ନୂଆଦିଲ୍ଲୀ,୨୪/୦୨: ଗାଜା ଯୁଦ୍ଧ  ଏବଂ ଏହାକୁ କେନ୍ଦ୍ରକରି ଲୋହିତ ସାଗରରେ ୟେମେନୀ ହୁତି ବିଦ୍ରୋହୀଙ୍କ ଉତ୍ପାତ ଯୋଗୁ ସୋମାଲୀ ଜଳଦସ୍ୟୁଙ୍କୁ ମିଳିଛି ସୁଯୋଗ । ସେମାନେ ଧୀରେ ଧୀରେ ବଳ ଜୁଟାଇବାରେ  ଲାଗିଛନ୍ତି । ପ୍ରାୟ ଏକ ଦଶନ୍ଧି ଧରି ଉଭାନ  ହୋଇଯାଇଥିବା ଏହି ଭୟଙ୍କର ସମୁଦ୍ର ଲୁଟେରା ଗୋଷ୍ଠୀ ଲୋହିତ ସାଗରରେ ପୁଣି  ଉତ୍ପାତ ବଢ଼ାଇଛି । ଇତିମଧ୍ୟରେ କେତେକ  ଜାହାଜକୁ ଟାର୍ଗେଟ୍‌ ବି କଲେଣି । 

ସୋମାଲୀ ଜଳଦସ୍ୟୁ, ହୁତି ବିଦ୍ରୋହୀ  ଏବଂ କେତେକ ଆଞ୍ଚଳିକସମୁଦ୍ର ଲୁଟେରାଙ୍କ  ପାଇଁ ଲୋହିତ ସାଗର ଓ ଭାରତ  ମହାସାଗରରେ ବାଣିଜ୍ୟିକ କାରବାର ପ୍ରଭାବିତ ହେବା ଆରମ୍ଭ କରିଛି । ସମୁଦ୍ରରେ  ବାଣିଜ୍ୟିକ ଜାହାଜଗୁଡ଼ିକୁ ହୁତିମାନେ ଆକ୍ରମଣ  କରିବାର ମାସକ ପରେ ଅର୍ଥାତ ୨୦୨୩  ଡିସେମ୍ବରରେ ସୋମାଲିଆର ଜଳଦସ୍ୟୁଙ୍କ  ସାହସ ବଢ଼ିଯାଇଥିଲା । ସେମାନେ ମାଲ୍‌ଟା  ପତାକା ଲାଗିଥିବା ଏକ ବିଶାଳ କାର୍ଗୋ  ଜାହାଜକୁ ଭାରତ ମହାସାଗରରୁ ହାଇଜ୍ୟାକ୍‌  କରିନେଇଥିଲେ । ୨୦୧୭ ପରେ ଏହା  ସେମାନଙ୍କର ବଡ଼ ସଫଳତା ଥିଲା । 

ଏହା ପରଠାରୁ ସେମାନଙ୍କ  କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ୨୦୨୪  ଜାନୁଆରୀ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ  ୩ଟି ଜାହାଜ ହାଇଜ୍ୟାକ୍‌ ହେଲାଣି । ଦୁଇଟି  ଜାହାଜରେ ଜଳଦସ୍ୟୁମାନେ ପ୍ରବେଶ  କରି ଗୁଳିମାଡ଼ କରିଥିଲେ । ଆଉ ୩ଟି  ଜାହାଜକୁ ନେଇଯିବା ଲାଗି ଚେଷ୍ଟା କରି  ବିଫଳ ହୋଇଥିଲେ । ୨୦୨୪ ମାର୍ଚ୍ଚ ୧୨ରେ  ‘ଏମ୍‌ଭି ଅବ୍‌ଦୁଲ୍ଲା’ ନାମକ ଏକ ଜାହାଜକୁ  ସୋମାଲୀ ଜଳଦସ୍ୟୁମାନେ ସୋମାଲିଆ  ତଟଠାରୁ ୫୫୦ ନଟିକାଲ ମାଇଲ ଦୂରରେ  ଅପହରଣ କରିନେଇ ଯାଇଥିଲେ । 

