ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୧ ଘଣ୍ଟା ପରେ କୋଳକୁ ଫେରିଲା ମାଙ୍କଡ଼ ଛୁଆ, ଚୋରି କରିଥିଲେ ୨ ବାଳକ

ପୁରୀ, ୧।୫ (ବିକ୍ରମ କେଶରୀ ଆଚାର୍ଯ୍ୟ): ମୋ ପିଲାକୁ ନେଇଯାଉଛି... । ମୋ ଦେଢ଼ ମାସର ଛୁଆ କ୍ଷୀର ଛାଡ଼ିନି... । ମୋ କୋଳରୁ ତାକୁ ଛଡ଼ାଇ ନିଅନି... । ବୋଧେ ଏମିତି କହି ମା’ ମାଙ୍କଡ଼ଟି ଦୁଇ ହାତ ଯୋଡ଼ି ଚିତ୍କାର କରୁଥିଲା । ଚିଁ ଚିଁ ହୋଇ ରଡ଼ି ଛାଡ଼ୁଥିବା ଛୁଆ ପଛରେ ବି ସେ କିଛି ଦୂର ଦୌଡ଼ି ଥିଲା । ୨ ଗୋଡ଼ରେ ଛିଡ଼ା ହୋଇ ତା’ ଛୁଆକୁ ନେଇ ପଳାଉଥିବା ମଣିଷର ବାଟ ଓଗାଳୁଥିଲା । ହେଲେ ଛୁଆର ୪ ଗୋଡ଼କୁ ଛନ୍ଦି ବେକକୁ ଚାପି ଧରି ଏକ ମୁହାଁ ହୋଇ ଦୌଡ଼ୁଥିବା ମଣିଷ ହାତରୁ ଛୁଆକୁ ଉଦ୍ଧାର କରି ପାରି ନଥିଲା ଅସହାୟ ମାଙ୍କଡ଼ । ଉପସ୍ଥିତ ଥିବା ଲୋକଙ୍କ ଗୋଡ଼କୁ ଜାବୁଡ଼ି ଧରି ତଳେ ମୁଣ୍ଡ ପିଟି ଦେଉଥିଲା । ପଶୁ ହେଲେ ମଧ୍ୟ ମା’ କୋଳରୁ ପିଲାଟିଏ ବିଚ୍ଛିନ୍ନ ହେବାର ବେଦନା ତା’ର ଆଚରଣ ଓ ଉଚ୍ଚାରଣରୁ ବୁଝା ପଡୁଥିଲା । ମା’ ମାଙ୍କଡ଼ର ଏହି ବେଦନା ସ୍ଥାନୀୟ ଲୋକେ ବୁଝିବା ବେଳକୁ ଆଖି ପିଛୁଳାକେ ୨ ଜଣ ନାବାଳକ ତା’ର ଛୁଆକୁ ନେଇ ଉଭାନ୍‌ ହୋଇ ଯାଇଥିଲେ । ନିକଟ ଏକ ଔଷଧ ଦୋକାନର ସିସିଟିଭିରେ ଏହି ଦୃଶ୍ୟ ରେକର୍ଡ ହୋଇଥିଲା । ଏହି ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଲା । 

ଶେଷରେ ମା’ ମାଙ୍କଡ଼(ଚମ୍ପି)ର ଏହି ଆଚରଣ ଦେଖି ସ୍ଥାନୀୟ ଯୁବକଙ୍କ ଉଦ୍ୟମ ଯୋଗୁଁ ୨୧ ଘଣ୍ଟା ପରେ ମା’ ଚମ୍ପି କୋଳକୁ ଫେରିଛି ତା’ ଛୁଆ ଚାନ୍ଦି । ଚାନ୍ଦି ପାଇଁ ଚମ୍ପି ପୂରା ଗୋଟିଏ ଦିନ ନଖାଇ ନପିଇ ଡାକ୍ତରଖାନା