ଚେନ୍ନାଇ,୨୧/୦୭: ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କୌଣସି ଡ୍ରୋନ କିମ୍ବା ସୁପର କପ୍ ନୁହେଁ ଯେ ନିଜ ଇଚ୍ଛାରେ ଯାଞ୍ଚ କରିପାରିବ । ଇଡିର ଯାଞ୍ଚ କେବଳ ପିଏମ୍ଏଲଏ (ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ) ଭିତରେ ସୀମିତ ବୋଲି ମାଡ୍ରାସ ହାଇକୋର୍ଟ ଟିପ୍ପଣୀ କରିଛନ୍ତି।
ଚେନ୍ନାଇର ଆରକେଏମ୍ ପାୱାରଜେନ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନି ପକ୍ଷରୁ ଆଗତ ଆବେଦନ ଉପରେ ଶୁଣାଣି କରି ବିଚାରପତି ଏମ୍.ଏସ୍ ରମେଶ ଓ ବିଚାରପତି ଭି. ଲକ୍ଷ୍ମୀନାରାୟଣନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି । ମନି ଲଣ୍ଡରିଂ ମାମଲାରେ ଇଡି ଏହାର ୯୦୧ କୋଟିର ଫିକ୍ସଡ ଡିପଜିଟ ଟଙ୍କାକୁ ଜବତ କରିଥିବାରୁ ଏହା ବିରୋଧରେ କମ୍ପାନି ହାଇକୋର୍ଟରେ ପିଟିସନ ଦାଖଲ କରିଥିଲା । ୨୦୧୪ରେ ଛତିଶଗଡର ଏକ ପାୱାର ପ୍ଲାଣ୍ଟ ପାଇଁ କୋଇଲା ବ୍ଲକ ଆବଣ୍ଟନ ମାମଲାରେ ସିବିଆଇ ଦାଖଲ କରିଥିବା ଏଫଆଇଆରକୁ ଆଧାର କରି ଇଡି ଏହି ପଦକ୍ଷେପ ନେଇଥିଲା । କିନ୍ତୁ ୨୦୧୭ରେ ସିବିଆଇ ତାର ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲା କି କୋଇଲା ବ୍ଲକ ଆବଣ୍ଟନରେ କୌଣସି ପ୍ରକାର ଅନିୟମିତତା କରାଯାଇନାହିଁ । କିନ୍ତୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଏହି ତଦନ୍ତ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରିବା ସହ ସାନି ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ୨୦୨୩ରେ ସିବିଆଇ ଦାଖଲ କରିଥିବା ଅତିରିକ୍ତ ରିପୋର୍ଟରେ କମ୍ପାନି ବିରୋଧରେ ପିଏମ୍ଏଲଏ ଅନୁସାରେ ମକଦ୍ଦମା ଚଳାଇବାକୁ ପ୍ରମାଣ ରହିଥିବା ଦର୍ଶାଇଥିଲା ।
ସିବିଆଇର ଏହି ରିପୋର୍ଟ ଆଧାରରେ ଇଡି ଆରକେଏମ୍ପି କମ୍ପାନିର ନିର୍ଦ୍ଦେଶକ ଓ ଏହା ସହ ଜଡିତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ଘରେ ଚଢ଼ଉ କରିଥିଲା । ଚଳିତବର୍ଷ ଜାନୁଆରୀ ୩୧ରେ ଇଡି ଉକ୍ତ କମ୍ପାନିର ଫିକ୍ସଡ ଡିପୋଜିଟ ଥିବା ୯୦୧ କୋଟି ଟଙ୍କାକୁ ଜବତ କରିଥିଲା । ଯାହାକୁ କମ୍ପାନି ହାଇକୋର୍ଟରେ ଚାଲେଞ୍ଜ କରିଥିଲା । ହାଇକୋର୍ଟ କହିଛନ୍ତି ପିଏମ୍ଏଲଏର ଧାରା ୬୬ (୨) ଅନୁସାରେ ତଦନ୍ତ ସମୟରେ ଇଡି ଯଦି ଅନ୍ୟ କିଛି ବେଆଇନ କାର୍ଯ୍ୟ କିମ୍ବା ଅପରାଧ ହୋଇଥିବାର ପ୍ରମାଣ ପାଏ ତେବେ ତାର ତଦନ୍ତ ନିଜେ କରିପାରିବ ନାହିଁ । ଅନ୍ୟ କୌଣସି ସଂସ୍ଥାକୁ ପଠାଇ ତାର ତଦନ୍ତ କରିବାକୁ ପଡିବ । ଏଥିସହ ହାଇକୋର୍ଟ କମ୍ପାନିର ୯୦୧ କୋଟି ଟଙ୍କା ଜବତ କରିବାକୁ ଇଡି ଦେଇଥିବା ଆଦେଶକୁ ରଦ୍ଦ କରିଦେଇଛନ୍ତି । କହିଛନ୍ତି ଇଡି କେବଳ ବେଆଇନ ଅର୍ଥ କାରବାର ଉପରେ ତଦନ୍ତ କରିପାରିବ । ଅନ୍ୟ କୌଣସି ବେଆଇନ କାର୍ଯ୍ୟ କିମ୍ବା ଅପରାଧ କ୍ଷେତ୍ରରେ ଇଡି ହସ୍ତକ୍ଷେପ କରିବାର ଅଧିକାର ନାହିଁ।