ମୁମ୍ୱାଇ,୧୪/୦୩: ଆସନ୍ତା ଜୁନ୍‌ ୧୯ରେ ମୁକ୍ତିଲାଭ କରିବ ‘କକ୍‌ଟେଲ-୨’ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ରଶ୍ମିକା ମନ୍ଦାନା, ଶାହିଦ କପୁର ଓ କ୍ରିତି ସାନନ୍‌ । ମ୍ୟାଡ୍‌ ଡକ୍‌ ଫିଲ୍ମସ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହୋମି ଆଦାଜାନିଆ । ରଶ୍ମିକା ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଫିଲ୍ମର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି । ଏହା ଜରିଆରେ ସେ ଫିଲ୍ମର ମୁଖ୍ୟ କଳାକାରଙ୍କ ଲୁକ୍‌ ସାମ୍ନାକୁ ଆଣିଛନ୍ତି ।

ଆହୁରି ପଢନ୍ତୁ-୧୭ ବର୍ଷ ସାନ ହୀରା ବେପାରୀଙ୍କୁ ଡେଟ୍ କରୁଛନ୍ତି ମଲାଇକା, ଫଟୋ ଭାଇରାଲ୍...

ପୋଷ୍ଟ୍‌ରେ ଆହୁରି କହିଛନ୍ତି, ଫିଲ୍ମର ଫର୍ଷ୍ଟ ଲୁକ୍‌ ଚଳିତ ମାସ ୧୮ ତାରିଖରେ ରିଲିଜ୍‌ ହେବ । ରଶ୍ମିକା-ବିଜୟ ଦେବରକୋଣ୍ଡାଙ୍କ ବିବାହ ପରେ ଗତ ୪ ତାରିଖ ହାଇଦ୍ରାବାଦରେ ଆୟୋଜିତ ବିବାହ ଭୋଜିକୁ ରଶ୍ମିକା ନିଜର ‘କକ୍‌ଟେଲ-୨’ କୋ-ଷ୍ଟାର୍‌ଙ୍କୁ ନିମନ୍ତ୍ରଣ କରିଥିଲେ । କ୍ରିତି, ହୋମି ଆଦାଜାନିଆ ଏବଂ ମ୍ୟାଡ୍‌ଡକ୍‌ ଫିଲ୍ମସର ମୁଖ୍ୟ ଦିନେଶ ଭିଜନ ଓ ତାଙ୍କ ପତ୍ନୀ ଭୋଜିରେ ଯୋଗ ଦେଇଥିଲେ । ଜାନୁଆରୀରେ ‘କକ୍‌ଟେଲ-୨’ର ସୁଟିଂ ଶେଷ ହୋଇଥିଲା । ହୋମି ସୁଟିଂ ଶେଷ ସମୟର ମଜାଦାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ‘କକ୍‌ଟେଲ-୨’ ହୋମି ଆଦାଜାନିଆଙ୍କର ୨୦୧୨ରେ ମୁକ୍ତିପ୍ରାପ୍ତ ‘କକ୍‌ଟେଲ’ର ସିକ୍ୱେଲ । ଏଥିରେ ସୈଫ ଅଲି ଖାନ୍‌, ଦୀପିକା ପାଦୁକୋନ ଓ ଡାଏନା ପେଣ୍ଟି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।