ଛକ ଆଖପାଖରେ ବୁଲୁଥିଲା । ଏହି ଭାଇରାଲ୍‌ ଭିଡିଓ ଆଜି କେବଳ ପୁରୀ ସହରରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା ତାହା ନୁହେଁ ଅନେକ ପଶୁପ୍ରେମୀ ମଧ୍ୟ ଏନେଇ ଚିନ୍ତା ପ୍ରକଟ କରିଥିଲେ । ପ୍ରାୟ ବର୍ଷକ ତଳର କଥା । ମା’ ମାଙ୍କଡ଼ ବିଦ୍ୟୁତ୍‌ ଆଘାତରେ ଘାଇଲା ହୋଇ ମେଡିକାଲ୍‌ ଛକ  ଭକ୍ତ ସାଲବେଗ ପୀଠସ୍ଥିତ ଏକ ସେଲୁନ୍‌ ପାଖରେ ପଡ଼ିଥିଲା । ହେରାଗୋହିରୀ ସାହିର ସୁବ୍ରତ ବାରିକ, ସାଲବେଗ ଲେନ୍‌ର ମାନସ କୁମାର ଓଝା ଏବଂ ସ୍ଥାନୀୟ ଲୋକେ ଏହି ମାଙ୍କଡ଼କୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ । ସୁସ୍ଥ ହେବା ପରେ ନୂଆ ଜୀବନ ପାଇବା ପରେ ମାଙ୍କଡ଼ଟି ଡାକ୍ତରଖାନା ଛକ ଓ ସାଲବେଗ ଲେନ୍‌ରେ ଆଶ୍ରୟ ନେଇଥିଲା । ସେଠାକାର ଲୋକେ ତା’ ନାଁ ଦେଇଥିଲେ ଚମ୍ପି । ତାକୁ କେହି ପୋଷି ନ ଥିଲେ । ହେଲେ ପୋଷା ମାଙ୍କଡ଼ ପରି ସେ ସମସ୍ତଙ୍କ ଘରେ ପଶୁଥିଲା । 

ପରିବାର ଲୋକଙ୍କ ଭଳି ଚମ୍ପି ସଭିଙ୍କ ହାତରୁ ଖାଇ ପିଇ ବଞ୍ଚିଥିଲା । କିଛି ଦିନ ପରେ ଚମ୍ପି ଏକ ମାଈ ଛୁଆଟିଏ ଜନ୍ମ ଦେଇଥିଲା । ସ୍ଥାନୀୟ ଲୋକେ ଛୁଆର ନାଁ ଦେଇଥିଲେ ଚାନ୍ଦି । ଛୁଆଟି ମଧ୍ୟ ମା’ ଭଳି ମଣିଷଙ୍କ ପାଖରେ ବଢ଼ିଥିଲା । ଭୟ କ’ଣ ଜାଣି ନଥିଲା । ମା’ ସହ ସ୍ଥାନୀୟ ଲୋକଙ୍କ ସ୍ନେହ ଆଦର ପାଇ ଡାକ୍ତରଖାନା ଛକରେ ପ୍ରତି ଦୋକାନରେ ପଶି ମଣିଷଙ୍କ ଭଳି ଚଳୁଥିଲା ଚାନ୍ଦି । ଏପରିକି ସେହି ଅଞ୍ଚଳର କୁକୁର, ବିଲେଇଙ୍କ ସହ ମଧ୍ୟ ମା’ ଓ ଛୁଆଙ୍କ ଥିଲା ମଧୁର ସମ୍ପର୍କ । ସୋମବାର ସନ୍ଧ୍ୟା ୫ଟା । ଡାକ୍ତରଖାନା ଛକସ୍ଥିତ ଏକ ଔଷଧ ଦୋକାନ ସାମ୍‌ନାରେ ଚାନ୍ଦି ଆଉ ଚମ୍ପି ବସି ଫଳ ଖାଉଥିଲେ । ଏହି ସମୟରେ ୨ ଜଣ ନାବାଳକ ସେଠାରେ ପହଞ୍ଚିଥିଲେ । ଜଣେ କିଛି ଖାଦ୍ୟ ତଳେ ଥୋଇ ଚାନ୍ଦିକୁ ଡାକିଥିଲା । ହେଲେ ଏହା ପଛରେ ସେମାନଙ୍କର ଅନ୍ୟ ଉଦ୍ଦେଶ୍ୟ ଯେ ଥିଲା ତାକୁ ଜାଣି ପାରି ନଥିଲା । ମା’ଠାରୁ ଅଲଗା ହୋଇ ଛୁଆଟି ଖାଦ୍ୟ ଖାଉଥିବା ବେଳେ ହଠାତ୍‌ ଅନ୍ୟ ଯୁବକ ଜଣକ ତା’ର ଟି-ସାର୍ଟ ଖୋଲି ସେଥିରେ ଛୁଆଟିକୁ ଗୁଡ଼ାଇ ନେଇ ଦୌଡ଼ି ପଳାଇଥିଲା । ଏହାପରେ ଦୁଃଖରେ ଭାଙ୍ଗି ପଡ଼ିଥିଲା ଚମ୍ପି । ଯାହାକୁ ପାଇଲା ତା’ ଗୋଡ଼ ଧରିଥିଲା । ତା’ ଆଖିରୁ ଲୁହ ବୋହୁଥିଲା । ଯିଏ ଯାହା ଦେଲେ ବି ଖାଉ ନ ଥିଲା । 

ସାଲବେଗ ଲେନ୍‌ରେ ଗୋଟି ଗୋଟି କରି ଘରେ ପଶି ଚାନ୍ଦିକୁ ଖୋଜିଥିଲା । ସେ ଭାବୁଥିଲା ବୋଧେ ତା’ ଛୁଆକୁ କେହି ଲୁଚାଇ ଦେଇଛି । ରାତି ତମାମ ସେହି ଲେନ୍‌ରେ ନିସ୍ତବ୍ଧ ହୋଇ ବସି ରହିଥିଲା ଚମ୍ପି । ରାତି ପାହି ସକାଳ ହେଲା ତଥାପି କିଛି ଖାଇ ନଥିଲା ବୋଲି ସ୍ଥାନୀୟ ବାସୀନ୍ଦା କହିଛନ୍ତି । ମୋବାଇଲ୍‌ରେ ଥିବା ତା’ ଛୁଆର ଫଟୋକୁ ଲୋକେ ତାକୁ ଦେଖାଇଥିଲେ । ଛୁଆ ଫଟୋକୁ ଦେଖି ମୋବାଇଲ୍‌ ଝିଙ୍କି ନେଇ ଫଟୋକୁ ଦୀର୍ଘ ସମୟ ଧରି ଦେଖୁଥିଲା । ତା’ର ଏହି ବ୍ୟାକୁଳତା ସ୍ଥାନୀୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା । ଚମ୍ପି ତା’ ଛୁଆ ଚୋରର ସିସିଟିଭି ଫୁଟେଜ୍‌ ଓ ମୋବାଇଲରେ ଥିବା ତା ଛୁଆର ଫଟୋକୁ ଦେଖି କାନ୍ଦୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ଏପରିକି ସିନେ ଅଭିନେତା ସବ୍ୟସାଚୀ ମହାପାତ୍ର ମଧ୍ୟ ଏହି ଭିଡିଓକୁ ପୋଷ୍ଟ କରି ମାଙ୍କଡ଼ ଛୁଆକୁ ଫେରାଇବା ପାଇଁ ନିବେଦନ କରିଥିଲେ । ଏହାପରେ ସ୍ଥାନୀୟ ଯୁବକମାନେ ଖୋଳତାଡ଼ କରିବାରୁ ଜଣାପଡ଼ିଥିଲା, ଟାଉନ୍‌ ଥାନା ଅଧୀନ ଚୁଡ଼ଙ୍ଗ ସାହିର ୨ ଜଣ ନାବାଳକ ଏହି ଛୁଆକୁ ନେଇ ପଳାଇଥିଲେ । 

