ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟିଫିନ୍‌ ବକ୍ସ

Published By : Rasmita Pradhan | October 16, 2024 2:54 PM

କାହିଁକି ଆମେ ସବୁବେଳେ ସମୟ ଅଭାବ, ଧନ ଅଭାବ, ସରକାରୀ ସହାୟତା ଅଭାବ ଭଳି ଅସୁବିଧା ତଳେ ପିଲାଙ୍କର ପିଲାଦିନ ଓ ଦେଶର ଭବିଷ୍ୟତକୁ ଚକଟି ଦେଉଛୁ? ପିଲାଙ୍କର ସମସ୍ୟା ଯଦି ପିଲାଦିନରେ ବଡ଼ ଲାଗୁନାହିଁ, ତେବେ ପିଲା ବଡ଼ ହୋଇଗଲେ ସେଇ ସମସ୍ୟା କାହିଁକି ବଡ଼ ଲାଗୁଛି? ଏ ବାବଦରେ ଆମ ବଡ଼ମାନଙ୍କୁ ସଚେତନ ହେବାର ଅଛି ।

ଆର୍ଥିକ ଅଭିବୃଦ୍ଧିରେ ଉଲ୍ଲେଖନୀୟ ଅଗ୍ରଗତି ସତ୍ତ୍ଵେ ଭାରତ ଆଜି ବି ଦାରିଦ୍ର‌୍ୟ, ନିରକ୍ଷରତା, ସାମାଜିକ-ଆର୍ଥିକ ଅସ୍ଥିରତା, ବେରୋଜଗାରୀ ଭଳି ସମସ୍ୟାର ସମାଧାନ ଖୋଜୁଛି । ତା’ ଉପରେ ଦାଉ ସାଧୁଛି କୁପୋଷଣ, ପୁଷ୍ଟିହୀନତା, ଅପପୁଷ୍ଟି ଓ ନିଶାଯୁକ୍ତ ଭାରତ । ଗୋଟିଏ ରାଷ୍ଟ୍ରର ସର୍ବବୃହତ୍‌ ଜାତୀୟ ସମ୍ବଳ ତା'ର ପ୍ରାକୃତିକ କି ଭୌତିକ ସମ୍ବଳ ନୁହେଁ, ବରଂ ନାଗରିକମାନଙ୍କ ବୌଦ୍ଧିକ ଶକ୍ତି, ଯାହା ଦେଶ ଓ ଜାତିର ଭବିଷ୍ୟତ ନିର୍ଦ୍ଧାରଣ କରେ । କିନ୍ତୁ ଯେତେବେଳେ ଭାରତ ଭଳି ପ୍ରଗତିଶୀଳ ଦେଶର ଜନସଂଖ୍ୟାର ୨୦- ୫୦ ପ୍ରତିଶତ ବୌଦ୍ଧିକ ସମ୍ବଳ କୁପୋଷଣ, ପୁଷ୍ଟିହୀନତା ବା ଅପପୁଷ୍ଟି ଦ୍ୱାରା ଜର୍ଜରିତ, ପ୍ରାୟ ୧୦୦ ନିୟୁତ ଲୋକ ବିଭିନ୍ନ ନିଶାଦ୍ରବ୍ୟରେ ଆସକ୍ତ, ସେତେବେଳେ ଦେଶ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କେତେ ସକ୍ଷମ? ସେତେବେଳେ ବିକାଶ ଦିଗହରା ହୋଇଯିବନି ତ? 

