ଭାରତର ସମ୍ବିଧାନ ମହିଳାମାନଙ୍କୁ ପୁରୁଷଙ୍କ ସହ ସମାନ ଅଧିକାର, ସୁଯୋଗ ପ୍ରଦାନ କରେ । ଆଇନ ସମ୍ମୁଖରେ ଉଭୟ ପୁରୁଷ ଓ ମହିଳା ସମାନ । ହିଂସା ଏବଂ ଭେଦଭାବରୁ ମୁକ୍ତଭାବରେ ବଞ୍ଚିବା, ସୁନ୍ଦର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଉପଭୋଗ କରିବା, ଶିକ୍ଷିତ ହେବା, ସମ୍ପତ୍ତି ମାଲିକାନା ପାଇବା, ଭୋଟ ଦେବା ଏବଂ ସମାନ ମଜୁରି ଅର୍ଜନ କରିବାର ଅଧିକାର ଅନ୍ତର୍ଭୁକ୍ତ ।
ଲିଙ୍ଗଗତ ଅସମାନତା ଆମ ସମୟର ସବୁଠାରୁ ବଡ଼ ଆହ୍ୱାନ ଏବଂ ଲିଙ୍ଗଗତ ସମାନତା ହେଉଛି ସବୁଠାରୁ ବଡ଼ ସୁଯୋଗ । ଅନ୍ତର୍ଜାତୀୟ ମହିଳା ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ ଯାହା ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ ଏବଂ ସାମାଜିକ ନ୍ୟାୟ ପାଇଁ ଗୁରୁତ୍ୱ ଦେଇଥାଏ । ଏହି ଦିବସ ମହିଳାମାନଙ୍କର ସାମାଜିକ, ଆର୍ଥିକ, ସାଂସ୍କୃତିକ ଏବଂ ରାଜନୈତିକ ସଫଳତାର କାହାଣୀ ପ୍ରଚାର କରିଥାଏ ଏବଂ ଲିଙ୍ଗଗତ ସମାନତା ଦିଗରେ ହୋଇଥିବା ଅଗ୍ରଗତିକୁ ସମୀକ୍ଷା କରେ । ବର୍ତ୍ତମାନ ମଧ୍ୟ କରିବାକୁ ଥିବା କାର୍ଯ୍ୟକୁ ଆଲୋଚନା କରେ । ମଜୁରି ପ୍ରାର୍ଥକ୍ୟ, ଭେଦଭାବ, ହିଂସା ଏବଂ ସାମାଜିକ ଅନ୍ୟାୟ ଭଳି ଲିଙ୍ଗଗତ ଅସମାନତା ପ୍ରସଙ୍ଗ ବିଷୟରେ ସଚେତନତା ବୃଦ୍ଧିକରେ ।
ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଥିମ୍ ଏବଂ ଅଭିଯାନ ଥିମ୍ ସହିତ ପାଳନ କରାଯାଏ, ଯାହା ଲିଙ୍ଗଗତ ସମାନତା ପାଇଁ ବର୍ତ୍ତମାନର ବିଶ୍ୱସ୍ତରୀୟ ପ୍ରାଥମିକତାକୁ ପ୍ରତିଫଳିତ କରେ । ମିଳିତ ଜାତିସଂଘ ନିଜର ଥିମ୍ ଓ ବିଶ୍ୱବିଖ୍ୟାତ ଅନ୍ତର୍ଜାତୀୟ ମହିଳା ଦିବସ ୱେବସାଇଟ ଓ ମହିଳା ଅଷ୍ଟ୍ରେଲିଆ କିମ୍ବା ଅନ୍ୟାନ୍ୟ ସଂସ୍ଥା ଅଭିଯାନ ଥିମ୍ ଘୋଷଣା କରିଥାନ୍ତି । ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଇଁ ଜାତିସଂଘର ଥିମ୍ ହେଉଛି- - For All women and girls: Rights. Equality. Empowerment’’. ‘ସମସ୍ତ ମହିଳା ଏବଂ ଝିଅମାନଙ୍କ ପାଇଁ: ଅଧିକାର । ସମାନତା । ସଶକ୍ତିକରଣ ।’ ଅନ୍ତର୍ଜାତୀୟ ମହିଳା ଦିବସ ୱେବସାଇଟର ଅଭିଯାନ ଥିମ୍ ହେଉଛି ଲିଙ୍ଗ ସମାନତା ପାଇଁ #AccelerateAction ବା କାର୍ଯ୍ୟ ତ୍ୱରାନ୍ୱିତ । ମହିଳା ଅଷ୍ଟ୍ରେଲିଆ ଅଭିଯାନ ଥିମ୍ ହେଉଛି: ‘For All women and girls: #MarchForward’ ବା "ସମସ୍ତ ମହିଳା ଏବଂ ଝିଅମାନଙ୍କ ପାଇଁ: ଆଗକୁ ବଢ଼ନ୍ତୁ' ।
ଏକଥା କେହି ଭୁଲିବା ଅନୁଚିତ ଯେ, ମୋଟ୍ ଉପରେ ମହିଳାମାନେ ବେଶୀ ନିର୍ଯାତିତା ହୋଇଥାନ୍ତି ଓ ଲିଙ୍ଗଜନିତ ଭେଦଭାବର ଶିକାର ଅଧିକ ହୋଇଥାନ୍ତି । ଲିଙ୍ଗଗତ ଭେଦଭାବ ହିଁ ଲିଙ୍ଗଗତ ଅସମାନତା ମୁଖ୍ୟ କାରଣ । ଏଣୁ ସର୍ବଦା ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା, ସରକାର, ଯୋଜନାକାରୀ, ବୁଦ୍ଧିଜୀବୀ ଲିଙ୍ଗଗତ ସମତା ଉପରେ ପ୍ରାଧାନ୍ୟ ଦେଇଥାନ୍ତି । ପୁନଶ୍ଚ ଉଭୟ ପୁରୁଷ ଓ ମହିଳାଙ୍କ ଅଧିକାର ମଧ୍ୟ ମାନବ ଅଧିକାର । ଭାରତ ମହିଳାମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ବୈଷମ୍ୟ ଦୂରୀକରଣ ସମ୍ମିଳନୀକୁ ଅନୁମୋଦନ କରିଛି । ଭାରତର ସମ୍ବିଧାନ ମହିଳାମାନଙ୍କୁ ପୁରୁଷଙ୍କ ସହ ସମାନ ଅଧିକାର, ସୁଯୋଗ ପ୍ରଦାନ କରେ ।
ଆଇନ ସମ୍ମୁଖରେ ଉଭୟ ପୁରୁଷ ଓ ମହିଳା ସମାନ । ହିଂସା ଏବଂ ଭେଦଭାବରୁ ମୁକ୍ତଭାବରେ ବଞ୍ଚିବା, ସୁନ୍ଦର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଉପଭୋଗ କରିବା, ଶିକ୍ଷିତ ହେବା, ସମ୍ପତ୍ତି ମାଲିକାନା ପାଇବା, ଭୋଟ ଦେବା ଏବଂ ସମାନ ମଜୁରି ଅର୍ଜନ କରିବାର ଅଧିକାର ଅନ୍ତର୍ଭୁକ୍ତ । ସେହିପରି ଆଇନ ସମାନ ସୁରକ୍ଷା ପ୍ରଦାନ ଓ ଲିଙ୍ଗ, ଧର୍ମ, ଜାତି କିମ୍ବା ଜନ୍ମସ୍ଥାନ ଆଧାରରେ ଭେଦଭାବକୁ ନିଷିଦ୍ଧ କରେ । ପୁନଶ୍ଚ ଉଭୟ ପୁରୁଷ ଓ ମହିଳା ନିଯୁକ୍ତିରେ ସମାନ ସୁଯୋଗ, ସମାନ କାମ ପାଇଁ ସମାନ ଦରମା ପାଇବାର ବ୍ୟବସ୍ଥା ରହିଛି । ରାଜ୍ୟକୁ ମହିଳା ଏବଂ ପିଲାମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଅନୁମତି ଦିଏ । ଇଚ୍ଛା ଅନୁସାରେ ମୁକ୍ତଭାବରେ ଭ୍ରମଣ କରିବାର ଅଧିକାର ଓ ଯୌନ ଏବଂ ପ୍ରଜନନ ଅଧିକାର ସମେତ ଉଭୟ ପୁରୁଷ ଓ ମହିଳା ନିଜ ଶରୀର ବିଷୟରେ ନିଷ୍ପତ୍ତି ନେଇପାରିବେ । କିନ୍ତୁ ଏସବୁ ଅଧିକାର କେବଳ କାଗଜ କଲମରେ ସୀମାବଦ୍ଧ ଓ ସମାନତା ସର୍ବଦା ଉଲ୍ଲଙ୍ଘନ ହେଉଛି ।
୨୦୨୪ ମସିହାରେ ପ୍ରକାଶିତ, ଜାତିସଂଘ ମହିଳା ତଥା ଜାତିସଂଘର ଡ୍ରଗ୍ ଆଣ୍ଡ କ୍ରାଇମ ଦ୍ୱାରା ଫେମିସାଇଡ ରିପୋର୍ଟ ଅନୁସାରେ ୨୦୨୩ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ୮୫,୦୦୦ ମହିଳା ଓ ବାଳିକାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଥିଲା । ସେଥିରୁ ୬୦% ବା ୫୧,୦୦୦ ଜଣଙ୍କୁ ନିଜ ସ୍ୱାମୀ ବା ପରିବାର ସଦସ୍ୟ ହତ୍ୟା କରିଥିଲେ । ୮୦% କେବଳ ପୁରୁଷମାନଙ୍କ ଦ୍ୱାରା ସଂଗଠିତ ହୋଇଥିଲା । ଏହି ତଥ୍ୟ ଦର୍ଶାଉଛି ଯେ, ପ୍ରତିଦିନ ୧୪୦ଜଣ ମହିଳା ଏବଂ ବାଳିକା ନିଜ ସ୍ୱାମୀ କିମ୍ବା ନିକଟ ସମ୍ପର୍କୀୟଙ୍କ ହାତରେ ମୃତ୍ୟୁବରଣ କରିଥାଆନ୍ତି । ଅର୍ଥାତ୍ ପ୍ରତି ୧୦ ମିନିଟରେ ଜଣେ ମହିଳା କିମ୍ବା ଝିଅକୁ ହତ୍ୟା କରାଯାଏ । ମିଳିତ ଜାତିସଂଘର ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଯଦିଓ ହତ୍ୟାକାଣ୍ଡ ବେଶୀ ପୁରୁଷ ଏବଂ ବାଳକ ଭିଆଇଥାନ୍ତି, ତଥାପି ମହିଳା ଓ ବାଳିକା ଘରୋଇ ପରିସରରେ ବେଶୀ ହିଂସାର ଶିକାର ହୋଇଥାନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ଆକଳନରୁ ଜଣାପଡିଛି ଯେ, ବିଶ୍ୱବ୍ୟାପୀ ପ୍ରାୟ ୩୦% ମହିଳା ସେମାନଙ୍କ ଜୀବନରେ ସ୍ୱାମୀ, ଅନ୍ତରଙ୍ଗ ବନ୍ଧୁ ବା ଅନ୍ୟାନ୍ୟ ବ୍ୟକ୍ତିଦ୍ୱାରା ଶାରୀରିକ ବା ଯୌନହିଂସାର ଶିକାର ହୋଇଥାନ୍ତି । ଭାରତରେ ମହିଳାଙ୍କ ସ୍ଥିତି ଆହୁରି ଉଦବେଗଜନକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରା (ଏନସିଆରବି) ରିପୋର୍ଟ ଅନୁଯାୟୀ, ସାରା ଦେଶରେ ମହିଳାଙ୍କ ବିରୋଧରେ ସଂଗଠିତ ଅପରାଧ ମାମଲା ରୁଜୁ ସଂଖ୍ୟା ବୃଦ୍ଧି ପାଇଚାଲିଛି । ଅପରାଧ ସଂଖ୍ୟା ୨୦୧୪ରେ ୩.୩୭ଲକ୍ଷ ଥିଲାବେଳେ ୩୦% ବୃଦ୍ଧିପାଇ ୨୦୨୨ରେ ୪.୪୫ଲକ୍ଷରେ ପହଞ୍ଚିଛି ।
