ଭୁବନେଶ୍ୱର, ୦୧/୦୫ : ବାରିପଦା ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ୍ । ବାଲେଶ୍ୱର ୪୬ ଡିଗ୍ରୀ, ଭୁବନେଶ୍ୱର ୪୫.୭ ଡିଗ୍ରୀ ସେଲସିୟସ୍ । ମନେ ହେଉଥିଲା, ସୂର୍ଯ୍ୟଦେବ ଓଡ଼ିଶା ଉପରେ ରାଗି ପାଚି ଲାଲ୍, ଆଉ ତାଙ୍କ କ୍ରୋଧରେ ଓଡ଼ିଶା ଛାରଖାର ହୋଇଯିବ । ସାରା ପ୍ରାଣୀ ଜଗତ ଜଳିପୋଡ଼ି ପାଉଁଶ ପାଲଟିଯିବ । ମଙ୍ଗଳବାର ଥିଲା ଚଳିତ ଗ୍ରୀଷ୍ମର ବର୍ତ୍ତମାନ ସୁଦ୍ଧା ସବୁଠୁ ଉତ୍ତପ୍ତ ଦିନ । ୪୪ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାତିରେ ଜଳିଥିଲା ରାଜ୍ୟର ୧୫ ସହର । ୨୪ ସହରରେ ପାରଦ ୪୩ ଡିଗ୍ରୀ ପାର୍ କରିଥିଲା । ବାରିପଦା ବିଶ୍ୱର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିବାବେଳେ ବାଲେଶ୍ୱର ତୃତୀୟ ଓ ଭୁବନେଶ୍ୱର ୧୦ମ ସ୍ଥାନରେ ରହିଛି ।
ଏହି ଅଲୋଡ଼ା ରେକର୍ଡ ହିଁ ଦର୍ଶାଉଛି, ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ କେଉଁ ସାଂଘାତିକ ସ୍ତରରେ ପହଞ୍ଚିଛି । ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ଧରାକୋଟରେ ଅଂଶୁଘାତରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମାଲକାନଗିରିରେ ଜଣେ ବିଦ୍ୟୁତ କର୍ମଚାରୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ମିଳିଛି । ଭୁବନେଶ୍ୱରରେ ୫ଜଣ ଅଂଶୁଘାତ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଆସିଥିବା ଜଣାପଡ଼ିଛି । ପାଣିପାଗ ପୂର୍ବାନୁମାନ ଯାହା, ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ (ସିଭିୟର ହିଟ୍ ୱେଭ୍) ଓ ରେଡ୍ ୱାର୍ଣ୍ଣିଂ ସ୍ଥିତି ବଳବତ୍ତର ରହିବ । ତା’ପରେ ସାମାନ୍ୟ ତାତି କମିବ । ତଥାପି ୫ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ୭ ତାରିଖବେଳକୁ ପାଗରେ ବଡ଼ ପରିବର୍ତ୍ତନ ଆସିପାରେ । ପବନର ଦିଗ ବଦଳିବ । ବାୟୁମଣ୍ଡଳରେ ଜଳୀୟବାଷ୍ପ ବଢ଼ିବା ସହ ବହୁ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ତାପମାତ୍ରାରେ ବଡ଼ ଧରଣର ହ୍ରାସ ଘଟିବ । ଆସନ୍ତା ୪/୫ରୁ ଉପକୂଳ ଓଡ଼ିଶାରେ ପାଗରେ ତାତିରୁ ବଡ଼ ଆଶ୍ୱସ୍ତି ମିଳିପାରେ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ରାଜ୍ୟକୁ ମଙ୍ଗଳବାର ପଶ୍ଚିମ ପଟୁ ଶକ୍ତିଶାଳୀ ତତଲା ପବନ ବହୁଥିଲା ଘଣ୍ଟା ପ୍ରତି ୪୦-୪୫ କିଲୋମିଟର ବେଗରେ । ଭୂପୃଷ୍ଠରୁ ୯୦୦ ମିଟର ଉପରେ ପ୍ରବାହିତ ହେଉଥିଲା । ଏଥିପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା ।
ବୁଧବାର ଦିନ ସାମାନ୍ୟ ବଦଳି ଦକ୍ଷିଣ-ପଶ୍ଚିମରୁ ପବନ ପ୍ରବାହିତ ହୋଇପାରେ । ତାତି ଜାରି ରହିଲେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣରେ ପାରଦ ୧ରୁ ୨ ଡିଗ୍ରୀ ଖସିପାରେ । ୪୪ ଡିଗ୍ରୀ ତଳକୁ ଖସିପାରେ ତାପମାତ୍ରା । ଡ. ସାହୁଙ୍କ ଆକଳନ ହେଲା, ଆସନ୍ତାକାଲିଠାରୁ ତାପମାତ୍ରା ସାମାନ୍ୟ କମିପାରେ । ତଥାପି ୫ ତାରିଖ ପର୍ଯ୍ୟନ୍ତ ବଡ଼ ଆଶ୍ୱସ୍ତି ସମ୍ଭାବନା ନାହିଁ । ତାପମାତ୍ରା ପ୍ରାୟତଃ ୪୦-୪୩ ଡିଗ୍ରୀ ସେଲସିୟସ୍ ଭିତରେ ରହିପାରେ । ୬ରୁ ପାଗ ବଦଳିବ । ତାତି କମିବ, ଆଶ୍ୱସ୍ତି ମିଳିବ । ୬ ତାରିଖରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୭-୩୮ ଡିଗ୍ରୀ ପାଖାପାଖି ରହିବ । ମୁଖ୍ୟତଃ ସବୁଠି ପାରଦ ୪୦ ତଳକୁ ଖସିପାରେ । ସାମୁଦ୍ରିକ ପବନ ବଢ଼ିବା ଯୋଗୁ ଉପକୂଳରେ ଭଲ ବର୍ଷା ହୋଇପାରେ । ଆସନ୍ତା ୭,୮,୯, ୧୦ ତାରିଖରେୀ କାଳବୈଶାଖୀ ବର୍ଷା ବିସ୍ତୃତ ଅଞ୍ଚଳରେ ସମ୍ଭାବନା ଅଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ସମାନ ଦିଗରେ ପୂର୍ବାନୁମାନ ଦେଖାଇଛନ୍ତି । ତାଙ୍କ କହିବାନୁସାରେ ୬ରୁ ପାଗ ପରିବର୍ତ୍ତନ ହେବ । ଆସନ୍ତା ୭, ୮, ୯, ୧୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ସହ ଅନେକ ସ୍ଥାନରେ ବର୍ଷା ହୋଇପାରେ । ବାଲେଶ୍ୱରରୁ ଗୋପାଳପୁର ଯାଏଁ ଉପକୂଳ ଅଞ୍ଚଳ ଏବଂ ସଂଲଗ୍ନ ସ୍ଥାନଗୁଡ଼ିକରେ ଅପେକ୍ଷାକୃତ ଅଧିକ ବର୍ଷା ହେବ । ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ପାରଦ ୪ରୁ ୫ ଡିଗ୍ରୀ କମିପାରେ ।
ବୁଧବାର ଭୁବନେଶ୍ୱର ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ୨ ତାରିଖରେ ତାତି ସାମାନ୍ୟ କମିବ । ୩ରେ ପୁଣି ବଢ଼ିବ ଗରମ । ଆଭ୍ୟନ୍ତରୀଣ ଅଞ୍ଚଳରେ ୫ ତାରିଖ ଯାଏଁ ତାତି ଜାରି ରହିବ । ଆସନ୍ତା ଦୁଇଦିନ ବାରିପଦା, ଝାରସୁଗୁଡ଼ା, ଅବିଭକ୍ତ କୋରାପୁଟ, କଳାହାଣ୍ଡିରେ ତାପମାତ୍ରା କମିପାରେ । ପାଣିପାଗ ବିଭାଗ ଚେତାଇ ଦେଇଛି, ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ବୌଦ୍ଧରେ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ୱାର୍ଣ୍ଣିଂ କରାଯାଇଛି । ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ନୂଆପଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ମାଲାକାନଗିରିରେ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ, ନବରଙ୍ଗପୁର, ଗଜପତି, ରାୟଗଡ଼ାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କୋରାପୁଟ, ପୁରୀ, ଗଞ୍ଜାମରେ ଗରମ ସହ ଭୀଷଣ ଗୁଳୁଗୁଳି ଅସ୍ତବ୍ୟସ୍ତ କରିପାରେ । ବାରିପଦାରେ ଆଜି ସର୍ବକାଳୀନ ତାତି ରେକର୍ଡ ହୋଇଛି ।
ପୂର୍ବରୁ ୨୦୧୦ ଏପ୍ରିଲ ୨୧ରେ ବାରିପଦା ତାତି ୪୬.୧ ଡିଗ୍ରୀ ଛୁଇଁଥିଲା । ଆଜି ସ୍ୱାଭାବିକଠାରୁ ପ୍ରାୟ ୯ ଡିଗ୍ରୀ ଅଧିକ ଉତ୍ତପ୍ତ ଥିଲା ବାରିପଦା । ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୧୦.୧ ଡିଗ୍ରୀ ବଢ଼ିଯାଇଛି । ବାଲେଶ୍ୱରରେ ଏପ୍ରିଲ ମାସରେ ତାତି କେବେ ଏତେ ବଢ଼ିନଥିଲା । ଭୁବନେଶ୍ୱର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ୭.୬ ଡିଗ୍ରୀ ବଢ଼ିଥିଲା ଆଜି । ପାଣିପାଗ ପୂର୍ବାନୁମାନ କହୁଛି, ବୁଧବାର ବି ରାଜ୍ୟରେ ଭୟାନକ କୋପ ଜାରି ରଖିବ ଗ୍ରୀଷ୍ମ ଲହରି । ବାରିପଦା ତାତି ପୁଣି ୪୫ ଛୁଇଁପାରେ । ଭୁବନେଶ୍ୱର, କଟକ ୪୩ ଡିଗ୍ରୀ ଓ ପଶ୍ଚିମ ଓଡ଼ିଶା ୪୪ ଡିଗ୍ରୀରେ କଲବଲ ହେବା ଆଶଙ୍କା ଅଛି । ଆଜି ଅନୁଗୁଳ, ତାଳଚେର, ଢେଙ୍କାନାଳ, ଯାଜପୁରରେ ତାପମାତ୍ରା ୪୪.୫ ଡିଗ୍ରୀ ଲେଖାଏଁ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୪୪.୨, ବୌଦ୍ଧରୋ ୪୪.୩, କଟକରେ ୪୪.୨, କେନ୍ଦ୍ରାପଡ଼ା ୪୪.୨ ଡିଗ୍ରୀ, ଟିଟିଲାଗଡ଼, ନୟାଗଡ଼, ନୂଆପଡ଼ା, ଭଦ୍ରକରେ ୪୪ ଛୁଇଁଛି ପାରଦ ।