ଗୋଟିଏ ପାଖରେ ଯେତେବେଳେ ବିଶେଷଜ୍ଞମାନେ ମତ ରଖୁଛନ୍ତି ଯେ ବର୍ଦ୍ଧିତ ଆୟ ଦ୍ୱାରା କୁପୋଷଣକୁ ହ୍ରାସ କରାଯାଇପାରିବ, ସେତେବେଳେ ନିଶାଯୁକ୍ତ ଭାରତ ଲାଗି ଦାୟୀ କିଏ? ଗୋଟିଏ ପାଖରେ ଅର୍ଥାଭାବରୁ ପିଲାମାନଙ୍କୁ ଯେତେବେଳେ ପୁଷ୍ଟିକର ଖାଦ୍ୟ ମିଳୁନାହିଁ, ସେତେବେଳେ ଆରପାଖରେ ନିଶାଦ୍ରବ୍ୟ ଚୋରା ଚାଲାଣର ପ୍ରଥମ ଶିକାର ପିଲାମାନେ ହିଁ ହେଉଛନ୍ତି । ନିଶାଦ୍ରବ୍ୟର କ୍ଷତିକାରକ ପ୍ରଭାବରୁ ପିଲାମାନଙ୍କୁ ରକ୍ଷା କରିବାକୁ ପଡିବ ଓ ଏକ ସୁସ୍ଥ ନିରାପଦ ପରିବେଶ ଯୋଗାଇ ସେମାନଙ୍କର ଅଧିକାରକୁ ନିଶ୍ଚିତ କରିବାକୁ ପଡ଼ିବ ବୋଲି କୁହାଯିବାବେଳେ, ପିଲାମାନେ ଖାଦ୍ୟ ନଖାଇ/ପାଇ ଅଖାଦ୍ୟ ପ୍ରତି ଆସକ୍ତ ହେଉଛନ୍ତି । କୁପୋଷଣ ହେଉ ବା ନିଶା ଅଭ୍ୟାସ ହେଉ, ପ୍ରଥମ ଶିକାର ହେଲେ ପିଲାମାନେ। 

ଏହାର କାରଣ ଓ ନିରାକରଣ ଦିଗରେ "ପୋଷଣ ଅଭିଯାନ' ଏବଂ "ନିଶାମୁକ୍ତ ଅଭିଯାନ' ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ । ତାହା ପିଲାଙ୍କର ସ୍କୁଲ ଟିଫିନ୍‌ ବକ୍ସରୁ ଆରମ୍ଭ କରି କଲେଜ/ବିଶ୍ୱବିଦ୍ୟାଳୟର ଗୁଲିଖଟି ବା ରେଭ୍‌ ପାର୍ଟି ପର୍ଯ୍ୟନ୍ତ ଲମ୍ବି ଯାଇପାରେ । ଆମ ପିଲା କ'ଣ ପାଠ ପଢୁଛନ୍ତି, କେମିତି ପଢୁଛନ୍ତି, କ'ଣ ଖାଉଛନ୍ତି, କେତେ ଖାଉଛନ୍ତି ଓ କେତେବେଳେ ଖାଉଛନ୍ତି, ଅର୍ଥାତ୍‌, ପିଲାଙ୍କ ବହି ବସ୍ତାନି ଓ ଟିଫିନ୍‌ ବକ୍ସ ଉପରେ ସେମାନଙ୍କର ଭବିଷ୍ୟତ ଆଧାରିତ । ଅର୍ଥନୀତି ଏବଂ ପରିସଂଖ୍ୟାନ ବିଶ୍ଳେଷଣ ଅନୁଯାୟୀ, ଦାରିଦ୍ର‌୍ୟରେ ପୀଡ଼ିତ ଲୋକମାନେ ପ୍ରାୟତଃ ଅର୍ଥାଭାବ ହେତୁ ପର୍ଯ୍ୟାପ୍ତ ଏବଂ ପୁଷ୍ଟିକର ଖାଦ୍ୟ ଖାଇନପାରିବାରୁ ପରିବାରର ପିଲାମାନେ ପୁଷ୍ଟିହୀନତାର ଶିକାର ହୁଅନ୍ତି । କୁପୋଷଣ ବିରୁଦ୍ଧରେ ପୋଷଣ ଅଭିଯାନ ଅନ୍ତର୍ଗତ, ପୋଷଣ ମାସ ଉପଲକ୍ଷେ, ଏକ ପୋଷଣ ସଚେତନତା କାର୍ଯ୍ୟକ୍ରମରେ ଯେତେବେଳେ ସ୍କୁଲ ପିଲାଙ୍କୁ ପଚରାଯାଇଥିଲା ଯେ, ସେମାନେ ଟିଫିନ୍‌ରେ କ'ଣ ଆଣିଛନ୍ତି ବୋଲି, ସେତେବେଳେ ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ମିଳିଥିଲା ଯେ "ପଇସା’ । ଛୋଟ ଛୋଟ ପିଲାମାନେ ଯିଏ ପଇସାର ପ୍ରକୃତ ମୂଲ୍ୟ, ସଠିକ୍‌ ହିସାବ ଓ ଉଚିତ ବ୍ୟବହାର ଜାଣିନାହାନ୍ତି, ସେଇମାନେ ଟିଫିନ୍‌ରେ ପଇସା ଆଣୁଛନ୍ତି । ପଚାରି ବୁଝିବାରୁ ଜଣାପଡ଼ିଥିଲା ଯେ, ପ୍ରାୟ ପିଲା ଆର୍ଥିକ ସ୍ୱଚ୍ଛଳ ନଥିବା ପରିବାରରୁ ଆସନ୍ତି, ଯେଉଁଠି ବାପା-ମା' ଉଭୟ ସକାଳୁ ମୂଲ ଲାଗିବାକୁ ବାହାରିଯାନ୍ତି । ଟିଫିନ୍‌ କରିକି ଦେବାକୁ ସମୟ ହୁଏନାହିଁ ଓ ଟିଫିନ୍‌ରେ ଦିଆଯାଉଥିବା ଖାଦ୍ୟ ପିଲାଙ୍କୁ ଭଲ ଲାଗେନାହିଁ । ସେଥିପାଇଁ ଆର୍ଥିକ ଅବସ୍ଥା ଠିକ୍‌ ନଥିଲେ ମଧ୍ୟ ଟିଫିନ୍‌ରେ ଖାଦ୍ୟ ବଦଳରେ ପିଲାମାନେ ପଇସା ଆଣୁଛନ୍ତି । ତେବେ ପିଲାଙ୍କର ପୁଷ୍ଟିହୀନତା ଲାଗି ପଇସା ଦାୟୀ ନା ଦାରିଦ୍ର‌୍ୟତା ଦାୟୀ ? ଖାଦ୍ୟ ଯୋଗାଇବାକୁ ପଇସା ନାହିଁ, କିନ୍ତୁ ଅଖାଦ୍ୟ ଲାଗି ପଇସାର ଅଭାବ ନାହିଁ! ଏ କି ବିରୋଧାଭାଷ ? ଏଥିରେ କିଛି ଲୋକ ଭାବୁଥିବେ ଯେ ମଧ୍ୟାହ୍ନଭୋଜନ ତ ଦିଆଯାଉଛି, ତେବେ ପିଲା କାହିଁକି ଟିଫିନ୍‌ ବା ଟିଫିନ୍‌ରେ ପଇସା ଆଣିବେ! କାରଣ, ଏ ଥିଲା ଆଦିବାସୀ ଅଧ୍ୟୁଷିତ ଗାଁରେ ଥିବା ଏକ ବେସରକାରୀ ସ୍କୁଲର ଛବି, ହେଲେ ସରକାରୀ ସ୍କୁଲର ପରିସ୍ଥିତି ମଧ୍ୟ କିଛି ଭଲ ନାହିଁ । ମଧ୍ୟାହ୍ନଭୋଜନରେ ମିଳୁଥିବା ଖାଦ୍ୟର ମାନ ନିମ୍ନ ଓ ଅସ୍ୱାଦୁକର । ସେଥିଲାଗି ଅଧିକାଂଶ ପିଲା ଘରୁ ଖାଦ୍ୟ ଆକାରରେ ପଇସା ଆଣୁଛନ୍ତି । 

