କୋରାପୁଟ ୦୮/୧୨: ହଳଦୀ ଚାଷୀଙ୍କ ଲାଗି ଖୁସି ଖବର । ଏଣିକି ସେମାନେ ଏହି ଚାଷ  କରି ଅଧିକ ସ୍ୱାବଲମ୍ବୀ ହୋଇପାରିବେ । ହଳଦୀ  ସାଙ୍ଗକୁ ଭଲ ଦରରେ ବିକିପାରିବେ ପତ୍ର । ଏହି  ପତ୍ରରୁ ଆରମ୍ଭ ହୋଇଛି ତେଲ ଉତ୍ପାଦନ । ଏହି  ତେଲର ବଜାର ଦର ଲିଟର ପିଛା ରହିଛି ୧୦  ହଜାର ଟଙ୍କା । କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ  ଓର୍‌ମାସର ମିଳିତ ଉଦ୍ୟମରେ ପରୀକ୍ଷାମୂଳକ  ଭାବେ ଲକ୍ଷ୍ମୀପୁର ବ୍ଲକ୍‌ ତୟାପୁଟ ଅଞ୍ଚଳର  ଚାଷୀଙ୍କଠାରୁ ସଂଗୃହୀତ ହଳଦୀ ପତ୍ରରୁ ଆରମ୍ଭ  ହୋଇଛି ତୈଳ ଉତ୍ପାଦନ । ଏହା ସଫଳ ହେଲେ  ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ ଏହାକୁ ଗୁରୁତ୍ୱ  ଦିଆଯିବ ବୋଲି କହିଛନ୍ତି ଓରମାସ୍‌ର ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କାର୍ତ୍ତିକ ।  

ଲେମନ୍‌ ଗ୍ରାସ୍‌ ଭଳି ହଳଦୀପତ୍ରରେ ଭରି  ରହିଛି ଅନେକ ଔଷଧୀୟ ଗୁଣ । ଜିଲ୍ଲାର ବନ୍ଧୁଗାଁ,  ନାରାୟଣପାଟଣା, ଲକ୍ଷ୍ମୀପୁର, ବୈପାରୀଗୁଡ଼ା, ଦଶମନ୍ତପୁର ଏବଂ ପଟ୍ଟାଙ୍ଗା ଅଞ୍ଚଳରୁ ଉତ୍ପାଦିତ  ହଳଦୀର ସ୍ୱତନ୍ତ୍ର ଚାହିଦା ରହିଛି । ଏଥିଲାଗି  ଏସବୁ ଅଞ୍ଚଳରେ ପ୍ରଚୁର ଚାଷ ହେଉଛି । ପତ୍ରଗୁଡ଼ିକ ଆପେଆପେ କ୍ଷେତରେ ପଡ଼ି ନଷ୍ଟ  ହେଉଥିଲା । ଏବେ ସେଥିରୁ ତେଲ ଉତ୍ପାଦନ  ଲାଗି ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଏବଂ  ଓରମାସ୍‌ । ଲକ୍ଷ୍ମୀପୁରର ତୟାପୁଟରେ ଆଦିବାସୀ  ମହିଳାଙ୍କୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ତେଲ  ଉତ୍ପାଦନ ଆରମ୍ଭ ହୋଇଛି । ଏଠାରେ ୩ ଶହ  କେଜି ଶୁଖିଲା ପତ୍ରରୁ ବାହାରିଛି ୧ ଲିଟର  ତେଲ । ସେହିପରି ପଟ୍ଟାଙ୍ଗିରେ ଶହେ କେଜିରୁ  ୫ ଶହ ଗ୍ରାମ୍‌ ତେଲ ବାହାର କରାଯାଇଛି ।  

ଶ୍ରୀ କାର୍ତ୍ତିକ କହିଛନ୍ତି, ଅନ୍‌ଲାଇନ୍‌ ମାର୍କେଟିଂ  ଆମାଜନ୍‌ରେ ଏହାର କେଜି ୧୦ ହଜାର  ହିସାବରେ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି ।  କୃଷି ଉତ୍ପାଦକ ସଙ୍ଗଠନ ଚାଷୀଙ୍କଠାରୁ ନଷ୍ଟ  ହୋଇଯାଉଥିବା ହଳଦୀ ପତ୍ର ସଂଗ୍ରହ କରୁଛି ।ସଫଳତା ମିଳିଲେ, ଜିଲ୍ଲାର ଅନ୍ୟ ବ୍ଲକର  ଚାଷୀଙ୍କଠାରୁ ହଳଦୀପତ୍ର ସଂଗ୍ରହ କରାଯାଇ  ତେଲ ଉତ୍ପାଦନ ବଢ଼ାଯିବ । ଅନ୍‌ଲାଇନରେ  ହଳଦୀ ତେଲର ଚାହିଦା ରହିଥିବାରୁ  ଚାଷୀମାନଙ୍କୁ ବି ଭଲ ଲାଭ ମିଳିବ । ସବୁଠୁ  ବଡ଼ କଥା ହେଲା, ଏହି ତେଲ ଉତ୍ପାଦନ ଲାଗି  ଅନ୍ୟ ମେସିନ୍‌ର ଆବଶ୍ୟକତା ପଡ଼ିବନି । ଯେଉଁ  ମେସିନରେ ଲେମନ୍‌ ଗ୍ରାସ୍‌ରୁ ତେଲ ବାହାର  କରାଯାଉଛି, ସେହିଥିରେ ହିଁ ହଳଦୀ ପତ୍ରରୁ  ତେଲ ବାହାର କରାଯାଇ ପାରୁଛି । ଏହି ତେଲରେ  ଅନେକ ଚର୍ମରୋଗ ଭଲ ହୋଇପାରୁଥିବାରୁ  ବାହାର ବଜାରରେ ଚାହିଦା ଢେର୍‌ ରହିଛି ।