ମୁମ୍ବାଇ,୧୫।୧: ନଭି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ସମୟରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ବରିଷ୍ଠ ବିଜେପି ନେତା ଏବଂ କ୍ୟାବିନେଟ ମନ୍ତ୍ରୀ ଗଣେଶ ନାଏକଙ୍କୁ ଭୋଟ ଦେବା ପାଇଁ ଘଣ୍ଟା ଘଣ୍ଟା ଧରି ଗୋଟିଏ ବୁଥରୁ ଅନ୍ୟ ବୁଥକୁ ଦୌଡ଼ିବାକୁ ପଡିଥିଲା। ଅଧିକାରୀଙ୍କ ଅବହେଳା ଯୋଗୁଁ, ଭୋଟର ତାଲିକାରୁ ମନ୍ତ୍ରୀଙ୍କ ନାମ ଗାଏବ ହୋଇଯାଇଥିଲା, ଯାହା ନିର୍ବାଚନ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲା।

ମନ୍ତ୍ରୀ ବୁଲିଲେ ବୁଥରୁ ବୁଥ

ନଭି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଯେତେବେଳେ ମହାରାଷ୍ଟ୍ର ସରକାରଙ୍କ ବନମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଗଣେଶ ନାଏକଙ୍କୁ ଭୋଟ ଦେବା ପାଇଁ ଗୋଟିଏ ବୁଥରୁ ଅନ୍ୟ ବୁଥକୁ ଘୁରି ବୁଲୁଥିବାର ଦେଖାଯାଉଥିଲା। ନାଇକ ସାମ୍ବାଦିକମାନଙ୍କୁ କହିଥିଲେ, ସେ ଗତ କିଛି ବର୍ଷ ଧରି ନଭି ମୁମ୍ବାଇର ସ୍କୁଲ ନମ୍ବର ୯୪ ରେ ତାଙ୍କ ପରିବାର ସହିତ ଭୋଟ ଦେଉଛନ୍ତି। କିନ୍ତୁ, ଯେତେବେଳେ ସେ ପହଞ୍ଚିଲେ, ତାଙ୍କୁ କୁହାଯାଇଥିଲା ଯେ ତାଙ୍କର ମତଦାନ କେନ୍ଦ୍ର ପରିବର୍ତ୍ତନ କରାଯାଇଛି ଏବଂ ତାଙ୍କୁ ଏବେ ସେଣ୍ଟ ମେରୀ ହାଇସ୍କୁଲକୁ ଯିବାକୁ ପଡିବ।

ଭୋଟର ତାଲିକାରୁ ନାଁ ଗାଏବ

ମନ୍ତ୍ରୀ ଗଣେଶ ନାଏକ ସ୍କୁଲ ନମ୍ବର ୯୪ରେ ପହଞ୍ଚିଲେ, ତାଙ୍କ ନାମ ରୁମ୍ ନମ୍ବର ୯ ରେ ଥିବା ଭୋଟର ତାଲିକାରୁ ଗାଏବ ଥିଲା। ନିରାଶ ପ୍ରକାଶ କରି ସେ କହିଥିଲେ, ‘ଯେତେବେଳେ ମୁଁ ସେଠାକୁ ଯାଇଥିଲି, ମୋତେ ଦିଆଯାଇଥିବା ରୁମ୍ ନମ୍ବରରେ ମୋର ନାମ ପାଇଲି ନାହିଁ। ସେଥିପାଇଁ ମୁଁ ପ୍ରଥମେ ଭୋଟ ଦେଇପାରିଲି ନାହିଁ।’ ତା'ପରେ ତାଙ୍କୁ ସେଣ୍ଟ ମେରୀ ସ୍କୁଲକୁ ଫେରିବାକୁ ପଡିଲା। ସେଠାକାର ପରିସ୍ଥିତି ମଧ୍ୟ ବହୁତ ଦ୍ୱନ୍ଦ୍ୱପୂର୍ଣ୍ଣ ଥିଲା। ମନ୍ତ୍ରୀ କହିଥିଲେ ଯେ, ତାଙ୍କ ପରିବାରର ସମସ୍ତ ସଦସ୍ୟ ଏବଂ ସମ୍ପର୍କୀୟ ନଭି ମୁମ୍ବାଇର ଗୋଟିଏ ବିଲ୍ଡିଂରେ ରୁହନ୍ତି, ତଥାପି ସେମାନଙ୍କ ନାମ ତିନୋଟି ଭିନ୍ନ ମତଦାନ କେନ୍ଦ୍ରର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା।କିଛି ଘଣ୍ଟାର ଅପେକ୍ଷାପରେ ସ୍ଥାନୀୟ ଅଧିକାରୀଙ୍କ ସାହାଯ୍ୟରେ ସେଣ୍ଟ ମେରି ସ୍କୁଲରେ ତାଙ୍କ ନାଁର ସୂଚନା ମିଳିଥିଲା। ସେ ନିଜର ଭୋଟ ଦେବାରେ ସଫଳ ହୋଇଥିଲେ। ଭୋଟ୍ ଦେବା ପରେ ନାଇକ ମିଡିଆ ସହ କତା ହୋଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲେ। ସେ ପୁରା ପକ୍ରିୟାକୁ ଅବ୍ୟବସ୍ଥିତ ବୋଲି କହିଥିଲେ।

ଆହୁରି ପଢନ୍ତୁ : I-PAC ଚଢାଉ ମାମଲାରେ ମମତାଙ୍କୁ ଝଟକା, ଇଡି ଅଧିକାରୀଙ୍କ ବିରୋଧ​‌ରେ ଏଫ୍‌ଆଇଆର ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