ଭୁବନେଶ୍ୱର,୦୯/୦୫: ଆସନ୍ତା ୨ରୁ ୩ ଦିନରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ । ରାଜ୍ୟକୁ ଅଗ୍ରସର ହେବାକୁ ପାଗ ଅନୁକୂଳ ଅଛି । ୧୧ ତାରିଖ ସୁଦ୍ଧା ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ ଓ ସିକିମରେ ମୌସୁମୀ ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି ) ଆକଳନ କରିଛି ।

ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଙ୍ଗୋପସାଗରରେ ସ୍ଥିିତି ସୁଧୁରିଛି । ମୌସୁମୀ ବାୟୁର ଅଗ୍ରଗତି ହୋଇଛି । ବଙ୍ଗାପସାଗରରେ ମୌସୁମୀ ଧୀରେ ଧୀରେ ଆଗଉଥିଲା । କିନ୍ତୁ ଏବେ ଏହାର ଗତି ବଢ଼ିଛି । ସପ୍ତାହ ପୂର୍ବର ସ୍ଥିତି ଭିନ୍ନ ଥିଲା । କିନ୍ତୁ ଏବେକାର ବାୟୁମଣ୍ଡଳୀୟ ପରିବେଶ ମୌସୁମୀ ଅଗ୍ରଗତି ପାଇଁ ଅଧିକ ଅନୁକୂଳ ହେଉଛି । ୧୦ରୁ ୧୩ ତାରିଖ ଭିତରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିପାରେ । ଆସନ୍ତା କିଛି ଦିନ ଯାଏ ଉପକୂଳ ଓଡ଼ିଶା ତୁଳନାରେ ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ରହିବ । ୬ ରୁ ୧୦ ତାରିଖ ଯାଏ ସାମୟିକ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ତେବେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ୧୦ ରୁ ୧୩ ତାରିଖ ଭିତରେ ବାୟୁମଣ୍ଡଳର ଆର୍ଦ୍ରତା ବଢ଼ିବ । ଘନ ମେଘମାଳା ଯୋଗୁ ପାଗ ପରିବର୍ତ୍ତନ ହେବ । ପଶ୍ଚିମ ଓଡ଼ିଶାରେ ୧୨ରୁ ୧୬ ତାରିଖ ଭିତରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଅଛି ବୋଲି ସେ ଆକଳନ କରିଛନ୍ତି ।

 

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୧ ତାରିଖ ବେଳକୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ । ୧୪ ତାରିଖରେ ମୌସୁମୀ ପହଞ୍ଚିବାର ସମ୍ଭାବନା ଅଛି । ୯ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏଥିପାଇଁ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇପାରେ । ମଙ୍ଗଳବାର ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧର ଦିନ ତାପମାତ୍ରା ୪୧.୫ ଡିଗ୍ରୀ, ଭବାନୀପାଟଣାରେ ୪୧, ବଲାଙ୍ଗୀରରେ ୪୦.୧, ତାଳଚେରରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ :- State Cabinet : ରାଜ୍ୟ କ୍ୟାବିନେଟରେ ୫ ବିଭାଗର ୧୦ ପ୍ରସ୍ତାବକୁ ମୋହର, ସହରାଞ୍ଚଳ ଜଳତଟର ହେବ ବିକାଶ