ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦିଲ୍ଲୀରେ ଏକ୍ୟୁଆଇ ୫୦୦ ପାର୍, କୃତ୍ରିମ ବର୍ଷା ଲାଗି କେନ୍ଦ୍ରକୁ ଚିଠି

Published By : Rasmita Pradhan | November 20, 2024 11:24 AM

ନୂଆଦିଲ୍ଲୀ, ୨୦/୧୧ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଅତି ବିପଜ୍ଜନକ ସ୍ତରରେ ରହିଛି । ମଙ୍ଗଳବାର ସକାଳ ୭ଟାରେ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ୫୦୦ରୁ ଅଧିକ ରେକର୍ଡ କରାଯାଇଥିଲା । ସେଥିମଧ୍ୟରେ ଆଲିପୁର, ଆନନ୍ଦ ବିହାର, ବୱାନା, ନରେଲା, ପୁସା ଓ ସୋନିଆ ବିହାର ସାମିଲ । ସେହିପରି ହାରାହାରି ଏକ୍ୟୁଆଇ ୪୯୪ ରହିଥିଲା ଯାହାକି ଏହି ସିଜିନ୍‌ରେ ସର୍ବାଧିକ । ପ୍ରଦୂଷଣ ଯୋଗୁ ଆଜି ରାଜଧାନୀରେ ବିମାନ ଓ ଟ୍ରେନ୍‌ ସେବା ପ୍ରଭାବିତ ହୋଇଛି । ୯ଟି ଟ୍ରେନ୍‌ର ସମୟକୁ ବଦଳା ଯାଇଥିବାବେଳେ ୨୨ଟି ଟ୍ରେନ୍‌ ବିଳମ୍ବିତ ହୋଇଛି । ସେପଟେ ଆଗ୍ରାରେ ଘନକୁହୁଡ଼ି ଯୋଗୁ ପର୍ଯ୍ୟଟକମାନଙ୍କୁ ମଙ୍ଗଳବାର ତାଜମହଲ ଠିକ୍‌ ଭାବେ ଦୃଶ୍ୟମାନ ହୋଇନଥିଲା । ଦିଲ୍ଲୀ ନିକଟବର୍ତ୍ତୀ ନୋଏଡ଼ାରେ ପ୍ରଦୂଷଣ ଓ ଘନକୁହୁଡି଼ ଯୋଗୁ ଇଷ୍ଟର୍ଣ୍ଣ ପେରିଫେରାଲ୍‌ ଏକ୍ସପ୍ରେସ୍‌-ୱେରେ ସକାଳେ ସିରିଜ୍‌ ଦୁର୍ଘଟଣା ଘଟିଛି । ଏକ ଟ୍ରକ୍‌ ପଛରେ ଆସୁଥିବା ୪ ଏସ୍‌ୟୁଭି କାର୍‌ ଓ କିଛି ବାଇକ୍‌ ପରସ୍ପର ସହିତ ବାଡ଼େଇ ହୋଇଯାଇଥିଲେ । ଏହି ଦୁର୍ଘଟଣାରେ ବାଇକ୍‌ରେ ଥିବା ୨ ଜଣ ପ୍ରାଣ ହରାଇଛନ୍ତି । ପରିସ୍ଥିତିର ଗୁରୁତ୍ୱକୁ ଦେଖି ଦିଲ୍ଲୀ ଏନ୍‌ସିଆରରେ ଦଶମ ଯାଏ ସ୍କୁଲକୁ ପୂର୍ବରୁ ଅନଲାଇନ୍‌ କରାଯାଇଥିଲା । 

ସୋମବାର ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଏକାଦଶ ଓ ଦ୍ୱାଦଶ କ୍ଲାସ୍‌କୁ ଅନ୍‌ଲାଇନ୍‌ରେ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିୟୁ, ଜେଏନ୍‌ୟୁ ଓ ଜାମିୟା ମିଲିୟା ଅଧୀନରେ ଆସୁଥିବା କଲେଜଗୁଡି଼କରେ କ୍ଲାସ୍‌ ୪ ଦିନ ଯାଏ ଭର୍ଚୁଆଲ ମୋଡ୍‌ରେ ଚାଲିବ । ପ୍ରଦୂଷଣ ବୃଦ୍ଧିକୁ ଦୃଷ୍ଟିରେ ରଖି କମିଶନ୍‌ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ(ସିଏକ୍ୟୁଏମ୍‌) ସୋମବାରଠାରୁ ଦିଲ୍ଲୀ-ଏନ୍‌ସିଆର୍‌ରେ ଗ୍ରେଡେଡ୍‌ ରେସପନ୍ସ ଆକ୍ସନ୍‌ ପ୍ଲାନ୍‌(ଗ୍ରାପ୍‌) ର ଚତୁର୍ଥ ପର୍ଯ୍ୟାୟକୁ ଲାଗୁ କରିଛନ୍ତି । ଏଥିସହିତ ପିଲା, ବୟସ୍କ, ଶ୍ୱାସରୋଗୀ ଓ ହୃଦ୍‌ରୋଗୀଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି । ସୁପ୍ରିମକୋର୍ଟ ନିଜ କର୍ମଚାରୀଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ବିଚାରପତିମାନଙ୍କୁ ଯେଉଁଠାରେ ସମ୍ଭବ ସେଠାରେ ଅନଲାଇନ୍‌ ଶୁଣାଣିକୁ ଅନୁମତି ଦେବାକୁ ଆଜି କହିଛନ୍ତି । 

ଇତିମଧ୍ୟରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି କୃତ୍ରିମ ବର୍ଷା କରାଇବାକୁ ଦାବି କରିଛନ୍ତି । କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ, ଦିଲ୍ଲୀରେ ପ୍ରଦୂଷଣ ଅତି ଗମ୍ଭୀର ଶ୍ରେଣୀରେ ରହିଛି । ତାର ମୁକାବିଲା ଲାଗି କୃତ୍ରିମ ବର୍ଷା ଜରୁରି । ଏହା ମେଡିକାଲ ଏମର୍ଜେନ୍ସି ବୋଲି ସେ ଦର୍ଶାଇଛନ୍ତି । ପ୍ରଦୂଷଣକୁ ଦେଖି ଗତକାଲି ସୁପ୍ରିମକୋର୍ଟ ଦିଲ୍ଲୀ-ଏନ୍‌ସିଆର ଅନ୍ତର୍ଗତ ରାଜ୍ୟ ସରକାରଙ୍କୁ ସ୍କୁଲ ବନ୍ଦ କରିବାକୁ କହିଥିଲେ । ଏକ୍ୟୁଆଇକୁ କମ୍‌ କରିବା ଲାଗି ଗ୍ରାପ୍‌-୩ ଓ ଗ୍ରାପ୍‌ ୪ର ସମସ୍ତ ଜରୁରି କଟକଣାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେବଳ ସେତିକି ନୁହେଁ, ଏକ୍ୟୁଆଇ ୪୫୦ ତଳକୁ ଆସିଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ଗ୍ରାପ୍‌-୪ କଟକଣାକୁ ନ ହଟାଇବାକୁ କୁହାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.