୨୦୧୪ରେ ପ୍ରତି ୧ଲକ୍ଷ ମହିଳାଙ୍କ ମଧ୍ୟରୁ ୫୬.୩ଜଣ ଅପରାଧର ଶରବ୍ୟ ହୋଇଥିଲାବେଳେ, ଏହି ହାର ୨୦୨୨ରେ ୬୬.୪କୁ ବୃଦ୍ଧିପାଇଛି । ସବୁଠାରୁ ଦୁଃଖର ବିଷୟ ହେଉଛି ମହିଳାମାନଙ୍କ ବିରୋଧରେ ହୋଇଥିବା ଅପରାଧର ଅଧିକାଂଶ ମାମଲା ବା ମୋଟ୍ ଅପରାଧର ୩୧.୪% ନିର୍ଦ୍ଦୟ ସ୍ୱାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ସଂଗଠିତ ହୋଇଥାଏ । ସେହିପରି ୧୮.୭% ଅପରାଧ ମହିଳାଙ୍କ ସତୀତ୍ୱ ଲୁଣ୍ଠନ ପାଇଁ ବା ଅସଦାଚରଣଜନିତ ହୋଇଥିଲାବେଳେ, ୧୯.୨% ମହିଳା ଅପହରଣ ଏବଂ ୭.୧% ବଳାତ୍କାରଜନିତ । ଭାରତରେ ୭.୩କୋଟି ଏକାକୀ ମହିଳା ଅଛନ୍ତି, ଯେଉଁମାନେ ପ୍ରେମ ଏବଂ ସ୍ନେହରୁ ବଞ୍ଚିତ ।
ଲିଙ୍ଗଗତ ଅସମାନତା ଆହୁରି ଗଭୀର ହେଉଛି । ଭାରତରେ ଭୟଙ୍କର କଥା ହେଉଛି ଯେ, ମାର୍ଚ୍ଚ ୨୦୨୪ରେ ପ୍ରକାଶିତ ମିଳିତ ଜାତିସଂଘର ଉନ୍ନୟନ କାର୍ଯ୍ୟକ୍ରମର ଲିଙ୍ଗଗତ ଅସମାନତା ସୂଚକାଙ୍କ ୨୦୨୨ରେ ଭାରତ ୧୯୩ ଦେଶ ମଧ୍ୟରୁ ୧୦୭ ଦେଶ ପଛରେ (୧୦୮ସ୍ଥାନରେ) ରହିଛି । ତଥାପି, ୨୦୧୪ରେ ଏହାର ସ୍ଥାନ ୧୨୭ ଥିଲା । ଲିଙ୍ଗଗତ ଅସମାନତା ସୂଚକାଙ୍କ ୨୦୨୧ରେ ଭାରତ ୧୯୧ ଦେଶ ମଧ୍ୟରୁ ୧୨୨ ସ୍ଥାନରେ ଥିଲା ।
ବିଶ୍ୱ ଲିଙ୍ଗଗତ ପ୍ରଭେଦ ସୂଚକାଙ୍କ ହେଉଛି ବିଶ୍ୱ ଅର୍ଥନୈତିକ ଫୋରମ୍ ଦ୍ୱାରା ପ୍ରସ୍ତୁତ ଏକ ବାର୍ଷିକ ରିପୋର୍ଟ, ଯାହା ବିଶ୍ୱର ବିଭିନ୍ନ ଦେଶରେ ସମ୍ବଳ ଏବଂ ସୁଯୋଗ ଉପଲବ୍ଧତାରେ ଲିଙ୍ଗଗତ ଅନ୍ତରକୁ ମାପିଥାଏ । ୨୦୦୬ରୁ ପ୍ରକାଶିତ ବିଶ୍ୱ ଅର୍ଥନୈତିକ ମଞ୍ଚ ଗ୍ଲୋବାଲ ଜେଣ୍ଡର ଗ୍ୟାପ ଇଣ୍ଡେକ୍ସ ବା ବିଶ୍ୱ ଲିଙ୍ଗ ପ୍ରାର୍ଥକ୍ୟ ସୂଚକାଙ୍କ ପ୍ରକାଶ କରୁଛି । ବିଶ୍ୱ ଅର୍ଥନୈତିକ ମଞ୍ଚର ୧୮ତମ ବିଶ୍ୱ ଲିଙ୍ଗ ପ୍ରଭେଦ ସୂଚକାଙ୍କ ୨୦୨୪ ଅନୁସାରେ ଯେଉଁପରି ମନ୍ଥର ଭାବେ ଲିଙ୍ଗଗତ ଅସମାନତା ହ୍ରାସ ପାଉଛି, ସେହି ଅନୁସାରେ ବିଶ୍ୱରେ ମହିଳାମାନଙ୍କୁ ପୁରୁଷମାନଙ୍କ ସହିତ ସମକକ୍ଷ ହେବାପାଇଁ ୧୩୪ବର୍ଷ ଲଗିବ । ଅର୍ଥାତ୍ ୨୧୫୮ରେ ଏହା ସମ୍ଭବ ହେବ । ଅବଶ୍ୟ ଗତବର୍ଷର ସୂଚକାଙ୍କରେ ୧୩୧ବର୍ଷ ଲଗିବ ବୋଲି କୁହାଯାଉଥିଲା, ଅର୍ଥାତ୍ ସ୍ଥିତି ନିମ୍ନଗାମୀ । ଏହି ଲିଙ୍ଗଜନିତ ପାର୍ଥକ୍ୟ ବିଶ୍ବ ହାରାହାରି ଠାରୁ ଭାରତରେ ଅଧିକ ଗୁରୁତର । ବିଶ୍ୱ ଲିଙ୍ଗଗତ ସମାନତା ହାସଲ ୬୮.୫% ହାସଲ ହେଲାବେଳେ ଲିଙ୍ଗଜନିତ ପ୍ରଭେଦ ଆହୁରି ୩୧.୫% ବାକି ରହିଛି ।
