ନୂଆଦିଲ୍ଲୀ: ଭାରତୀୟ ସେନା ଏବଂ ବାୟୁସେନା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଏକ ବୃହତ ଏବଂ ଦୁଇମୁଖୀ ଆକ୍ରମଣ କରିଛି। ଯାହାର ନାମ ଦିଆଯାଇଛି 'ଅପରେସନ ସିନ୍ଦୁର'। ସରକାରୀ ସୂତ୍ର ଅନୁଯାୟୀ, ଏହି ଆକ୍ରମଣରେ ଭାରତୀୟ ବାୟୁସେନା (ଆଇଏଏଫ) ଆକାଶରୁ ମିସାଇଲ ଆକ୍ରମଣ କରିଥିବା ବେଳେ ଭାରତୀୟ ସେନା ସ୍ଥଳଭାଗରୁ ସର୍ଫେସ-ଟୁ-ସର୍ଫେସ ମିସାଇଲ ନିକ୍ଷେପ କରିଛି।
ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା। ରାତାରାତି ଚାଲିଥିବା ଏହି ଅପରେସନରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।
ସରକାରୀ ସୂତ୍ର ଅନୁଯାୟୀ, ଏହି ଆକ୍ରମଣ ପାକିସ୍ତାନକୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ବନ୍ଦ କରିବା ପାଇଁ ଏକ ସ୍ପଷ୍ଟ ଚେତାବନୀ। ଅଧିକାରୀମାନେ କହିଛନ୍ତି ଯେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଇସଲାମାବାଦକୁ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକୁ ରୋକିବା ପାଇଁ ଦୃଢ଼ ବାର୍ତ୍ତା ଦେବା।
ଏହି ଆକ୍ରମଣ ପୂର୍ବରୁ ଭାରତ ଆମେରିକା, ଯୁକ୍ତରାଜ୍ୟ, ଫ୍ରାନ୍ସ ଏବଂ ରୁଷିଆ ଭଳି ପ୍ରମୁଖ ବିଶ୍ୱ ଶକ୍ତିଙ୍କ ଠାରୁ କୂଟନୈତିକ ସମର୍ଥନ ହାସଲ କରିଥିଲା। ଚୀନର ପ୍ରତିକ୍ରିୟା ନିରପେକ୍ଷ ରହିଥିବା ବେଳେ ମଧ୍ୟ ପ୍ରାଚ୍ୟ ଦେଶମାନେ ଭାରତ ସହ ଏକଜୁଟ ଥିବା ଦେଖାଯାଇଛି। ତୁର୍କୀ ବ୍ୟତୀତ କୌଣସି ଦେଶ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିନାହାନ୍ତି। ଯାହା ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ଭାବେ ପରିଗଣିତ ହେଉଛି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏହି ଆକ୍ରମଣକୁ "ଖୋଲାଖୋଲି ଯୁଦ୍ଧ" ବୋଲି ଅଭିହିତ କରିଛନ୍ତି। ଏହି ଆକ୍ରମଣରେ ପାକିସ୍ତାନର ସାଧାରଣ ନାଗରିକ ମଧ୍ୟ ହତାହତ ହୋଇଥିବା ନେଇ ସେ ଦାବି କରିଛନ୍ତି। ଏହାସହ ପାକିସ୍ତାନ ମଧ୍ୟ ନିଜର ସମୟ ଓ ସ୍ଥାନ ଅନୁଯାୟୀ ଭାରତକୁ ଜବାବ ଦେବ ବୋଲି ସେ ଧମକ ଦେଇଛନ୍ତି।
‘ଅପରେସନ ସିନ୍ଦୁର’କୁ ନେଇ ଭାରତ ସ୍ପଷ୍ଟ କରିଛି ଯେ ଏହା ପାକିସ୍ତାନ କିମ୍ୱା ପାକିସ୍ତାନ ସେନା ଉପରେ ସିଧା ଆକ୍ରମଣ ନଥିଲା। ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଗୁଡିକୁ ଏହି ଆକ୍ରମଣରେ ଟାର୍ଗେଟ କରାଯାଇତିଲା। ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ କହିଛନ୍ତି ଯେ ଯଦି ପାକିସ୍ତାନ ପ୍ରତିଶୋଧ ନେବାକୁ ଚେଷ୍ଟା କରେ, ତେବେ ଭାରତ ଏହାର ଦୃଢ଼ ଜବାବ ଦେବାକୁ ସଦା ପ୍ରସ୍ତୁତ ହୋଇ ରହିଚି।
ଏହି ଘଟଣା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଆଗାମୀ ଦିନରେ ଆନ୍ତର୍ଜାତୀୟ ସମୁଦାୟର ପ୍ରତିକ୍ରିୟା ଏବଂ ଦୁଇ ଦେଶର କୂଟନୈତିକ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି।