ଭୁବନେଶ୍ୱର,୦୩/୧୧: ଚଳିତ ନଭେମ୍ୱର ମାସରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଖରିଫ୍‌ ଧାନ କିଣାଯିବ । କେଉଁ ଜିଲ୍ଲାରେ କେବେ ଧାନ କିଣାଯିବ, ସେ  ନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ନିଷ୍ପତ୍ତି ନେବେ ।  ଜିଲ୍ଲାପାଳମାନେ ଧାନ କିଣା ପରିଚାଳନା କାର୍ଯ୍ୟକୁ  ନିୟମିତ ସମୀକ୍ଷା କରିବେ ବୋଲି ମୁଖ୍ୟ ଶାସନ  ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି ।  

ଶନିବାର ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜାଙ୍କ  ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଧାନ କ୍ରୟ କମିଟି ବୈଠକ  ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ (ଖରିଫ୍‌ ଓ ରବି  )ରେ ମୋଟ ୭୯ ଲକ୍ଷ ମେଟ୍ରିକ୍‌ ଟନ ଧାନ ସଂଗ୍ରହ  ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ କେବଳ ଖରିଫ୍‌ରେ  ୬୫ ଲକ୍ଷ ମେଟ୍ରିକ୍‌ ଟନ ଧାନ କିଣାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଧାନ କିଣା ବେଳେ  ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)  ୨୩ଶହ ଟଙ୍କା ସହିତ ରାଜ୍ୟ ସରକାରଙ୍କ ତରଫରୁ ଇନପୁଟ୍‌ ସହାୟତା ୮ଶହ ଟଙ୍କା ମିଶାଇ ଦିଆଯିବ ।  ଧାନ କିଣିବାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ବ୍ୟାଙ୍କ  ଆକାଉଣ୍ଟକୁ ଟଙ୍କା ପହଞ୍ଚିବ । ଧାନ କିଣା ଆରମ୍ଭ ହେବା  ପୂର୍ବରୁ ମଣ୍ଡି ନୋଡାଲ ଅଫିସର, ସୁପରଭାଇଜର  ଓ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦିଆଯିବ । 

ଧାନ  କିଣା ସୁବ୍ୟବସ୍ଥା ପାଇଁ ଜିଲ୍ଲାପାଳମାନେ ଜିଲ୍ଲାରେ  ଜଣେ ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ  ନିୟୋଜିତ କରିବେ । ଯେଉଁମାନଙ୍କର ତଥ୍ୟ ଖାଦ୍ୟ  ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପୋର୍ଟାଲରେ  ରହିବ । ଚାଷୀମାନଙ୍କର ଅଭିଯୋଗକୁ ଜିଲ୍ଲା ନୋଡାଲ ଅଫିସରମାନେ ଗୁରୁତ୍ୱ ଦେଇ ସମାଧାନ କରିବେ ।  ଜିଲ୍ଲାପାଳମାନେ ଧାନ କିଣାର ସୁପରିଚାଳନା ପାଇଁ  ଆବଶ୍ୟକସ୍ଥଳେ ଅନ୍ୟ ଅଧିକାରୀମାନଙ୍କୁ ନିୟୋଜିତ  କରିପାରିବେ । ଖାଦ୍ୟ ନିଗମ ଅଧିକାରୀ, ସିଡିପିଓ,  ଯୋଗାଣ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ଜିଲ୍ଲା ସମବାୟ ନିବନ୍ଧକ, ସମବାୟ ନିରୀକ୍ଷକଙ୍କ ସହ  ନିୟମିତ ବୈଠକ ହେବ । ଜିଲ୍ଲାସ୍ତରୀୟ ବୈଠକରେ ଆରକ୍ଷୀ ଅଧୀକ୍ଷକଙ୍କୁ ସାମିଲ କରାଯିବାକୁ ପରାମର୍ଶ  ଦିଆଯାଇଛି । ଧାନ କିଣା ପୂର୍ବରୁ ସୋସାଇଟିସ୍ତରୀୟ ଧାନ  କିଣା କମିଟି ବୈଠକ ଅନୁଷ୍ଠିତ ହେବ । ୭ ଦିନ ମଧ୍ୟରେ ମଣ୍ଡିର ଭିତ୍ତିଭୂମି ତଥ୍ୟ ପିସିଏସ୍‌ଏପି ପୋର୍ଟାଲରେ  ରଖିବା ପାଇଁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧାନ କିଣା  ପୂର୍ବରୁ ମିଲର୍‌ମାନେ ଚୁକ୍ତି ଶେଷ କରିବେ । 

ସିକ୍ୟୁରିଟି  ଡିପୋଜିଟ କରି ଧାନ କ୍ରୟ କେନ୍ଦ୍ର ସହିତ ଯୋଡିବେ ।  ଧାନ କିଣା ପୂର୍ବରୁ ସମସ୍ତ ମିଲ୍‌ରେ ସ୍ମାର୍ଟ ମିଟର୍‌ ରହିବ ।  ମଣ୍ଡିରୁ ମିଲ, ମିଲ୍‌ରୁ ଡିପୋ ଟ୍ରାକିଂ ବ୍ୟବସ୍ଥା ରହିବ । ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି,  ମୁଖ୍ୟମନ୍ତ୍ରୀ ଧାନ କିଣା ପରିଚାଳନାକୁ ଗୁରୁତ୍ୱ  ଦେଉଛନ୍ତି । ଚାଷୀମାନେ ତାଙ୍କ କଷ୍ଟ ଉପାର୍ଜିତ ଧାନର  କିପରି ପ୍ରକୃତ ମୂଲ୍ୟ ପାଇବେ, ସେ ନେଇ ସରକାରଙ୍କ  ପ୍ରତିବଦ୍ଧତା ରହିଛି । ଧାନ କିଣା ନେଇ କୌଣସି ପ୍ରକାର  ଦୁର୍ନୀତି ଓ ଅବ୍ୟବସ୍ଥାକୁ ବରଦାସ୍ତ କରାଯିବ ନାହିଁ ।  ଧାନ ସଂଗ୍ରହ ନୀତି ଅନୁଯାୟୀ କ୍ଷୁଦ୍ର ଚାଷୀ ଓ ନାମମାତ୍ର  ଚାଷୀ ଏବଂ ପ୍ରକୃତ ଚାଷୀଙ୍କ ପଞ୍ଜିକରଣକୁ ଗୁରୁତ୍ୱ  ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।  

ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ ବିଭାଗ ପ୍ରମୁଖ ସଚିବ ବୀରବିକ୍ରମ ଯାଦବ,  ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସାକ୍ସେନା,  କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର  ଚୌଧୁରୀ, ଭାରତୀୟ ଖାଦ୍ୟ ନିଗମର ଆଞ୍ଚଳିକ  କାର୍ଯ୍ୟାଳୟର ସାଧାରଣ ପରିଚାଳକଙ୍କ ସମେତ  କମିଟିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।