ଭୁବନେଶ୍ବର: ରାଜ୍ୟରେ ଗତ ୩ ମାସ ହେବ ପ୍ରାୟ ୧୮ ଲକ୍ଷ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମିଳିନଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଚିଠି ମାଧ୍ୟମରେ ସେ ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କ ଦୁର୍ଦ୍ଦଶାକୁ ନେଇ ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି ।

ଭତ୍ତା ନମିଳିବାରୁ ଗଞ୍ଜାମରେ ଜଣଙ୍କର ମୃତ୍ୟୁ ଅଭିଯୋଗ ହୋଇଛି । ନବୀନ ପଟ୍ଟନାୟକ ଚିଠିରେ ଦର୍ଶାଇଛନ୍ତି ଯେ, କ୍ରମାଗତ ଭାବେ ୩ ମାସ ଧରି ଭତ୍ତା ବନ୍ଦ ରହିବା ଯୋଗୁଁ ଗରିବ ଓ ଅସହାୟ ଲୋକେ ଚରମ ଦୁର୍ଦ୍ଦଶା ଓ ଅନାହାର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏପରିକି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ାର ସାବିତ୍ରୀ ଡୋରା ନାମକ ଜଣେ ବୃଦ୍ଧା ଭତ୍ତା ନପାଇ ଜୀବନ ହରାଇଥିବା ଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହାକି ଏକ ଜନକଲ୍ୟାଣକାରୀ ରାଜ୍ୟରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ସଫ୍ଟୱେର ଜନିତ ସମସ୍ୟା ପାଇଁ ଏତେ ବଡ଼ ବିଳମ୍ବ ଘଟିବା ସରକାରଙ୍କ ଚରମ ଅବହେଳା ଓ ଦାୟିତ୍ୱହୀନତାକୁ ଦର୍ଶାଉଛି ବୋଲି କହିଛନ୍ତି ନବୀନ । ବୈଷୟିକ ତ୍ରୁଟି ଆଳରେ ଗରିବ ଲୋକଙ୍କ ଅଧିକାରକୁ ବଳି ଚଢ଼ାଯାଇପାରିବ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି । ସେପଟେ ଗୁରୁବାର ନବୀନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସରକାରଙ୍କୁ ସମାଲୋଚନା କରିବା ସହ ଶୀଘ୍ର ଭତ୍ତା ଦେବାକୁ କହିଥିଲେ ।

ଏହାସହ ପଢ଼ନ୍ତୁ : Naveen Patnaik: ଲୋକଙ୍କୁ ହତାଶା ଭିତରକୁ ଠେଲି ନଦେଇ ତୁରନ୍ତ ଭତ୍ତା ପ୍ରଦାନର ବ୍ୟବସ୍ଥା କର: ନବୀନ ପଟ୍ଟନାୟକ