ନୂଆଦିଲ୍ଲୀ: ରାଜସ୍ଥାନରୁ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି । ଏଠାରେ ଥିବା ଶ୍ରୀଗଙ୍ଗା ନଗରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ସମେତ ମୋଟ୍ ୬ ଜଣଙ୍କ ମୃତ୍ୟୁ ହୋଇଛି । ଲୋକସଭା ନିର୍ବାଚନରେ ଭୋଟ୍ ସମୟରେ ଏହି ବଡ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ପୁରା ପରିବାର ଜଣେ ସମ୍ପର୍କୀୟଙ୍କ ଶୋକସଭାରୁ ଫେରୁଥିଲେ । ତେବେ ଅନୁପଗଡର ସମଜା କୋଠି ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ପରିବାର ସଦସ୍ୟଙ୍କ ଭର୍ତ୍ତି ଏକ କ୍ରୁଜ୍ କାର ଟ୍ରାକ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା।
ଏହି ସଡକ ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ଅପରାହ୍ନ ପ୍ରାୟ ୩ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସେହି ସମୟରେ ରାୟ ସିଂ ନଗରର କିକରୱାଲୀ ଗାଁର ଏକ ପରିବାର ସେମାନଙ୍କ ସମ୍ପର୍କୀୟଙ୍କ ଶୋକସଭାରୁ ଫେରୁଥିଲେ। ଗାଡିରେ ପାଞ୍ଚ ଜଣ ମହିଳା ଏବଂ ଦୁଇଜଣ ପୁରୁଷ ଉପସ୍ଥିତ ଥିବା କୁହାଯାଉଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛନ୍ତି ।