ଜୀବମାନଙ୍କର ଶରୀର ସହିତ ଦୃଷ୍ଟି ସମ୍ମୁଖରେ ପ୍ରତିଭାତ ଜଡ଼ ଜଗତ, ପଞ୍ଚମହାଭୂତ ଯଥା: କ୍ଷିତି, ଆପ୍, ତେଜ, ମରୁତ ଓ ବ୍ୟୋମରେ ଗଠିତ । ଏହି ପଞ୍ଚମହାଭୂତର ଅଧିପତି ହେଉଛନ୍ତି ପଞ୍ଚଦେବତା ମହେଶ୍ୱର, ଗଣେଶ, ଅମ୍ବିକା, ସୂର୍ଯ୍ୟ ଓ ବିଷ୍ଣୁ । ଶାସ୍ତ୍ରରେ କୁହାଯାଇଛି ‘ଆକାଶସ୍ୟଧିପୋ ବିଷ୍ଣୁ ଅଗ୍ନେଶ୍ଚୈବ ମାହେଶ୍ୱରୀ, ବାୟୋଃ ସୂର୍ଯ୍ୟ କ୍ଷିତେରୀଶୋ ଜୀବନସ୍ୟ ଗଣାଧିପଃ,’ । ଅର୍ଥାତ୍ ଆକାଶର ଅଧିପତି ହେଉଛନ୍ତି ବିଷ୍ଣୁ, ତେଜର ଅମ୍ବିକା, ବାୟୁର ସୂର୍ଯ୍ୟ, କ୍ଷିତିର ଶଙ୍କର ଏବଂ ଜଳର ଅଧିପତି ଗଣେଶ । କେଉଁ ଏକ ସ୍ମରଣାତୀତ କାଳରୁ ଏହି ପଞ୍ଚ ଦେବଦେବୀଙ୍କ ଉପାସନାର ଧାରା ଧରାପୃଷ୍ଠରେ ଅବ୍ୟାହତ ରହିଛି । ସେଥିପାଇଁ କୁହାଯାଇଛି ‘ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା, ଭିନ୍ନାଭିନ୍ନଂ ନକର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ’। ଶରୀରରେ ଅବସ୍ଥାପିତ ସପ୍ତଚକ୍ର ମଧ୍ୟରୁ ମୂଳାଧାର ଚକ୍ରର ଅଧିପତି ହେଉଛନ୍ତି ଗଣେଶ । ତେଣୁ ଆବାଳବୃଦ୍ଧବନିତାଙ୍କ ଦ୍ୱାରା ବିଘ୍ନରାଜ ସଦାକାଳେ ପୂଜିତ ହୁଅନ୍ତି ।
ଭାରତୀୟ ଧର୍ମଧାରା ଓ ପରମ୍ପରାରେ ସର୍ବଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ହେଉଛନ୍ତି ବିଘ୍ନନାଶକାରୀ, ଏକଦନ୍ତ ବିନାୟକ । ବିଦ୍ୟା, ବୁଦ୍ଧି ଓ ସିଦ୍ଧିଦାତା ଭାବେ ଭାରତବର୍ଷର କୋଣ ଅନୁକୋଣରେ ପ୍ରଭୁ ଶ୍ରୀଗଣେଶ ହୁଅନ୍ତି ପୂଜିତ । ପ୍ରତିଟି ମାଙ୍ଗଳିକ କାର୍ଯ୍ୟର ପ୍ରାରମ୍ଭରେ ବିଘ୍ନ ବିନାଶ ନିମନ୍ତେ ଗଣେଶଙ୍କୁ ସ୍ତୁତି କରାଯାଏ- ‘ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମ ପ୍ରଭଃ, ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ଯ୍ୟେଷୁ ସବର୍ଦା’। ଅର୍ଥାତ୍ କୋଟି ସୂର୍ଯ୍ୟସମ ପ୍ରଭାଯୁକ୍ତ ହେ ବକ୍ରତୁଣ୍ଡ ମହାକାୟ! ଆପଣ ସର୍ବଦା ଆମ୍ଭ କାର୍ଯ୍ୟକୁ ଫଳବତୀ କରାନ୍ତୁ । ବର୍ଷର ପ୍ରତିଟି ସମୟରେ ସମସ୍ତ ଦେବଦେବୀଙ୍କ ପୂଜା ଆରାଧନା ପ୍ରାରମ୍ଭରେ ଘଟ ବା କଳସ ସ୍ଥାପନ କରାଯାଇ ସବୁ ଅନିଷ୍ଟ ବା ବିଘ୍ନ ଦୂରୀଭୂତ ନିମନ୍ତେ ପ୍ରଭୁ ଗଜାନନଙ୍କୁ ଆରାଧନା କରାଯାଏ। ଗଣେଶଙ୍କ ସ୍ୱରୂପ ଭାବେ କଳସ ପୂଜା କରାଯାଏ । କଳସ ମଧ୍ୟରେ ଅନେକ ଦେବଦେବୀ ଅବସ୍ଥାନ କରିଥାନ୍ତି- ‘କଳସସ୍ୟ ମୁଖେ ରୁଦ୍ରଃ କଣ୍ଠେ ବିଷ୍ଣୁ ପ୍ରକୀର୍ତ୍ତିତଃ, ଅଧଶ୍ଚୈବ ସ୍ଥିତୋ ବ୍ରହ୍ମା ମଧ୍ୟେ ମାତୃଗଣାଃ ସ୍ମୃତାଃ’ । ଅର୍ଥାତ୍ କଳସର ମୁଖରେ ଶିବ, କଣ୍ଠ ଦେଶରେ ବିଷ୍ଣୁ, ନିମ୍ନ ଭାଗରେ ବେଦପତି ବ୍ରହ୍ମା ଏବଂ ମଧ୍ୟରେ ମାତୃଗଣ ଅବସ୍ଥାନ କରିଥାନ୍ତି । ଶିବପୁରାଣର ପୃଷ୍ଠା ଉନ୍ମୋଚନ କଲେ ଗଣେଶଙ୍କ ଜନ୍ମପ୍ରସଙ୍ଗ ଦୃଷ୍ଟିଗୋଚର ହୋଇଥାଏ ।
ଏହି ପୁରାଣର ବର୍ଣ୍ଣନା ଅନୁଯାୟୀ ଗିରିରାଜ ନନ୍ଦିନୀ ଦେବୀ ପାର୍ବତୀ ସ୍ନାନ କରିବା ସମୟରେ ଅଜ୍ଞାତରେ ନିଜ ଶରୀରର ଅଙ୍ଗରାଗକୁ ଏକ ପିତୁଳାର ରୂପ ପ୍ରଦାନ କରି ଜୀବନ୍ୟାସ ଦେବା ନିମନ୍ତେ ଗୋଲକବିହାରୀ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ । ଶ୍ରୀବିଷ୍ଣୁ ମା’ ଅମ୍ବିକାଙ୍କ ପ୍ରାର୍ଥନାକୁ ଅଙ୍ଗୀକାର ପୂର୍ବକ ଦେବୀଙ୍କ ସମ୍ମୁଖରେ ହେଲେ ଆବିର୍ଭୂତ । ଶ୍ରୀବିଷ୍ଣୁଙ୍କୁ ଦର୍ଶନ କରି ସ୍କନ୍ଦମାତା ଉକ୍ତ ପିତୁଳାକୁ ଜୀବନ୍ୟାସ ଦେବାପାଇଁ ପ୍ରାର୍ଥନା କଲେ । ବିଷ୍ଣୁଙ୍କର କୃପା ବଳରେ ପିତୁଳା ଜୀବନ୍ୟାସ ପ୍ରାପ୍ତହୋଇ ଗଣେଶ ନାମରେ ହେଲେ ନାମିତ । ପୁତ୍ର ଗଣେଶଙ୍କୁ ଗୁମ୍ଫା ଦ୍ୱାର ଜଗିବା ପାଇଁ ଆଦେଶ ଦେଇ ମା’ ପାର୍ବତୀ ଗୁମ୍ଫା ମଧ୍ୟରେ ସଦାଶିବଙ୍କୁ ପ୍ରାର୍ଥନାରେ ମଗ୍ନ ରହିଲେ । ପରବର୍ତ୍ତୀ ସମୟରେ ମହାଦେବ ଗୁମ୍ଫାରେ ପ୍ରବେଶ କରିବାକୁ ଯିବା ସମୟରେ ଗଣେଶ ବାଧା ଦେଲେ । ଉଭୟଙ୍କ ମଧ୍ୟରେ ଯୁଦ୍ଧ ହେଲା । ତ୍ରିଶୂଳରେ ଗଣେଶଙ୍କ ଶିରଛେଦ କରି ଶିବ ଗୁମ୍ଫାରେ ପ୍ରବେଶ କରନ୍ତେ ମା’ ପାର୍ବତୀ ଆନନ୍ଦିତ ହେବା ସହିତ ଗୁମ୍ଫା ଦ୍ୱାର ଜଗିଥିବା ବାଳକ ସମ୍ପର୍କରେ ଜାଣିବାକୁ ଚାହିଁବାରୁ ତାର ଶିରଛେଦ ହୋଇଛି ବୋଲି ପ୍ରକାଶ କଲେ ଶଙ୍କର । ଗଣେଶ ତାଙ୍କର ପୁତ୍ର ଏବଂ ତାର ବିଚ୍ଛେଦରେ ଦେବୀ କ୍ରନ୍ଦନ କରିବାରୁ ଚନ୍ଦ୍ରଶେଖର ଏକ ଗଜମସ୍ତକ ସଂଯୋଗ କରି ଗଣେଶଙ୍କୁ ଦେଲେ ଜୀବନଦାନ । ଏକାଧାରରେ ଶିବ, ପାର୍ବତୀ, ଏବଂ ବିଷ୍ଣୁଙ୍କର ଆଶୀର୍ବାଦ ଲାଭକରି ଗଣେଶ ହେଲେ ବିଦ୍ୟା, ବୁଦ୍ଧି, ସିଦ୍ଧିପ୍ରଦାୟକ, ବିଘ୍ନ ବିନାଶକ, ଗଣନାୟକ, ଅଗ୍ରପୂଜ୍ୟ ଶ୍ରୀଗଜାନନ । ବିଶ୍ୱଭ୍ରମଣ ପ୍ରତିଯୋଗିତାରେ ନିଜ ବିଚକ୍ଷଣ ବୁଦ୍ଧିମତ୍ତାର ପରିଚୟ ପ୍ରଦାନ କରିଥିଲେ ଗିରିଜାନନ୍ଦନ । ଅଗ୍ରଜ କାର୍ତ୍ତିକେୟ ମୟୂରବାହନ ଆରୋହଣ କରି ବିଶ୍ୱ ପରିଭ୍ରମଣ କରିବା ସମୟରେ ଲମ୍ବୋଦର ନିଜ ଇନ୍ଦୁର ବାହନ ଉପରେ ବିରାଜମାନ ପୂର୍ବକ ପିତା ଶଙ୍କର ଓ ମାତା ପାର୍ବତୀଙ୍କ ଚତୁଃପାଶ୍ୱର୍ରେ ପ୍ରଦକ୍ଷିଣ କରି ପ୍ରତିଯୋଗିତାରେ ବିଜୟଲାଭ କରିଥିଲେ ।
ପିତାମାତାଙ୍କର ଆଶୀର୍ବାଦ ଝରିପଡ଼ିଥିଲା ତାଙ୍କ ମଥା ଉପରେ । ବିଦ୍ୟା ବୁଦ୍ଧିରେ ନିପୂଣ ହେବା ସହିତ ସର୍ବଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟପୂଜ୍ୟ ହେବା ପାଇଁ ବର ମଧ୍ୟ ପାଇଥିଲେ । ମୂଷିକ ବାହନରେ ଉପବେଶନ କାଳରେ ଶଶାଙ୍କ ପରିହାସ କରିବାରୁ ତାର ପରିଣାମ ସ୍ୱରୂପ ଚନ୍ଦ୍ରଙ୍କୁ ଦେଇଥିଲେ ଅଭିଶାପ । ସେଥିପାଇଁ ଗଣେଶ ଚତୁର୍ଥୀ ତିଥିରେ ଚନ୍ଦ୍ର ଦର୍ଶନକୁ ଶାସ୍ତ୍ରରେ ବାରଣ କରାଯାଇଛି । ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ବିଶ୍ୱରୂପଙ୍କ ଦୁଇକନ୍ୟା ସିଦ୍ଧି ଓ ବୁଦ୍ଧିଙ୍କର କରିଥିଲେ ପାଣିଗ୍ରହଣ । ଗଣେଶ ପୁରାଣରେ ଏ ସଂପର୍କରେ ବର୍ଣ୍ଣନା ଅଛି- ‘ବିବାହର ଉପଯୋଗ କଲେକ ଶଙ୍କର/ ଦୁଇଗୋଟି କନ୍ୟା ଥିଲେ ବିଶ୍ୱରୂପଙ୍କର/ତାଙ୍କ ନାମ ସିଦ୍ଧି ବୁଦ୍ଧି ସେ ଅତି ସୁନ୍ଦରୀ/ରୂପ ଗୁଣେ ରତି ତାଙ୍କୁ ନୋହିବେକ ସରି/ସେ ଦୁଇ କନ୍ୟାକୁ ଘେନି ବିଶ୍ୱରୂପ ନିଜେ/କଇଳାସ ଭୁବନରେ ଆସି ହେଲେ ବିଜେ/ହରଙ୍କ ଆଜ୍ଞାରେ ବିଶ୍ୱକର୍ମା ଆସି ତହିଁ / ବିଭାଘର ଆୟୋଜନମାନ କଲେ ରହି / ଦେବତାଏ ବିଜେ କଲେ କୁଟୁମ୍ବ ସହିତେ / ବିଭାଘର ଦେଖିବାକୁ ଅଇଲେ ସମସ୍ତେ ।’ ଶ୍ରୀମଦ୍ଭାଗବତର ବର୍ଣ୍ଣନା ଅନୁଯାୟୀ ଭଗବାନଙ୍କ ସପ୍ତଦଶ ଅବତାର ପରମପୂଜ୍ୟ ବ୍ୟାସଦେବଙ୍କ ସ୍ୱମୁଖ ନିଃସୃତ ସପ୍ତଦଶ ପୁରାଣ, ଶ୍ରୀମଦ୍ଭାଗବତ ମହାପୁରାଣ ଏବଂ ପଞ୍ଚମବେଦ ଭାବେ ଅଭିହିତ ମହାଭାରତର ସମସ୍ତ ଶ୍ଲୋକର ଅର୍ଥ ବୁଝି ତତ୍କ୍ଷଣାତ୍ ଲିପିବଦ୍ଧ କରିଥିଲେ ପ୍ରଭୁ ଗଣେଶ । ତାଙ୍କର ଲେଖନୀ କେଉଁଠାରେ ବି ଅଟକି ଯାଇନଥିଲା । ଏହାର ସ୍ମାରକୀ ସ୍ୱରୂପ ଆଜି ମଧ୍ୟ ହିମାଳୟରେ ବଦ୍ରିନାଥଙ୍କଠାରୁ ଚାରି କିଲୋମିଟର ଉଚ୍ଚରେ ଅବସ୍ଥାପିତ ମାନ୍ନାରଠାରେ ସରସ୍ୱତୀ ନଦୀ କୂଳରେ ବ୍ୟାସ ଗୁମ୍ଫା, ଗଣେଶ ଗୁମ୍ଫା ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଦୃଷ୍ଟି ଆକର୍ଷିତ କରୁଛି । ବ୍ୟାସ ଗୁମ୍ଫା ମଧ୍ୟରେ ନାରଦ, ବ୍ୟାସଦେବ, ଗଣେଶଙ୍କ ସହିତ ବଲ୍ଲଭାଚାର୍ଯ୍ୟଙ୍କ ମୂର୍ତ୍ତି ମଧ୍ୟ ପୂଜିତ । ସେହିପରି ନୈମିଷାରଣ୍ୟରେ ଥିବା ବ୍ୟାସଗଦିଠାରେ ପରମ ପୂଜ୍ୟ ବ୍ୟାସଦେବଙ୍କ ମୂର୍ତ୍ତି ସହିତ ଗଜାନନ ଉପାସିତ ହେଉଛନ୍ତି । ଗଣେଶତାପିନି ଉପନିଷଦରେ ଗଣେଶଙ୍କୁ ଓଁକାର ରୂପୀ ବ୍ରହ୍ମ ଭାବରେ ଅଭିହିତ କରାଯାଇଛି ।
