ନୂଆଦିଲ୍ଲୀ, ୩।୭: ଶତାବ୍ଦୀ ଧରି ଭାରତର ସାଂସ୍କୃତିକ ପରିଚୟ ବସ୍ତ୍ର ଶିଳ୍ପର ତାଣି-ବାଣି ସହ ଜଡ଼ିତ ରହିଆସିଛି । କାଶ୍ମୀରର ପଶ୍ମିନା, ଆସାମର ମୁଙ୍ଗା ସିଲ୍କ, ତାମିଲନାଡ଼ୁର କାଞ୍ଜିଭରମ୍, ଚାନ୍ଦେରୀର ପାରମ୍ପରିକ ବୁଣାକାରୀ ଏବଂ ସୁରଟର ବସ୍ତ୍ର କୌଶଳ ଆମ ସମୃଦ୍ଧ ଐତିହ୍ୟର ଜୀବନ୍ତ ପ୍ରତୀକ । ଆଜି ବି ଦେଶର ଜିଡିପିରେ ୨.୩%, ଶିଳ୍ପ ଉତ୍ପାଦନରେ ୧୩% ଏବଂ ରପ୍ତାନିରେ ୧୨% ଯୋଗଦାନ ଦେଇ ଏହି କ୍ଷେତ୍ର ଅର୍ଥନୀତିର ଏକ ଶକ୍ତ ସ୍ତମ୍ଭ ସାଜିଛି । ଏହାଦ୍ୱାରା ଦେଶର ୪.୫ କୋଟି ଲୋକଙ୍କୁ ପ୍ରତ୍ୟକ୍ଷ ଓ ୧୦ କୋଟିରୁ ଅଧିକ ଲୋକଙ୍କୁ ପରୋକ୍ଷ ଜୀବିକା ମିଳୁଛି । ସୂତା କଟା, ବୁଣାକାରୀ, ପ୍ରସେସିଂ ଏବଂ ଗାର୍ମେଣ୍ଟ ପ୍ରସ୍ତୁତି ଭଳି କାର୍ଯ୍ୟ ଭିନ୍ନ ଭିନ୍ନ ରାଜ୍ୟରେ ହେଉଥିବାରୁ ଗୋଟିଏ ପୋଷାକ ତିଆରି ହେବା ପାଇଁ ଅନେକ ରାଜ୍ୟର ସୀମା ପାର୍ ହେବାକୁ ପଡ଼ୁଥିଲା । ଏହାଦ୍ୱାରା ଉତ୍ପାଦନ ଖର୍ଚ୍ଚ ବଢ଼ିବା ସହ ବିଶ୍ୱ ବଜାରକୁ ସଠିକ୍ ସମୟରେ ମାଲ୍ ପଠାଇବାରେ ବାଧା ସୃଷ୍ଟି ହେଉଥିଲା । ଏହା ସହିତ ଏହି ଶିଳ୍ପ ବୈଶ୍ୱିକ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନରେ ୮ ରୁ ୧୦% ଏବଂ ଜଳ ପ୍ରଦୂଷଣରେ ୨୦% ଭାଗୀଦାର ରହିଛି, ଯାହାର ପରିଚାଳନା ଏକ ଜଟିଳ ସମସ୍ୟା ଥିଲା ।
ପ୍ରଧାନମନ୍ତ୍ରୀଙ୍କ ‘5F’ ଭିଜନ ଏବଂ ‘ପିଏମ୍ ମିତ୍ର’ ଯୋଜନା:
ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅକ୍ଟୋବର ୨୦୨୧ରେ ୪,୪୪୫ କୋଟି ଟଙ୍କାର ବଜେଟ୍ ସହ 'ପିଏମ୍ ମିତ୍ର' ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ '5F' ଫର୍ମୁଲା – ଫାର୍ମ ଟୁ ଫାଇବର, ଫାଇବର ଟୁ ଫ୍ୟାକ୍ଟ୍ରି, ଫ୍ୟାକ୍ଟ୍ରି ଟୁ ଫ୍ୟାସନ୍, ଫ୍ୟାସନ୍ ଟୁ ଫରେନ୍ ଅର୍ଥାତ୍ ଚାଷରୁ ସୂତା, ସୂତାରୁ କାରଖାନା, କାରଖାନାରୁ ଫ୍ୟାଶନ ଏବଂ ଫ୍ୟାଶନରୁ ବିଦେଶ ଉପରେ ଆଧାରିତ । ୧୦୦୦ ଏକରରୁ ଅଧିକ ଜମିରେ ନିର୍ମିତ ଏହି ପାର୍କଗୁଡ଼ିକରେ କପା ଚାଷୀ, ବୁଣାକାରଙ୍କ ଠାରୁ ଆରମ୍ଭ କରି ରପ୍ତାନିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକାଠି କରାଯିବ । ଏଠାରେ 'ପ୍ଲଗ୍-ଏଣ୍ଡ-ପ୍ଲେ' ଭିତ୍ତିଭୂମି, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜଳ ଯୋଗାଣ ଏବଂ ପ୍ରଦୂଷଣ ମୁକ୍ତ 'ଜିରୋ ଲିକ୍ୱିଡ୍ ଡିସଚାର୍ଜ' ପ୍ଲାଣ୍ଟର ବ୍ୟବସ୍ଥା ରହିଛି ।
୭ଟି ରାଜ୍ୟରେ ମେଗା ବସ୍ତ୍ର ପାର୍କ: ବିପୁଳ ପୁଞ୍ଜିନିବେଶ
ଦେଶର ୭ଟି ପ୍ରମୁଖ ସ୍ଥାନରେ ଏହି ପାର୍କ ପ୍ରତିଷ୍ଠା କରାଯାଉଛି । ତାମିଲନାଡୁର ବିରୁଧୁନଗର, ଗୁଜରାଟର ନବସାରୀ, କର୍ଣ୍ଣାଟକର କଲବୁର୍ଗୀ, ମଧ୍ୟପ୍ରଦେଶର ଧାର ଏବଂ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଗ୍ରୀନଫିଲ୍ଡ ପ୍ରକଳ୍ପ, ତେଲେଙ୍ଗାନାର ୱାରଙ୍ଗଲ ଏବଂ ମହାରାଷ୍ଟ୍ରର ଅମରାବତ ବ୍ରାଉନଫିଲ୍ଡ ପ୍ରକଳ୍ପ ପାଇଁ ଯୋଜନା ହେଉଛି । ଏହି ମେଗା ପ୍ରକଳ୍ପ ପାଇଁ ସମୁଦାୟ ୬୯,୮୯୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଥିବା ବେଳେ ଏବେ ସୁଦ୍ଧା ୨୭,୬୫୮ କୋଟି ଟଙ୍କାର ନିବେଶ ହୋଇସାରିଛି ।
ଏହା ବି ପଢ଼ନ୍ତୁ... Tamilnadu Politics: ବିଜୟଙ୍କ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ! ୩୫ କୋଟିର ଅଫର ମିଳିଥିବା ଟିଭିକେ ବିଧାୟକଙ୍କ ଦାବି
୨୧ ଲକ୍ଷ ରୋଜଗାର ଓ ‘ଭିଜନ ୨୦୩୦’:
ଏହି ଯୋଜନା ଦ୍ୱାରା ପ୍ରତ୍ୟେକ ପାର୍କରୁ ପ୍ରାୟ ୩ ଲକ୍ଷ ଲେଖାଏଁ ସମୁଦାୟ ୨୧ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମସଂସ୍ଥାନ ସୃଷ୍ଟି ହେବ । ଏହା ବିଶେଷ କରି ଗ୍ରାମୀଣ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବ । ଭିତ୍ତିଭୂମିର ଏହି ବଡ଼ ପରିବର୍ତ୍ତନ ଭାରତୀୟ ବସ୍ତ୍ର ଶିଳ୍ପର ‘ଭିଜନ ୨୦୩୦’ ର ମୂଳଦୁଆ ସାଜିବ, ଯାହାର ଲକ୍ଷ୍ୟ ହେଉଛି ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତକୁ ୩୫୦ ବିଲିୟନ ଡଲାରର ବିଶ୍ୱ ବସ୍ତ୍ର ମହାଶକ୍ତି ଭାବେ ଗଢ଼ି ତୋଳିବା ।