ନୂଆଦିଲ୍ଲୀ,୨।୧୦: ଭାରତୀୟ ରେଲଓ୍ବେ ଦୁନିଆର ଚତୁର୍ଥ ସବୁଠାରୁ ବଡ ରେଳ ବ୍ୟବସ୍ଥା। ପ୍ରତିଦିନ ଭାରତୀୟ ରେଲଓ୍ବେରେ ପ୍ରାୟ ୨.୫ କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରନ୍ତି। ଏହି କାରଣରୁ ଭାରତୀୟ ରେଲଓ୍ବେ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଏ। ଟ୍ରେନ୍ରେ ଅଧିକାଂଶ ଲୋକ ରିଜର୍ଭେସନ୍ କରି ଯାତ୍ରା କରିବାକୁ ପସନ୍ଦ କରନ୍ତି। ତେବେ ଜାଣନ୍ତି କି ଏଭଳି କିଛି ଯାତ୍ରୀ ରହିଛନ୍ତି, ଯାହାଙ୍କ ରିଜର୍ଭେସନ୍ କରିବା ପରେ ଟିକେଟ୍ ବୁକିଂରେ ରିହାତି ମିଳିବାର ନିୟମ ରହିଛି। ତେବେ ଆସନ୍ତୁ ଜାଣିବା କାହାକୁ ଏହି ରିହାତି ମିଳେ ଓ କେତେ ମିଳେ ?
ରେଲଓ୍ବେର କିଛି ନିୟମ ଅନୁସାରେ, କିଛି ଯାତ୍ରୀଙ୍କ ଭଡାରେ ଛାଡ କରାଯାଇଥାଏ। ଏହି ଛାଡ ଟିକେଟର ବେସିକ୍ ଭଡାରେ ମିଳିଥାଏ। ତେବେ ତାହା ଏହି କଥା ଉପରେ ନିର୍ଭର କରିଥାଏ ଯେ, ଆପଣ କେଉଁ ଟ୍ରେନ୍ରେ ଯାତ୍ରା କରୁଛନ୍ତି ? ଆପଣ ସୁପରଫାଷ୍ଟ କି ଏକ୍ସପ୍ରେସ୍ କିମ୍ବା ସ୍ପେଶାଲ ଟ୍ରେନ୍ରେ ଯାଉଛନ୍ତି। ଏହି ଆଧାରରେ ଆପଣଙ୍କୁ ଛାଡ ଦିଆଯିବ।
ଭାରତୀୟ ରେଲଓ୍ବେ ନିୟମ ଅନୁସାରେ, ଦୃଷ୍ଟିହୀନ ବ୍ୟକ୍ତି, ବିକଳାଙ୍ଗ, ପକ୍ଷାଘାତ, ଟିବି ଓ କ୍ୟାନସର ପେସେଣ୍ଟ, କିଡନୀ ଓ ଅଣ-ସଂକ୍ରାମକ କୁଷ୍ଠ ରୋଗୀଙ୍କ ଭଡାରେ ରିହାତି ଦିଆଯାଏ। ଏହାଛଡା ଆତଙ୍କବାଦୀ କିମ୍ବା ଚରମପନ୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ଶହୀଦ ଯବାନଙ୍କ ବିଧବା ପତ୍ନୀଙ୍କୁ ଏହି ସୁବିଧା ମିଳେ। ସେଭଳି ରାଷ୍ଟ୍ରୀୟ ପୁରସ୍କାର ବିଜେତା ଶିକ୍ଷକ, ଔଦଗିକ ଶ୍ରମିକ, ଶ୍ରମ ପୁରସ୍କାର ବିଜେତା, ପୋଲିସ କର୍ମୀଙ୍କ ବିଧବା ପତ୍ନୀ, ବରିଷ୍ଠ ନାଗରିକଙ୍କୁ ରିହାତି ଦେବାର ନିୟମ ରହିଛି।
ଭାରତୀୟ ରେଲଓ୍ବେର ନିୟମ ଅନୁସାରେ, ଗ୍ରାମାଞ୍ଚଳରେ ପଢୁଥିବା ସରକାରୀ ସ୍କୁଲର ଛାତ୍ରଙ୍କୁ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଯାତ୍ରା କରିବା ବେଳେ ଟିକେଟ ଫି’ରେ ୭୫% ରିହାତି ମିଳିଥାଏ। ଏହା ସହ ୟୁପିଏସ୍ସି ମେନ୍ ରିଟିନ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଙ୍କ ମଧ୍ୟ ୫୦% ରିହାତି ମିଳିଥାଏ। ରେଲଓ୍ବେ ଦ୍ବାରା ଚିହ୍ନଟ କରାଯାଇଥିବା ରୋଗୀ, ଯାହାଙ୍କ ଭିତରେ ହାର୍ଟ ପେସେଣ୍ଟ, କିଡନୀ ପେସେଣ୍ଟ ରହିଛନ୍ତି ତାଙ୍କୁ ୭୫% ରିହାତି ମିଳିବାର ନିୟମ ରହିଛି।