ନୂଆଦିଲ୍ଲୀ,୨୬/୦୩: ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ ପରଷିବା ପଡ଼ିଲା ମହଙ୍ଗା । IRCTC ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ପଡ଼ିଲା ୧୦ ଲକ୍ଷ ଟଙ୍କାର ଫାଇନ୍ । ନିଜ କମ୍ପାନୀ ଇଣ୍ଡିଆନ୍ ରେଲୱେ କାଟରିଂ ଏଣ୍ଡ ଟୁରିଜିମ୍ କର୍ପୋରେସନ୍-IRCTC ଉପରେ ଆକ୍ସନ ନେଇଛି ଭାରତୀୟ ରେଲୱେ । ଏଥିସହ ଭେଣ୍ଡର ଉପରେ ୫୦ ଲକ୍ଷର ଜରିମାନା ହୋଇଛି । ଭେଣ୍ଡର ଚୁକ୍ତି ବାତିଲ ପାଇଁ ଦିଆଯାଇଛି ନିର୍ଦ୍ଦେଶ ।
ପାଟନାରୁ ଟାଟାନଗର ଯାଉଥିବା ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ ରାତ୍ରୀ ଭୋଜନ ସହିତ ପରଷାଯାଉଥିବା ଦହିରେ ପୋକ ଦେଖିବାକୁ ମିଳିଛି। ଯାତ୍ରୀ ଜଣକ ଏହା ମଧ୍ୟ ଦାବି କରିଛନ୍ତି ଯେ ଅନ୍ୟ ଯାତ୍ରୀମାନଙ୍କୁ ପରଷାଯାଉଥିବା ଦହିରେ ମଧ୍ୟ ପୋକ ମିଳିଛି। ଅଭିଯୋଗ ପାଇବା ପରେ, ରେଳବାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭେଣ୍ଡର ଉପରେ ୫୦ ଲକ୍ଷ ଜରିମାନା ଲଗାଇବା ସହ ଚୁକ୍ତିନାମା ବାତିଲ କରିଛି। IRCTC କୁ ମଧ୍ୟ ୧୦ ଲକ୍ଷ ଜରିମାନା କରାଯାଇଛି।
ରେଳ ମନ୍ତ୍ରଣାଳୟ କହିଛି, "୧୫ ମାର୍ଚ୍ଚ, ୨୦୨୬ରେ ଟ୍ରେନ ନମ୍ବର ୨୧୮୯୬ (ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ) ରେ ମିଳିଥିବା ଖାଦ୍ୟର ଗୁଣବତ୍ତା ସମ୍ବନ୍ଧୀୟ ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ଆଇଆରସିଟିସି ଉପରେ ୧୦ ଲକ୍ଷ ଟଙ୍କା ଏବଂ କ୍ୟାଟରର ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ସେମାନଙ୍କର ଚୁକ୍ତିନାମା ମଧ୍ୟ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀ ସୁରକ୍ଷା ଏବଂ ଗୁଣବତ୍ତା ଆମର ପ୍ରାଥମିକତା।" ଭାରତୀୟ ରେଳବାଇର ଜଣେ ମୁଖପାତ୍ର ମଧ୍ୟ କହିଛନ୍ତି ଯେ, ଏହି ବିଷୟକୁ ହାଲୁକା ଭାବରେ ନିଆଯିବ ନାହିଁ। ଗୁଣାତ୍ମକ ସେବା ବଜାୟ ରଖିବା ଏକ ପ୍ରାଥମିକତା। ସେ ବ୍ୟାଖ୍ୟା କରିଥିଲେ ଯେ ଯାତ୍ରୀମାନେ ଉନ୍ନତ ସୁବିଧା ଆଶା କରୁଥିବାରୁ, ବିଶେଷକରି ବନ୍ଦେ ଭାରତ ଭଳି ପ୍ରିମିୟମ୍ ଟ୍ରେନଗୁଡ଼ିକରେ ଉଚ୍ଚମାନର ସେବା ଏବଂ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ କଠୋର ନିୟମ ରହିଛି।