ପୁରାଣର ବର୍ଣ୍ଣନା ଅନୁଯାୟୀ ଗଣେଶ ହିଁ ଓଁକାର ରୂପୀ ଭଗବାନ ଓ ବେଦର ଆଦ୍ୟରେ ସେ ପ୍ରତିଷ୍ଠିତ- ଓଁକାରରୂପୀ ଭଗବାନ୍ ଯୋ ବେଦାଦୌ ପ୍ରତିଷ୍ଠିତଃ, ଯଂ ସଦା ମୁନୟୋ ଦେବାଃ ସ୍ମରନ୍ତିଦ୍ରାଦୟୋ ହୃଦି’ । ବେଦ, ଉପନିଷଦ, ଅଷ୍ଟାଦଶ ପୁରାଣ, ଉପପୁରାଣ, ମହାଭାରତ ଆଦି ସମସ୍ତ ଶାସ୍ତ୍ର ପ୍ରାରମ୍ଭରେ ଗଣେଶଙ୍କୁ ବନ୍ଦନା କରାଯାଇଛି । ପ୍ରଭୁ ଗଣେଶଙ୍କୁ ଇଷ୍ଟ ଭାବେ ପ୍ରତିପାଦିତ କରି ସୃଷ୍ଟି ହୋଇଛି ଗାଣପତ୍ୟ ସଂପ୍ରଦାୟ । ହେରମ୍ବଙ୍କ ରୂପ, ସୌନ୍ଦର୍ଯ୍ୟ, ଜନ୍ମ, କୃତି ଓ କୀର୍ତ୍ତିକୁ ଆଧାର କରି ଗଣେଶଙ୍କୁ ଦ୍ୱାଦଶ ଗୋଟି ନାମରେ ପୂଜାର୍ଚ୍ଚନା କରାଯାଏ । ଯେପରିକି ବକ୍ରତୁଣ୍ଡ, ଏକଦନ୍ତ, କୃଷ୍ଣପିଙ୍ଗାକ୍ଷ, ଗଜବକ୍ର, ଲମ୍ବୋଦର, ବିକଟ, ବିଘ୍ନରାଜ, ଧୂମ୍ରବର୍ଣ୍ଣ, ଭାଲଚନ୍ଦ୍ର, ବିନାୟକ, ଗଣପତି ଓ ଗଜାନନ । ପ୍ରଭୁ ଲମ୍ବୋଦର ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପ୍ରକଟ ହୋଇଥିବାରୁ ଏହି ଜନ୍ମଦିବସ ସର୍ବତ୍ର ଅର୍ଥାତ୍ ଭାରତବର୍ଷ ସହିତ ବିଶ୍ୱର ଅଧିକାଂଶ ଦେଶ ଶ୍ରୀଲଙ୍କା, ଜାଭା, ସୁମାତ୍ରା, ନେପାଳ, ତିକ୍ରତ, ବର୍ମା, ଜାପାନ ଓ କାମ୍ବୋଡିଆରେ ଭାବଭକ୍ତି ତଥା ଉତ୍ସାହର ସହିତ ପାଳିତ ହେଉଛି । ତେଣୁ ଆସନ୍ତୁ ଏହି ପୁଣ୍ୟ ଜନ୍ମତିଥି ଅବସରରେ ଅବିଦ୍ୟା ନାଶକାରୀ, ସିଦ୍ଧି ବୁଦ୍ଧି ପ୍ରଦାନକାରୀ, ଅଭୀଷ୍ଟ ପୂର୍ଣ୍ଣକାରୀ ଶୈଳସୁତାସୁତ ଗଣପତିଙ୍କୁ ମାନସପଟରେ ଆବାହନ କରିବା ପୂର୍ବକ ତାଙ୍କ ପଦପଙ୍କଜରେ ଭକ୍ତିପୂତ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କର ଆଶୀର୍ବାଦ ଲାଭ କରିବା ।