ପ୍ରଥମେ ଦେଖାଯାଉ, ଅକ୍ଷମତାର ବିପରୀତ ଶବ୍ଦ ଭାବେ ‘କ୍ଷମତା’ କାର୍ଯ୍ୟ କରିବା ଶକ୍ତି ବୁଝାଏ । ଅର୍ଥାତ୍ ଜଣେ ବ୍ୟକ୍ତି ବା ଜାତି କାର୍ଯ୍ୟ ସଂପାଦନ କରିବା ଲାଗି ସକ୍ଷମ । କିନ୍ତୁ କାଳକ୍ରମେ ଏହି ଶବ୍ଦଟି ଦିନକୁ ଦିନ ଭୟାବହ ହୋଇଉଠୁଛି ସମଗ୍ର ବିଶ୍ୱରେ । କାରଣ କ୍ଷମତାଚୌକିରେ ବସିବା ଲୋକ ଈଶ୍ୱରଙ୍କ ପ୍ରତିରୂପ ହୋଇଯାଇଛି । ଅବଶ୍ୟ ସଭ୍ୟତାର ଆଦି ପର୍ବରେ ରାଜାଙ୍କୁ ଈଶ୍ୱରଙ୍କ ପ୍ରତିରୂପ କୁହାଯାଉଥିଲା । ଯେହେତୁ ରାଜା ପ୍ରଜାର ମଙ୍ଗଳସାଧନ ଲାଗି କାର୍ଯ୍ୟ କରୁଥିଲା । ଯିଏ ପରିବାର ମୁଖ୍ୟ ସେ ବି କ୍ଷମତାଶାଳୀ ଯେହେତୁ ତାର ବାକ୍ୟ ଅକାଟ୍ୟ । କୁନ୍ତୀଙ୍କ କଥା ଅମାନ୍ୟ କରିବା ପାଇଁ ପାଣ୍ଡବ ପାଞ୍ଚଭାଇ ଯୁକ୍ତି ଖୋଜିନଥିଲେ ।
ସେହିପରି ରାଜାର କ୍ଷତି କ୍ୟାରିଗୁଲା ପରି ହୁଏ ଏବଂ କହେ- ଦୁଇଟି ସତ୍ୟ ମୁଁ ଉପଲବ୍ଧି କରି ମୋର ଅଜ୍ଞାତ ଉଭାନରୁ ଫେରିଆସିଛି । ସେ ହେଲା ମଣିଷ ମରେ ଏବଂ ସେ କେବେହେଲେ ଖୁସିରେ ରହିପାରେ ନାହିଁ । ଏହି ସତ୍ୟକୁ କାର୍ଯ୍ୟରେ ଲଗାଇ ସେ ଇଚ୍ଛା ଅନୁସାରେ ଲୋକଙ୍କୁ ଅତ୍ୟାଚାରୀ କରେ ଏବଂ ହତ୍ୟା କରେ । ଅବଶ୍ୟ ସମସ୍ତେ କ୍ୟାରିଗୁଲା ନୁହଁନ୍ତି । ଅଶୋକ ଆକବରଙ୍କ ପରି ରାଜା ମଧ୍ୟ ଥିଲେ । ୧୭୭୬ ମସିହାରୁ ଆମେରିକାରେ ଗଣତନ୍ତ୍ର ଶାସନ ବା ଲୋକପ୍ରତିନିଧି ଶାସନ ଚାଲିଛି । ଗତ ଦୁଇଶହ ବର୍ଷ ମଧ୍ୟରେ ଆମେ ଗଣତନ୍ତ୍ରର ଉତ୍ଥାନ ଦେଖିଛୁ ଏବଂ ତାରି ଭିତରେ ହିଟଲର, ମୁସଲିନି ମଧ୍ୟ ଦେଖିଛୁ । ଗଣତନ୍ତ୍ରରେ ମଧ୍ୟ ରାଜନୀତିକ ହତ୍ୟା, ଚକ୍ରାନ୍ତ ଏବଂ ଘୃଣା ପ୍ରଚୁର ଦେଖାଯାଏ । ଭାରତୀୟ ଗଣତନ୍ତ୍ରରେ ମଧ୍ୟ କିଛି ନୂଆ କଥା ଘଟିନାହିଁ ।
ଜଣେ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ ଯେଉଁ ଆସନରେ ବସନ୍ତି ତାହା ହିଁ କ୍ଷମତାର ଆସନ । ସେହି ବ୍ୟକ୍ତି ପୂଜା ପାଏ ଏବଂ ନିତି ଗାଳି ଶୁଣେ, ନିନ୍ଦିତ ହୁଏ ଯଦି ତାର କାର୍ଯ୍ୟ ବା ନୀତି ଲୋକବିରୋଧୀ ହୁଏ । କିନ୍ତୁ ଗଣତନ୍ତ୍ରରେ ଗୋଟିଏ ଆଶ୍ୱାସନା ରହିଛି ଯେ, ୫ବର୍ଷ ବା ୪ବର୍ଷ ପରେ ଲୋକେ ପୁଣି ନିଜର ମନୋନୀତ ବ୍ୟକ୍ତିଙ୍କୁ ବାଛନ୍ତି । ତେଣୁ ଉତ୍ପୀଡ଼ନ ବା ଜନବିରୋଧୀ ନେତା ସବୁଦିନ କ୍ଷମତାରେ ରହିପାରେନାହିଁ । ଅନେକ ସମୟରେ ନୀତି ନାମରେ ହତ୍ୟା ମଧ୍ୟ ହୁଏ । ଗଣତନ୍ତ୍ରରେ ରାଷ୍ଟ୍ରମୁଖ୍ୟଙ୍କୁ ହତ୍ୟା କରାଯାଏ । ଆମେରିକାରେ ଜନ୍ ଏଫ୍ କେନେଡି ଆତତାୟୀ ଗୁଳିରେ ପ୍ରାଣ ହରାଇଥିଲେ । ରାଷ୍ଟ୍ରପତି ରୋନାଲଡ ରେଗାନ ଗୁଳିମାଡ଼ ଖାଇଥିଲେ, ଅବଶ୍ୟ ବର୍ତ୍ତିଯାଇଥିଲେ । ଏବେ ପୂର୍ବ ରାଷ୍ଟ୍ରପତି ଓ ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ଆଶାୟୀ ପ୍ରାର୍ଥୀ ଡୋନାଲଡ ଟ୍ରମ୍ପଙ୍କୁ ହତ୍ୟା କରିବା ଉଦ୍ୟମ ହୋଇଥିଲା ଏବଂ ସେ ବର୍ତ୍ତିଯାଇ ପୁଣି ପ୍ରଚାର କରୁଛନ୍ତି । ଭାରତରେ ୩ଟି ବଡ଼ଧରଣର ହତ୍ୟା ହୋଇଥିଲା- ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ । ଆପଣ ପ୍ରଶ୍ନ କରିପାରନ୍ତି ମହାତ୍ମା ଗାନ୍ଧୀ ତ ରାଜନୀତିକ କ୍ଷମତାରେ ନଥିଲେ, ତାଙ୍କୁ କାହିଁକି ହତ୍ୟା କରାଗଲା? ମୁଁ କହିବି ଆପଣ କ୍ଷମତାକୁ ଠିକ୍ ବୁଝିବା ପାଇଁ ଚେଷ୍ଟା କରନ୍ତି ।
