ନୂଆଦିଲ୍ଲୀ,୧୮।୧୨: ଭାରତର ପୂର୍ବୋତ୍ତର ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ନେଇ ପାକିସ୍ତାନ ପୁରୁଣା ରଣନୀତିକୁ ଗ୍ରହଣ କରିଛି। ପାକିସ୍ତାନ ସେନା ଓ ଏହାର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇ ଶେଖ୍ ହସିନାଙ୍କ ପରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ସମୟରେ ନିଜର ପ୍ରଭାବକୁ ବଢାଇବାର ଚେଷ୍ଟା କରୁଛି। ପାକିସ୍ତାନର ରଣନୀତି ପୂର୍ବୋତ୍ତର ରାଜ୍ୟରେ ଉଗ୍ରବାଦକୁ ପୁଣିଥରେ ଜୀବନ୍ତ ରଖିବା। ଏଥିରେ ସବୁଠାରୁ ବଡ଼ ନାଁ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ଉଲଫା-ଆଇ)ର ମୁଖ୍ୟ ପରେଶ ବରୁଆ। ପାକିସ୍ତାନ ବରୁଆକୁ ଚୀନ୍ରୁ ଆଣି ଢାକାରେ ରଖିବାର ଯୋଜନା କରୁଛି।

ଏହି ଖୁଲାସା ଏଭଳି ସମୟରେ ହୋଇଛି, ଯେତେବେଳେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ ଭାରତ ସହ ସମ୍ପର୍କ ବିବାଦୀୟ ହୋଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ପାକିସ୍ତାନ ସେନା ଓ ଆଇଏସ୍ଆଇ ବାଂଲାଦେଶରେ ଥିବା ଅନ୍ତରୀଣ ବ୍ୟବସ୍ଥା ଅନୁସାରେ, ତାଙ୍କ ଗତିବିଧିକୁ ବଢାଇ ଦେଇଛି। ଅଭିଯୋଗ ଅନୁସାରେ, ପାକିସ୍ତାନ ବାଂଲାଦେଶର ଫେବୃଆରୀରେ ପ୍ରସ୍ତାବିତ ନିର୍ବାଚନରେ କଠୋରପନ୍ଥୀ ଜାମାତ-ଇ-ଇସ୍ଲାମୀକୁ ପରୋକ୍ଷରେ ସମର୍ଥନ ଦେଇଛି। ଯାହାଫଳରେ ଭବିଷ୍ୟତରେ ତାଙ୍କ ଅନୁକୂଳ ସରକାର ତିଆରି କରିପାରିବ।

ପରେଶ ବରୁଆକୁ ପରେଶ ଆସାମ ନାମରେ ଜଣାଯାଏ। ସେ ଉଲଫାର ପ୍ରତିଷ୍ଠାତା ସଦସ୍ୟଙ୍କ ଭିତରୁ ଜଣେ। ୧୯୭୯ ରେ ଗଠିତ ଉଲଫା ଆସାମକୁ ଭାରତଠାରୁ ଅଲଗା କରିବା ପାଇଁ ସଶସ୍ତ୍ର ସଂଘର୍ଷ ଆରମ୍ଭ କରିଥିଲା। ସଂଗଠନର ବିଭାଜନ ୨୦୧୧ ରେ ହୋଇଥିଲା। ଯେତେବେଳେ ଅରବିନ୍ଦ ରାଜଖୋଭାଙ୍କ ନେତୃତ୍ବାଧୀନ ଗୋଷ୍ଠୀଙ୍କ ସହ ଆଲୋଚନା ପାଇଁ ଆଗକୁ ଆସିଥିଲେ, କିନ୍ତୁ,ବରୁଆ ଉଲଫା ଇଣ୍ଡିପେଣ୍ଡେଣ୍ଟ (ଉଲଫା ଆଇ) ହୋଇ ସଂଘର୍ଷ ଜାରି ରଖିଥିଲେ। ବରୁଆର ପାକିସ୍ତାନ ସହ ପୁରୁଣା ସମ୍ପର୍କ ରହିଛି। ୧୯୯୦ ଦଶକ ରେ ଆଇଏସ୍ଆଇ ଉଲଫା କ୍ୟାଡରକୁ ପାକିସ୍ତାନ ଓ ଆଫଗାନିସ୍ତାନରେ ଟ୍ରେନିଂ ଦେଇଥିଲେ। ବରୁଆ ନିଜେ କରାଚୀକୁ ନିୟମିତ ଭାବରେ ଗସ୍ତ କରୁଥିଲା। ୨୦୦୪ ରେ ଚଟଗାଓଁରେ ହତିଆର ତସ୍କରୀ କାଣ୍ଡରେ ମଧ୍ୟ ତାଙ୍କ ନାଁ ସାମନାକୁ ଆସିଥିଲ। ଯେଉଁଠି ୧୦ ଟ୍ରକ୍ରେ ଭାରି ମାତ୍ରାରେ ହତିଆର (୨୭ ହଜାର ଗ୍ରେନେଡ୍, ରକେଟ ଲଞ୍ଚର, ଲକ୍ଷାଧିକ ଗୁଳି) ଉଲଫା ପାଇଁ ଭାରତକୁ ପଠାଯିବାର ଥିଲା। ଏହି ମାମଲାରେ ବାଂଲାଦେଶର କୋର୍ଟ ତାକୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ଶେଖ୍ ହାସିନାଙ୍କ ସରକାର ଉଗ୍ରବାଦୀ ସଂଗଠନ ଉପରେ କଡା ମନୋଭାଗ ଗ୍ରହଣ କରିଥିଲା। ବହୁ ଉଲଫା ନେତାଙ୍କୁ ଭାରତ ପଠାଇଥିଲା। ବରୁଆ ବାଂଲାଦେଶ ଛାଡି ମିଆଁମାର ଓ ପୁଣିଥରେ ଚୀନ୍‌ର ୟୁନାନ୍ ପ୍ରଦେଶରେ ଶରଣ ନେଇଥିଲେ। ବର୍ତ୍ତମାନ ସେ ଚୀନ୍-ମିଆଁମାର ସୀମା ନିକଟରେ ଅଛି। ସେଠାରେ ଚୀନ୍ ତାକୁ ସୁରକ୍ଷା ଦେଉଛି।

ଆହୁରି ପଢନ୍ତୁ: ବିରୋଧିଙ୍କ ପ୍ରବଳ ହଙ୍ଗାମା ଭିତରେ ଲୋକସଭାରେ ‘ଭିବି ଜି-ରାମ୍‌-ଜି’ ବିଲ୍‌ ପାସ୍ ,ଏବେ ‘ମନରେଗା’ ପାଲଟିଲା ଇତିହାସ