ବେଙ୍ଗାଲୁରୁ, ୧୯।୬: ଭାରତୀୟ ରାଜନୀତିରେ ବିରୋଧୀ ଶିବିରରେ ବିଭାଜନର ଖବର ସାଧାରଣ ହୋଇଥିବା ବେଳେ, ବର୍ଷ ବର୍ଷ ପରେ ପ୍ରଥମ ଥର ପାଇଁ କେନ୍ଦ୍ରରେ ଶାସକ NDA ମେଣ୍ଟକୁ ଏକ ବଡ଼ ଝଟକା ଲାଗିଛି । କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି । ବିରୋଧୀ ବିଜେପି ଏବଂ ଜେଡିଏସ୍ ନାକ ତଳୁ କଂଗ୍ରେସ ଆସନ ଛଡ଼ାଇ ନେଇଥିବା ବେଳେ, ଏହି ପରାଜୟ ଏବେ NDA ଶିବିରରେ ତୀବ୍ର ଦ୍ୱନ୍ଦ୍ୱ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଛି ।

୫ଟି ଆସନରେ କଂଗ୍ରେସର ବିଜୟ, NDA ଶିବିରରେ ହଇଚଇ

ଗୁରୁବାର ଘୋଷଣା ହୋଇଥିବା ଫଳାଫଳ ଅନୁଯାୟୀ, ଶାସକ କଂଗ୍ରେସ ଦଳ ୫ଟି ଆସନରେ ବଡ଼ ବିଜୟ ହାସଲ କରିଛି । ଏହି ବିଜୟ ସହିତ ବିରୋଧୀ ବିଜେପି-ଜେଡିଏସ୍ ମେଣ୍ଟ ଭିତରେ ହଇଚଇ ସୃଷ୍ଟି ହୋଇଛି । ନିର୍ବାଚନ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ବିରୋଧୀ ଦଳର ଅନେକ ବିଧାୟକ ଦଳୀୟ ଆଦେଶକୁ ଅମାନ୍ୟ କରି କଂଗ୍ରେସ ସପକ୍ଷରେ କ୍ରସ୍-ଭୋଟିଂ କରିଛନ୍ତି । ଏହି ଆଭ୍ୟନ୍ତରୀଣ ଅନ୍ତର୍ଘାତ ପରେ ଏବେ ଉଭୟ ବିଜେପି ଓ ଜେଡିଏସ୍ ନେତାମାନେ ନିଜ ନିଜ ଦଳରେ ଥିବା ବିଶ୍ୱାସଘାତକମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ତେବେ ଗୁପ୍ତ ମତଦାନ ପ୍ରକ୍ରିୟା ହୋଇଥିବାରୁ ଦୋଷୀଙ୍କ ବିଷୟରେ କୌଣସି ସ୍ପଷ୍ଟ ସୁରାକ ପାଇବା କଷ୍ଟକର ହୋଇପଡ଼ିଛି ।

ଆଶାଠାରୁ ଅଧିକ ଭୋଟ୍ ପାଇଲେ କଂଗ୍ରେସ ପ୍ରାର୍ଥୀ:

ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିନୟ କାର୍ତ୍ତିକ ସର୍ବାଧିକ ୩୨ଟି ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ଏହି ସଂଖ୍ୟା ବିଜୟ ପାଇଁ ଆବଶ୍ୟକୀୟ କୋଟା ଏବଂ କଂଗ୍ରେସର ନିଜସ୍ୱ ବିଧାୟକ ସଂଖ୍ୟାଠାରୁ ଯଥେଷ୍ଟ ଅଧିକ । ଭୋଟ୍ ସଂଖ୍ୟାରୁ ଅନୁମାନ କରାଯାଉଛି ଯେ, ସେ ବିଜେପି ଏବଂ ଜେଡିଏସ୍ର ଅତିକମରେ ଡଜନେ ବିଧାୟକଙ୍କ ସମର୍ଥନ ପାଇଛନ୍ତି । ବିଜେପିର ଦାବି ଯେ, ସେମାନଙ୍କ ଶିବିରରୁ କେବଳ ୩ ଜଣ ବିଧାୟକ କ୍ରସ୍-ଭୋଟିଂ କରିଛନ୍ତି ଏବଂ ଜେଡିଏସ୍ର ଅତିକମରେ ୮ ଜଣ ବିଧାୟକ କଂଗ୍ରେସକୁ ଭୋଟ୍ ଦେଇଛନ୍ତି । ଅନ୍ୟପଟେ ଜେଡିଏସ୍ର ଓଲଟା ଅଭିଯୋଗ କରିଛି । ଜେଡିଏସ୍ ନେତାମାନେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେମାନଙ୍କ ଦଳରୁ କେବଳ ୪ଟି ଭୋଟ୍ କଂଗ୍ରେସକୁ ଯାଇଥାଇପାରେ, ବାକି ସମସ୍ତ ଭୋଟ୍ ବିଜେପି ବିଧାୟକଙ୍କଠାରୁ ଆସିଛି ।