ଏବେ ପ୍ରଶ୍ନ ଏହା ଯେ, ପିଲା ଟିଫିନ୍‌ରେ ଯେଉଁ ପଇସା ଆଣୁଛନ୍ତି, ତା'ର କ'ଣ କରୁଛନ୍ତି? ପଇସା ତ ଆଉ ଖାଉନଥିବେ, ତେବେ କ'ଣ ଖାଉଛନ୍ତି, କାହାଠାରୁ ଖାଉଛନ୍ତି ଓ କାହିଁକି ଖାଉଛନ୍ତି ? କହିବାକୁ, ଶୁଣିବାକୁ ବା ବୁଝିବାକୁ ସାମାନ୍ୟ ଲାଗିପାରେ ଯେ ପିଲା ସେଇ ପଇସାରେ କିଛିବି କିଣି ଖାଉଥିବେ । ହେଲେ, ଯଦି ଟିକିଏ ଗଭୀର ବିଶ୍ଳେଷଣ କରିବା, ତେବେ ପିଲା ସେଇ ପଇସାରେ ଅଖାଦ୍ୟ ଖାଉଛନ୍ତି, ଅପପୁଷ୍ଟି ଓ ନିଶାର ଶିକାର ହେଉଛନ୍ତି । ସ୍କୁଲରେ ପିଲାଙ୍କର ଶିକ୍ଷା ଓ ସୁରକ୍ଷା ନିମନ୍ତେ ଏକ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସରଣ କରାଯାଉଛି, ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଉଛି, ସ୍କୁଲମାନଙ୍କର ସଠିକ୍‌ ପରିଚାଳନା ଓ ମୂଲ୍ୟାଙ୍କନ ନିମନ୍ତେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ତତ୍ପର ଓ ସତର୍କ ରହୁଛନ୍ତି, ଶିକ୍ଷାର ଗୁଣବତ୍ତା ଲାଗି ଜାତୀୟ ଶିକ୍ଷା ନୀତିର ମଧ୍ୟ ପ୍ରଣୟନ ହୋଇଛି, ପିଲାଙ୍କର ସୁରକ୍ଷା ଓ ଅଧିକାର ନିମନ୍ତେ ଶିଶୁ ଅଧିକାର କମିଶନ ମଧ୍ୟ ତତ୍ପର । ହେଲେ ସେଇ ସ୍କୁଲ ବାହାରେ ସବୁ ଶିକ୍ଷା ଓ ସୁରକ୍ଷା ଗୁଡ଼ୁମ୍‌ । ଆପଣମାନେ କେବେ ପିଲାଙ୍କ ସ୍କୁଲ ସାମ୍ନାରେ ଦହିବରା-ଆଳୁଦମ, ଘୁଗୁନିଚାଟ୍‌, ଆଇସକ୍ରିମ, ଫରାଇମ୍‌ସ, ବମ୍ବେ କା ଲଡୁ, ଗୁପ୍‌ଚୁପ୍‌ ଇତ୍ୟାଦି ଇତ୍ୟାଦି ଖାଦ୍ୟ ଠେଲା ଦେଖିଛନ୍ତି କି? କେବେ ମନକୁ ଆସିଛି ଯେ ସ୍କୁଲ ସାମ୍ନାରେ ସେମାନଙ୍କର ପ୍ରୟୋଜନ କ'ଣ ବୋଲି? ସେମାନେ କାହାର ଅନୁମତିରେ ସେଠାରେ ବସୁଛନ୍ତି ଓ ପିଲାଙ୍କୁ ଖାଦ୍ୟ ବିକ୍ରି କରୁଛନ୍ତି ? ଖାଦ୍ୟ ତ ନୁହେଁ ଅଖାଦ୍ୟ ଓ ନିଶା ମଧ୍ୟ । ଆଜ୍ଞା ହଁ! ଏଇ କଥାରେ ବହୁତ ଲୋକ ବିଶ୍ୱାସ କରିବେ ନାହିଁ। 