ମହାତ୍ମା ଗାନ୍ଧୀ ୧୯୧୫ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ କୌଣସି କ୍ଷମତାଚୌକିରେ ବସିନଥିଲେ ମଧ୍ୟ ବହୁତ ଶକ୍ତିଶାଳୀ ଥିଲେ । ସରକାର ଓ ପୁଳିସ ତାଙ୍କୁ ନିଶ୍ଚୟ ଡରୁଥିଲେ । ୧୯୧୫ରେ ଭାରତ ଆସିବା ପରେ ସେ ଯେଉଁ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ଗ୍ରହଣ କଲେ, ତାହା ଥିଲା ବିଶ୍ୱର ସର୍ବଶ୍ରେଷ୍ଠ ମୁକ୍ତି ଆନ୍ଦୋଳନ । ବ୍ରିଟିଶ ସରକାର ଗାନ୍ଧୀଙ୍କର ପ୍ରତ୍ୟେକ ଲିଖିତ ଓ କଥିତ ଶବ୍ଦକୁ ତର୍ଜମା କରି କାର୍ଯ୍ୟ କରୁଥିଲେ । ସେ ତୃତୀୟ ଶ୍ରେଣୀରେ ଯାତ୍ରା କରୁଥିଲେ ଏବଂ ଶହ ଶହ କର୍ମଚାରୀ ତାଙ୍କର ସୁରକ୍ଷା ଲାଗି ସତର୍କ ସଜାଗ ରହୁଥିଲେ । ସେ ହାତ ଟେକିଲେ ସମୁଦ୍ର ଢେଉ ସ୍ଥିର ହୋଇଯାଉଥିଲା । ତାଙ୍କ କଥା ଶୁଣିବା ପାଇଁ ସମଗ୍ର ବିଶ୍ୱ କାନଡେରି ବସୁଥିଲା । ଭାରତର ୩୦କୋଟି ଜନତା ତାଙ୍କ ନେତୃତ୍ୱରେ ଜୀବନ ଦେବାଲାଗି ପ୍ରସ୍ତୁତ ଥିଲେ। ସ୍ୱାଧୀନତା ପାଇବା ପରେ ଗାନ୍ଧୀଙ୍କୁ ଜାତିର ପିତା କୁହାଗଲା । ତାଙ୍କର ଅବର୍ତ୍ତମାନରେ ମଧ୍ୟ ଭାରତର ଅର୍ଦ୍ଧାଧିକ ଲୋକ ତାଙ୍କୁ ପଢ଼ନ୍ତି ଏବଂ ଅନୁସରଣ କରିବାକୁ ଚେଷ୍ଟା କରନ୍ତି । ସମଗ୍ର ବିଶ୍ୱ ତାଙ୍କୁ ସମ୍ମାନ କରେ ୧୯୮୮ରେ ତାଙ୍କର ହତ୍ୟା ପରେ ମଧ୍ୟ । ତାଙ୍କଠାରୁ ବେଶୀ କ୍ଷମତାଶାଳୀ ବ୍ୟକ୍ତି ବୋଧହୁଏ ଜନ୍ମ ହେଇନାହିଁ । ମାର୍ଟିନ ଲୁଥର କିଙ୍ଗ ଜୁନିୟର ପ୍ରଭୃତି ଗାନ୍ଧୀଙ୍କର ଅନୁଗାମୀ । ଗାନ୍ଧୀଜୀ ଯେଉଁଠି ବସୁଥିଲେ ତାହା ଥିଲା ସିଂହାସନ ଠାରୁ ଅତି ଗୁରୁତ୍ୱପୂର୍ଣ୍ଣ ।
