ନୂଆଦିଲ୍ଲୀ,୨୭।୫: ବିଶ୍ୱର ଯେ କୌଣସି ଅଞ୍ଚଳରୁ ଆସୁ କିମ୍ବା ମହାକାଶରୁ, ଗୋଲଡେନ୍ ଡୋମ୍ ପ୍ରତ୍ୟେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଘୋଷଣା ଅନେକ ଦେଶର ଚିନ୍ତାକୁ ବଢ଼ାଇ ଦେଇଛି। ଉତ୍ତର କୋରିଆ ଏବଂ ଚୀନ୍ ଆମେରିକାର 'ଗୋଲ୍ଡେନ ଡୋମ୍' ମିଶାଇଲ ସିଲଡ୍ଡ ପ୍ଲାନକୁ ଖୁବ୍ ବିପଦପୂର୍ଣ୍ଣ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମେରିକାର ଏହି ପଦକ୍ଷେପ ଯୋଗୁଁ ମହାକାଶରେ ପରମାଣୁ ଯୁଦ୍ଧ ହେବାର ଆଶଙ୍କା ରହିଛି। ଗତ ସପ୍ତାହରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଲଡେନ୍ ଡୋମ୍ ମିଶାଇଲ ସିଲ୍ଡ ପ୍ଲାନକୁ ନେଇ ବହୁ ବିବରଣୀ ଏବଂ ପାଣ୍ଠି ଘୋଷଣା କରିଥିଲେ । ଏହା ସହ କହିଥିଲେ ଯେ ଏହା ଦେଶର ସଫଳତା ଏବଂ ବଞ୍ଚିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଏହାଦ୍ବାରା ଆମେରିକା ସ୍ଥଳ, ସମୁଦ୍ର ଏବଂ ମହାକାଶରେ ପରବର୍ତ୍ତୀ ପିଢ଼ିର ପ୍ରଯୁକ୍ତିବିଦ୍ୟା ନିୟୋଜିତ କରିବ, ଯେଉଁଥିରେ ସେନ୍ସର ଏବଂ ଇଣ୍ଟରସେପ୍ଟର ନିୟୋଜିତ ହେବ। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସି କୋରିଆନ୍ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି (KCNA) ରିପୋର୍ଟ କରିଛି ଯେ ବୈଦେଶିକ ମନ୍ତ୍ରଣାଳୟ ଏକ ସ୍ମାରକପତ୍ର ଜାରି କରିଛି, ଯେଉଁଥିରେ ଗୋଲଡେନ୍ ଡୋମ୍ ସମଗ୍ର ବିଶ୍ୱ ପାଇଁ ବିପଦ ବୋଲି କୁହାଯାଇଛି କାରଣ ଏହା ମହାକାଶକୁ ଏକ ପରମାଣୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିପାରେ। ଉତ୍ତର କୋରିଆର ଅଭିଯୋଗ କରିଛି ଆମେରିକା ମହାକାଶକୁ ସାମରିକୀକରଣ କରିବାକୁ ଚାହୁଁଛି। ଆମେରିକା ବାହ୍ୟ ମହାକାଶକୁ ଏକ ସମ୍ଭାବ୍ୟ ପରମାଣୁ ଯୁଦ୍ଧ କ୍ଷେତ୍ରରେ ପରିଣତ କରିବ। ଏହାଦ୍ବାରା ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶଗୁଡ଼ିକରେ ସୁରକ୍ଷା ଚିନ୍ତା ବଢିଯିବ। ବିଶ୍ୱବ୍ୟାପୀ ପରମାଣୁ ଏବଂ ମହାକାଶ ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ କରିବ।
ଚୀନ୍ ମଧ୍ୟ ଆମେରିକାର ଗୋଲଡେନ୍ ଡୋମ୍ ମିଶାଇଲ ସିଲଡ୍ଡ ପ୍ଲାନକୁ ସମାଲୋଚନା କରିଛି। ଏହାକୁ ଅନ୍ତର୍ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି କହିଛି। ପୂର୍ବରୁ, ରୁଷ ମଧ୍ୟ ଏହାକୁ ବିରୋଧ କରିଥିଲା ଏବଂ କହିଥିଲା ଯେ ଟ୍ରମ୍ପ ପ୍ରଶାସନ ଏହି ପ୍ରସଙ୍ଗରେ ମସ୍କୋ ସହିତ କଥା ହେବା ଉଚିତ ଥିଲା। ତା’ପରେ ରୁଷ ମଧ୍ୟ ଚିନ୍ତିତ ଥିଲା ଯେ ଏହା ମହାକାଶକୁ ଏକ ପରମାଣୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିବ। ତଥାପି, ପରେ ରୁଷ ତାର ବକ୍ତବ୍ୟ ପରିବର୍ତ୍ତନ କରିଛି ଏବଂ ଏବେ ଏହାକୁ ଆମେରିକାର ଏକ ସାର୍ବଭୌମ ପ୍ରସଙ୍ଗ ବୋଲି କହିଛି।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ ଯଦି କ୍ଷେପଣାସ୍ତ୍ର ଆକ୍ରମଣର ବିପଦ ଅଛି, ତେବେ ଏହାକୁ ଏକ ପ୍ରତିରକ୍ଷା ପ୍ରଣାଳୀ ନିର୍ମାଣ କରିବାକୁ ପଡିବ। ଡୋନାଲ୍ଡ ଟ୍ରମ୍ପ ତାଙ୍କର ଗୋଲଡେନ୍ ଡୋମ୍ ଯୋଜନା ଘୋଷଣା କରିବାର ଦୁଇ ଦିନ ପରେ ଦିମିତ୍ରୀ ପେସକୋଭ୍ ଏହି ବିବୃତ୍ତି ଦେଇଛନ୍ତି।ଗୋଲଡେନ୍ ଡୋମ୍ର ନାଁ ଇସ୍ରାଏଲୀ ଏୟାର ଡିଫେନ୍ସ ସିଷ୍ଟରୁ ଆଇରନ୍ ଡୋମ୍ରୁ ନିଆଯାଇଛି। ଯାହା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହା ଏକକାଳୀନ ହଜାର ହଜାର କ୍ଷେପଣାସ୍ତ୍ରକୁ ନଷ୍ଟ କରିପାରିବ। ଆଇରନ୍ ଡୋନ୍ ୨୦୧୧ ମସିହାରୁ କାର୍ଯ୍ୟକ୍ଷମ ହୋଇଛି।