ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଏସାର ମୀନମେଟ କାରଖାନା ପାଇଁ ଜନଶୁଣାଣି ସଫଳ ; ନିଯୁକ୍ତି ଆଦି ବିଭିନ୍ନ ଦାବି ସହ କମ୍ପାନୀକୁ ସ୍ଵାଗତ କଲେ ଲୋକେ

Published By : Gurupada Nath | January 18, 2025 8:25 PM

କେନ୍ଦୁଝର ସଦର, ୧୮/୧ : କେନ୍ଦୁଝର ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ମହାଦେଇଯୋଡା ମୌଜା ଟିକରପଡା ଏବଂ କାଦଗଡ଼ଠାରେ ମେସର୍ଶ ଏସାର ମୀନମେଟ ଲିମିଟେଡ଼ ବାର୍ଷିକ ୧୪.୩ ଏମଟିପିଏ କ୍ଷମତା ବିଶିଷ୍ଟ ଆଇରନ ଓର ବେନିଫିକେସନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ପରିବେଶ ମଞ୍ଜୁରୀ ଆଞ୍ଚଳିକ କାର୍ଯ୍ୟାଳୟ , ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା କେନ୍ଦୁଝର ପକ୍ଷରୁ ଆଜି ଜନ ଶୁଣାଣି ପାଇଁ ମହାଦେଇଯୋଡାଠାରେ ବୈଠକ ଡକା ଯାଇଥିଲା । ଆୟୋଜିତ ସଭାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା କେନ୍ଦୁଝର ଏଡିଏମ୍ ଆଲୋକ ପ୍ରଧାନ ସଭାରେ ସଭାପତିତ୍ବ କରିଥିବାବେଳେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଇଂଜିନିୟର ପ୍ରଶାନ୍ତ କର ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ମତାମତ ଗ୍ରହଣ କରିଥିଲେ। 

ଏଥିରେ କାରଖାନା ପ୍ରତିଷ୍ଠା ପାଇଁ ମୌଖିକ ଭାବେ ୪୪ଜଣ ଏବଂ ଲିଖିତ ଭାବେ ୮୬ଜଣ ନିଜର ମତ ସାବ୍ୟସ୍ତ କରିଛନ୍ତି । କାରଖାନା ପ୍ରଭାବିତ ଗ୍ରାମର ଗୁଡିକର ଉନ୍ନତି, ସ୍ଥାନୀୟ ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଉପରେ ଗୁରୁତ୍ୱାରୋପ ସହ ଶୌଚାଳୟ, ପାନୀୟ ଜଳ ଯୋଗାଣ, ଆଦି ଦାବି ସହ କମ୍ପାନୀକୁ ସ୍ଵାଗତ କରିଛନ୍ତି। ସଦର ତହସିଲଦାର ଶୁଭେନ୍ଦୁ ସାହୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ । କମ୍ପାନୀ ପକ୍ଷରୁ ଏସାର ମିନମେଟ ଲିଃର ନିର୍ଦ୍ଦେଶକ (ପ୍ରକଳ୍ପ) ପ୍ରକାଶ ଚନ୍ଦ୍ର ମହାପାତ୍ର ପ୍ରସ୍ତାବିତ ପ୍ରକଳ୍ପ ବିଷୟରେ ବିବରଣୀ ପାଠ କରି ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପାରିପାର୍ଶ୍ବିକ ଉନ୍ନତି ପାଇଁ ଗୋଷ୍ଠିଗତ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଛନ୍ତି । 

ଏହି କାରଖାନା ନିର୍ମାଣ ସମୟରେ ୧୧୦୦ରୁ ଅଧିକ ଲୋକ କାମ କରିବେ ଏବଂ କାରଖାନା ପ୍ରତିଷ୍ଠା ହେଲେ ୪୦୦ରୁ ଅଧିକ ଲୋକ କର୍ମନିଯୁକ୍ତି ପାଇବେ । କାରଖାନାରେ ସ୍ଥାନୀୟ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିବା ସହ ଦିନକୁ ୧୫୦୦ରୁ ଅଧିକ ଟ୍ରକ ଲୁହାପଥର ପରିବହନ କାର୍ଯ୍ୟରେ ନିୟୋଜିତ ହେବ ଯାହା ଦ୍ଵାରା ସ୍ଥାନୀୟ ଲୋକେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ରୋଜଗାର ପାଇବେ। କାରଖାନାକୁ କଂଚାମାଲ ପରିବହନ ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ଜାତୀୟ ରାଜପଥ ୨୦ରୁ ସିଧାସଳଖ ଯୋଡି ହେବ  କମ୍ପାନୀ  ପ୍ରତିଷ୍ଠା ହେଲେ ଜିଲ୍ଲାରେ ଶିଳ୍ପ ସୃଷ୍ଟି ପାଇଁ ସୁଯୋଗ ସୃଷ୍ଟି ହେବା ସହ ଜିଲ୍ଲା ଏବଂ ରାଜ୍ୟର ଅର୍ଥନୈତିକ ବିକାଶ ହେବ । ପ୍ରକଳ୍ପର ମୂଳଧନ ଖର୍ଚ୍ଚ ୧୯୧୮ କୋଟି ଟଙ୍କା ଏବଂ ଏହା ପରିବେଶ(ଇସି)ଅନୁମତି ମିଳିବାର ୩୦ ମାସ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ ହେବାର ଯୋଜନା ରହିଛି । 

କାରଖାନା ଏକ ପରିବେଶୀୟ ଅନୁକୂଳ ପ୍ଲାଣ୍ଟ ହେବ ବୋଲି ମଧ୍ୟ ସରକାରଙ୍କ ସହ ରାଜିନାମା ହୋଇଛି । କାରଖାନା ଆଖପାଖ ଅଂଚଳରେ ଲୋକଙ୍କର ଜୀବିକା, ଶିକ୍ଷା, ଦକ୍ଷତା ବିକାଶ, ଶୁଦ୍ଧ ପାନୀୟ ଜଳ, ଗୋଷ୍ଠି ଭିତ୍ତିଭୂମି, ପରିବେଶ ସୁରକ୍ଷା, ଧନ୍ଦାମୂଳକ କୁଶଳତା ପ୍ରଶିକ୍ଷଣ, କ୍ରୀଡା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ସାମାଜିକ-ଅର୍ଥନୈତିକ ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯିବ । ପରିବେଶକୁ ସୁସ୍ଥ ଓ ସବୁଜ ରଖିବା ପାଇଁ ସବୁଜ ବଳୟ ସୃଷ୍ଟି କରାଯିବ । ପ୍ରକଳ୍ପ କ୍ଷେତ୍ରର ୩୩ପ୍ରତିଶତ ଅଂଚଳରେ ସବୁଜ ବଳୟ ସୃଷ୍ଟି କରାଯିବ ଏବଂ କାରଖାନା ପାଚେରୀ ଚାରିକଡ଼େ ବୃକ୍ଷରୋପଣ କରାଯିବ ଶ୍ରୀ ମହାପାତ୍ର କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.