ନୂଆଦିଲ୍ଲୀ,୨୨/୦୬: କଥାରେ ଅଛି, ଯେତେ ମାଠିବୁ ମାଠେ...ମୁଁ ସେଇ ଦରପଡ଼ା କାଟେ... । ବିଶ୍ୱ ମଞ୍ଚରେ ବେଜିତ୍ ହେଉଛି । ଜାତିସଂଘରେ ଭାରତ ଭତ୍ସନା କରୁଛି  ତଥାପି ସୁଧୁରୁନି ପାକିସ୍ତାନ । ଚେତିବା ବଦଳରେ ଓଲଟା ଭାରତକୁ ଧମକ ଦେଉଛି ଆତଙ୍କୀସ୍ଥାନ । ବିଲାୱାଲ୍ ଭୁଟ୍ଟୋଙ୍କ ପରେ ଏବେ ବିଳେଇଛନ୍ତି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ । ସିନ୍ଦୁ ଜଳ ଚୁକ୍ତିକୁ ନେଇ ଭାରତ ବିରୋଧରେ ଯୁଦ୍ଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଖ୍ୱାଜା ଆସିଫ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିଥିଲା । ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତକୁ ଜାତିସଂଘ ସମେତ ଅନେକ ଅନ୍ତର୍ଜାତୀୟ ମଞ୍ଚରେ ଆବେଦନ କରିଛି । ସିନ୍ଧୁ ଜଳ ଚୁକ୍ତିନାମାକୁ ପୁନଃସ୍ଥାପିତ କରିବା ପାଇଁ ଭାରତ ଜାତିସଂଘରେ ନିଜର ପୂର୍ବ ମତକୁ ଦୋହରାଇ ଥିଲା । ଏହାକୁ ନେଇ ପାକିସ୍ତାନ କ୍ରୋଧିତ ହୋଇଛି । ପ୍ରଥମେ ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ ବିଲାୱଲ ଭୁଟ୍ଟୋ ଭାରତକୁ ଏହା ଧମକ ଦେଇଥିଲେ ଏବଂ ଏବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଭାରତକୁ ଯୁଦ୍ଧ ଧମକ ଦେଇଛ ନ୍ତି। ଖୱାଜା ଆସିଫଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହେଉଛି । 

ଖୱାଜା ଆସିଫ୍ କ’ଣ କହିଲେ ? ଶନିବାର ARY ନ୍ୟୁଜ୍‌ ସହିତ କଥାବାର୍ତ୍ତା ସମୟରେ ଖୱାଜା ଆସିଫ୍‌ କହିଛନ୍ତି, "ଯେତେବେଳେ ଆମେ ଅନୁଭବ କରିବୁ ଯେ, ଆମର ଜାତୀୟ ସୁରକ୍ଷା ବିପଦରେ ଅଛି, ଆମେ ନିଶ୍ଚିତ ଭାବରେ ଭାରତ ବିରୁଦ୍ଧରେ ଯୁଦ୍ଧ କରିବୁ । ଜଳ ଆମର ଜାତୀୟ ସୁରକ୍ଷାର ଏକ ଅଂଶ। ଯଦି ଇସଲାମାବାଦ ପ୍ରମାଣ ପାଏ ଯେ, ଭାରତ ଜଳ ଯୋଗାଣରେ ବାଧା ସୃଷ୍ଟି କରିବା ପାଇଁ ବିପଜ୍ଜନକ ଗତିରେ କାମ କରୁଛି, ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ବିଚାର କରାଯିବ। ''

'ପାକିସ୍ତାନରେ ପାଣି ସଙ୍କଟ, ଭାରତ ଦାୟୀ'- ପାକିସ୍ତାନର ଜଳ ଅଭାବ ପାଇଁ ଖୱାଜା ଆସିଫ୍ ଭାରତକୁ ଦାୟୀ କରିବାକୁ ଚେଷ୍ଟା କରିଛନ୍ତି । ସେ ଭାରତକୁ "ପାଣିକୁ ଏକ ଅସ୍ତ୍ର ଭାବରେ ବ୍ୟବହାର", ଚେନାବ ନଦୀର ପ୍ରବାହକୁ ନିୟନ୍ତ୍ରଣ କରିବା ଏବଂ ତଥ୍ୟ ଲୁଚାଇବା ପାଇଁ ଆକ୍ଷେପ କରିଥିଲେ । ନିଜେ ସ୍ୱୀକାର କରିଥିଲେ ଯେ, ଗତ ବର୍ଷ ହୋଇଥିବା ଘଟଣାକ୍ରମରେ ତାଙ୍କ ପାଖରେ କୌଣସି ବର୍ତ୍ତମାନର ସୂଚନା ନାହିଁ । ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ ପାକିସ୍ତାନ ଏକ ସଙ୍କଟର ସମ୍ମୁଖୀନ ହେଉଛି । ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟା, ବିଶେଷକରି ସିନ୍ଧ ଏବଂ ବେଲୁଚିସ୍ତାନରେ, ଏକ ଗମ୍ଭୀର ଜଳ ସଙ୍କଟ ଦ୍ୱାରା ପ୍ରଭାବିତ । 

ଏହା ବି ପଢନ୍ତୁ...IWT: ଇରାନ୍-ଆମେରିକା ଶାନ୍ତି ଚୁକ୍ତି ପରେ ଭାରତକୁ ପାକିସ୍ତାନର ଫମ୍ପା ଧମକ...ବିଲାୱଲ୍ ଭୁଟ୍ଟୋ କହିଲେ ଆମେ ଜବାବ ଦେବୁ  

ପହଲଗାମ ଆକ୍ରମଣ ପରେ ଭାରତ ଚୁକ୍ତିନାମାକୁ ସ୍ଥଗିତ କରିଥିଲା- ଗତ ବର୍ଷ ଏପ୍ରିଲରେ, ପାକିସ୍ତାନ ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ କରିଥିଲା , ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଭାରତ ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା । ପାକିସ୍ତାନ ଏହି ପ୍ରସଙ୍ଗରେ ଭାରତକୁ ଜାତିସଂଘ ସମେତ ଅନେକ ଅନ୍ତର୍ଜାତୀୟ ମଞ୍ଚରେ ଆବେଦନ କରିଛି, କିନ୍ତୁ ଭାରତ ତା’ର ମନୋଭାବରେ ଅଟଳ ରହିଛି । ନୂଆଦିଲ୍ଲୀ ସ୍ପଷ୍ଟ ଭାବରେ କହିଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ତାର ସୀମାପାର ଆତଙ୍କବାଦୀ ଭିତ୍ତିଭୂମିକୁ ଭାଙ୍ଗିବା ପାଇଁ ବିଶ୍ୱସନୀୟ ଏବଂ ଠୋସ୍ ପଦକ୍ଷେପ ନେଇନାହିଁ ସେପର୍ଯ୍ୟନ୍ତ ଚୁକ୍ତିନାମା ସ୍ଥଗିତ ରହିବ ।