ଅପରପକ୍ଷରେ ଭାରତରେ ଲିଙ୍ଗଗତ ସମାନତା ୬୪.୧% ହାସଲ କରିଲାବେଳେ ଲିଙ୍ଗଜନିତ ପ୍ରଭେଦ ଆହୁରି ୩୫.୯% ରହିଛି । ପୂର୍ବବର୍ଷ ୬୪.୩% ଲିଙ୍ଗଗତ ସମାନତା ହାସଲ କରିଲାବେଳେ ଲିଙ୍ଗଜନିତ ପ୍ରଭେଦ ୩୫.୭% ଥିଲା । ଅର୍ଥାତ୍ ସ୍ଥିତି ନିମ୍ନଗାମୀ । ୨୦୨୨ ସୂଚକାଙ୍କରେ ୧୪୬ଟି ଦେଶ ମଧ୍ୟରୁ ଭାରତ ୧୩୫ ସ୍ଥାନରେ ଥିଲାବେଳେ ୨୦୨୩ ସୂଚକାଙ୍କରେ ୧୨୭ ସ୍ଥାନକୁ ଉନ୍ନତି ଘଟିଥିଲା । କିନ୍ତୁ ୨୦୨୪ ପୁନଶ୍ଚ ୨ ସ୍ଥାନ ନିମ୍ନଗାମୀ ହୋଇ ୧୨୯ ସ୍ଥାନରେ ପହଞ୍ଚିଛି । ଅର୍ଥାତ୍ ଲିଙ୍ଗ ପାର୍ଥକ୍ୟ ଦୂର କରିବାରେ ଏବେବି ୧୨୮ଟି ଦେଶ ତଳେ ଭାରତ ରହିଛି । ୨୦୧୪ରେ ୧୪୨ଟି ଦେଶ ମଧ୍ୟରୁ ୧୧୪ ସ୍ଥାନରେ ଥିଲା । ଭାରତ ବର୍ତ୍ତମାନ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ ସମେତ ଅଧିକାଂଶ ଦକ୍ଷିଣ ଏସୀୟ ଦେଶ ଅପେକ୍ଷା ପଛରେ ମଧ୍ୟ ଅଛି । ଅର୍ଥନୈତିକ ଅଂଶଗ୍ରହଣ ଏବଂ ସୁଯୋଗ-୧୪୨, ସ୍ୱାସ୍ଥ୍ୟ ଏବଂ ବଞ୍ଚିବା-୧୪୨, ଶିକ୍ଷାଗତ ସଫଳତା-୧୧୨, ରାଜନୈତିକ ସଶକ୍ତିକରଣ ସ୍ଥାନ ୬୫ ।
ମହିଳାମାନେ "ଗ୍ଲାସ୍ ସିଲିଂ'ର ସମ୍ମୁଖୀନ ହୋଇଥାନ୍ତି ଯାହା ତାଙ୍କ ପ୍ରଗତିରେ ବଡ଼ ପ୍ରତିବନ୍ଧକ ହୋଇଥାଏ । "ଗ୍ଲାସ୍ ସିଲିଂ’ ହେଉଛି ଅଦୃଶ୍ୟ ପକ୍ଷପାତପୂର୍ଣ୍ଣ ପ୍ରତିବନ୍ଧକ ଯାହା କେବଳ ମହିଳା ହୋଇଥିବାରୁ ମହିଳାମାନଙ୍କୁ କ୍ଷମତା ହାସଲ କିମ୍ବା ବିଭିନ୍ନ ପଦ ପଦବିରେ ଉପରକୁ ଉଠିବା ବା ଆଗକୁ ବଢ଼ିବାରେ ବାଧା ଦିଏ । ଏହା ଦରମା, ଚାକିରି ସୁଯୋଗ ଏବଂ ନେତୃତ୍ୱ ଭୂମିକାରେ ପ୍ରତିବନ୍ଧକକୁ ବୁଝାଇପାରେ । ବିଶ୍ୱରେ ଶ୍ରମଶକ୍ତି ଅଂଶଗ୍ରହଣ ହାର ପୁରୁଷଙ୍କ କ୍ଷେତ୍ରରେ ୮୦% ହୋଇଥିଲାବେଳେ ମହିଳାଙ୍କ କ୍ଷେତ୍ରରେ ୫୦% । ଅପରପକ୍ଷରେ ଭାରତରେ ଏହା ପୁରୁଷମାନଙ୍କ ପାଇଁ ୭୭.୨% ହୋଇଥିଲାବେଳେ ମହିଳାଙ୍କ କ୍ଷେତ୍ରରେ ୪୧.୭% ।