ଟୟନବି କହିଥିଲେ ଯେ, ବୁଦ୍ଧ ଏବଂ ଗାନ୍ଧୀ ଦୁଇଜଣ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟକ୍ତି ଏବଂ ଉଭୟ ଭାରତରେ ହିଁ ଜନ୍ମ ହୋଇଥିଲେ । କ୍ଷମତାର ଅନ୍ୟ ବ୍ୟାପକ ଅର୍ଥ ହେଲା ଯାହାର କଥା ଓ କର୍ମ ଜନତା ସମ୍ମାନର ସହ ଅନୁପାଳନ ଅନୁସରଣ କରେ । କ’ଣ ଥିଲା ଗାନ୍ଧୀଙ୍କ କ୍ଷମତା? ଖଦିଲୁଗା ପିନ୍ଧା ଅଧାଲଙ୍ଗଳା ବାଙ୍ଗରା ଅସୁନ୍ଦର ମଣିଷଟିଏ । ସ୍ୱର ମଧ୍ୟ କ୍ଷୀଣ ଓ ସେଥିରେ ବି କୌଣସି ତୀକ୍ଷ୍ଣତା କିମ୍ବା ଗମ୍ଭୀର ଆକର୍ଷଣ ନଥିଲା । କିନ୍ତୁ ତାହା ଥିଲା ଅମୂଲ୍ୟ । ସତ୍ୟ ଅହଂକାର ନିର୍ଭୀକ ଆତ୍ମପ୍ରକାଶ । ଗାନ୍ଧୀ ପ୍ରତ୍ୟେକ ଭାରତୀୟର ଅଣ୍ଟା ସଳଖେଇ ଦେଇଥିଲେ ଏବଂ ଭାରତକୁ ଏକ ସ୍ୱତନ୍ତ୍ର ସମ୍ମାନନୀୟ ପରିଚୟ ଦେଇଥିଲେ । ଏହା ହିଁ କ୍ଷମତାର ଅସଲ ପରିଚୟ । ଯେହେତୁ ସେ କୋଟି ଜନତାର ଈଶ୍ୱର ଥିଲେ ତାଙ୍କୁ ହତ୍ୟା କରାଯାଇଥିଲା । ଇନ୍ଦିରା ଓ ରାଜୀବ ରାଜନୀତିକ ନୀତି ବିଭ୍ରାଟର ଶିକାର ହୋଇଥିଲେ ଅର୍ଥାତ୍ ତାଙ୍କର କ୍ଷତି କେତେକ ଅସହିଷ୍ଣୁଙ୍କ ଦ୍ୱାରା ହୋଇଥିଲା ଏବଂ ରାଜନୀତି ଓ ଧର୍ମ ତଥା ସ୍ୱାର୍ଥ ରାଜନୀତି ଦ୍ୱାରା ସେମାନଙ୍କୁ ହତ୍ୟା କରାଯାଇଥିଲା । ତେବେ ଏ କ୍ଷମତାର ପରିଭାଷା କ’ଣ? କ୍ଷମତା ଆଧ୍ୟାତ୍ମିକ, ନୈତିକ ସାମାଜିକ ଓ ରାଜନୀତିକ ହେଇପାରେ ।
ଅନେକ ଯୋଗ୍ୟ ବା ଅଯୋଗ୍ୟ ବ୍ୟକ୍ତି ତାଙ୍କର କର୍ମାନୁସାରେ ଜନତାର ପ୍ରେମ, ଆଦର ସମ୍ମାନ ଲାଭ କରନ୍ତି । ଅବଶ୍ୟ କେତେକ ଅଯୋଗ୍ୟ ବ୍ୟକ୍ତି ଧର୍ମଗୁରୁ ସାମୟିକ ଭାବେ ଏକ ନୈତିକ କ୍ଷମତାର ଅଧିକାରୀ ହୁଅନ୍ତି, କିନ୍ତୁ ଯେଉଁ ବ୍ୟକ୍ତି ଜନତାର ସେବା କରେ ଏବଂ ଲୋକପ୍ରିୟତା ହାସଲ କରେ ସେ ବି କ୍ଷମତା ପାଏ ଜନତାର ସମର୍ଥନରେ । କିନ୍ତୁ ସାଧାରଣତଃ ଆମେ କ୍ଷମତା କହିଲେ ରାଜନୀତିକ କ୍ଷମତା ହିଁ ବୁଝୁ, କାରଣ ଏହି କ୍ଷମତା ମଙ୍ଗଳ ସହିତ ଅମଙ୍ଗଳ ମଧ୍ୟ କରିପାରେ । ଦେଶକୁ ସମୃଦ୍ଧ, ବିତ୍ତଶାଳୀ ଓ ପ୍ରଭାବଶାଳୀ କରିପାରେ କିମ୍ବା ହିଟଲର ପରି ଦେଶ ଓ ପୃଥିବୀର କ୍ଷତି କରିପାରେ ।