ହେଲେ ମୋର ପ୍ରଶ୍ନ ଯେ, ତେବେ ସ୍କୁଲ ବାହାରେ ଖାଦ୍ୟ ବିକୁଥିବା ବିକାଳିଙ୍କ ପାଖରେ ଏଫ୍‌.ଏସ୍‌.ଏସ୍‌.ଏ.ଆଇ.ର ପ୍ରମାଣପତ୍ର ବା ଅନୁମତି ଅଛି କି ? ସେମାନେ ବିକୁଥିବା ଖାଦ୍ୟର ଗୁଣବତ୍ତା ପରୀକ୍ଷା କରାଯାଉଛି କି ? ସରକାର, ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ, ପ୍ରଶାସନର ଆଦେଶ ବା ଅନୁମତିରେ ସେଇ ଖାଦ୍ୟ ବିକାଳି ସ୍କୁଲ ଫାଟକ ସାମ୍ନାରେ ବସୁଛନ୍ତି କି ? ଯଦି ନାହିଁ, ତେବେ ସେମାନେ ସେଠି ବେଆଇନ ଭାବରେ କ'ଣ କରୁଛନ୍ତି ? ବେଆଇନ ଭାବରେ ବିକ୍ରି କରୁଥିବା ସେଇ ଖାଦ୍ୟରେ ବ୍ୟବହୃତ ରଙ୍ଗ, ଅପରିଷ୍କାର ସାମଗ୍ରୀ ଓ ପାଣି, ଚାଇନାସଲ୍ଟ, ତେଲ, ଏକ୍ସପାଏରୀ କରିଯାଇଥିବା ସାମଗ୍ରୀ, ପିଲାଙ୍କର ମାନସିକ ବିକାଶରେ ବାଧା ସୃଷ୍ଟି କରି ସେମାନଙ୍କର ବୌଦ୍ଧିକ ବିକାଶ ସାଙ୍ଗକୁ ଶାରୀରିକ ବିକାଶରେ ମଧ୍ୟ ସମସ୍ୟା ସୃଷ୍ଟି କରୁଛି । ବଢୁଥିବା ମାନସିକ ରୋଗ, ଧ୍ୟାନ ଏକାଗ୍ରତା ସମସ୍ୟା, ସିଜୋଫ୍ରେନିଆ, ଆତ୍ମହତ୍ୟା ପ୍ରବୃତ୍ତି, ଏହାର ପରିଣାମ ସ୍ୱରୂପ ପିଲାଙ୍କୁ ଆକ୍ରମଣ କରୁଛି । ଏହା ବ୍ୟତୀତ, ବିକ୍ରି ହେଉଥିବା ଖାଦ୍ୟ "ଖାଦ୍ୟ ସୁରକ୍ଷା ମାନଦଣ୍ଡ' ପୂରଣ କରିନଥାଏ, ଯାହାଦ୍ୱାରା ଟାଇଫଏଡ୍‌, ହଇଜା, ହେପାଟାଇଟିସ୍‌-ଏ,ବି ଏବଂ ଏପରିକି କର୍କଟ ଭଳି ରୋଗ କମ୍‌ ବୟସରେ ଦେଖାଦେଇଥାଏ । ତାହାଛଡ଼ା, ଆପଣମାନେ ଲକ୍ଷ୍ୟ କରିବେ ଯଦି ଗୋଟେ ପିଲା ସେଇ ବିକାଳିଙ୍କ ଠାରୁ ଖାଦ୍ୟ ଲଗାତାର କିଛିଦିନ ଲାଗି ଖାଉଛି, ତେବେ ତାହା ତା'ର ଅଭ୍ୟାସରେ ପରିଣତ ହୋଇଯାଏ । ସେ ରୀତିମତ ସେଇ ଅଖାଦ୍ୟକୁ କିଣି ଖାଇବା ପାଇଁ ଲାଳାୟିତ ହୁଏ । ସେ ତାହା ନଖାଇଲେ, ତାକୁ ଭଲ ଲାଗେନାହିଁ । ଟିଫିନ୍‌ର ଘର ଖାଦ୍ୟ ସେଇ ସମୟରେ ରୁଚେନାହିଁ । କାରଣ, ବେଆଇନ ଭାବରେ ଖାଦ୍ୟ ବିକୁଥିବା ସେଇ ବିକାଳି ପିଲାଙ୍କୁ କମ୍‌ ମାତ୍ରାର ନିଶା ଖାଦ୍ୟରେ ମିଶାଇ ବିକନ୍ତି, ଯେମିତି ପିଲାଟା ପ୍ରତିଦିନ ସେଇ ସମୟ ହେଲେ ଟାଣିହୋଇ ତା' ପାଖକୁ ଆସିବ ଓ ତା'ର ବେପାର ବଢ଼ିବ । ନିଶାର ମାତ୍ରା କମ୍‌ ଥିବାରୁ ନା ତ ବାପା-ମା' ଜାଣିପାରନ୍ତି, ନା ତ କେହି ଧରିପାରନ୍ତି । ଯାହାଫଳରେ ନିଶା ଓ ଅଖାଦ୍ୟ ପିଲାର ଅଭ୍ୟାସ ହୋଇଯାନ୍ତି । ଧୀରେ ଧୀରେ ପିଲାକୁ ଇଦୁକି ଗୋଲୁ, ମହୀଶୂର ମ୍ୟାଙ୍ଗୋ, ଶୀଳାବତୀ ଭଳି ଧଳା ଜହର ଅମୃତ ଭଳି ଲାଗେ । ଯେମିତି-ଯେମିତି ପିଲା ବଡ଼ ହୁଏ ଓ କିଶୋରାବସ୍ଥାରେ ପହଞ୍ଚେ, ସେତେବେଳେ ଆଉ ଖାଦ୍ୟ ଛଳରେ ନିଶାର ଆବଶ୍ୟକତା ରହେନାହିଁ । ସିଧା-ସିଧା ନିଶା ସେବନର ନିଶା ଚଢ଼ିଯାଏ, ଯାହାର ପରିଣାମସ୍ୱରୂପ ହେଲା, ସହଜ ଓ ନିର୍ଭୟରେ ବଢୁଥିବା ନିଶା ଓ ଗଞ୍ଜେଇ ଚାଲାଣ । 

ସାଧାରଣତଃ, ଯେଉଁ ମା'ମାନେ ଅଭିଯୋଗ କରନ୍ତି ଯେ ଟିଫିନ୍‌ରେ ଯାହା ଦିଆଯାଉଛି ତାଙ୍କ ପିଲା ଖାଉନାହିଁ ଓ ସବୁବେଳେ ପଇସା ନେଇ ସ୍କୁଲ ବାହାରୁ କିଣି ଖାଇବାକୁ ପସନ୍ଦ କରୁଛି, ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ମା'ମାନେ । ପିଲାଙ୍କୁ ବାହାରୁ ଖାଇବାର ଅଭ୍ୟାସ ପକାଇଲା କିଏ? ଆଜି ସିନା ପିଲାଟା ଛୋଟ ଅଛି ବୋଲି ମା'କୁ ମାଗିକି ପଇସା ନେଉଛି, ହେଲେ କାଲି ଯେତେବେଳେ ପିଲାଟା ବଡ଼ ହୋଇଯିବ, ସେତେବେଳେ ଆଉ ମା'କୁ ନମାଗି, ନିଶାରେ ବଶୀଭୂତ ହୋଇ ଚୋରି କରିବ, ନହେଲେ ହତ୍ୟା ମଧ୍ୟ କରିବାକୁ ପଛେଇବ ନାହିଁ । ଯଦି ଆପଣମାନେ ଭାବୁଛନ୍ତି ଯେ ଏଇ ସମସ୍ୟା କେବଳ ବସ୍ତିରେ ରହୁଥିବା ପିଲା, ଯାହାଙ୍କର ପରିବାର ଦାରିଦ୍ର‌୍ୟଗ୍ରସ୍ତ ବା ଯେଉଁ ପିଲାମାନେ ସରକାରୀ ସ୍କୁଲରେ ପଢୁଛନ୍ତି ସେଇମାନଙ୍କର କେବଳ ବୋଲି, ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ୍‌ । ହଁ,ଏହା ସତ ଯେ ସ୍ୱଳ୍ପ ଆୟବର୍ଗ, ନିଶାଦ୍ରବ୍ୟ ପ୍ରତି ଅଧିକ ଆସକ୍ତ, କିନ୍ତୁ ଉଚ୍ଚ ଆୟବର୍ଗ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି । ପୁଷ୍ଟିହୀନତା ଓ ନିଶା ଆସକ୍ତ କୋଟିପତିଙ୍କର ମଧ୍ୟ ସମସ୍ୟା । ସହରୀକରଣ ଓ ବ୍ୟସ୍ତବହୁଳ ଜୀବନୀ ହେତୁ ଘର ଖାଦ୍ୟ ପ୍ରତି ରୁଚି ଓ ସମୟ କମିଯାଉଥିବାରୁ ପ୍ୟାକେଟ ଖାଦ୍ୟ ବା ବାହାର ଖାଦ୍ୟ ଉପରେ ନିର୍ଭରଶୀଳତା ବଢ଼ିଯାଉଛି । 

ଭାରତର ଆର୍ଥିକ ଅଭିବୃଦ୍ଧି ସହିତ ପାଶ୍ଚାତ୍ୟ ଖାଦ୍ୟପଦ୍ଧତି ଗ୍ରହଣ ଏବଂ ଫାଷ୍ଟଫୁଡ୍‌ ସଂସ୍କୃତିର ପ୍ରସାର ଦ୍ୱାରା ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ଏବଂ ସମସ୍ୟା ବୃଦ୍ଧିପାଇଛି । ଧନୀ ପରିବାରମାନେ ବିଭିନ୍ନ ପ୍ରକାର ଖାଦ୍ୟ କ୍ରୟ କରିପାରନ୍ତି ସତ, ହେଲେ ବେଳେବେଳେ ସେଇ ଖାଦ୍ୟ ସ୍ୱାସ୍ଥ୍ୟକୁ ଗ୍ରାସ କରିଯାଉଛି । ଯାହାଫଳରେ ମେଦବହୁଳତା ଏବଂ ଅଣସଂକ୍ରାମକ ରୋଗ ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ଦେଖାଦେବା ସହିତ ଧଳାଜହର ମଧ୍ୟ କେତେବେଳେ ପିଲାଙ୍କୁ ଗ୍ରାସ କରିଯାଉଛି ଜଣା ପଡୁନାହିଁ । ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ପ୍ରତିଷ୍ଠାନର ବର୍ଷ-୨୦୨୨ ରିପୋର୍ଟ ଅନୁଯାୟୀ, ଦେଶରେ ୧୦- ୧୭ବର୍ଷ ବୟସର ୧.୫୮କୋଟି ପିଲା ନିଶାସକ୍ତ । ଆମେ ପୁଷ୍ଟିହୀନତା ଓ ଅପପୁଷ୍ଟି ବିରୁଦ୍ଧରେ ସଂଗ୍ରାମ କରିଲାବେଳେ ନିଶା ତା’ ଜହରର କାୟା ମେଲାଇ ଚାଲିଛି । ନିଶାମୁକ୍ତ ଓ କୁପୋଷଣମୁକ୍ତ ଭାରତ ଲାଗି ଅନେକ ନୀତି ଥାଇପାରେ, କିନ୍ତୁ ସର୍ବପ୍ରଥମ ପଦକ୍ଷେପ ଯାହା ନିଆଯିବା ଜରୁରି, ତାହା ସ୍କୁଲ ଓ ସ୍କୁଲ ଟିଫିନ୍‌ରୁ ଆରମ୍ଭ କରାଯାଇପାରିବ । ଶ୍ରେଣୀଗୃହରେ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ବିଷୟରେ ଶିକ୍ଷା ଦିଆଯାଉଥିବା ବେଳେ, ସ୍କୁଲ ବାହାରେ ଅସ୍ୱାସ୍ଥ୍ୟକର ଖାଦ୍ୟର ବିକ୍ରି, ପିଲାଙ୍କୁ କି ପ୍ରକାର ଶିକ୍ଷା ଦେବ? 

