ନୂଆଦିଲ୍ଲୀ: ୪୭ ବର୍ଷୀୟ ପୁରୁଣା ସ୍ପେସ୍କ୍ରାଫ୍ଟ ସହ ସଂପର୍କ ସ୍ଥାପନ କରିବାରେ ସଫଳ ହୋଇଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା, ନାସା । ୧୯୮୧ ମସିହାରେ ଏଥିରେ ଲାଗିଥିବା ରେଡିଓ ଟ୍ରାନ୍ସମିଟର ଖରାପ ହୋଇ ପଡ଼ିଥିଲା । କିନ୍ତୁ ଏହି ଟ୍ରାନ୍ସମିଟର ପାଇଁ ହିଁ ଏବେ ସ୍ପେସ୍କ୍ରାଫ୍ଟ ସହ ଯୋଗାଯୋଗ ହୋଇପାରିଛି । ଅକ୍ଟୋବର ୨୪ରେ ଜେଟ୍ ପ୍ରପଲସନ୍ ଲାବୋରେଟୋରୀ (ଜେପିଏଲ)ର ଇଞ୍ଜିନିୟରମାନେ ଭୟଜର-୧ (Voyager 1) ସହ ଯୋଗାଯୋଗ କରିପାରିଛନ୍ତି ।
ପୃଥିବୀ ପୃଷ୍ଠରୁ ପ୍ରାୟ ୧୫ ବିଲିୟନ୍ ମାଇଲ୍ ଦୂରତାରେ ରହିଛି Voyager 1 । ନାସାର ଜଣେ ବୈଜ୍ଞାନିକଙ୍କ ଅନୁସାରେ ପୃଥିବୀରୁ Voyager 1 ସହ ସଂପର୍କ କରିବାକୁ ୨୩ ଘଣ୍ଟା ସମୟ ଲାଗିଛି । ଅକ୍ଟୋବର ୧୬ରେ ଯେତେବେଳେ ନାସା ସ୍ପେସ୍କ୍ରାଫ୍ଟକୁ କମାଣ୍ଡ ପଠାଇଲା ସେପଟରୁ ଅକ୍ଟୋବର ୧୮ ପର୍ଯ୍ୟନ୍ତ କୌଣସି ଜବାବ ଆସିନଥିଲା । Voyager 1ରେ ଦୁଇ ପ୍ରକାର ଟ୍ରାନ୍ସମିଟର ରହିଛି । ଗୋଟିଏ ଏକ୍ସ-ବ୍ୟାଣ୍ଡ, ଯେଉଁଥିରେ ସ୍ପେସକ୍ରାଫ୍ଟ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲା । ଅନ୍ୟଟି ଏସ୍-ବ୍ୟାଣ୍ଡ ହୋଇଥିବା ବେଳେ ଏହା ୧୯୮୧ରେ ସେତେଟା ବିକଶିତ ହୋଇନଥିଲା ।
ସେପଟେ ନାସା ଏକ୍ସ ବ୍ୟାଣ୍ଡର ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରିନାହିଁ । ଏକ୍ସ ବ୍ୟାଣ୍ଡର ବ୍ୟବହାର କରିବା ଦ୍ବାରା କୌଣସି ବିପଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରିଛନ୍ତି ନାସାର ବୈଜ୍ଞନିକମାନେ । ଏସବୁ ଭିତରେ ଏସ ବ୍ୟାଣ୍ଡ ଟ୍ରାନ୍ସମିଟରକୁ ସିଗନାଲ ପଠାଇଥିଲା ନାସା । ଅକ୍ଟୋବର ୨୨ର ପଠାଯାଇଥିବା ସିଗନାଲ୍ର ଜବାବ ଅକ୍ଟୋବର ୨୪ରେ ନାସା ପାଇଥିଲା ।
ସୂଚନାଯୋଗ୍ୟ ଯେ, ଭୟଜର-୨ ଲଞ୍ଚ ହେବା ପରେ Voyager 1 ମହାକାଶକୁ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ଏହା ୧୫ ଡିସେମ୍ବର ୧୯୭୭ରେ ଭୟଜର-୨କୁ ଅତିକ୍ରମ କରି ଆଷ୍ଟ୍ରଏଡ୍ ବେଲ୍ଟରେ ପ୍ରବେଶ କରିଥିଲା । ଭୟଜର-୧ ପ୍ରଥମ ମାନବ ତିଆରି ସ୍ପେସକ୍ରାଫ୍ଟ ଯାହା ତାରାଙ୍କ ଗହଣରେ ପହଞ୍ଚିଥିଲା । ପ୍ରଥମେ ଏହା ହେଲିସ୍ପିୟରରେ ପ୍ରବେଶ କରିବା ପରେ ନିଜର ଗନ୍ତବ୍ୟସ୍ଥଳ ଆଡ଼କୁ ଯାଇଥିଲା । ଭୟଜର-୧ ବୃହସ୍ପତି ଗ୍ରହ (ଜୁପିଟର)ର ଚାରିପଟେ ଏକ ପତଳା ରିଙ୍ଗ ଥିବା ନେଇ ତଥ୍ୟ ଦେଇଥିଲା । ଏହା ସହ ଜୁପିଟରର ଦୁଇଟି ଉପଗ୍ରହ ଏବଂ ଶନିର ୫ଟି ନୂଆ ଉପଗ୍ରହ ଓ ‘ଜି-ରିଙ୍ଗ’ ସଂପର୍କରେ ସୂଚନା ଦେଇଥିଲା ।