କ୍ଷମତା ଭାରତ ପରି ବହୁଭାଷୀ, ବହୁ ଧର୍ମ ଜାତି ବିଭାଜିତ ରାଷ୍ଟ୍ରକୁ ଏକତାର ଆଶୀର୍ବାଦ ଦେଇପାରେ କିମ୍ବା ଅଶାନ୍ତ ଅସହିଷ୍ଣୁତାରେ ଅସନ୍ତୋଷ ଓ କ୍ରୋଧ ସୃଷ୍ଟି କରିପାରେ । ଅବଶ୍ୟ ଗଣତନ୍ତ୍ର ଶାସନରେ ଜନତା ସୁଯୋଗ ପାଏ ୪/୫ ବର୍ଷରେ କ୍ଷମତା ଅପବ୍ୟବହାରକାରୀ ବ୍ୟକ୍ତିକୁ ବୁଝାଇ ଅନ୍ୟ ଯୋଗ୍ୟ ବ୍ୟକ୍ତି ହାତରେ ରାଷ୍ଟ୍ର ଭାର ଦେବାପାଇଁ । କ୍ଷମତା ଦାୟିତ୍ୱବୋଧ ରହିତ ହେଲେ ଉତ୍ପୀଡ଼କ ହୁଏ । କ୍ଷମତା ପରିବାର ସୀମିତ ହେଲେ ବି ଦେଶ ଆଗେଇ ପାରେନାହିଁ । କ୍ଷମତା ସଂସ୍କୃତି, ସଭ୍ୟତା, ଏକତାକୁ ଦୃଢ଼ କରି ବିକାଶମାର୍ଗରେ ରାଷ୍ଟ୍ରକୁ ନିଏ ବିଶ୍ୱରେ ଆସନ ପାଇବା ପାଇଁ । କିନ୍ତୁ କ୍ଷମତା ଏକ ବିଭାଜନକାରୀ ଶକ୍ତି, ଗଣତନ୍ତ୍ରରେ କ୍ଷମତା କହିବା ମାତ୍ରେ ଶାସକ ଦଳ ଓ ବିରୋଧୀ ଦଳ ଚିତ୍ର ଆଖିଆଗରେ ଭାସିଉଠେ ।
ଗଣତନ୍ତ୍ରରେ ବିରୋଧୀ ଦଳ ସୃଷ୍ଟି ହୋଇଥିଲା ଯୁକ୍ତି- ପ୍ରତିଯୁକ୍ତି ମାଧ୍ୟମରେ ଦେଶଲାଗି ଯାହା ଉପକାରୀ ସେପରି ନୀତି ଗ୍ରହଣ କରି ଆଇନ ପ୍ରଣୟନ କରିବା । ବିରୋଧର ଅର୍ଥ କ୍ଷମତା କନ୍ଦଳ ନୁହେଁ । ବାସ୍ତବରେ କିନ୍ତୁ ଶାସକ ବିରୋଧୀ ଶତ୍ରୁତା ଆଚରଣ କରି ଏକ ଶବ୍ଦମୟ ଅଶାନ୍ତ ବାତାବରଣ ସୃଷ୍ଟି କରନ୍ତି । ପରସ୍ପରକୁ ବୁଝାଇବା ଲାଗି ଦିନରାତି ଚେଷ୍ଟା କରନ୍ତି । ଏହା ହେଲା ପ୍ରଥମ ବିଭାଜନ ଯାହା ଦେଶକୁ ପ୍ରାୟ ଦୁଇଭାଗ କରିଦିଏ । ଦ୍ୱିତୀୟରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଯିଏ ନମ୍ବର ଏକରେ ରହନ୍ତି ସେ ନିଜର ସ୍ଥାୟିତ୍ୱ ପାଇଁ ଗୋଟିଏ ପାଖ ଲୋକ ଗୋଷ୍ଠୀ ଗଢ଼ନ୍ତି । ସେହି ଗୋଷ୍ଠୀରେ ବି ପରସ୍ପରକୁ ଟପିଯିବାର ପ୍ରତିଯୋଗିତା ଅଦୃଶ୍ୟ ଭାବେ ଘଟୁଥାଏ । ଏକନମ୍ବରକୁ ହଟାଇ ନିଜେ ଏକନମ୍ବର ହେବାର ଚକ୍ରାନ୍ତ ଚାଲିଥାଏ । କିନ୍ତୁ ସବୁଠାରୁ ମାରାତ୍ମକ ହେଲା ମନ ଓ ବିବେକ ମଧ୍ୟରେ ସଂଘାତ ଯାହା ପ୍ରତ୍ୟେକ ଏକନମ୍ବର ବ୍ୟକ୍ତିର ଘଟେ । କ୍ଷମତାରେ ରହିବାପାଇଁ ଏହି ତୃତୀୟ ବିଭାଜନ ସବୁଠାରୁ ବିପଦପୂର୍ଣ୍ଣ । ଏହାର ସବୁଠାରୁ ବିପଦପୂର୍ଣ୍ଣ ଉଦାହରଣ ଆମେ ଭୋଗ କରିଛୁ ଜୁନ୍ ୨୫, ୧୯୭୫ ମସିହାରେ ଯେଉଁଦିନ ଦେଶରେ ଆପାତକାଳନୀ ପରିସ୍ଥିତି ଜାରି ହୋଇ ବ୍ୟକ୍ତିର ସବୁ ଅଧିକାର କ୍ଷୁଣ୍ଣ କରାଗଲା । ବର୍ତ୍ତମାନ ୨୦୨୪ରେ ଆମେ ଦେଖୁ ଆଉ ଏକପ୍ରକାର ବିପଦ: ଜାତିଭେଦ, ଧର୍ମବିଦ୍ୱେଷ ଓ ଆଞ୍ଚଳିକ ସ୍ୱାର୍ଥରକ୍ଷା ପାଇଁ ରାଷ୍ଟ୍ରନୀତିର ବିରୋଧ । ଉତ୍ତର-ଦକ୍ଷିଣ ମଧ୍ୟରେ ବି ବିରୋଧ ଦେଖାଯାଉଛି । ଭାଷା ମଧ୍ୟ ବିରୋଧ କରାଯାଉଛି।
ଚାକିରି ସଂରକ୍ଷଣ, ଆରକ୍ଷଣ ଇତ୍ୟାଦି ଲାଗି ମଧ୍ୟ ବିବାଦ ସୃଷ୍ଟି କରାଯାଉଛି । ଏସବୁ ସାଧାରଣ ମତଦାତା କରେନାହିଁ । ଏସବୁ ରାଜନେତାମାନେ କରନ୍ତି ଭୋଟ ପାଇ କ୍ଷମତାରେ ରହିବା ପାଇଁ । ବାଂଲାଦେଶରୁ ଅନୁପ୍ରବେଶକାରୀ ଆସି ଭାରତର ପ୍ରାୟ ସବୁ ସୀମାନ୍ତ ପ୍ରଦେଶମାନଙ୍କରେ ଭୋଟର କାର୍ଡ ଆଧାର କାର୍ଡ ଇତ୍ୟାଦି ବିନା ପ୍ରଚେଷ୍ଟାରେ ସହଜରେ ପାଇଯାଉଛନ୍ତି । ଏସବୁ କରାଯାଉଛି କେବଳ ଭୋଟବ୍ୟାଙ୍କ ସୃଷ୍ଟି ପାଇଁ । ଯଦି ଏହି ନେତାମାନଙ୍କୁ ଏକୁଟିଆ ପ୍ରଶ୍ନ କରାଯାଆନ୍ତା- ଆପଣ ଯାହା କରୁଛନ୍ତି ତଦ୍ୱାରା ଭାରତର ଜନସଂଖ୍ୟା ସନ୍ତୁଳନ ବିଗିଡ଼ି ଯାଉନାହିଁ କି? ହୁଏତ ୫୦ବର୍ଷ ପରେ ସେମାନେ ବହୁସଂଖ୍ୟକ ହୋଇ ଭାରତ ଶାସନ କରିବେ ବା ସ୍ୱାଧୀନତା ବେଳେ ଯେପରି ଧର୍ମଭିତ୍ତିକ ଦେଶ ବିଭାଜନ ଘଟି ଭାରତରୁ ପାକିସ୍ତାନ ଅଲଗା କରି ଗଢ଼ା ଯାଇଥିଲା, ସେପରି କିଛି ଘଟିବ ନାହିଁ ତ? ଏହି ନେତାଙ୍କର ବିବେକ କହିବ ହଁ, କିନ୍ତୁ ମନ କହିବ ନା । ସେମାନେ ଯୁକ୍ତି କରିବେ ଏସବୁ ଛୋଟ କଥା କାହିଁକି ମନକୁ ଆଣୁଛ? ଭାରତ ତ ଭାରତ ରହିବ³ ଯିଏବି ଶାସନ କରୁ । ତାଙ୍କୁ ଯଦି ପୁଣି ପଚରାଯାଏ ତେବେ ଇଂରେଜମାନଙ୍କୁ ହଟାଇବା ପାଇଁ କାହିଁକି ଆନ୍ଦୋଳନ ହେଲା? ଇଂରେଜମାନେ ମଧ୍ୟ ଇଣ୍ଡିଆ କହୁଥିଲେ ଏବଂ ବର୍ତ୍ତମାନ ଆପଣଙ୍କ ସମ୍ବିଧାନ କହୁଛି- ‘ଇଣ୍ଡିଆ ଯାହା ଭାରତ’? ସେମାନଙ୍କର ବିବେକର ଭାବକୁ ଉପେକ୍ଷା କରି ସେମାନେ ମନର କଥା ହିଁ କହିବେ । କାରଣ କ୍ଷମତାର ଚୌକି ଆଗରେ ଦେଶ-ସଭ୍ୟତା-ସଂସ୍କୃତି କିଛି ନୁହେଁ । ବର୍ତ୍ତମାନ ଆମେରିକାରେ ଓ ବିଶ୍ୱର ଅନ୍ୟ କେତେକ ରାଷ୍ଟ୍ରରେ ଏହା ହିଁ ଘଟୁଛି ।
କାନାଡ଼ାରେ ଯେଉଁ ଚକ୍ରାନ୍ତ ଚାଲିଛି ଖଲିସ୍ତାନ ସମର୍ଥକଙ୍କୁ ନେଇ ତାକୁ ମଧ୍ୟ କେହି ପ୍ରକାଶ୍ୟ ବିରୋଧ କରୁନାହାଁନ୍ତି । ଯଦିଓ ତାଙ୍କର ବିବେକ (ଯଦି ଥାଏ) ଏହାର ବିରୋଧ କରେ । ଯଦି ଅନ୍ୟ ରାଜନେତା ଏହାର ବିରୋଧ କରନ୍ତି ତେବେ ସେମାନଙ୍କର ବିରୋଧ କରାଯାଏ । ଏପରି ଅନେକ ଉଦାହରଣ ନିଆଯାଇପାରେ ଯାହା ପ୍ରିୟ ପାଠକେ ନିଜେ ଦେଖିପାରୁଛନ୍ତି । ମନ ବିବେକର ଏହି ବିଭାଜନ କ୍ଷମତାର ସବୁଠାରୁ ମାରାତ୍ମକ ବିଭାଜନ । କିନ୍ତୁ କ୍ଷମତା ଏକ ଆପଣେଇ ନେବା ଶକ୍ତି ମଧ୍ୟ । ଯଦି ଧୃତରାଷ୍ଟ୍ର ପରି ପୁତ୍ରମୋହ ନଥାଏ, ମନରେ ଦେଶ ଓ ଦେଶର ସାଂସ୍କୃତିକ ପରମ୍ପରା