କେନ୍ଦ୍ରାପଡ଼ା, ୦୧/୦୪: କ୍ୟାଲେଣ୍ଡର ବର୍ଷରେ ଗୋଟିଏ ପରେ ଗୋଟିଏ ବର୍ଷ ପୂରଣ ହୋଇ ଚାଲିଛି । ଏପ୍ରିଲ ପହିଲାରେ କେନ୍ଦ୍ରାପଡ଼ାର ୩୨ତମ ପ୍ରତିଷ୍ଠା ଦିବସ । ଏହି ଦିନ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ଜିଲ୍ଲା ଗଠନକୁ ୩୨ ପୂରି ୩୩ ଚାଲିବ । ୧୯୯୩ ମସିହା ଏପ୍ରିଲ ପହିଲାରେ ଅବିଭକ୍ତ କଟକ ଜିଲ୍ଲାକୁ ଭାଗ ଭାଗ କରି ପୃଥକ ୪ଟି ଜିଲ୍ଲା ଗଠନ କରାଯାଇଥିଲା । କଟକରୁ ପୃଥକ୍‌ ହୋଇ ଜଗତ୍‌ସିଂହପୁର, ଯାଜପୁର ସମେତ କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଲାଭ କରିଥିଲା । ଏହାର ଦୁଇଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ାରେ ପହଞ୍ଚି ଏପ୍ରିଲ ୩ରେ ଜିଲ୍ଲା ଗଠନର ଶୁଭ ଦେଇଥିଲେ । ତେବେ ପ୍ରତିବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ୨ଦିନ ପୂର୍ବରୁ ଏପ୍ରିଲ ପହିଲାରେ ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରିଆସୁଛି । 

ସବୁବର୍ଷ ପରି ଏଥର ମଧ୍ୟ ପାଳନ କରାଯିବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ।ଭୌଗୋଳିକ ଦୃଷ୍ଟିକୋଣରୁ ଲୋକଙ୍କୁ ସହଜ, ସୁବିଧାରେ ସରକାରୀ ସୁବିଧା ଉପଲବ୍ଧ କରାଇବା ଲାଗି କଟକରୁ ପୃଥକ୍‌ ହୋଇ ଜିଲ୍ଲା ଗଠନ ହୋଇଥିଲା ସତ, ହେଲେ ଯେଉଁ ମହାନ ଉଦ୍ଦେଶ୍ୟ ନେଇ ଗଠନ ହୋଇଥିଲା ଅନେକ ସେଥିରୁ  ଅପୂରଣୀୟ ରହିଯାଇଛି । ମୌଳିକ ସୁବିଧା ଏବେ ମଧ୍ୟ ଅପହଞ୍ଚ ହୋଇ ରହିଛି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ବର୍ଷକୁ ୫ରୁ ୬ହଜାର ବ୍ୟକ୍ତିଗତ ଓ ସାମୂହିକଅଭିଯୋଗ ଆସୁଥିବା ବେଳେ ସମାଧାନ ଶୂନ । ଅଭିଯୋଗଶୁଣାଶି ଶିବିରକୁ ତୃଣମୂଳ ସ୍ତରରେ ପଞ୍ଚାଇବାକୁ ବର୍ଷାଧିକ କାଳ ଧରି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ମଧ୍ୟ ବିଶେଷ ଫଳପ୍ରସୂ ହୋଇପାରିନାହିଁ ।