ପଶୁପ୍ରେମୀ ଜ୍ଞାନରଞ୍ଜନ ମହାନ୍ତି ଓ ସାଲବେଗ ଲେନ୍‌ର କିଛି ଯୁବକ ଏହି ନାବାଳକ ଘରେ ପହଞ୍ଚି ମାଙ୍କଡ଼ ଛୁଆକୁ ଉଦ୍ଧାର କରିଥିଲେ । ନାବାଳକ ଅନ୍ୟ ଏକ ଅଣ୍ଡିରା ମାଙ୍କଡ଼ ଘରେ ପୋଶିଥିବା କହିଥିଲା । ଘରେ ଥିବା ମାଙ୍କଡ଼ ଏକୁଟିଆ ରହୁଥିବା ଯୋଗୁଁ ସେ ଏହି ମାଙ୍କଡ଼ ଛୁଆକୁ ନେଇଆସିଥିବା କହିଥିଲା । ଅପରାହ୍ନ ୨ଟାରେ ସାଲବେଗ ଲେନ୍‌ରେ ଚାନ୍ଦି ପହଞ୍ଚିବା ବେଳେ କ୍ଷୀପ୍ରବେଗରେ ଲମ୍ଫ ମାରି ଆସିଥିଲା ଚମ୍ପି । ଜ୍ଞାନଙ୍କ ହାତରୁ ଛୁଆ ଚାନ୍ଦିକୁ ଛଡ଼ାଇ ନେଇ କୋଳରେ ଜାବୁଡ଼ି ଧରିଥିଲା । କିନ୍ତୁ କାହା ମୁହଁକୁ ଚମ୍ପି ଚାହିଁ ନଥିଲା । ଗୋଷ୍ଠୀରୁ ବିଦା ହେବା ପରେ ଯେଉଁ ମଣିଷମାନଙ୍କ ଆଦରରେ ଛୁଆକୁ ନେଇ ବଞ୍ଚୁଥିଲା ଏବେ ସେହିମାନଙ୍କୁ ଦେଖିଲେ ପାଞ୍ଚ ପାଦ ପଛକୁ ପଳାଉଛି ଚମ୍ପି । ଯେଉଁମାନେ ତାକୁ ଆଦର କରୁଥିଲେ ସେମାନେ ତା’ ଛୁଆକୁ ଫେରାଇ ଆଣିବାରେ ସହଯୋଗ କରିଥିଲେ ମଧ୍ୟ ଜୀବଟି ଯେମିତି ସବୁଦିନ ପାଇଁ ମଣିଷ ଉପରୁ ବିଶ୍ୱାସ ହରାଇଥିଲା । ଛୁଆକୁ କାହା ପାଖକୁ ଛାଡ଼ି ନଥିଲା । ସେପଟେ ଛୁଆ ଫେରିଆସିବା ପରେ ସାଲବେଗ ଲେନ୍‌ ଓ ଡାକ୍ତରଖାନା ଛକରେ ଲୋକଙ୍କ ଭିଡ଼ ଜମିଥିଲା । ମା’ ଓ ଛୁଆଙ୍କ ଖୁସି ଦେଖି ଆନନ୍ଦରେ ସଭିଙ୍କ ଆଖି ଭିଜିଯାଇଥିଲା । ଯାହା ବନ ବିଭାଗ କରି ପାରିଲାନି ତାହା ସ୍ଥାନୀୟ ଯୁବକମାନେ କରି ଦେଖାଇଥିଲେ ବୋଲି ପଶୁପ୍ରେମୀମାନେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.