ସେଥିଲାଗି ସ୍କୁଲ ସାମ୍ନାରେ ବସୁଥିବା ବେଆଇନ ବିକାଳିଙ୍କୁ ହଟାଇବାର ଦାୟିତ୍ୱ ପ୍ରଶାସନ, ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ମିଳିତ ଭାବରେ ନେବା ସହିତ ପିଲାଙ୍କୁ ଉପଯୁକ୍ତ ଖାଦ୍ୟ ଟିଫିନ୍‌ରେ ଦିଆଯିବା, ଖାଦ୍ୟ ବଦଳରେ ପଇସା ଦିଆନଯିବା ଓ ମଧ୍ୟାହ୍ନଭୋଜନର ପୁଷ୍ଟିକର ମୂଲ୍ୟକୁ ବଜାୟ ରଖିବା ସହିତ ପିଲାମାନଙ୍କ ସ୍ୱାଦକୁ ପ୍ରାଥମିକତା ଦେବା ଆବଶ୍ୟକ । କୁପୋଷଣ ଓ ନିଶା ଭଳି ଦ୍ୱୈତ ସମସ୍ୟା, ସ୍ଥାୟୀ ବିକାଶର ଲକ୍ଷ୍ୟ- ୩, ୧୬ ଓ ୧୭ ଉପରେ ଏକ ବଡ଼ ପ୍ରଶ୍ନ । ସମୟ ଥାଉଥାଉ ଆମ ପିଲାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଜରୁରି । କାହିଁକି ଆମେ ସବୁବେଳେ ସମୟ ଅଭାବ, ଧନ ଅଭାବ, ସରକାରୀ ସହାୟତା ଅଭାବ ଭଳି ଅସୁବିଧା ତଳେ ପିଲାଙ୍କର ପିଲାଦିନ ଓ ଦେଶର ଭବିଷ୍ୟତକୁ ଚକଟି ଦେଉଛୁ? ପିଲାଙ୍କର ସମସ୍ୟା ଯଦି ପିଲାଦିନରେ ବଡ଼ ଲାଗୁନାହିଁ, ତେବେ ପିଲା ବଡ଼ ହୋଇଗଲେ ସେଇ ସମସ୍ୟା କାହିଁକି ବଡ଼ ଲାଗୁଛି? ଏ ବାବଦରେ ଆମ ବଡ଼ମାନଙ୍କୁ ସଚେତନ ହେବାର ଅଛି । କାରଣ ଆମ ପିଲାଙ୍କ ପିଲାଦିନ, ସେମାନଙ୍କର ଭବିଷ୍ୟତ ଓ ଆମର ଶେଷ ଅବସ୍ଥା ତାହାରି ଉପରେ ହିଁ ନିର୍ଭର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.