ଚିବା ପରେ ଅବସର ନେବାକୁ ନିଷ୍ପତ୍ତି ନେଇଛି ।

ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଭାରତୀୟ ହକି ପ୍ରତି ବନ୍ଦନାଙ୍କ ଅବଦାନକୁ ସ୍ମରଣ କରି କହିଛନ୍ତି, ‘ ବନ୍ଦନା କେବଳ ଗୋଲ ସ୍କୋରର ନଥିଲେ, ସେ ଭାରତୀୟ ଆକ୍ରମଣର ମୂଳ ହୃଦସ୍ପନ୍ଦନ ଥିଲେ ।’