ଏମ୍‌ଭି ଅବ୍‌ଦୁଲ୍ଲା ମୋଜାମ୍ବିକ୍‌ରୁ ସଂଯୁକ୍ତ  ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ୫୫  ହଜାର ଟନ୍‌ କୋଇଲା ନେଇ ଯାଉଥିଲା । ଏହି  ସମୟରେ ଏକ ଅଜଣା ମାଛଧରା ବୋଟ୍‌  ସେମାନଙ୍କ ରାଡାରରେ ଦେଖାଦେଇଥିଲା ।  ୬ ଜଣ ଲୋକ ଅଟୋମେଟିକ୍‌ ରାଇଫଲ୍‌  ଧରି ମାଡ଼ି ଆସୁଥିବା ୱାଚ୍‌ମ୍ୟାନ୍‌ ଜାଣିବାକୁ  ପାଇଥିଲେ । ସେ ତୁରନ୍ତ କ୍ୟାପ୍‌ଟେନ୍‌ଙ୍କୁ  ଜଣାଇବା ପରେ ଆଉ ଏକ ସ୍ପିଡ୍‌  ବୋଟ୍‌ରେ ୬ ଜଣ ବନ୍ଧୁକଧାରୀ ଜଳଦସ୍ୟୁ  ପହଞ୍ଚିଥିଲେ । ଚାହୁଁ ଚାହୁଁ ୧୨ ଜଳଦସ୍ୟୁ  ଏମ୍‌ଭି ଅବ୍‌ଦୁଲ୍ଲା ଜାହାଜ ଉପରେ ଚଢ଼ି କ୍ରୁ  ସଦସ୍ୟଙ୍କୁ କାବୁ କରିନେଇ ଜାହାଜକୁ ନିଜ  ନିୟନ୍ତ୍ରଣକୁ ନେଇଯାଇଥିଲେ । ୩୨ ଦିନ ଧରି  ପଣବନ୍ଦୀ ରହିବା ପରେ ୨୦୨୪ ଏପ୍ରିଲରେ  ଜଳଦସ୍ୟୁମାନେ ଏମ୍‌ଭି ଅବ୍‌ଦୁଲ୍ଲାର କ୍ରୁ  ସଦସ୍ୟମାନଙ୍କୁ ଛାଡ଼ିଦେଇଥିଲେ । 

ସୋମାଲୀ ଜଳଦସ୍ୟୁଙ୍କ ଏଭଳି ଭୟାନକ  ଲେଉଟାଣି ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ  ଉପରେ ବଡ଼ ବିପଦ ଭାବେ ଉଭା ହୋଇଛି । ଆଞ୍ଚଳିକ ଜାହାଜ ଚଳାଚଳ କ୍ଷେତ୍ରରେ ସାମିଲ  ଥିବା ଲୋକଙ୍କ ପାଇଁ ଘାତକ ସାଜିଛନ୍ତି ।  ଅଧିକ ବ୍ୟୟଭାର ଯୋଗୁ ଜାହାଜ ମାଲିକ  ସଶସ୍ତ୍ର ଗାର୍ଡଙ୍କୁ ପଠାଇବାକୁ ରାଜି ହେଉ ନ  ଥିବାରୁ ସ୍ଥାନୀୟ ପେସାଦାରମାନେ ଜାହାଜ  ପରିଚାଳନା ପାଇଁ କୁଣ୍ଠାବୋଧ କରୁଛନ୍ତି ।  ଆଉ ଯଦି ସେମାନେ ସାହସ କରି ସମୁଦ୍ରକୁ  ଯାଉଛନ୍ତି, ତେବେ ସେମାନଙ୍କ ପରିବାର  ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । 

ଏମ୍‌ଭି ଅବ୍‌ଦୁଲ୍ଲା ଜାହାଜରେ କ୍ରୁ  ସଦସ୍ୟ ଥିବା ବାଂଲାଦେଶର ମହମ୍ମଦ  ଅତିକ୍‌ ଉଲ୍ଲାହ ଖାନ୍‌ ନିଜ ଅନୁଭୂତି ମନେ  ପକାଇ କୁହନ୍ତି, ସୋମାଲିଆ ଜଳଦସ୍ୟୁଙ୍କ  କବଳରେ ୩୨ ଦିନ ଧରି ରହିବା ଆମ ପାଇଁ  କଷ୍ଟକର ଥିଲା । ସବୁବେଳେ ପରିବାର ଚିନ୍ତା  ଘାରିଥିଲା । ବାଂଲାଦେଶରେ ନିଜ ପରିବାର  ପାଖକୁ ଫେରିଆସିବା ପରେ ମାସ ମାସ ଧରି  ସେ କେଉଁ ଆଡ଼କୁ ଯିବାକୁ ମଙ୍ଗି ନ ଥିଲେ ।  କିନ୍ତୁ ନିଜ ଦେଶରେ ସ୍ୱଳ୍ପ ରୋଜଗାର ସୁଯୋଗ  ଯୋଗୁ ସେ ପୁଣି ଜାହାଜକୁ ଫେରିଛନ୍ତି।