ସ୍ୱୟଂ ନିଯୁକ୍ତିପ୍ରାପ୍ତ ମହିଳାଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଭାରତରେ ମହିଳା ଶ୍ରମ ଅଂଶଗ୍ରହଣରେ କିଛି ଉନ୍ନତି ହୋଇଛି । ଲିଙ୍ଗଗତ ଦରମା/ମଜୁରି ପାର୍ଥକ୍ୟ ହେଉଛି ସମାନ କାର୍ଯ୍ୟ ପାଇଁ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ମଜୁରି/ଦରମାର ପାର୍ଥକ୍ୟ ରହିବା । ବିଶ୍ୱସ୍ତରରେ ଏହା ପ୍ରାୟ ୨୦% ବୋଲି ଆକଳନ କରାଯାଇଛି । ଏହାର ଅର୍ଥ ହେଉଛି ସମାନ କାର୍ଯ୍ୟ ପାଇଁ ମହିଳାମାନେ ପୁରୁଷମାନଙ୍କ ରୋଜଗାରର ୮୦% ରୋଜଗାର କରନ୍ତି । ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ଭାରତରେ ଲିଙ୍ଗଗତ ଦରମା ପାର୍ଥକ୍ୟ ୨୭% ରହିଛି । ଏହାର ଅର୍ଥ ହେଉଛି, ସମାନ କାମ କରିବା ପାଇଁ ଭାରତରେ ମହିଳାମାନେ ହାରାହାରି ପୁରୁଷମାନଙ୍କ ରୋଜଗାରର ୭୩% ରୋଜଗାର କରନ୍ତି ।
ମହିଳାଙ୍କ ଉନ୍ନତି ପାଇଁ ସେମାନଙ୍କର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ସଶକ୍ତିକରଣ ଆବଶ୍ୟକ । ସାମାଜିକ ସଶକ୍ତିକରଣ ଅର୍ଥ ପୁରୁଷ ଓ ମହିଳାକୁ ସମାନ ସମ୍ମାନ ମିଳିବା, କେହି ବଡ଼ ଓ ଛୋଟ ବୋଲି ବିଚାର ନକରିବା । ଅର୍ଥନୈତିକ ସଶକ୍ତିକରଣ ଅର୍ଥ ଆର୍ଥିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ ହେବା, ସ୍ୱାଧୀନ ଭାବେ ସିଦ୍ଧାନ୍ତ ନେବା । ରାଜନୈତିକ, ସଶକ୍ତିକରଣ ଅର୍ଥ ସେମାନଙ୍କ ପ୍ରତିନିଧିତ୍ୱ ସଂସଦ ଓ ବିଧାନସଭା/ପରିଷଦ ଆଦିରେ ବୃଦ୍ଧି ପାଇବା ଆବଶ୍ୟକ । ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଦ୍ୱାରା କରାଯାଇଥିବା ଅଧ୍ୟୟନଗୁଡ଼ିକ ଉଚ୍ଚ ଲିଙ୍ଗ ସମାନତା ଏବଂ ଉଚ୍ଚ ଜିଡିପି ଅଭିବୃଦ୍ଧି ହାର ଥିବା ଦେଶଗୁଡ଼ିକ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ଦେଖାଏ । କିଛି ଆକଳନ ସୂଚିତ କରେ ବିଶ୍ୱ ଲିଙ୍ଗ ପାର୍ଥକ୍ୟକୁ ହ୍ରାସ କରିବା ଦ୍ୱାରା ବିଶ୍ୱ ଜିଡିପିରେ ଟ୍ରିଲିୟନ ଡଲାର ଯୋଡ଼ିହେବ ।