ନୂଆଦିଲ୍ଲୀ ୧୨/୧୦: ଡେନ୍‌ମାର୍କର ଗବେଷକମାନେ ଏକ ନୂଆ ‘ବ୍ୟାୟାମ ବଟିକା’ ପ୍ରସ୍ତୁତ କରିଛନ୍ତି । ବିନା ପରିଶ୍ରମରେ ଏହା ବ୍ୟକ୍ତି ଉପରେ କଠିନ ବ୍ୟାୟାମର ସୁଫଳ ଓ ପ୍ରଭାବ ପକାଇବ ବୋଲି ସେମାନେ ଦାବି କରିଛନ୍ତି । ଏଗ୍ରିକଲ୍‌ଚରାଲ ଆଣ୍ଡ ଫୁଡ୍‌ କେମିଷ୍ଟ୍ରୀ ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ଏହି ବଟିକା ଲମ୍ବା ଦୂରତା ଦୌଡ଼ିବାର ସମାନ ସ୍ୱାସ୍ଥ୍ୟ ସୁଫଳ ପ୍ରଦାନ କରେ । ବଟିକାର ନାଁ ‘ଲେକ୍‌’ । ପ୍ରୟୋଗଶାଳାରେ ମୂଷାଙ୍କଠାରେ ଏହାର ପରୀକ୍ଷଣ କରାଯାଇଛି । ଶରୀରରୁ ବିଷାକ୍ତ ତତ୍ତ୍ୱ ବାହାର କରି ଏହା ହୃତ୍‌ପିଣ୍ଡକୁ ଶକ୍ତିଶାଳୀ କରିଥିବା ଲକ୍ଷ୍ୟ କରାଯାଇଛି ।

ମୁଖ୍ୟ ଅଧ୍ୟୟନକର୍ତ୍ତା ଆରହସ୍‌ ବିଶ୍ୱବିଦ୍ୟାଳୟର ଥୋମାସ ପଲ୍‌ସେନ କହିଛନ୍ତି ‘ଆମେ ଏକ ଅଣୁ ବିକଶିତ କରିଛୁ, ଯାହା କଠିନ ବ୍ୟାୟାମ ଓ ଉପବାସ ପ୍ରତି ଶରୀରର ପ୍ରାକୃତିକ ମେଟାବଲିକ୍‌ ପ୍ରତିକ୍ରିୟାର ନକଲ କରିବାରେ ସକ୍ଷମ । ଅଭ୍ୟାସରେ ଏହି ଅଣୁ ଶରୀରକୁ ଏକ ମେଟାବଲିକ୍‌ ଅବସ୍ଥାକୁ ଆଣେ, ଯାହା ଖାଲି ପେଟରେ ଦ୍ରୁତ ବେଗରେ ୧୦ କିମି ଦୌଡ଼ିବା ସହ ସମାନ । ଗବେଷକଙ୍କ ଅନୁସାରେ, ବ୍ୟାୟାମ ପରେ ଶରୀର ସାଧାରଣତଃ ଏକ ଉତ୍ତେଜନ ଅବଧିରେ ପ୍ରବେଶ କରେ ଯେଉଁଠି ଲାକ୍ଟେଟ୍‌ ଓ କେଟୋନ୍‌ର ସ୍ତର ବଢ଼େ । କ୍ଷୁଧା-ଦମନକାରୀ ହରମୋନ୍‌ର କ୍ଷରଣକୁ ଉତ୍ତେଜିତ କରିବା ସହିତ ରକ୍ତପ୍ରବାହରୁ ଫ୍ୟାଟି ଏସିଡ୍‌କୁ ମଧ୍ୟ ଏହା ବାହାର କରିଦିଏ । ଏଥିସହ ହୃଦ୍‌ରୋଗ, ଷ୍ଟ୍ରୋକ୍‌, ଟାଇପ୍‌-୨ ମଧୁମେହ ଭଳି ବିପଦକୁ ହ୍ରାସ କରି ଶରୀରର ପୁନଃନିର୍ମାଣ ପ୍ରଣାଳୀକୁ ତୀବ୍ର କରେ । ଲାକ୍ଟେଟ୍‌ କ୍ଷରଣ ମେଟାବଲିକ୍‌ କାର୍ଯ୍ୟକୁ ବଜାୟ ରଖିବାରେ ସାହାଯ୍ୟ କରେ । ଯକୃତ ଦ୍ୱାରା ଉତ୍ପନ୍ନ ହେଉଥିବା କେଟୋନ୍‌ ଶରୀର ଚର୍ବିକୁ ଶକ୍ତିରେ ରୂପାନ୍ତର ଆରମ୍ଭ କଲେ ଯେକୌଣସି ମୁହୂର୍ତ୍ତରେ କାମ କରେ । 

ଏହି ପ୍ରଭାବକୁ କେବଳ ଖାଦ୍ୟପେୟ ନିୟନ୍ତ୍ରଣ ମାଧ୍ୟମରେ ହାସଲ କରିବା ସମ୍ଭବ ନୁହେଁ । କାରଣ ଏସିଡ୍‌ ଓ ଲୁଣ ଭଳି ଉପ-ଉତ୍ପାଦ ବିନା ପ୍ରଚୁର ମାତ୍ରାରେ ଲାକ୍ଟେଟ୍‌ ଓ କେଟୋନ୍‌ର ସେବନ କରାଯାଇପାରେ ନାହିଁ ବୋଲି ଗବେଷକମାନେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେମାନେ ଲେକ୍‌ ବଟିକା ବିକଶିତ କରିଛନ୍ତି । କୌଣସି ହାନିକାରକ ତତ୍ତ୍ୱ ବିନା ଏଥିରେ ଲାକ୍ଟେଟ୍‌ ଓ କେଟୋନ୍‌ ରହିଛି । ଗବେଷକମାନେ ଦାବି କରିଛନ୍ତି, ଶରୀର ଦ୍ୱାରା ଉତ୍ପନ୍ନ ହେଉଥିବା ଲାକ୍ଟେଟ୍‌ ଓ କେଟୋନ୍‌ର ପରିମାଣକୁ ଲେକ୍‌ ସୁରକ୍ଷିତ ଓ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରିପାରେ । କୌଣସି କଠିନ ପରିଶ୍ରମ ବିନା ଏହି ବଟିକା ସୁଫଳ ପ୍ରଦାନ କରିବ । ଆହତ କିମ୍ବା କୌଣସି କାରଣରୁ ସ୍ୱାସ୍ଥ୍ୟାବସ୍ଥା ସହିତ ସାଲିସ କରୁଥିବା ଲୋକଙ୍କ ପାଇଁ ଏହା ଗେମ୍‌ ଚେଞ୍ଜର୍‌ ହେବ । ଦୁର୍ବଳ ହୃତ୍‌ପିଣ୍ଡ ଭଳି ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପକ୍ଷେ ନ ଖାଇ ଅନେକ କିମି ଦୌଡ଼ିବା ଅସମ୍ଭବ । ସେହି ଦୃଷ୍ଟିରୁ ଏଭଳି ଏକ ପୁଷ୍ଟିକର ପୂରକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପଲ୍‌ସେନ କହିଛନ୍ତି । ଏହାର ସୁରକ୍ଷା ଓ ପ୍ରଭାବକୁ ଜାଣିବା ପାଇଁ ଖୁବ୍‌ଶୀଘ୍ର ମାନବ ପରୀକ୍ଷଣ ହେବ । ସଫଳ ହେଲେ, ଲେକ୍‌ ବଟିକା ମଣିଷ ପାଇଁ ବଜାରରେ ଉପଲବ୍ଧ ହେବ ।