ନୂଆଦିଲ୍ଲୀ, ୨୩/୦୭ : ଭାରତୀୟ ବାୟୁସେନାରେ ଦୀର୍ଘ ୬୨ ବର୍ଷ ଧରି ସେବା ଦେବା ପରେ ମିଗ୍‌-୨୧ ଲଢ଼ୁଆ ବିମାନ ଆସନ୍ତା ସେପ୍ଟେମ୍ବର ୧୯ରେ ସେବାନିବୃତ୍ତ ହେବାକୁ ଯାଉଛି। ଚଣ୍ଡିଗଡ଼ ବାୟୁସେନା ଘାଟିରେ ଏହାକୁ ଅନ୍ତିମ ବିଦାୟ ଜଣାଇବା ଲାଗି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ବିମାନର ସେବା ଆନୁଷ୍ଠାନିକ ଭାବେ ଶେଷ ହେବ ।  

ମିଗ୍‌-୨୧ ଜେଟ୍‌କୁ ୧୯୬୩ରେ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଏହା ଭାରତର ପ୍ରଥମ ସୁପରସୋନିକ୍‌ ଜେଟ୍‌ ଥିଲା । ଅର୍ଥାତ୍‌ ଶଦ୍ଦର ଗତିଠାରୁ ଶୀଘ୍ର ଉଡ଼ିପାରୁଥିଲା । ୧୯୬୫ର ଭାରତ-ପାକ୍‌ ଯୁଦ୍ଧ, ୧୯୭୧ର ବାଂଲାଦେଶ ମୁକ୍ତି ସଂଗ୍ରାମ, ୧୯୯୯ର କାର୍‌ଗିଲ ଯୁଦ୍ଧ, ୨୦୧୯ ବାଲାକୋଟ୍‌ ଷ୍ଟ୍ରାଇକ୍‌, ‘ଅପରେସନ୍‌ ସିନ୍ଦୂର’ରେ ମିଗ୍‌-୨୧ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଏହାର ଶେଷ ୨ଟି ସ୍କ୍ୱାଡ୍ରନ୍‌(୩୬ ମିଗ୍‌-୨୧) ରାଜସ୍ଥାନର ବିକାନେରରେ ନାଲ ବାୟୁସେନା ଘାଟିରେ ମୁତୟନ ରହିଛି । ମିଗ୍‌୨୧ ସେବାନିବୃତ୍ତ ହେବା ପରେ ତେଜସ୍‌ ଏମ୍‌କେ୧ଏ ଯୁଦ୍ଧ ବିମାନ ତାର ସ୍ଥାନ ନେବ । 

ପ୍ରତିରକ୍ଷା ମନ୍ତ୍ରଣାଳୟର ପରିସଂଖ୍ୟାନ ମୁତାବକ, ବାୟୁସେନାରେ ସାମିଲ ହେବା ପରଠାରୁ ଅଦ୍ୟାବଧି ୪୦୦ରୁ ଅଧିକ ମିଗ୍‌୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିରେ ୨୦୦ରୁ ଅଧିକ ପାଇଲଟ ପ୍ରାଣ ହରାଇଛନ୍ତି । ସେଥିଲାଗି ଏହାକୁ ‘ଉଡ଼ନ୍ତା କଫିନ’ ନାମରେ ମଧ୍ୟ ସମ୍ବୋଧନ କରାଯାଏ ।  ରୁଷ୍‌ ଓ ଚୀନ ପରେ ଭାରତ ମିଗ୍‌-୨୧ର ତୃତୀୟ ସବୁଠୁ ବଡ଼ ଅପରେଟର ରହିଆସିଛି । ପ୍ରାଥମିକ ଭାବେ ଏହି ଜେଟ୍‌ ରୁଷ୍‌ରେ ତିଆରି ହେଉଥିଲା । ପରେ ଭାରତ ଏହାକୁ ଆସେମ୍ବଲ କରିବାର ଅଧିକାର ଓ ପ୍ରଯୁକ୍ତି ହାସଲ କରିଥିଲା । ରୁଷ୍‌ ୧୯୮୫ରେ ଏହି ବିମାନ ନିର୍ମାଣକୁ ବନ୍ଦ କରିଦେଇଥିଲା । କିନ୍ତୁ ଭାରତ ଏହାର ଅପ୍‌ଗ୍ରେଡେଡ୍‌ ଭାରିଆଣ୍ଟର ବ୍ୟବହାର କରିଆସୁଥିଲା ।