ଭୁବନେଶ୍ୱର,୧୮/୦୪: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ଗେଜେଟ୍ ବିଜ୍ଞପ୍ତି ଜାରି ସହ ଆରମ୍ଭ ହେବ ନାମାଙ୍କନପତ୍ର ଦାଖଲ । ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ସହ ସଂଲଗ୍ନ ୨୮ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ମେ ୧୩ରେ ଭୋଟ ଗ୍ରହଣ କରାଯିବ ।
ନିର୍ବାଚନ କମିଶନଙ୍କ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ୧୮ ତାରିଖ (ଗୁରୁବାର)ରେ ବିଜ୍ଞପ୍ତି ସହ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେବ । ପ୍ରାର୍ଥୀମାନେ ୨୫ ଯାଏ ନାମାଙ୍କନପତ୍ର ଦାଖଲ କରିପାରିବେ । ୨୬ରେ ନାମାଙ୍କନପତ୍ର ଯାଞ୍ଚ ହୋଇ ବୈଧ ତାଲିକା ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୨୯ ।
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ ବେଳେ ନିଜର ଏବଂ ପରିବାର ସଦସ୍ୟଙ୍କ ସମ୍ପତ୍ତି, ଋଣ ସହ ଅପରାଧିକ ମାମଲା ସଂପର୍କିତ ସତ୍ୟପାଠ ଦାଖଲ କରିବାକୁ ହେବ । ସାଂସଦ ପ୍ରାର୍ଥୀମାନେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚଜନ ଅଧିକାରୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିବେ । ବିଧାୟକ ପ୍ରାର୍ଥୀମାନେ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିବେ ।
ଉଲ୍ଲେଖଯୋଗ୍ୟ, ପ୍ରଥମ ଦଫା ଭୋଟ ପାଇଁ ବିଜେପି ଏଯାଏ କୋରାପୁଟ ଲୋକସଭା ଅନ୍ତର୍ଗତ ଜୟପୁର ବିଧାନସଭା ଆସନ ପାଇଁ ଯୋଦ୍ଧା ସ୍ଥିର କରିନି । ସେହିଭଳି କଂଗ୍ରେସ ମଧ୍ୟ ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଛତ୍ରପୁର ଓ ଗୋପାଳପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି ।
ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନିପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ । ଏହାସହ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀରେ ଭୋଟରମାନେ ନିଜ ପସନ୍ଦର ପ୍ରାର୍ଥୀ ଚୟନ କରିବେ ।