ଭୁବନେଶ୍ୱର, ୦୬/୦୫ : ଅବକାରୀ ବିଭାଗରେ ସାଂଘାତିକ କେଳେଙ୍କାରୀ ସାମନାକୁ ଆସିଛି । ବିନା ଲାଇସେନ୍ସରେ ରାଜ୍ୟରେ ଚାଲିଛି ସରକାରୀ ମଦ ଦୋକାନ । ସବୁ ଦେଖି ନ ଦେଖିଲା ଭଳି ହେଉଛି ଅବକାରୀ ବିଭାଗ । ଗତ ୧ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଠିପି ବନ୍ଦ ଓ ଖୋଲା ଦୋକାନକୁ ଲାଇସେନ୍ସ ଦେଇ ନାହାନ୍ତି ସରକାର । ବେଆଇନ ଭାବେ ସବୁ ଦୋକାନ ଏବେ ବେପାର କରୁଛନ୍ତି । ବର୍ତ୍ତମାନ ରାଜ୍ୟ ୧୧୧୩ ଟି ଠିପ୍‌ ବନ୍ଦ ମଦ ଦୋକାନ (ବିଦେଶୀ), ୬୫୧ ଠିପି ଖୋଲା (ବାର୍‌, ପବ୍‌ ଓ ହୋଟେଲ୍‌) ଓ ୧୭୪ଟି ଦେଶୀ ମଦ ଦୋକାନ ରହିଛି । 

ନିୟମ କହୁଛି ପ୍ରତିବର୍ଷ (ଆର୍ଥିକ ବର୍ଷ) ଏମାନଙ୍କ ଲାଇସେନ୍ସ ନବୀକରଣ କରିବାକୁ ପଡ଼େ । ପ୍ରତିବର୍ଷ ଏପ୍ରିଲ୍‌ ୧ରେ ଏ ସବୁ ଦୋକାନୀଙ୍କୁ ଲାଇସେନ୍ସ ଦିଆଯାଏ । ନବୀକରଣ ଲାଇସେନ୍ସ ପାଇବାକୁ ହେଲେ ଅବକାରୀ ଥାନାରୁ ଏନ୍‌ଓସି ଆଣି ବିଭାଗରେ ଆବେଦନ କରିବାକୁ ପଡ଼େ । ଯଦି କୌଣସି ଦୋକାନ ମିନିମମ୍‌ ଗ୍ୟାରେଣ୍ଟେଡ୍‌ କ୍ୱାଣ୍ଟିଟି (ଏମ୍‌ଜିକ୍ୟୁ)ପୂରଣ କରିନଥିବେ ତା’ହେଲେ ତାକୁ ଲାଇସେନ୍ସ ମିଳିବ ନାହିଁ । ମାର୍ଚ୍ଚ ଶେଷରେ ମଦ ଦୋକାନୀମାନେ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିଥିଲେ । ହେଲେ ସରକାର କାହାକୁ ଲାଇସେନ୍ସ ଦେଲେନାହିଁ । ବରଂ ବିଭାଗ ପକ୍ଷରୁ ଏକ ମାସିକିଆ ବିଜ୍ଞପ୍ତି ଜାରି କରାଗଲା । ଯାହାର ଅବଧି ଥିଲା ଏପ୍ରିଲ୍‌ ୧ରୁ ୩୦ ତାରିଖ ପର୍ଯ୍ୟନ୍ତ । ଏପ୍ରିଲ୍‌ ଯାଇ ମେ’ ପ୍ରଥମ ସପ୍ତାହ ବିତିବାକୁ ବସିଲାଣି । ହେଲେ ଏପର୍ଯ୍ୟନ୍ତ ରାଜ୍ୟର କୌଣସି ଦୋକାନକୁ ନବୀକରଣ ଲାଇସେନ୍ସ ଦିଆଯାଇ ନାହିଁ କି ଏପ୍ରିଲ୍‌ ଭଳି ମେ’ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ । 

ବେଆଇନ ଭାବେ ସବୁ ଦୋକାନରେ ମଦ ବେପାର ହେଉଛି । ବର୍ଷକ ପାଇଁ ଠିପି ବନ୍ଦ ମଦ ଦୋକାନର ଲାଇସେନ୍ସ ଫି’ ମାସକୁ ୨ ଲକ୍ଷ ୬୨ ହଜାର ୭୫୦ ଟଙ୍କା ଓ ଠିପି ଖୋଲା ପାଇଁ ୧ ଲକ୍ଷ ୯୯ ହଜାର ୮୭୫ ଟଙ୍କା । ଏବେ ମାସିକିଆ ଲାଇସେନ୍ସ ଫି ବଢ଼ାଇବାକୁ ସରକାର ଯୋଜନା କରୁଛନ୍ତି । ସେଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଘନଘନ ବୈଠକ ବସୁଛି । ତେଣୁ ଲାଇସେନ୍ସ ନବୀକରଣରେ ବିଳମ୍ବ ହେଉଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଲାଇସେନ୍ସ ନବୀକରଣରେ ବିଳମ୍ବ ହେତୁ ଦୋକାନୀମାନଙ୍କ ମନରେ ସନ୍ଦେହ ସୃଷ୍ଟି ହେଲାଣି । ଏହାର ଫାଇଦା ନେଇ ଦଲାଲ୍‌ମାନେ ସକ୍ରିୟ ହୋଇଯାଇଛନ୍ତି । ଦୋକାନୀମାନଙ୍କୁ ଧମକ ଚମକ ଦେଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛନ୍ତି । ଟଙ୍କା ନ ଦେଲେ ସମସ୍ୟାରେ ପଡ଼ିବ ବୋଲି କହୁଛନ୍ତି । ଭୟରେ ମଦ ଦୋକାନ ମାଲିକମାନେ ଟଙ୍କା ଦେଉଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ବଦଳିଲା ଶାହଙ୍କ ଓଡ଼ିଶା ଗସ୍ତ ସୂଚୀ, ୧୦ରେ ସମ୍ବଲପୁର ଏବଂ ୧୧ରେ ଭୁବନେଶ୍ୱରରେ ସଭା