ନୂଆଦିଲ୍ଲୀ: ସୁଧୁରୁନି ବାଙ୍ଗଲାଦେଶ। ଭାରତକୁ ଫୁଣି ଆଖି ଦେଖେଇ ଅଡୁଆ ସୃଷ୍ଟି କରୁଛି ପଡୋଶୀ ବାଙ୍ଗଲାଦେଶ। ମହମ୍ମଦ ୟୁନୁସଙ୍କ ଜଣେ ଘନିଷ୍ଠ ସହଯୋଗି ତଥା ବାଙ୍ଗଲାଦେଶର ଜଣେ ପୂର୍ବତନ ସେନା ଅଧିକାରୀ ଭାରତକୁ ପୁଣି ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି। ପହଲଗାମ ଆକ୍ରମଣ ଜବାବରେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ବାଙ୍ଗଲାଦେଶ ଚାଇନା ସହ ମିଶି ଭାରତର ଉତ୍ତରପୂର୍ବ ରାଜ୍ୟ ଗୁଡିକ ଉପରେ ଆକ୍ରମଣ କରିବା ଯୋଜନା କରିବା ଉଚିତ ବୋଲି ସେ କହିଛନ୍ତି। ଯାହା ଭାରତ-ବାଂଲାଦେଶ ସମ୍ପର୍କକୁ ଆହୁରି ଜଟିଳ କରିଛି।
ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସେନା ଅଧିକାରୀ ମେଜର ଜେନେରାଲ (ଅବସରପ୍ରାପ୍ତ) ଏଏଲଏମ ଫଜଲୁର ରହମାନଙ୍କ ଏକ ବିବାଦୀୟ ବୟାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ରହମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ଯଦି ଭାରତ ଜମ୍ମୁ ଓ କାଶ୍ମୀରର ପାହାଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧରେ ପାକିସ୍ତାନ ଉପରେ ଆକ୍ରମଣ କରେ। ତେବେ ବାଂଲାଦେଶ ଭାରତର ଉତ୍ତର-ପୂର୍ବାଞ୍ଚଳର ସାତୋଟି ରାଜ୍ୟ (ସେଭେନ ସିଷ୍ଟର୍ସ) ଅଧିକାର କରିବା ଉଚିତ୍। ଏହାସହ ସେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଚୀନ ସହ ମିଳିତ ସାମରିକ ବ୍ୟବସ୍ଥା ଉପରେ ଆଲୋଚନା ଆରମ୍ଭ କରିବାର ପ୍ରସ୍ତାବ ନେଇ ସେ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ଏହି ବୟାନ ପରେ ବାଂଲାଦେଶର ଅନ୍ତରୀଣ ସରକାର ଶୁକ୍ରବାର ଏହାକୁ ରହମାନଙ୍କ ବ୍ୟକ୍ତିଗତ ମତ ବୋଲି କହି ଏହାକୁ ସମର୍ଥନ କରୁନଥିବା ସ୍ପଷ୍ଟ କରିଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, “ଏହି ମନ୍ତବ୍ୟ ବାଂଲାଦେଶ ସରକାରର ନୀତିକୁ ପ୍ରତିଫଳିତ କରୁନାହିଁ। ଆମେ ସାର୍ବଭୌମତ୍ଵ, ଆଞ୍ଚଳିକ ଅଖଣ୍ଡତା ଓ ଶାନ୍ତିପୂର୍ଣକ ସହବସ୍ଥାନର ନୀତି ପ୍ରତି ପ୍ରତିବଦ୍ଧ।”
