ଭୁବନେଶ୍ୱର, ୧୧/୦୬ : ଓଡ଼ିଶା ଭଳି ସ୍ୱାଧୀନତା ସଂଗ୍ରାମର ପବିତ୍ର ମାଟିରେ ଦେଶ ବିଭାଜନକାରୀ ଓ ଦେଶବିରୋଧୀ ମାନସିକତାର ମନ୍ତବ୍ୟ ଦେଉଛନ୍ତି କହ୍ନେୟା କୁମାର । ସେ ଜେଏନୟୁରେ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲେ । ତାଙ୍କ ମନ୍ତବ୍ୟକୁ ଓଡ଼ିଶାର ସ୍ୱାଭିମାନୀ ଯୁବ ଓ ଛାତ୍ର ସମାଜ କେବେ ଗ୍ରହଣ କରିବେନି । ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଏହା କହିଛନ୍ତି । କହ୍ନେୟା କୁମାର ଦେଶ ବିରୋଧୀ ବିଷ ମଞ୍ଜି ବୁଣିଥିଲେ । ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ବିଷାକ୍ତ ସ୍ଲୋଗାନ ଦେଉଥିଲେ । ସେ ଆଜି କେଉଁ ସାହସରେ ସମ୍ବଲପୁରର ସ୍ୱାଭିମାନୀ ମାଟିରେ ପାଦ ଦେଇ ରାଜ୍ୟବାସୀଙ୍କୁ ଜ୍ଞାନ ବାଣ୍ଟୁଛନ୍ତି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ।
ରବି ନାଏକ କହିଛନ୍ତି ଯେ, କଂଗ୍ରେସ ନିଜ ଦେଶବିରୋଧୀ ଚେହେରାକୁ ଲୁଚାଇବାକୁ ଜଣେ ବିବାଦୀୟ ଓ ଦେଶଦ୍ରୋହୀ ମାନସିକତାର ବ୍ୟକ୍ତିଙ୍କୁ ଓଡ଼ିଶା ଆଣିଥିଲା । ଏଠାକାର ଶାନ୍ତିପ୍ରିୟ ପରିବେଶକୁ ନଷ୍ଟ କରିବାକୁ ହୀନ ପ୍ରୟାସ କରୁଛି । ରାଜ୍ୟବାସୀ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଦେଶର ଶିକ୍ଷା ବ୍ୟବସ୍ଥାରୁ ପରାଧୀନ ମାନସିକତା ଦୂର ହୋଇଛି । ସେ ପ୍ରଗତିଶୀଳ ଓ ଐତିହାସିକ ‘ଜାତୀୟ ଶିକ୍ଷା ନୀତି'ଲାଗୁ କରିଛନ୍ତି । ତାଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁ ଦେଶର ଶିକ୍ଷା ବ୍ୟବସ୍ଥା ବିଶ୍ୱସ୍ତରକୁ ଯାଉଛି । ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ଏହି ନୀତିକୁ ଆପଣାଉଛନ୍ତି । ବିଶ୍ୱର ବଡ଼ ବଡ଼ ବିଦେଶୀ କ୍ୟାମ୍ପସ ଦେଶରେ ପ୍ରତିଷ୍ଠା ହେଉଛି । ଏଭଳି ଜଣେ ରାଷ୍ଟ୍ର ନିର୍ମାତା ଓ ଯୋଗ୍ୟ ମନ୍ତ୍ରୀଙ୍କ ବିରୋଧରେ କହ୍ନେୟା କୁମାରଙ୍କ ଭଳି ଜଣେ ଅରାଜକତାବାଦୀ ନେତାଙ୍କ ମନ୍ତବ୍ୟ ସୂର୍ଯ୍ୟଙ୍କୁ ଆଲୁଅ ଦେଖାଇବା ଭଳି ବୋଲି ଶ୍ରୀ ନାଏକ କଟାକ୍ଷ କରି କହିଛନ୍ତି ।
କଂଗ୍ରେସ ରାଜ୍ୟରେ ସମ୍ପୂର୍ଣ୍ଣ ଅସ୍ତିତ୍ୱ ହରାଇ ଦେବାଳିଆ ହୋଇଛି । ତାଙ୍କ ନେତା ଭକ୍ତ ଦାସ ଏବେ ଓଡ଼ିଶାର ଶାନ୍ତି ଓ ସାଂସ୍କୃତିକ ପରିବେଶକୁ ଧୂଳିସାତ କରିବାକୁ ବଡ଼ ଷଡ଼ଯନ୍ତ୍ର ରଚୁଛନ୍ତି । କଂଗ୍ରେସର ଏଭଳି ଓଡ଼ିଶା-ବିରୋଧୀ ମାନସିକତାକୁ ଯୁବ ସମାଜ ସଫଳ ହେବାକୁ ଦେବନି । ଓଡ଼ିଶାର ସ୍ୱାଭିମାନକୁ ଅପମାନିତ କରିଥିବାରୁ କଂଗ୍ରେସ ତୁରନ୍ତ ରାଜ୍ୟବାସୀଙ୍କ ପାଖରେ କ୍ଷମା ମାଗୁ । ନଚେତ୍ ଆଗକୁ ଲୋକେ ଏହାର ଜବାବ ଦେବେ।
ଆହୁରି ପଢନ୍ତୁ- ଭିନ୍ନକ୍ଷମଙ୍କ ପାଇଁ ମାଗଣା ଅଟୋ ସେବା ଯୋଗାଉଛନ୍ତି ବିନୋଦ, ରୋଗୀଙ୍କ ପାଇଁ ସାଜିଛନ୍ତି ଦରଦୀ ବନ୍ଧୁ
ଦେଶରେ ଦେଖାଦେବ ଜଳ ଓ ଶକ୍ତି ସଙ୍କଟ,୧୩୦ କୋଟି ଲୋକଙ୍କ ପାଣି ଶୋଷିଦେବ AI ...!