ନିକଟରେ ମହାକାଳପଡ଼ା ବ୍ଲକ୍‌ରେ ମିଳିତ ଜନଶୁଣାଣି ଚାଲିଥିବା ବେଳେ ଜଣେ ଅଭିଯୋଗକାରୀ ଅଭିଯୋଗପତ୍ର ଭର୍ତ୍ତି ବାକ୍ସ ମୁଣ୍ଡାଇ ଆସିବା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା । ଶିଳ୍ପବିହୀନ ଜିଲ୍ଲାରେ ଦୀର୍ଘବର୍ଷର ବ୍ୟବଧାନ ପରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ମହାକାଳପଡ଼ାରେ ଏସିଆ ମହାଦେଶର ସର୍ବବୃହତ୍‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଯିବ । ସମାନ ସମୟରେ କେନ୍ଦ୍ରାପଡ଼ା ସହ ପଡ଼ୋଶୀ ଜଗତ୍‌ସିଂହପୁର ଓ ଯାଜପୁର ଜିଲ୍ଲା ଆତ୍ମପ୍ରକାଶ କରିଥିଲେ ହେଁ ଯେଉଁ ଅନୁପାତରେ ଏ ଦୁଇଟି ଜିଲ୍ଲାରେ ବିକାଶ ହୋଇଛି ତା’ ତୁଳନାରେ କେନ୍ଦ୍ରାପଡ଼ା ବହୁ ପଛରେ ପଡ଼ିଛି । ଶିଳ୍ପ ପ୍ରତିଷ୍ଠା ଲାଗି ପ୍ରମୁଖ ଆବଶ୍ୟକତା କୁହାଯାଉଥିବା ରେଳପଥ ନିର୍ମାଣ ବହୁ ବିଳମ୍ବରେ ସରିବା ପରେ ପ୍ରଥମ ମାଲବାହୀ ଟ୍ରେନ୍‌ ଓ ନିକଟରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା । ଯେତେବେଳେ କି ୧୯୯୮ ମସିହାରେ ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣ କାମ ଆରମ୍ଭ ହୋଇଥିଲା । ସାକ୍ଷରତା ହାରରେ କେନ୍ଦ୍ରାପଡ଼ା ଆଗରେ ଥିବା ବେଳେ ଏହାକୁ ଆଗେଇ ନେବା କ୍ଷେତ୍ରରେ ପ୍ରଶାସନିକ ଉଦ୍ୟମ ବହୁ ପଛରେ ପଡ଼ିଛି ।

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବହୁ ଦାବି ପରେ ମଧ୍ୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିପାରିଲା ନାହିଁ । ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦିଗରେ କୌଣସି ଉଦ୍ୟମ ହେଲା ନାହିଁ । ଯାହାକୁ ନେଇ ଜନଆନ୍ଦୋଳନ ତୀବ୍ର ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶାମାଗୁଡିଆକୁ ସ୍ଥାନାନ୍ତର ପରେ କଳେବର ବଢ଼ିଥିଲେ ମଧ୍ୟ ଅର୍ଦ୍ଧାଧିକ ସ୍ଥାୟୀ ଡାକ୍ତର ପଦବି ଖାଲିପଡ଼ିଛି । କୃଷିପ୍ରଧାନ କେନ୍ଦ୍ରାପଡ଼ା ଜିଲ୍ଲାରେ କୃଷି ଅବହେଳିତ । କୃଷି ଓ କୃଷକର ବିକାଶ ଲାଗି କୋଟି କୋଟି ଟଙ୍କା ଆସୁଥିଲେ ବି କର୍ମଚାରୀ ଅଭାବ ବାଧକ ସାଜିଛି । ସବୁ ଜମିକୁ ଚାଷ ପାଇଁ ପାଣି ପହଞ୍ଚି ପାରିଲା ନାହିଁ । ଅର୍ଦ୍ଧାଧିକ ପ୍ରତିଶତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ସ୍ଥାୟୀ ଗୃହ ତିଆରି ନୋହିଲା । ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପାଳିକା ଆଜି ବି ଅବହେଳିତ ହୋଇପଡ଼ିଛି । ଅନ୍ୟତମ ପୌରପାଳିକା ପଟ୍ଟାମୁଣ୍ଡାଇରେ ଏବେ ମଧ୍ୟ ମୌଳିକ ସେବା ଅପହଞ୍ଚ । ଭିତରକନିକା ସମେତ ଶ୍ରୀବଳଦେବଜିଉ ମନ୍ଦିର ସମେତ ମୋଟ ୧୨ଟି ପୀଠ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିଲେ ବି ଭିତ୍ତିଭୂମି ଅଭାବରୁ ବିକାଶ ଆଶାନୁରୂପକ ହୋଇପାରିନାହିଁ । ଲକ୍ଷାଧିକ ଲୋକ କାମଧନ୍ଦା ନପାଇ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି । ତେବେ ଭିତରକନିକାର ଭିତ୍ତିଭୂମି ବିକାଶ ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ୪୬.୯ କୋଟି ଟଙ୍କାର ଖର୍ଚ୍ଚ କରାଯିବାକୁ ଯୋଜନା ରହିଛି । ଜିଲ୍ଲାବାସୀ ୩୨ ବର୍ଷରେ ୪୯ ଜିଲ୍ଲାପାଳ ଦେଖି ସାରିଲାଣି । ତଥାପି ଜିଲ୍ଲାର ଆଶାନୁରୂପ ଉନ୍ନତି ହୋଇ ପାରିନଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।