ଏହି ଘଟଣା ଭାରତ-ବାଂଲାଦେଶ ସମ୍ପର୍କରେ ଚାପ ବଢ଼ାଇଛି। ଯାହା ଗତ ବର୍ଷ ଅଗଷ୍ଟ ମାସଠୁ ଶେଖ ହସିନାଙ୍କ ଆଓ୍ଵାମୀ ଲୀଗ ସରକାରର ପତନ ପରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଗଠନ ହେବା ପରଠୁ ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ବିଶେଷକରି ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ଉପରେ ଆକ୍ରମଣ ଏବଂ ୟୁନୁସ ସରକାରର ଏହାକୁ ନିୟନ୍ତ୍ରଣ କରିବାରେ ଅସମର୍ଥତା ଦେଖାଇବା ଫଳରେ ଭାରତରେ ଏହା ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି କରିଛି।
ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ୟୁନୁସ ଚୀନ ଗସ୍ତ ସମୟରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ “ଲ୍ୟାଣ୍ଡ ଲକଡ୍” ବୋଲି ଉଲ୍ଲେଖ କରି ବାଂଲାଦେଶକୁ “ଭାରତ ମହାସାଗରର ଏକମାତ୍ର ରକ୍ଷକ” ଭାବେ ଉପସ୍ଥାପନ କରିଥିଲେ। ସେ ଚୀନକୁ ବାଂଲାଦେଶ ମାଧ୍ୟମରେ ଅର୍ଥନୈତିକ ସମ୍ପ୍ରସାରଣ ପାଇଁ ଆହ୍ଵାନ ମଧ୍ୟ କରିଥିଲେ। ଯେଉଁଥିପାଇଁ ଭାରତୀୟ ରାଜନୀତିରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଏହାର ଜବାବରେ ଭାରତ ଗତ ଏପ୍ରିଲ ମାସ ଠାରୁ ବାଂଲାଦେଶକୁ ଦିଆଯାଇଥିବା ଟ୍ରାନ୍ସଶିପମେଣ୍ଟ ସୁବିଧା ପ୍ରତ୍ୟାହାର କରିଥିଲା। ଯାହା ଦ୍ଵାରା ବାଂଲାଦେଶ ଭାରତୀୟ ବନ୍ଦର ଓ ବିମାନବନ୍ଦର ମାଧ୍ୟମରେ ରପ୍ତାନି କରୁଥିଲା। ଏହି ସୁବିଧା ବନ୍ଦ ହୋଇଯିବା ପରେ ବାଂଲାଦେଶକୁ ବିପୁଳ ପରିମାଣରେ ଆର୍ଥିକ କ୍ଷତି ସହିବାକୁ ପଡିଛି।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏ ପର୍ଯ୍ୟନ୍ତ ଏହି ବୟାନ ଉପରେ କୈଣସି ପ୍ରତିକ୍ରିୟା ରଖିନାହିଁ। କିନ୍ତୁ ଉତ୍ତର-ପୂର୍ବାଞ୍ଚଳର ନେତାମାନେ ଏହାର ତୀବ୍ର ନିନ୍ଦା କରିଛନ୍ତି। ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏହାକୁ “ଅପମାନଜନକ ଓ ନିନ୍ଦନୀୟ” ବୋଲି କହିଥିବା ବେଳେ, ତ୍ରିପୁରାର ରାଜନୈତିକ ନେତା ପ୍ରଦ୍ୟୋତ ମାଣିକ୍ୟ କେନ୍ଦ୍ର ସରକାରଙ୍କୁ ଆକ୍ରମଣାତ୍ମକ ଅବସ୍ଥାନ ଗ୍ରହଣ କରିବାକୁ ଆହ୍ଵାନ ଦେଇଛନ୍ତି।
ବାଂଲାଦେଶର ଏହି ପ୍ରକାର ବୟାନ ଦକ୍ଷିଣ ଏସିଆରେ ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇପାରେ। ବାଂଲାଦେଶରେ ନିର୍ବାଚନ ପୂର୍ବରୁ ଏହି ବିବାଦ ରାଜନୈତିକ ଉତ୍ତେଜନାକୁ ଆହୁରି ବଢ଼ାଇବାର ଆଶଙ୍କା ରହିଛି। ଏହି ଘଟଣା ଭାରତ, ବାଂଲାଦେଶ ଓ ଚୀନ ମଧ୍ୟରେ କୂଟନୈତିକ ସମ୍ପର୍କକୁ ଆହୁରି ଜଟିଳ କରିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।