ପ୍ରତି ପ୍ରେମ ଓ ସମ୍ମାନ ଥାଏ ତେବେ କ୍ଷମତା ଏକ ଯୋଡ଼ିବା ଶକ୍ତି ହେଇଯାଏ । ଏହି ଯୋଡ଼ିବା ଶକ୍ତି ଆସେ ଯେତେବେଳେ ଦେଶରକ୍ଷା, ଦେଶର ସଭ୍ୟତା, ମର୍ଯ୍ୟାଦା ଓ ମୂଲ୍ୟବୋଧ ରକ୍ଷା ନିଜର କ୍ଷମତା ଲାଳସା ଠାରୁ ବଡ଼ ହୁଏ । ଯଦି ଶାସକ ଜଣେ ବିଜ୍ଞ ସେବକ ହୁଏ ଏବଂ ଦେଶକୁ ସର୍ବୋଚ୍ଚ ଆସନ ଦେଇ ନିଜ ଚୌକିକୁ ଗୌଣ ମନେକରେ ତେବେ କ୍ଷମତା ମଣିଷ ଜାତିର ସେବା ଓ ଉନ୍ନତିସାଧନ ପାଇଁ ସାଧନା ଏକ ପରମ ମାଧ୍ୟମ ହେଇପଡ଼େ।
ଏଥିଲାଗି ଆବଶ୍ୟକ ସ୍ୱାର୍ଥତ୍ୟାଗ । ଯଦି କ୍ଷମତାସୀନ ନେତା (ରାଜାରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ) ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଉପେକ୍ଷା କରି ଦେଶ ଓ ବିଶ୍ୱ ଜନତାର ମଙ୍ଗଳ ବିଧାନ ଲାଗି ନିଜ ଜୀବନ ସମର୍ପିତ କରେ ତେବେ କ୍ଷମତା ଏକ ଦେବଯୋଗ ହୁଏ । ଶାସନ ଚୌକିରେ ବସିଥିବା ବ୍ୟକ୍ତି ଭଗବାନ ହୁଏ । ନଚେତ୍ ଜୀବନ ଧ୍ୱଂସକାରୀ, ଦେଶ-ସଂସ୍କୃତି ଧ୍ୱଂସକାରୀ ରାକ୍ଷସ ହୁଏ । ତ୍ୟାଗ ଭାରତୀୟ ମୂଲ୍ୟବୋଧମାନଙ୍କ ମଧ୍ୟରେ ସର୍ବୋତ୍ତମ । ତ୍ୟାଗ ନଥିଲେ ଜଣେ ରାମ ହୁଏନାହିଁ ଏବଂ ସୁଶାସନ ଦେଇପାରେନାହିଁ । ବରଂ କ୍ଷମତାର ଅପବ୍ୟବହାର କରେ କ୍ୟାରିଗୁଲା ପରି । ସାଧାରଣ ଜନତା ଆଜି ତୁଳନାତ୍ମକ ଭାବେ ଶିକ୍ଷିତ । ସେଇମାନେ ଗଣତନ୍ତ୍ରରେ ଯେଉଁ ସୁଯୋଗ ପାଇଛନ୍ତି ତାହା ବିବେକାନୁମୋଦିତ ଭାବେ ବ୍ୟବହାର କରନ୍ତୁ । କ୍ଷମତା ଜନତାର, ବ୍ୟକ୍ତିର ନୁହଁ । କ୍ଷମତା ମଣିଷ ଜାତିର, ଶାସକର ନୁହେଁ। କ୍ଷମତା ଆତ୍ମା ଓ ବିବେକ ତଥା ନ୍ୟାୟବୋଧରେ ପୁଷ୍ଟ ଏବଂ ତାହା ମଙ୍ଗଳବିଧାନ କରେ: ନଚେତ୍... ।