ଗୁପ୍ତ ମତଦାନ ବଢ଼ାଇଲା ଅବିଶ୍ୱାସ:

ରାଜ୍ୟସଭା ଭଳି ଖୋଲା ଭୋଟ୍ ବ୍ୟବସ୍ଥାରେ ଦଳୀୟ ହ୍ୱିପ୍ ଜରିଆରେ କିଏ କାହାକୁ ଭୋଟ୍ ଦେଲା ତାହା ଯାଞ୍ଚ କରିହୁଏ । ମାତ୍ର ବିଧାନ ପରିଷଦ ନିର୍ବାଚନ ଗୁପ୍ତ ମତଦାନ ପ୍ରଣାଳୀରେ ହେଉଥିବାରୁ ପ୍ରମାଣ ପାଇବା ଅସମ୍ଭବ ହୋଇପଡ଼ିଛି, ଯାହା ମେଣ୍ଟ ଭିତରେ ଅବିଶ୍ୱାସକୁ ଆହୁରି ଘନିଷ୍ଠ କରିଛି । ରାଜ୍ୟ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର କହିଛନ୍ତି, ଦଳ ଏହି ବିଶ୍ୱାସଘାତକତାମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଜେଡିଏସ୍ ରାଜ୍ୟ ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଏହି ପ୍ରସଙ୍ଗରେ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି । ଅପରପକ୍ଷରେ କଂଗ୍ରେସ ନେତା ଡିକେ ଶିବକୁମାର ଅତ୍ୟନ୍ତ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହାକୁ ତାଙ୍କର ପ୍ରଥମ ବଡ଼ ନିର୍ବାଚନୀ ବିଜୟ ବୋଲି କହିଛନ୍ତି । ତେବେ କ୍ରସ୍-ଭୋଟିଂ କଳ୍ପନାଜଳ୍ପନାକୁ ଖଣ୍ଡନ କରି ସେ କହିଛନ୍ତି, "ମୁଁ ଜାଣିନାହିଁ କିଏ କ୍ରସ୍-ଭୋଟିଂ କରିଛି ।"

NDA ପାଇଁ ବଡ଼ ଆହ୍ୱାନ: ଉଭୟ ଦଳରେ ବଢ଼ିବ ଅସନ୍ତୋଷ

ପୂର୍ବରୁ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବା ଜେଡିଏସ୍ ପାଇଁ ଏହି ଫଳାଫଳ ଏକ ଶକ୍ତ ଧକ୍କା । ଦଳର ହାଇକମାଣ୍ଡଙ୍କୁ ଏବେ ଦ୍ୱିତୀୟ ସ୍ତରୀୟ ନେତୃତ୍ୱ ଏବଂ ଦଳ ଭିତରେ ଥିବା ତୀବ୍ର ଅସନ୍ତୋଷକୁ ଗମ୍ଭୀରତାର ସହିତ ସମାଧାନ କରିବାକୁ ପଡ଼ିବ । ଏହି ବିଦ୍ରୋହ ବିଜେପି ଭିତରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀକୁ ଆହୁରି ମଜବୁତ କରିବ । ରାଜ୍ୟରେ ନେତୃତ୍ୱ ଅଭାବରୁ ଦଳ ଦୁର୍ବଳ ହେଉଥିବା ନେଇ ଦୀର୍ଘ ଦିନରୁ ଅଭିଯୋଗ ହେଉଥିବା ବେଳେ, ଏବେ ବିରୋଧୀ ଗୋଷ୍ଠୀ ରାଜ୍ୟ ସଭାପତି ବିୱାଇ ବିଜୟେନ୍ଦ୍ରଙ୍କୁ ପଦବୀରୁ ହଟାଇବା ପାଇଁ ଚାପ ପ୍ରୟୋଗ କରିବା ଆରମ୍ଭ କରିପାରନ୍ତି ।

ଆହୁରି ପଢ଼ନ୍ତୁ... Shiv Sena-UBT Crisis : ଉଦ୍ଧବଙ୍କ ଦଳ ବିଭାଜନ ସୁନିଶ୍ଚିତ,ବୈଠକରେ ପହଂଚିଲେ ମାତ୍ର ୩ ସାଂସଦ